ବ୍ୟୁରୋ ରିପୋର୍ଟ, ମାହାଙ୍ଗା, ୨୮ ଏପ୍ରିଲ, ୨୦୨୬
ଓଡ଼ିଆ ଜାତିର ସ୍ଵାଭିମାନୀ ମନ୍ତ୍ର ଦାତା ମଧୁବାବୁ ଙ୍କ ସ୍ମୃତି ଚିର ସ୍ମରଣୀୟ। ତାଙ୍କ ମାର୍ଗଦର୍ଶନ ଓଡ଼ିଆଙ୍କ ହୃଦୟରେ ଦେଶ ପ୍ରୀତି ତଥା ଜାତୀୟ ଭାବନା ଏବେବି ଜାଗରିତ କରୁଛି ବୋଲି ଶରତ କର ଓ ଅନିମା କର ଫାଉଣ୍ଡେସନ ର ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଶ୍ରୀ ଶୋଭନ କର କହିଛନ୍ତି। ମନସ୍ଵୀ ମଧୁସୂଦନ ଦାସଙ୍କ ୧୭୯ ତମ ଜୟନ୍ତୀ ଅବକାଶରେ ତାଙ୍କ ଜନ୍ମପୀଠ କଟକ ଜିଲ୍ଲା ସତ୍ୟଭାମାପୁର ଗ୍ରାମ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମଧୁସୂଦନ ଙ୍କ ପୈତୃକ ଗୃହ ଏନ୍ତୁଡ଼ି ଶାଳ ପରିଦର୍ଶନ କରିଥିଲେ ସମାଜସେବୀ ଶୋଭନ କର। ତାଙ୍କ ସହିତ ମାହାଙ୍ଗା ମୈତ୍ରୀ ମଞ୍ଚର ସମ୍ପାଦକ ତଥା ନିର୍ଭୀକ ପତ୍ରିକାର ସମ୍ପାଦକ ଶ୍ରୀ ଅବନୀ ଚନ୍ଦ୍ର ଦାସ, ମାହାଙ୍ଗା ଥାନା ଅନ୍ତର୍ଗତ ବନ୍ତଳା ଗ୍ରାମ ସ୍ଥିତ ଫାଉଣ୍ଡେସନର କୃଷି ଉତ୍କର୍ଷ କେନ୍ଦ୍ର ତଥା ସ୍ୱେଚ୍ଛାସେବୀ ସଂସ୍ଥା “ସଲିଡ଼ାରିଡ଼ାଡ” ର ଓଡ଼ିଶା ମୁଖ୍ୟ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଏବଂ ସମାଜସେବୀ ଅଜିତ୍ କୁମାର ସାହୁ ପ୍ରମୁଖ ମଧୁବାବୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କୁ ଭାରତ ରତ୍ନ ଉପାଧିରେ ବିମଣ୍ଡିତ କରାଯିବା ଉଚିତ୍ ବୋଲି ଦାବି ଉପସ୍ଥାପନ କରିଥିଲେ।

ଏତଦ୍ ଭିନ୍ନ ମାହାଙ୍ଗା ଅଞ୍ଚଳ ରେ ବନ୍ତଳା ସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ସମେତ କୁଣ୍ଡି ପଞ୍ଚାୟତ ହାଇସ୍କୁଲ ପରିସରରେ ମଧୁସୂଦନ ଦାସଙ୍କ ୧୭୯ ତମ ଜୟନ୍ତୀ ପାଳିତ ହୋଇଯାଇଛି। କୃଷି ଉତ୍କର୍ଷ କେନ୍ଦ୍ର ରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ବୃନ୍ଦ ମଧୁବାବୁଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିବା ବେଳେ, କୁଣ୍ଡି ଠାରେ ହାଇସ୍କୁଲ ପ୍ରାଙ୍ଗଣରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ରେ ଧୂପ, ଦୀପ ଓ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା।
ଯୁବ ସଂଗଠକ ଶୁଭେନ୍ଦୁ କୁମାର ସାମଲଙ୍କ ସଂଯୋଜନାରେ ଫାଉଣ୍ଡେସନ ଅଧ୍ୟକ୍ଷ ଶୋଭନ କର, ମାହାଙ୍ଗା ମୈତ୍ରୀ ମଞ୍ଚ ସମ୍ପାଦକ ଅବନୀ ଚନ୍ଦ୍ର ଦାସ, ସମାଜସେବୀ ଅଜିତ୍ କୁମାର ସାହୁ, ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ବୟୋଜ୍ୟେଷ୍ଠ ମୂରବୀ ରାମ ଚନ୍ଦ୍ର ମହାପାତ୍ର, ପ୍ରାକ୍ତନ ଶିକ୍ଷକ ଧନେଶ୍ଵର ପ୍ରଧାନ, କବି ଡମ୍ବରୁଧର ପରିଡ଼ା, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମ୍ ଶେର ଅଲ୍ଲୀ, ତାରକେଶ୍ୱର ମହାନ୍ତି, ହେମନ୍ତ କୁମାର ମହାନ୍ତି, ଅଶୋକ ଜେନା ଓ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖଙ୍କ ସମେତ, କୁଣ୍ଡି, ମଧୁପୁର, ସାହାପୁର, ସଂଖପୁର, କୁହୁଣ୍ଡା, ଜଗନ୍ନାଥପୁର, ମଲ୍ଲିକପୁର, ମେରୀପୁର ଓ ନନ୍ଦକିଶୋରପୁର ଆଦି ଆଖପାଖ ଅଞ୍ଚଳର ବହୁ ସଂଖ୍ୟକ ଜନସାଧାରଣ, ଯୁବ ଛାତ୍ର ଯୋଗଦେଇ ମଧୁସୂଦନ ଦାସଙ୍କ ଗୁଣଗାନ ସହିତ ତାଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ।






