ଜୟ କୁମାର ମିଶ୍ର, ଗଜପତି, ୧୫ ଜୁନ ୨୦୨୬
ଡଉଲ ଡାଉଲ, ରୂପ ଝଲ ମଲ
ମିଠା ମିଠା, କଥା ଭାଷା,
ଦେଖେ, ଶୁଣେ ଯିଏ, ଆକର୍ଷିତ ହୁଏ
ବସା ବାନ୍ଧେ ମନେ, ଆଶା। (୧)
କିଛି ସେ କରିବ, ଉଧାରି ଧରିବ
ବିପଦ ରକ୍ଷକ ହେବ,
ଦୁଃଖର ବାନ୍ଧବ, ସମସ୍ୟା ତାରିବ
ବୁଝି ସବୁ, ହାବ ଭାବ। (୨)
ହୋଉ ସେ ହାକିମ, ଧନରେ ସକ୍ଷମ
ହେଉ ନେତା, ରାଜ ନେତା
ମାୟା ମରୁ ବାଲି, ହତାଶାଟି ଖାଲି
ଆଶା, ନିରାଶାର ରାସ୍ତା। (୩)
ପଛେ ବୁଲାଇବେ, କେତେ ଖଟାଇବେ
ନିରିଦୟେ ହେୟ ଜ୍ଞାନ,
ମନେ ଆଶା ଗୁନ୍ଥି, ଦେବେ ପ୍ରତିଶୃତି
କରିଦେବେ, ଥଇଥାନ। (୪)
ଅଭାବୀ ମଣିଷ, ରଖିବ ସାହସ
ଭାବିବ ସେ’ ଏକା ସାହା
ତାଙ୍କ ସେବା କରି, ସମସ୍ୟାର ତରି
ବାହିବ, ସଂସାରେ ଯାହା। (୫)
ବଚନ ମଧୁର, ଅନ୍ତରେ ଜହର
କପଟ ଛଳନା ବୁଦ୍ଧି,
ସମୟ ସରିଲେ, କଟୁ କଥା ତୁଲେ
ବାକ୍ୟ ବାଣ ଦେବେ ବିନ୍ଧି। (୬)
କେତେ ଉଘାଇବେ, ମନ କନ୍ଦାଇବେ,
ଛି-ଛି କୁଟା ତିରସ୍କାର,
ଭଦ୍ରପଣ ନେଇ, ଅବିଗୁଣ କହି
ଅପପ୍ରଚାରରେ ଗୀର। (୭)
ସେତ ବଡ଼ ବାବୁ, ଚାକ ଚକ୍ୟ ସବୁ
ସମାଜରେ ପ୍ରତିଷ୍ଟିତ
ଯାହା ସେ କହିବେ, ସଭିଏଁ ଶୁଣିବେ
ଭାବିବେ କହନ୍ତି, ସତ। (୮)
ତାଙ୍କର ଗୁମର, ଆଚାର, ବିଚାର
ଏକା ତାଙ୍କେ ଜାଣି ଥିବେ,
ଅଭିମନ୍ୟୁ ସରି, ଫସି ଗଲେ ଧିରି
ଚକ୍ରବ୍ୟୁହେ ଫସି ଯିବେ। (୯)
ଗଞ୍ଜଣାର ନିଆଁ, ମରିଚର ଧୂଆଁ
ଅଦୂର୍ଷ୍ୟରେ ଜ୍ୱାଳା, ତାପ
ଜାଣେ ଭୁକ୍ତଭୋଗୀ, ସଇତାନୀ ଦାଗୀ,
ପହଳା ଏଣ୍ଡୁଅ ରୂପ (୧୦)
ଦେଖଣା ସୁନ୍ଦର, କଖାରୁର ବଡ଼ି
ଦେଖିବାକୁ ମନୋଲୋଭା
ଦେଖି ମନ ଖୁସି,ଦିଶଇ ସୁବେଶି
ରୂପ ଝଲମଲ ଶୋଭା (୧୧)






