ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୨ ସେପ୍ଟେମ୍ବର ୨୦୨୬
ବର୍ଷା ଭିଜା ରାତି ଅନ୍ଧାରରେ
କୁଣ୍ଡା ଝଡ଼ା ବରଷା ବିନ୍ଦୁରେ
ତନୁ ମୋର ଶିହରୀ ଉଠେରେ
ତୁମ ସ୍ମୃତି ମରମେ ଜାଗେରେ
ଏଇ ମନ ଚହଲି ଯାଏ ରେ । ୧।
ତୁହାକୁ ତୁହା ବର୍ଷା ଭିତରେ
ସୁଲୁ ସୁଲୁ ପବନ ବହେ ରେ
ଅନ୍ଧକାର ଜମାଟ ବାନ୍ଧେରେ
ନିଶୁନ ସେ ବିଜନ ବେଳାରେ
ତୁମେ ଆସ ଝାପ୍ସା ସ୍ମୃତିରେ । ୨ ।
ରାତିର ସେ ବରଷା ପାଣିରେ
ଓଦା ହୋଇ ତୁମକୁ ଖୋଜେରେ
ଭିଜେ ମୁହିଁ ତୁମରି ସ୍ମୃତିରେ
ତୁମେ ଆସ ମେଘ ମହ୍ଲାରରେ
ସଙ୍ଗୀତର ମୂର୍ଚ୍ଛନା ଭିତରେ ।୩ ।






