ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୫ ଅଗଷ୍ଟ ୨୦୨୬
ଓଡ଼ିଆ ସଙ୍ଗୀତ ଐରାବତ ତୁମେ
ଚିର ସବୁଜ ସୁନ୍ଦର।
ସୀମାହୀନ ସେହି ସାଗର ବୁକୁରେ
ତୁମେ ଥିଲ ଉର୍ମୀମାଳ।।
ସବୁଦିନ ପାଇଁ ଆଖି ବୁଜିଦେଲ
ସ୍ମୃତି ହୋଇ ଗଲ ରହି।
କୋହ ଭରା କଣ୍ଠେ ଓଡ଼ିଆ ଅସ୍ମିତା
କାନ୍ଦେ ଆଜି କଇଁ କଇଁ।।
ନୀରସ ପ୍ରାଣରେ ଭରି ଦେଇଥିଲ
କେତେ ଯେ ରଙ୍ଗୀନ ସ୍ଵପ୍ନ।
ତୁମ ମିଠା ସ୍ୱର କେତେ ଯେ ମଧୁର
ଚନ୍ଦ୍ର ଉଦୁଆ ଜହ୍ନ।।
“ମାଝିରେ ମାଝିରେ..” ଗାଇ ଥିବା ଗୀତ
ଓଡ଼ିଶାର ପୁର ପଲ୍ଲୀ।
ଆଜି ବି ରହିଛି ଉଜ୍ଜୀବିତ ହୋଇ
ଜନେ ନ ପାରନ୍ତି ଭୁଲି।।
ତୁମେ ଗାଇ ଥିଲ ”ନ-କର ନ-କର..”
ମନରେ ତିଳେ ଭାବନା।
ଆଜି ତୁମ କଥା ଭାବନ୍ତି ସଭିଏଁ
ହୋଇଯାଆନ୍ତି ଆନମନା।।
“ମା ଜଗତର ସାହା ଓ ଭରସା..”
ତୁମରି କଣ୍ଠରୁ ସୃଷ୍ଟି।
ଭକତି ର ବାରି ଝରି ପଡୁଥିଲା
ପୁଷ୍ପ କରୁଥିଲେ ବୃଷ୍ଟି।।
ତୁମ ସଙ୍ଗୀତର ପ୍ରତିଟି ଶବ୍ଦରେ
ରହିଥିଲା ଯାଦୁଗରି।
ଯୋଗଜନ୍ମା ଥିଲ ଉତ୍କଳ ମାଟିରେ
ସଭିଏଁ ହୁଅନ୍ତି ଝୁରି।।
“ଆ-ରେ ମିତ ଆ-ସଙ୍ଗୀତ…” ଗୀତଟି
ବହୁ ପୁରାତନ ଏହି।
ଏକତା ସୂତ୍ରରେ ବାନ୍ଧି ରଖି ଅଛି
ଭାଇଚାରା ଭାବ ବହି।।
ଶାନ୍ତ, ସରଳ, ମେଳାପି ବ୍ୟକ୍ତିତ୍ଵ
ଖୋଜିଲେ ମିଳିବ ନାହିଁ ।
କେଉଁ ନାମ ଧରି ଡାକିବି ତୁମକୁ
ଭକ୍ତି ଭରା ଭାବ ଏହି।।
ଯେତେ ଲେଖୁଥିଲେ ସରିବ ନାହିଁ ଟି
ପ୍ରଣବ କିଶୋର ପାଇଁ।
ହେ ଅମ୍ଳାନ ଜ୍ୟୋତି ହୋଇଗଲ ସ୍ମୃତି
ଭାବରେ ଭାବୁଛି ମୁହିଁ ।।
ମୁକ୍ତ ଆକାଶର ବିହଙ୍ଗଟି ତୁମେ
ଢାଳୁଛି ଶତ ପ୍ରଣତି।
ଈଶ୍ୱର ତୁମକୁ ସଦ୍ଗତି ଦିଅନ୍ତୁ
ଏତିକି ମୋର ବିନତୀ।।






