ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଅକ୍ଟୋବର ୨୦୨୬
ଭଗ୍ନ ସ୍ୱାସ୍ଥ୍ୟ ତାଙ୍କ ନଗ୍ନ ଶରୀରଟି
ଦେଖିଲେ ଲାଗୁଛି ସତେ ।
ଖଦଡ଼ ଲୁଗା ଟା ଆଣ୍ଠୁ ଲୁଚେ ନାହିଁ
ବାଡି ଖଣ୍ଡେ ଧରି ହାତେ ।।
ଅହିଂସା ପୂଜାରୀ କୁହନ୍ତି ସଭିଏଁ
ମୁକୁଟ ବିହୀନ ରାଜା ।
ଭାରତ ମାତାର ଜାତିର ଜନକ
ଉଡେ ତାଙ୍କ କୀର୍ତ୍ତି ଧ୍ଵଜା ।।
ତାଙ୍କ ମହାନତା ମହାତ୍ମା ବୋଲାଏ
ବିଶ୍ୱ କରୁଛି ଆଦର ।
ଉଚ୍ଚ ନୀଚ୍ଚ ଭାବ ନଥିଲା ତାଙ୍କର
ସଭିଏଁ ମୋ ପରିବାର ।।
କେତେ ଆନ୍ଦୋଳନ କେତେ ବଳିଦାନ
କେତେ ଲାଠି ମାଡ଼ ସହି ।
ଭୋଗୀ କାରାବାସ ନ ହୋଇ ନୀରାସ
ଭାଙ୍ଗି ସେ ପଡ଼ିଲେ ନାହିଁ ।।
ଭାରତ ମାତା କୁ ସ୍ୱାଧୀନତା ଦେଇ
ରଖି ମାତୃଭୂମି ଟେକ ।
ନାଥୁରାମ୍ ହାତେ ପ୍ରାଣ ହରାଇଲେ
ସେ ଆମ ଚିର ନମସ୍ୟ ।।
ମୋ ଦେଶ ମୁଦ୍ରାରେ ସ୍ମୃତି ଚିହ୍ନ ହୋଇ
ପାଉଛନ୍ତି ଆଜି ପୂଜା ।
ତାଙ୍କ ଗୁଣ ଗାଇ ଫର ଫର ହୋଇ
ଉଡଇ ତ୍ରିରଙ୍ଗା ଧ୍ଵଜା ।।
ଅଠର ଶହ ଅଣସ୍ତରି ମସିହା
ଅକ୍ଟୋବର ଦୁଇ ଜାଣ ।
ଗାନ୍ଧୀ ଜନ୍ମ ତିଥି ପାଳେ ଏହି ଜାତି
ଗାନ୍ଧୀ ଜୟନ୍ତୀ ପ୍ରମାଣ ।।






