ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୧ ଅକ୍ଟୋବର, ୨୦୨୬
କଟକ ମହାନଗର ସ୍ଥିତ ବାଣୀ ପୀଠ ଶ୍ରୀରାମ ଚନ୍ଦ୍ର ଭବନ ଠାରେ ପଲ୍ଲୀ ପ୍ରତିଭା ସାହିତ୍ୟ ସଂସ୍କୃତି ସଂସଦର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ କ୍ରମେ ଆୟୋଜିତ ଏହି ସାରସ୍ଵତ ସମାରୋହ ରେ ଅନୁଷ୍ଠାନ ର ସଭାପତି ଶ୍ରୀ ଚୈତନ୍ୟ ରାଉତ ଅଧ୍ୟକ୍ଷତା କରିଥିଲେ । ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ତଥା ଅଧିବକ୍ତା ରାଜୀବ ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବ ଉଦ୍ଘାଟନ କରିଥିଲେ।

ପ୍ରାରମ୍ଭରେ ଅତିଥି ବୃନ୍ଦ ସଭାମଞ୍ଚରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ଫଟୋ ରେ ପୁଷ୍ପ, ଧୂପ ଦୀପାର୍ଘ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତରେ ରାଜ୍ୟ ସଙ୍ଗୀତ କାନ୍ତକବି ଙ୍କ ବିରଚିତ “ବନ୍ଦେ ଉତ୍କଳ ଜନନୀ…” ଓ ପରେ ପରେ କିଶୋରୀ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସ୍ବାଗତ ଗୀତି ପରିବେଷିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାକ୍ତନ ଆୟକର ଆୟୁକ୍ତ ତଥା ବିଶିଷ୍ଟ ସମାଜ ସେବୀ ଶ୍ରୀଯୁକ୍ତ ଶୋଭନ କର ସାହିତ୍ୟ, ସଂସ୍କୃତିର ସୁରକ୍ଷା ସହିତ ସାମାଜିକ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ନାଇଜର ପ୍ରାକ୍ତନ କୁଳ ସଚିବ ଡ଼ଃ ଅଭୟ କୁମାର ନାୟକ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଡ଼ଃ ରୋଜାଲିନ୍ ଓଡ଼ିଶାର ପଲ୍ଲୀ ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସାମୁହିକ ଉଦ୍ୟମ ଲୋଡା ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ପ୍ରତୀତି ଉନ୍ମୋଚିତ ହୋଇଥିଲା । ଏଥିସହ ଗୀତାଞ୍ଜଳି ପୃଷ୍ଟି ଙ୍କ ରଚିତ ଗଳ୍ପ ସଂକଳନ “ପ୍ରେମ ପାଇଁ ଋତୁ ଟିଏ” ଏବଂ ପ୍ରଭାତୀ ରାଣୀ ମହାନ୍ତିଙ୍କ ରଚିତ କବିତା ସଂକଳନ “ଜୀବନ ଜାହ୍ନବୀ” କୁ ଅତିଥିମାନେ ସଭା ମଞ୍ଚରେ ପାଠକାର୍ପଣ କରିଥିଲେ ।

ଉକ୍ତ ଭବ୍ୟ ସାରସ୍ଵତ ଉତ୍ସବରେ ୧୦ ଜଣ ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତିବିଶେଷ ଙ୍କୁ ସେମାନଙ୍କ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଉତ୍ତରୀୟ, ମାନ ପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଆଷାଢ଼ ମାୟା – ମାଳତୀ ର ସମ୍ପାଦକ ପିତାମ୍ବର ମହାପାତ୍ର ଅତିଥି ପରିଚୟ ତଥା ସ୍ବାଗତ ଭାଷଣ ଦେଇଥିବାବେଳେ ଶେଷରେ ସମ୍ପର୍କ ସାହିତ୍ୟ ଅନୁଷ୍ଠାନ ର ସମ୍ପାଦକ ମନୋରଞ୍ଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଶତାଧିକ କବିତା ପାଠ ସମାରୋହ କୁ ଅଧିକ ମନୋଜ୍ଞ ଓ ରସୋତ୍ତୀର୍ଣ୍ଣ କରିଥିଲା।






