ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୬ ଅକ୍ଟୋବର ୨୦୨୬
ଗତକାଲି ତା୨୫.୧୦.୨୦୨୬ ରିଖ ରବିବାର ଅପରାହ୍ନରେ ଶରତ କର ଓ ଅନିମା କର ଫାଉଣ୍ଡେସନ ର ମାହାଙ୍ଗା (ବନ୍ତଳା) ସ୍ଥିତ କୃଷି ଉତ୍କର୍ଷ କେନ୍ଦ୍ର ରେ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ କଟକ ଜିଲ୍ଲା ୧୭ ବର୍ଷରୁ କମ୍ ବାଳିକା କ୍ରିକେଟ ଦଳର ୧୬ ଜଣ କ୍ରିକେଟ୍ ତାରକା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ଜାତୀୟ “ଏ” କ୍ରିକେଟ୍ ଦଳର ପୂର୍ବତନ ଅଲ୍ ରାଉଣ୍ଡର / ବୋଲର କ୍ରିକେଟ୍ ଖେଳାଳି ବସନ୍ତ ମହାନ୍ତି ସଦ୍ୟ ସମାହିତ ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ୱର ଦଳକୁ ହରାଇ ଶ୍ରେଷ୍ଠ ଚମ୍ପିୟାନ ଟ୍ରଫି ହାସଲ କରିଥିବା କଟକ ଜିଲ୍ଲାସ୍ତରୀୟ ବାଳିକା କ୍ରିକେଟ ଦଳର ୧୭ ବର୍ଷରୁ କମ୍ କିଶୋରୀ ତାରକା ମାନଙ୍କୁ ଉପଢୌକନ ଓ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ।

ଫାଉଣ୍ଡେସନ ଅଧ୍ୟକ୍ଷ ତଥା ପୂର୍ବତନ ଆୟକର କମିଶନର ଉତ୍ସବରେ ଅଧ୍ୟକ୍ଷତା କରି ସମ୍ବର୍ଦ୍ଧିତ ବାଳିକା କ୍ରିକେଟ ତାରକା ମାନଙ୍କୁ ଉତ୍ସାହିତ କରି ଭବିଷ୍ୟତରେ ରାଜ୍ୟ ତଥା ଦେଶର ଗୌରବ ବଢ଼ାଇବାକୁ ଆହ୍ବାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ କ୍ରିକେଟ୍ କୋଚ୍ ଲେଲିନ ବଳ ଏବଂ କଟକ ବାଳିକା କ୍ରିକେଟ୍ ଦଳର ଅଧିନାୟିକା ଗାୟତ୍ରୀ ଖଟୁଆ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରି ବକ୍ତବ୍ୟ ରଖିଥିଲେ ।

ଶ୍ରୀ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ଫାଉଣ୍ଡେସନ ପରିଚାଳିତ କୃଷି ଉତ୍କର୍ଷ କେନ୍ଦ୍ରର ସ୍ବେଚ୍ଛାସେବୀ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ସ୍ଥାନୀୟ ମାହାଙ୍ଗା ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଶତାଧିକ କ୍ରିକେଟ୍ ପ୍ରେମୀ ଜନସାଧାରଣ ଉପସ୍ଥିତ ରହି ବାଳିକା କ୍ରିକେଟର ମାନଙ୍କୁ ଉତ୍ସାହିତ କରିଥିଲେ ।






