ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫
ଆହେ କାନ୍ତକବି!
ତୁମ “ବନ୍ଦେ ଉତ୍କଳ ଜନନୀ” ଗୀତ
ଗାଇଛି ଓଡ଼ିଆ ଜାତିର ବୀରତ୍ୱ
ବର୍ଣ୍ଣିଛି ତାହାର ଅନନ୍ୟ ମହତ୍ୱ
ଏ ଭୂଇଁରେ ତାହା ହୋଇ ନିନାଦିତ
ଓଡ଼ିଶାବାସୀଙ୍କୁ କରିଛି ଗର୍ବିତ
ଓଡ଼ିଶା ଶ୍ରେଷ୍ଠତ୍ୱ କରି ପ୍ରତିଭାତ
ହୋଇଅଛି ତାହା ରାଜ୍ୟର ସଙ୍ଗୀତ।।୧।।
ଆହେ କାନ୍ତକବି!
ତୁମ “ବନ୍ଦେ ଉତ୍କଳ ଜନନୀ” ଗୀତ
ସାରା ଓଡ଼ିଶାରେ ଆଜି ଗୁଞ୍ଜରିତ
ଓଡ଼ିଆ ପ୍ରାଣରେ ଭରିଛି ଅମୃତ
ଜାତୀୟତା ଭାବ କରିଛି ଜାଗ୍ରତ
ବିଶ୍ୱରେ ବୁଣିଛି ଜାତିର ମହତ
ପ୍ରତ୍ୟେକ ଓଡ଼ିଆ ତେଣୁ ଶିହରିତ
ସେଥିପାଇଁ ଆଜି ଓଡ଼ିଆ ଦର୍ପିତ।।୨।।
ଆହେ କାନ୍ତକବି!
ସ୍ୱତନ୍ତ୍ର ଓଡ଼ିଶା ଗଢ଼ିବା ପାଇଁ ତ
ତୁମ ଗୀତ କରିଥିଲା ସମ୍ମୋହିତ
ଦେଶ ପାଇଁ ପୁଣି ହୋଇ ସମର୍ପିତ
ଲଢ଼େଇ କରିଲ ବ୍ରିଟଶ ସହିତ
ଇଂରେଜ ଶାସନେ ହୋଇ ଭୂଲୁଣ୍ଠିତ
ପରିବାର ହେଲା ଗଭୀର ଲାଞ୍ଛିତ
ତଥାପି କରିଲ ନାହିଁ ମଥା ନତ।।୩।।
ଆହେ କାନ୍ତକବି!
ସବୁଥିରୁ ତୁମେ ହୋଇଛ ବଞ୍ଚିତ
ପୂଜ୍ୟପୂଜା ପ୍ରତି ସମ୍ମାନ ରହିତ
ତୁମ ବାସସ୍ଥଳୀ ଆଜି ଉପେକ୍ଷିତ
ସ୍ମୃତିରକ୍ଷା ପାଇଁ କେ ନୁହେଁ ଚିନ୍ତିତ
ସେଥିପାଇଁ ତୁମେ ହେଉଛ ବିସ୍ମୃତ
କିଭଳି କରିବୁ ପାପ ପ୍ରାୟଶ୍ଚିତ
ଜଣାଉ ତୁମକୁ କୋଟି ପ୍ରଣିପାତ।।୪।।