ଜୟ କୁମାର ମିଶ୍ର, ଗଜପତି, ୯ ମଇ ୨୦୨୬
ମଣିଷ ସ୍ୱଭାବ, ତାର ହାବ ଭାବ
ବିଚିତ୍ର ବିଚିତ୍ର ଲାଗେ
ମତ, ପଥ, ଯାତ, ବଚନର ସ୍ରୋତ
ବଦଳିବ ବେଗେ ବେଗେ (୧)
ନକରି ବିଚାର, ସତ୍ୟା ସମାଚାର
ହୁଏ ଅନ୍ଧ, ସମର୍ଥକ,
ଦେଖିଣ ବରଷା, କରିବେ ଭରସା
ମିଛ ଗୁଣାର୍ଣ୍ଣବ ବାକ୍ୟ (୨)
ପାଇଲେ କ୍ଷମତା, ବଢିବ ମମତା
ବିଷଟି, ପିୟୁଷ ହେବ
ନଯିବା ଗାଆଁକୁ, ହେବ ବାଟ ଖୋଜା
କଣ୍ଟା, ଲଟା ସଫା ହେବ (୩)
ସାତ ଶତ୍ରୁ ଜନ, ହୋଇବେ ଭାଜନ
ସବୁ ପାଇଁ ଖୋଜା ଲୋଡ଼ା,
ପୂର୍ବ ପୁରଷର, ସୁଗୁଣ, ସଂସ୍କାର
ସୁଦ୍ଧ, ସୁବର୍ଣ୍ଣରେ ଗଢ଼ା (୪)
ପ୍ରଶଂସାକୁ ଯୋଖି, କେତେ ଟେକା ଟେକି,
ଅଭ୍ୟର୍ଥନା, ସମ୍ବର୍ଦ୍ଧନା
ଅତି ରଂଜିତରେ, ସଭା, ସମିତିରେ,
ଶୁଭିବ ଭାଟଙ୍କ,ଵୀଣା (୫)
ଅନ୍ଧ ଅନୁଗାମୀ, ମାତାଲରେ ଝୁମି
ସ୍ତୁତି, ସ୍ତବ ବାର, ବାର,
ଭୋକିଲା କୁକୁର, ଭୁକେ ନିରନ୍ତର
ଦେଖି ଅଇଁଠା ପତର (୬)
କିଏ କହେ ଇନ୍ଦ୍ର, କିଏ କୁହେ ଚନ୍ଦ୍ର
ଚଳନ୍ତି ଦେବତା ସିଏ,
ବିପଦ ବାନ୍ଧବ, ଉଧାରୀ ଧରିବ
ନାହିଁ ସରି ସମ କିଏ (୭)
ଦେଖି ପରା ଗୁଡ଼, ଜନ୍ଦା କୁଢ଼ କୁଢ଼
ମାଳ ମାଳ, ଚଉପାଶେ,
ପଡ଼ି ଗଲେ ଫୁଲ, ହେବେ କଲବଲ
ମିଛେ, କାନ୍ଦି, କେହି ଭାଷେ (୮)
ଗଲେ କ୍ଷମତାଟି, ମୁହଁ ମୋଡ଼ି ଯିବେ
ଖାପ ଛଡ଼ା, ନୀତି, ପ୍ରୀତି,
ହେବ ଯେବେ ଡକା, ନମେଳିବ ଦେଖା,
ବ୍ୟସ୍ତ ବହୁଳତା ସ୍ଥିତି (୯)
ସବୁତ ଅସାର, ତାର କାରବାର
ଜନତା ବିରୋଧୀ ଜନ,
ଖାଇ ବୋହି ନେଲା, ବଡ଼ ଲୋକ ହେଲା
କନ୍ଦାଇ ପ୍ରଜାଙ୍କ ମନ (୧୦)
ଯେତେକ ଅସାର, ପାଶେ ଭରପୁର
ଚୁପ ସଇତାନୀ ସିଏ,
ହାସ, ପରିହାସ, ଛନ୍ଦ, ମନ୍ଦ ଭାଷ
ପାଗଳଟି କଥା କୁହେ (୧୧)
ଜିରାରୁ ଶିରାଟି, କାଢିବେ କେଉଁଠି
ତିଳକୁ ତାଳର ରୂପ,
ହେବାକୁ ନହେବା, ନହେବକୁ ହେବା
ଏଠି, ସେଠି ଖଟି ଗପ (୧୨)






