ଡକ୍ଟର ହୃଦାନନ୍ଦ ପାଣିଗ୍ରାହୀ, ୮ ମଇ ୨୦୨୫
ଏବେ ବି କୋଇଲି ଗୀତ
ଟହଲାଏ
ସାଳନ୍ଦୀର ପାଣି
ପବନ ଉଡ଼ାଏ ପୁଣି
ଶରତର କାଶତଣ୍ଡୀ କାନି।
କାହିଁକି କେଜାଣି ଏଠି
ଜହ୍ନ ଆଉ ଜହ୍ନ ରାତି
ଏତେ ରୋମାଣ୍ଟିକ!
ଘାସର ନିଗିଡ଼ା ନୀଳ
ଆଉ ନୀଳକଇଁ ଶିଉଳିର
ଲିରିକ୍ ପାଇଁ କି?
ଜହ୍ନ ଲିଭେ, ଚରା ନିଭେ
ନିଜେ ନିର୍ଭିକତା
ତଥାପି କାହିଁକି ଅବା
ଅତର ଅତର ଲାଗେ
ସକାଳର ଟୋପି ଟୋପି
ଅନ୍ୟମନସ୍କତା।
ମନହୁଏ ସବୁକିଛି
ଅଜାଡ଼ି ଦବାକୁ ଏଠି
ଖୁବ୍ ବେଶି ଭଲ ଲାଗେ
ନିଜ ନାଆଁ ନିଜ ଗାଆଁ
ଠିକଣାକୁ ଦେବାକୁ ସମର୍ପି।