ସୁଚରିତା ମହାନ୍ତି, କଟକ, ୮ ଅପ୍ରେଲ ୨୦୨୩
କାହିଁକି ଜୀବନ ଏମିତି
ତୁଛାଟାରେ ହାର୍ ମାନିଯାଏ
ଅନବରତ ବିଷାଦ,
ବ୍ୟାକୁଳତାର ଛବି ଆଙ୍କୁ ଥାଏ
ଦୂରେଇ ଯାଏ ସମୟ
ନିଖୋଜ ହୋଇଯାଏ ରାତିର ବହଳ ଅନ୍ଧାର
ଉଭାନ୍ ହୁଏ ନିଦ
ଆଖି ପଲକରୁ ।।
ପ୍ରତୀକ୍ଷାର ମୁକ ମୁହୂର୍ତ୍ତ ଭିତରେ
ଭାଙ୍ଗି ରୁଜି ଚୁରମାର୍ ହୁଅନ୍ତି
ଯେତେ ସବୁ ସ୍ୱପ୍ନ
ଏତେ ଆସକ୍ତି ଆବେଗ କାହା ପାଇଁ
କାହିଁକି ଯନ୍ତ୍ରଣା ର ଜଉଘରେ
ଅହରହ କୁହୁଳୁଥାଏ ମନ!!
ତମାମ ଅବଶୋଷ
ବନ୍ଦ ହୋଇ ରହିଯା’ନ୍ତି
ବୁଢ଼ୀ ଅସୁରୁଣୀ ର ସିନ୍ଧୁକ
ପେଡ଼ି ରେ ।।
କିଏ କ’ଣ ବୁଝିପାରେ ଦୁଖର ପରିସୀମା କେତେ
ଭାଗ୍ୟର ଭାଗଫଳ କଷିବାକୁ
କାହାର ବା କ୍ଷମତା ରହିଛି !
ଆକ୍ତାମାକ୍ତା ଲାଗେ
ସକାଳର ସୂର୍ଯ୍ୟୋଦୟ
ନିରବରେ ଏକା ଏକା ଚାଲିବାଟା ହୋଇପାରେ ବିଡ଼ମ୍ବନା
କାକର ବିନ୍ଦୁ ପରି ଝରିପଡ଼େ
ଆୟୁଷ….
ସଂଘର୍ଷର ଲମ୍ବା ରାସ୍ତା ଭିତରେ
ଦି’ ମୁଠା ଖୁସି ସାଉଁଟିବା
କେବେ ସହଜ ତ ନୁହେଁ !!