ସସ୍ମିତା ପଣ୍ଡା, କଟକ, ୨୮ ମାର୍ଚ୍ଚ ୨୦୨୩
ତୁ ଆଜି ଜାଗ୍ରତ ମୁଦ୍ରାରେ
ଆଶୁଫଳ ଦାୟନୀ
ଗଦ୍ଦର୍ଭ ବାହିନୀ କୃଷ୍ଣବର୍ଣ୍ଣା
ତେଜୋଦୀପ୍ତା ।।
ଆଜି ତୋ ଅଭୟମୁଦ୍ରା
ତୋ ବରମୁଦ୍ରାରୁ
କଣିକାଏ ପାଇବାକୁ
କେଉଁ ପୂଣ୍ୟର ଫୁଲମାଳା ସଜାଡ଼ିବି ?
ତୋ ତନୁର ରଙ୍ଗ
ଉତୁରି ଆସୁ
ମିଶିଯାଉ ସେଥିରେ
ମୋ ଅହମିକାର କଳାମେଘ
ସୁବର୍ଣ୍ଣ ସମ୍ଭାବନା ଢ଼ଳି ଆସନ୍ତା
ଅଯାଚିତ ହେଉଥାନ୍ତା ତୋ
ଆଶ୍ବାସନା ।
ମୁଁ ତ ଆତ୍ମାଭିମାନର
ସଉଚ୍ଚ ପ୍ରାଚୀର
ତୋ ସୂକ୍ଷ୍ମ ଭାନୁଚକ୍ର
ଭେଦୀବାର ଗୋଟେ
ବୃଥା ଆସ୍ଫାଳନ କରିବି
କାହିଁକି ଯେ……..
ତୁ ଭୂମିଠାରୁ ଭୂମା ବ୍ୟାପି
ଏ ମହାଲଗ୍ନରେ
ସାର୍ଥକତାର ଅମୋଘ ଶକ୍ତି ।
ମୁଁ କେବଳ ବିଶ୍ୱାସ ତଟରେ
ସମର୍ପଣ ସଂଚାର କରୁଛି
ତୋ ପାଖରେ ନିଗାଡ଼ି
ଜନ୍ମ ଜନ୍ମର ଭାବାବେଗକୁ ।
ମୋ ମାଗୁଣି ତୋ ପଣତରେ
ଉତୁରି ଉଠିଛି ନା
ରଖି ଥା ଯତନରେ
ଗଣ୍ଠି ପକେଇ
ମୁଁ ଦେଇଦେଲି
ଯାହା ଥିଲା, ଯାହା ଅଛି
ଆଉ ଯାହା ହେବାକୁ ଅଛି
ତୁ ସମଗ୍ର ସୃଷ୍ଟିକୁ
ବକ୍ଷରେ ଆଉଜାଇ ପାରୁ
ଆଉଁସି ଦେଉ ବରମୁଦ୍ରାରେ
ସେଥିପାଇଁ ତ ଏ ମନ ଆଉ ହୃଦୟ
ଉନ୍ମୀଳନ ପାଇଁ
ଖୋଲା ରଖିଛି ଦୁଆର
ନିଶ୍ଚେ ଆସିବୁ ବୋଲି……ଏବେ ମୁଁ ନିଶ୍ଚିତ ।