ସୁଚରିତା ମହାନ୍ତି, ମାହାଙ୍ଗା, କଟକ, ୧୧ ଅକ୍ଟୋବର ୨୦୨୩
ବର୍ଷ ତମାମ କବି ମାନଙ୍କର ଲେଖା ଚାଲିଥାଏ । ନିଜ ନିଜର ବହି ପ୍ରକାଶ କରିବାକୁ ଯେତିକି ଆନନ୍ଦିତ ଥାନ୍ତି ସେତିକି ଆନନ୍ଦିତ ଥାନ୍ତି କୌଣସି ନା କୌଣସି ନାମୀଦାମୀ ପତ୍ରିକା ରେ ତାଙ୍କର ଲେଖା ଟିଏ ପ୍ରକାଶ ପାଇବା ଆଶାରେ ।
ଲେଖା ପ୍ରକାଶ ପାଇବା ପରେ ଲେଖକ ଯେପରିକି ଗର୍ଭ ଯନ୍ତ୍ରଣା ରୁ ମୁକୁଳି ଆସେ ଏବଂ ପତ୍ରିକା ଓ ପ୍ରକାଶିତ ଲେଖା ନବଯାତ ଶିଶୁ ପରି କୁଆଁ ରାବ ଦେଇ କବି ର ଜୀବନ କୁ ପରିପୂର୍ଣ୍ଣ କରେ । କବି ତା’ର ମାନସ ସନ୍ତାନ କୁ ପାଇ ସ୍ତନ୍ୟପାନ କରଉ କି ନ କରଉ ଛାତିରେ ଭିଡ଼ିଧରି ଅଜସ୍ର ଚୁମ୍ବନ ଦେଇ ନିଜ କୁ ଧନ୍ୟ ମଣେ ।
ଆପଣ ଭାବୁଥିବେ ମୁଁ ଏତେ କଥା କାହିଁକି ବଖାଣୁଚି !
ଠିକ୍ ଭାବିଚନ୍ତି ।
ଏବେ ପାର୍ବଣ ର ଋତୁ । ଚାରିଆଡ଼େ ମା’ ଦୁର୍ଗାଙ୍କ ଆବାହନ ପାଇଁ କାହିଁ କେତେ ଆୟୋଜନ ଆରମ୍ଭ ହୋଇଯିବ । କେତେ କେତେ ଉନ୍ମାଦନାରେ ପୁରି ଉଠିବ ଗାଁ ଠୁ ସହର । ମହାଆଡ଼ମ୍ବର ରେ ମନଭରି ଉପଭୋଗ କରିବେ ଶାରଦୀୟ ଦୁର୍ଗାପୂଜା, କିନ୍ତୁ କବି ଟିଏ ଅନେଇ ବସିଥାଏ ତା’ର ପ୍ରିୟ ପତ୍ରିକା ଅପେକ୍ଷା ରେ, କେତେବେଳେ ତା’ ସ୍ପର୍ଶ ପାଇବ, ଆଖି ପୁରେଇ ଦେଖିବ ତା’ କବିତା, ଗଳ୍ପ, ପ୍ରବନ୍ଧ ଓ ଉପନ୍ୟାସକୁ । ଓଡ଼ିଶାରେ ପାଖାପାଖି ଦୁଇ ଶହ ପତ୍ରିକା ବାହାରୁଥିବ ଯାହାର ନାମ ମଧ୍ୟ ଅନେକ କବିଙ୍କୁ ଜଣାନାହିଁ କିନ୍ତୁ କେତୋଟି ଖ୍ୟାତନାମା ପତ୍ରିକା ରେ ଲେଖା ବାହାରିବା କୁ ନେଇ କବି ମାନଙ୍କ ଭିତରେ ଠେଲାପେଲା ହୁଏ ଠିକ୍ ରେଳ ଯାତ୍ରୀ ପରି । ଏତେ ଉତ୍କଣ୍ଠା ଦେଖାଦେଇଥାଏ ଯେ କହିଲେ ନ’ସରେ ।
ଏତେ ମାତ୍ରାରେ ଲେଖା ଆସି ସମ୍ପାଦକ ଙ୍କ ପାଖରେ ପହଞ୍ଚିଯାଏ ସେମାନେ ବି ଦ୍ଵନ୍ଦ ରେ ପଡ଼ିଯାନ୍ତି । ଇଛା ନଥାଇବି ବାଧ୍ୟତାମୂଳକ ଲେଖା ପ୍ରକାଶ କରିଥାନ୍ତି । କିଛି କବି ଏମିତି ଅଛନ୍ତି ସେମାନଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ଫୋନ୍ ମାଧ୍ୟମରେ ଟେକାଟେକି କରି ସମ୍ପାଦକ ସମ୍ପାଦିକା ଙ୍କୁ ବାଧ୍ୟ କରନ୍ତି ଆଉ କିଛି ଅଛନ୍ତି ଭାରି ସୁଧାର ଭାବରେ କଥା କହି ତାଙ୍କ ଲେଖା ଛାପି ବାକୁ ବାଧ୍ୟ କରନ୍ତି ।
ଏସବୁ ତ ଠିକ୍ ଅଛି ପତ୍ରିକା ବାହାରୁଚି ମାନେ ଲେଖା ବି ବାହାରିବ ହେଲେ ପତ୍ରିକା ଟିଏ ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଯଦି ପତ୍ରିକା ନ ପହଞ୍ଚିଛି ତା’ହେଲେ ମହାଭାରତ ଅଶୁଦ୍ଧ ହୋଇଯିବ ।
ଆଉ କେତେ ଜଣ ଅଛନ୍ତି ପତ୍ରିକା ନ କିଣି ବାର ବାହାନା ରେ କହନ୍ତି, ପତ୍ରିକା ର କଭର ଏବଂ ଭିତରେ ସ୍ଥାନ ପାଇଥିବା ଲେଖା ଟିର ଫୋଟୋ ଉଠେଇ ପଠାନ୍ତୁ ଆମେ ଫେସବୁକ୍ ରେ ପୋଷ୍ଟ କରିବୁ ।ସେ ପରି କବି ମାନଙ୍କ ଉପରେ ଦୟା ଆସେ । କେହି କେବେ ଲେଖକ ଥରେ ପଚାରି ବୁଝନ୍ତି ନାହିଁ ପତ୍ରିକା ଟିଏ କେତେ କଷ୍ଟ ସ୍ୱୀକାର କରି ସମ୍ପାଦକ ପ୍ରକାଶ କରିଥାଏ । ପ୍ରକାଶ ପାଉ ପାଉ ଆମକୁ ପତ୍ରିକା ଦିଅ ।
ତା’ପରେ ଆସେ କେଉଁଠି କାଁ ଭାଁ ଶବ୍ଦ ଯଦି ଭୁଲ୍ ଭାଲ୍ ରହିଯାଇଛି, ସେଥିରେ କ’ଣ କମି କଥା ଶୁଣିବା କୁ ପଡ଼େ କି ! ସବୁ ପରେ ବି ପତ୍ରିକା ବନ୍ଦ ହୁଏ ନା କବି ମାନଙ୍କ ଲେଖା ବନ୍ଦ ହୁଏ । ସମୟ ଅନୁସାରେ ସବୁ ଚାଲିଥାଏ ।
ସୋସିଆଲ୍ ମିଡିଆ ରେ ପତ୍ରିକା ମାନଙ୍କର ରୂପ ସଜ୍ଜା ରେ ମଗ୍ନ ରହନ୍ତି କବିମାନେ । ଚାଲେ ଯେମିତି ପ୍ରଦର୍ଶନୀ ଚାଲେ । କେତେ କେତେ ପ୍ରଶଂସାର ସୁଅ ଛୁଟେ ତା’ପରେ ଯଥା ପୂର୍ବଂ ତଥା ପରଂ ପରି ସେଇ ପୁରୁଣା କଥା ।
ପାର୍ବଣର ଋତୁ ଅପସରି ଗଲା ପରେ ପତ୍ରିକା ସାଇତା ହୋଇ ରହେ ବହିଥାକରେ । ମଝିରେ ମଝିରେ କବି ହାତ ଆଉଁସି ଆଣେ ତା ମାନସ ସନ୍ତାନ ଉପରେ । ମନେ ମନେ କହୁଥାଏ ସତରେ ସାର୍ଥକ ହୋଇଚି ତା ଜୀବନ। ।