ସୁଚରିତା ମହାନ୍ତି, କଟକ, ୩ ମାର୍ଚ୍ଚ ୨୦୨୩
କେତେ ଆଉ ସମ୍ଭାଳି ରହିବି
ଛାତି ଭିତରଟା କୋରି ହୋଇଗଲାଣି
ସେମାନଙ୍କ କଥା ଭାବି ଭାବି
ଯେତେ ଥର ଯାଉଚି ସେଇ
ଗାଁ ମୁଣ୍ଡ ବରଗଛ ପାଖକୁ
ସେ ଯେମିତି ମୋତେ
ଖତେଇ ହୋଇ କହୁଚି,
ପୁଣି ଆସିଗଲୁ ମୋରି ପାଖକୁ!!
ତୋତେ ଆଉ କ’ଣ କେହି
ମିଳୁ ନାହାନ୍ତି
ସାତ ଖଣ୍ଡ ଗାଁର ଆଲୁରୁ ବାଲୁରୁ ହୋଇ ପଡ଼ିଥିବା
ମାଦଳାପାଞ୍ଜି ପଢ଼ି ଶୁଣେଇବାକୁ
ହଁ ଖତେଇ ହେବନି କାହିଁକି
ଦେଖୁ ଦେଖୁ ସମସ୍ତେ ଧୀରେ
ଧୀରେ ବାଟ କାଟି ଚାଲି ଯାଉଛନ୍ତି
କିଏ ବା ରହୁଚି !
ଭାରି ଏକା ଏକା ଲାଗୁଚି
ଭଙ୍ଗା କୁଲା, ଛିଣ୍ଡା ଛାଞ୍ଚୁଣି କିଛି ପିନ୍ଧା ଲୁଗା ଏଇ ଗୁଡି଼କ ମେଳି ଜମେଇଥାନ୍ତି ସେଇ ବୁଢା଼ ବରଗଛ ମୂଳରେ
ସେ ଯେମିତି ଠିକା ଧରିଚି
ସେ ଗୁଡି଼କ ସାଇତି ରଖି ବାକୁ ତା ସିନ୍ଧୁକ ପେଡ଼ି ରେ
ଯଦି କେବେ କେବେ
ଶୁଭିଯାଏ
ରାମନାମ ସତ୍ୟ ହରି ନାମ ସତ୍ୟ
ହାତ ଗଣତି କେଇଟା ବୁଢ଼ା ବୁଢ଼ୀ
ଦୀର୍ଘ ଶ୍ଵାସ ଛାଡ଼ି
କହି ପକାନ୍ତି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି…
ଆଗକୁ ପାଟି ଖନି ମାରିଯାଏ
ବହି ଆସେ ଉତ୍ତଲା ପବନ
ଶୀତେଇ ଯାଏ ଦେହ
ସେଇ ବୁଢ଼ା ବର ଗଛ ଯେମିତି
ମୋର ସବୁକିଛି
ତା ପାଖକୁ ଗଲେ ମୁଁ ହଜେଇଥିବା ଅସ୍ତିତ୍ବ କୁ ଫେରି ପାଏ
ଆଉ କିଏ ଅଛି ଯେ କାହା କୋଳରେ ଆଉଜି ପଡ଼ିବି!!
ତାକୁ ଥରେ ଛୁଇଁ ଦେଲେ ମୋତେ ମିଳିଯାଏ ପୂର୍ବ ପୁରୁଷମାନଙ୍କର ଆଶୀର୍ବାଦ
ଦେଇପିଣ୍ଡିକୁ ଯିବା ପାଇଁ ଆଉ
ସାହସ ହେଉ ନାହିଁ
ସଞ୍ଜବତୀ ଟେ କେମିତି ଜାଳିବି
ସବୁଆଡ଼େ ଖାଁ ଖାଁ ନୀରବ ପାଦ ଶବ୍ଦ ଭାରି ଅସ୍ଥିର କରୁଛି ।
ହଜି ଗଲାଣି ପୁନେଇଁ ପର୍ବ
ଗାଁ ଦାଣ୍ଡରେ କାଉ କି କୋଇଲି
କାହାରି ରାବ ଶୁଭୁନି
ଏମିତି ଦେଖୁ ଦେଖୁ ଦିନ ସରିଯିବ
ମୁଁ ବି ଦିନେ ଯିବି
ସେଇ ବୁଢା଼ ବରଗଛ ପାଖ ଥିବା ପଦାକୁ…
କେବଳ ଚାରି କାନ୍ଧ ଲୋଡ଼ା
ସେଦିନ ସେ ଆଉ କିଛି କହିବନି
କେବଳ କଇଁ କଇଁ ହୋଇ କାନ୍ଦି ଉଠିବ
ଆଉ କିଏ ଥିବ ଯେ,
ଦୁଖସୁଖ ବାଣ୍ଟିବାକୁ ଯିବ ତା ପାଖକୁ !!
ସେ ବି ସେମିତି ଏକା ଏକା ଅନେଇ ରହିଥିବ ଅନନ୍ତ କାଳକୁ
ନିଜ ସହ ନିଜେ
ବାଣ୍ଟୁଥିବ ଜୀବନ ଯାକର ଦୁଖସୁଖ !!