ଭକ୍ତ ଚରଣ ସାହୁ, ଯାଜପୁର, ୬ ଅକ୍ଟୋବର ୨୦୨୨
କରୁଣାର ବାରି
ଛୁଟେଇ ଦିଅହେ
ଦୁଃଖ ସବୁ ହେଉ ନାଶ ।
ସଂସାରର ମୋହ
ତୁଟେଇ ଦିଅହେ
ରହିଥିବି ତୁମ ପାଶ ।।
ପାପ ସବୁ ମୋର
ଗୋଟେଇ ନିଅହେ
ସେହି ସ୍ଥାନେ ପୂଣ୍ୟ ଭରୁ ।
ତୁମ କୋଳେ ମତେ
ଲୋଟେଇ ଦିଅହେ
ଆୟୁଷ ସେଇଠି ସରୁ ।।
ତୁମ ନାମ ପ୍ରେମେ
ହଜେଇ ଦିଅହେ
ଜପୁଥିବି ଦିନ ରାତି ।
ତୁମ ଦାସ ଭାବେ
ସଜେଇ ଦିଅହେ
ସେବାରେ ଯିବି ମୁଁ ମାତି ।।
ଦୁଃଖେ ସୁଖେ ମତେ
ଚଳେଇ ନିଅହେ
ରହିଥିବା ଯାଏ ଭବେ ।
ବିପଦ ଆପଦ
ଟଳେଇ ଦିଅହେ
ଦୟାଭାଵ ରଖି ଲବେ ।।
ପାପ ବୁଦ୍ଧି ମୋର
ଛଡେଇ ଦିଅହେ
ତୁମକୁ ପାଇବା ପାଇଁ ।
ଧର୍ମ ପଥେ ମତେ
କଢେଇ ନିଅହେ
ତଵ ପାଶେ ଯିବି ଧାଇଁ ।।
ମହାମନ୍ତ୍ର ପଦେ
ଶୁଣେଇ ଦିଅହେ
କାୟା ମୋ ପବିତ୍ର ହେଉ ।
ଭକ୍ତି ମଞ୍ଜି ହୃଦେ
ବୁଣେଇ ଦିଅହେ
ହୃଦକୁ ମୋ ଶାନ୍ତି ଦେଉ ।।
ତୁମ ହାତେ ହାତ
ଧରେଇ ନିଅହେ
ଅନୁସରୁଥିବି ପଥ ।
ତଵ ପ୍ରେମେ ଲୁହ
ଝରେଇ ଦିଅହେ
ସାଜୁଥିବି ସଦା ଭକ୍ତ ।।
ଭିତର ଅଳିଆ
ହଟେଇ ଦିଅହେ
କାଳିମା ଦୂରେଇ ଯାଉ ।
ଶରୀରୁ ଆତ୍ମାକୁ
ପଠେଇ ଦିଅହେ
ପାଦ ପଦ୍ମେ ସ୍ଥାନ ପାଉ ।।