ଆଲୋକ କୁମାର ପ୍ରଧାନ, ପୁରୀ, ୧୬ ଅକ୍ଟୋବର ୨୦୨୩
ଝୁରିବା ଠିକଣା ହୋଇ ଫେରିବାର ବାଟ ଭୁଲିଯାଏ।
ଓଠରେ ଜୀବନ ସାରା ହସଟିଏ ହୋଇ ଝୁଲୁଥାଏ ।।
ଫେରିଲେ ଫେରଇ କାଲି ଆଜିଠାରୁ ଯା ଥିଲା ମଧୁର ।
ନିଜର ନିଜର ଲାଗେ ଦୁଃଖ-ସୁଖ ସବୁ ସେ ଦିନର।।
ହାତ ପାଆନ୍ତାରେ ଯେବେ ଖେଳୁଥିଲା ଜହ୍ନଟିଏ ହୋଇ ।
ହସର ସହର ଗୋଟେ ସବୁଦିନ ଉପହାର ଦେଇ ।।
ଯେ ସହରେ ଦୁଃଖ ଦୁର ସମ୍ପର୍କୀୟ କୁଣିଆ ପରିକା।
ଯେ ଦିନ ଲାଗେନା ଏକା କେବେହେଲେ ଦିଏନାହିଁ ଧୋକା।।
ଅମଡ଼ା ମାଡ଼ିଲେ କେତେ ଅବାଟ ବି ପରିଚିତ ଲାଗେ।
ଭୋଗିଲେ କି ନଭୋଗିଲେ ଖୁସିଟେ ତ ଥାଏ ଓଠ ଅଗେ।।
ପାରିଲାପଣିଆ ନାଚେ ଡିଏଁ ସବୁ ନିପାରିଲା ପଣ।
ଏବେ ସବୁ ଅଧାଲାଗେ ପିଲାଦିନ ସବୁଠୁଁ ନିଖୁଣ।।
ପିଲାଦିନ ଥାଏ ବୋଲି ଖୁସିତକ ବଦଳୁ ନଥାଏ।
ସଭିଙ୍କର ପିଲାବେଳ ମଲାଯାଏ ନିତି ଛୁଉଁ ଥାଏ।।