ଭକ୍ତ ଚରଣ ସାହୁ, ଯାଜପୁର, ୧୧ ସେପ୍ଟେମ୍ବର ୨୦୨୨
ସ୍ନେହୀ ମଣିଷକୁ
ଭୁଲି ହୁଏ ନାହିଁ ଜମାରୁ ।
ଜାଣିଥାଅ ସ୍ନେହ
ସରେନା ମନର ଅମାରୁ ।।
ତେଣୁ-ସ୍ନେହ ଦିଅ ନିଗାଡ଼ି ।
ଦୁନିଆଁରେ ଆଉ
କେ ଅଛି କାହିଁରେ
ତୁମକୁ ଦେବସେ ବିଗାଡି ।।
ସ୍ନେହ ପାଶେ ଥିଲେ
ପାଇବ ସବୁଠି ଆସନ ।
ତୁମ ପାଇଁ ଆଉ
ନ ଥିବଟି କଡା ଶାସନ ।।
ତେଣୁ-ସ୍ନେହ ଭାରି ଦାମିକା ।
ଯାହା ଯେବେ କର
ସ୍ନେହବୋଳା କର
ହୁଅ ପଛେ ଯେଡ଼େ କାମିକା ।।
ସ୍ନେହ ପାଶେ ଥିଲେ
ଜାଣି ଥାଅ ତା’ର କଥାକୁ ।
ଶତ୍ରୁ ବି ଦିନେ
ନୁଆଇଁ ଦେବ ତା ମଥାକୁ ।।
ତେଣୁ-ସ୍ନେହ ରଖି ପାଖରେ ।
ଭଲ ମନ୍ଦ କିଛି
ବିଚାର ନ କରି
ତା’ ସୁଆଦ ସଦା ଚାଖରେ ।।
ସ୍ନେହର ନିକଟେ
ଦୂର ହୁଏ ସବୁ ଗରବ ।
ଜାଣିଥାଅ ସବୁ
ସ୍ନେହ ଟି ଅସଲ ଦରବ ।।
ତେଣୁ-ସ୍ନେହ ପରି କିଏରେ ।
ବିପଦେ-ଆପଦେ
ଲୋଡୁଥିଲେ ତାକୁ
ସାହା ହୋଇଥାଏ ସିଏରେ ।।
ହିଂସା-ରାଗ ଆଉ
ରୁଷାରେ ମିଳେନା ଭରସା ।
ଏକା ସ୍ନେହ ଥିଲେ
ସୁଖ ଶାନ୍ତି କରେ ପରସା ।।
ତେଣୁ-ସ୍ନେହ ଆମ ହିତରେ ।
ଛାଇ ପରି ତାକୁ
ପାଖେ ରଖିଥିବା
ସିଏ ଯେଣୁ ଆମ ମିତରେ ।।