ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨ ଜୁନ୍ ୨୦୨୩
ଚଳିତ ସପ୍ତାହରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବର୍ଷ ପୂର୍ତ୍ତୀ ପାଳନ, ସରକାରଙ୍କର ବିଭିନ୍ନ ଯୋଜନା ଓ ସଫଳତାର ସଂକୀର୍ତ୍ତନ, ୫ଟି ସଚିବଙ୍କ ରାଜ୍ୟ ବ୍ୟାପୀ ମାରାଥନ ଗସ୍ତ ଓ ଘୋଷଣା, ନୀତି ଆୟୋଗ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ରହିବା ଆଦି ଖବର ଥିଲା ଓଡ଼ିଶା ଗଣମାଧ୍ୟମ ପାଇଁ ପ୍ରମୁଖ ପ୍ରସଙ୍ଗ । ଏହି ପ୍ରସଙ୍ଗ ଗୁଡ଼ିକୁ ଆମ ମିଡ଼ିଆ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ବେଶ୍ କସରତ କରିଥିବାର ନଜରକୁ ଆସିଥିଲା ।
ନୀତି ଆୟୋଗ ବୈଠକରେ ଅନୁପସ୍ଥିତ ରହିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ : କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଫେରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାତ୍ର ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ହୋଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେଥିରେ ଯୋଗ ନଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭେଟିବା ଖବର ଯେଉଁଭଳି ଆମ ମିଡ଼ିଆ ଗୁଡ଼ିକରେ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା, ନୀତି ଆୟୋଗ ବୈଠକରେ ଅନୁପସ୍ଥିତ ଖବର ଓ ଏହାର କାରଣ ବାବଦରେ ଅନେକ ଗଣମାଧ୍ୟମ ଚୁପ୍ ରହିବାକୁ ପସନ୍ଦ କଲେ । କିଏ କିଏ କେବଳ ଅନୁପସ୍ଥିତିକୁ ଏକ ଛୋଟିଆ ଖବର ହିସାବରେ ପରିବେଷଣ କରିଥିବା ବେଳେ ହାତ ଗଣତି କିଛି ଗଣମାଧ୍ୟମ ଏହି ବୈଠକରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଦୂରେଇ ରହିବା ଉଚିତ ହୋଇନାହିଁ ବୋଲି ଦର୍ଶାଇଥିଲେ । ମାତ୍ର ଖବର କାଗଜର ପ୍ରଥମ ପୃଷ୍ଠାରେ ଅବା ସମ୍ପାଦକୀୟ ପୃଷ୍ଠାରେ ସମ୍ପାଦକ ମାନଙ୍କ ଲେଖା ଦେଖିବାକୁ ମିଳିନଥିଲା । ଏପରିକି ଆମ ନ୍ୟୁଜ ଚ୍ୟାନେଲ୍ ର ଅନୁସନ୍ଧାନ ମୂଳକ ରିପୋର୍ଟିଂ କରୁଥିବା ସାମ୍ବାଦିକ ମାନେ ମୁଖ୍ୟମନ୍ତ୍ରୀ କାହିଁକି ଗଲେ ନାହିଁ ସେ ନେଇ ଖୋଳତାଡ଼ କରିବାକୁ ଚାହିଁଲେ ନାହିଁ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତୀ ଉତ୍ସବ: କେନ୍ଦ୍ର ସରକାରଙ୍କ ୯ ବର୍ଷ ଓ ରାଜ୍ୟ ସରକାରଙ୍କ ୨୩ ବର୍ଷ ପୂର୍ତ୍ତୀ ଉତ୍ସବ ରାଜନୈତିକ ସ୍ତରରେ ବେଶ ଧୁମଧାମ ରେ ପାଳିତ ହେଲା । ଦୁଇ ଦଳ ବିଜେପି ଓ ବିଜେଡି ମଧ୍ୟ ଏହି ଉତ୍ସବ ପାଳନ ନେଇ ନିଜ ନିଜ ଭିତରେ ପ୍ରତିଯୋଗିତା ବି କଲେ । ମାତ୍ର ଗଣମାଧ୍ୟମରେ ଏହି ଉତ୍ସବ ପାଳନ ପ୍ରତିଯୋଗିତାରେ ବିଜେଡି ପଛରେ ପକାଇଦେଇଛି ବିଜେପିକୁ । ସରକାରୀ ବିଜ୍ଞାପନ ଦେବାରେ ବିଜେଡି ସହ ପ୍ରତିଯୋଗିତା କରିବାରେ ବିଜେପି ବିଫଳ ହୋଇଥିବା ଭଳି ମନେହେଲା । ଓଡ଼ିଆ ଖବର କାଗଜ ଗୁଡ଼ିକ ପୃଷ୍ଠା ପୃଷ୍ଠା ବିଜ୍ଞାପନ ଛାପିବା ସହ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ପାଇଁ ସ୍ୱତନ୍ତ୍ର ପୃଷ୍ଠାର ବ୍ୟବସ୍ଥା ମଧ୍ୟ କରିଦେଇଥିଲେ । କିଛି ଖବର କାଗଜ କେନ୍ଦ୍ର ସରକାରଙ୍କର ସଫଳତା ଓ ରାଜ୍ୟ ସରକାରଙ୍କର ସଫଳତାର କାହାଣୀକୁ ସ୍ଥାନ ଦେଇଥିବା ବେଳେ ଅଧିକାଂଶ ଖବର କାଗଜ ରାଜ୍ୟ ସରକାରଙ୍କ ସଫଳତାର ଗପ ଛାପିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଖବରକୁ ଗୌଣ କରିଦେଲେ । ଓଡ଼ିଶା ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ମଧ୍ୟ ବିଜେଡି ସରକାରର ସଫଳତାର ଗପ ଲୋକଙ୍କୁ ଶୁଣାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । ଟିଭି ଷ୍ଟୁଡ଼ିଓ ବ୍ୟତୀତ କିଛି ନ୍ୟୁଜ ଚ୍ୟାନେଲ ମାଲିକ ଓ ସରକାରୀ ସମ୍ପାଦକ ମାନେ ହୋଟେଲରେ ସରକାରଙ୍କ ପୂର୍ତ୍ତୀ ଉତ୍ସବ ପାଳନର ବ୍ୟବସ୍ଥା ମଧ୍ୟ କରିଥିଲେ ।
ସଚିବ ହେଲେ ସରକାରୀ ମୁଖପାତ୍ର: ବିଜେଡି ସରକାରର ଗୁଣଗାନ କରିବା ଓ ରିପୋର୍ଟ କାର୍ଡ଼ ପଢ଼ିବା ପାଇଁ ଆମର କିଛି ନ୍ୟୁଜ ଚ୍ୟାନେଲ୍ ମାନେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିଥିଲେ । ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲୋଚନା କରିବା ପାଇଁ ସରକାରୀ ସ୍ତରରେ ନ୍ୟୁଜ ଚ୍ୟାନେଲ୍ ର ସରକାରୀ ସମ୍ପାଦକ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ନିର୍ଦ୍ଦେଶ ମୁତାବକ ବହୁ ନ୍ୟୁଜ ଚ୍ୟାନେଲରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ଆଲୋଚନା କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା ।
ବିଜେଡି ସରକାରର ସଫଳତା ବାବଦରେ ବିଭିନ୍ନ ନ୍ୟୁଜ ଚ୍ୟାନେଲ୍ ରେ ନେତାଙ୍କ ଅପେକ୍ଷା ପ୍ରଥମ ଥର ପାଇଁ ସଚିବ ମାନଙ୍କ ଭିଡ଼ ଦେଖିବାକୁ ମିଳିଲା । ରାଜ୍ୟର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ସଚିବ ମାନେ ଟିଭି ଷ୍ଟୁଡ଼ିଓରେ ପହଞ୍ଚି ଯାଇଥିଲେ ଦଳୀୟ ମୁଖପାତ୍ରଙ୍କ ଭଳି। ବିଜେଡି ସରକାର ସବୁଥିରେ ସଫଳ ବୋଲି ଏହି ସଚିବ ମାନେ ଲମ୍ବା ଭାଷଣ ଦେଇଚାଲିଥିଲେ । ନ୍ୟୁଜ ଆଙ୍କରଙ୍କୁ ନିର୍ଦ୍ଦେଶ ଥିଲା ସଚିବ ମାନଙ୍କୁ ବେଶି ପଚାରିବେ ନାହିଁ ଅବା ତାଙ୍କ ସହ ଯୁକ୍ତି ତର୍କ କରିବେ ନାହିଁ । କେବଳ ମଝିରେ ମଝିରେ ‘ହଁ’ ମାରୁଥିବେ ଓ ସଚିବ ମାନଙ୍କୁ ଭାଷଣ ଦେବାକୁ ସୁଯୋଗ ଦେବେ । କିଛି ନ୍ୟୁଜ ଚ୍ୟାନେଲ୍ ର ସରକାରୀ ସଂପାଦକ ନିଜେ ସଚିବ ମାନଙ୍କ ସହ ବସିଥିବା ବେଳେ ଆଉ କିଛି ଚ୍ୟାନେଲ୍ ରେ ସରକାରୀ ସଂପାଦକଙ୍କ ଅତି ବିଶ୍ୱସ୍ତ ନ୍ୟୁଜ ଆଙ୍କର ମାନେ ସଚିବ ମାନଙ୍କ ସହ ମିଶି ସରକାରଙ୍କ ସଂକୀର୍ତ୍ତନ କରୁଥିବାର ନଜରକୁ ଆସିଲେ । ସରକାରଙ୍କ ଏହି ଗୁଣଗାନ କାର୍ଯ୍ୟକ୍ରମରେ ସଚିବ ମାନେ ବିଜେଡିର ମୁଖପାତ୍ରଙ୍କ ଠାରୁ ବେଶ୍ ଉଚ୍ଚକୋଟୀର ପ୍ରଦର୍ଶନ କଲେ ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଏପରିକି ମୁଖ୍ୟ ଶାସନ ସଚିବ ସରକାରୀ ସଫଳତା ଉପରେ ଗୋଟିଏ ନ୍ୟୁଜ ଚ୍ୟାନେଲରେ ଯେଉଁ ଭାଷଣ ଦେଲେ ତାହା ସମସ୍ତଙ୍କ ମନ କିଣି ନେଇଛି ।
୫ଟି ସଚିବ ମ୍ୟାନ ଅଫ୍ ଦ ସିରିଜ୍ : ଯିଏ ଯାହା କହୁନା କାହିଁକି ଓଡ଼ିଶାର ଗଣମାଧ୍ୟମରେ ଏବେ ସମସ୍ତଙ୍କୁ ପଛରେ ପକାଇଦେଇଛନ୍ତି ଆମ ୫ଟି ସଚିବ । ଏପରିକି ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ଦ୍ୱାରା ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି ସିଏ । ବିଜେଡିର ବିଧାୟକ ଅବା ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଙ୍କ ଠାରୁ ନିଜର ଲୋକପ୍ରିୟତା ଓ ଲୋକ ସଂପର୍କକୁ ନେଇ ଗଣମାଧ୍ୟମରେ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ପୂର୍ବରୁ ପଶ୍ଚିମ ପୁଣି ଉତ୍ତରରୁ ଦକ୍ଷିଣ ଯୁଆଡ଼େ ଦେଖିଲେ କେବଳ ୫ଟି ସଚିବଙ୍କୁ ଦେଖିବାକୁ ମିଳୁଛି । ୫ଟି ସଚିବଙ୍କ ଗସ୍ତର ଖବର ଓ ଫଟୋଚିତ୍ର ପ୍ରସାରଣ କରିବାରେ ଆମ ନ୍ୟୁଜ ଚ୍ୟାନେଲ୍ ଓ ଖବର କାଗଜ ମାନେ ନିଜନିଜ ଭିତରେ ବେଶ୍ ପ୍ରତିଯୋଗିତା କରିବାର ନଜରକୁ ଆସୁଛି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୫ଟି ସଚିବଙ୍କ ଗସ୍ତକୁ ନେଇ ଆମ ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ବ୍ୟସ୍ତ ଥିବା ବେଳେ ଖବର କାଗଜ ଗୁଡ଼ିକ ମଧ୍ୟ ନିଜର ପୃଷ୍ଠାକୁ ସମର୍ପଣ କରିଦେଇଛନ୍ତି ୫ଟି ସଚିବଙ୍କ ପାଇଁ । ଲୋକେ କୁହାକୁହି ହେଉଛନ୍ତି ଯେ, ରାଜ୍ୟ ସରକାର ଓ ଶାସକ ଦଳର ପ୍ରଚାର ଓ ପ୍ରସାରରେ ୫ଟି ସଚିବଙ୍କ ଯେଉଁ ପ୍ରଦର୍ଶନ ଗଣମାଧ୍ୟମ ଗୁଡ଼ିକରେ ଦେଖିବାକୁ ମିଳୁଛି, ସେ ହିଁ ମ୍ୟାନ ଅଫ୍ ଦ ସିରିଜ୍ ହେବା ପାଇଁ ଯୋଗ୍ୟ ।
ଯାହାବି ହେଉ ଏସବୁ ଗୁରୁତ୍ୱପୂର୍ଣ୍ଣ ଖବର ଦେବାରେ ଆମର ଗଣମାଧ୍ୟମ ହେଳା କରିନାହାନ୍ତି ଓ ନିଜ ନିଜର ପାରଦର୍ଶିତା ଓ ସରକାରଙ୍କ ପାଖରେ ସମର୍ପଣ ଭାବକୁ ମଧ୍ୟ ନିଜର ପାଠକ ଓ ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଭିତରେ ଆଲୋଚନା କରିବା ପାଇଁ ଏକ ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି ।