ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ନଭେମ୍ବର ୨୦୨୬
ବଙ୍ଗୋପସାଗରରେ ଜଳବାୟୁ ପରିବର୍ତ୍ତନ ହେଲେ, ସମୁଦ୍ରରେ ଲଘୁଚାପ କିମ୍ବା ଅବପାତ ସୃଷ୍ଟି ହେଲେ ଓଡ଼ିଶାର ଆକାଶରେ ମେଘ ଘୋଟିଆସେ । ଏହା ଆମ ଭୂଗୋଳ ଓ ପାଣିପାଗର ଏକ ସାଧାରଣ ପ୍ରକ୍ରିୟା । କିନ୍ତୁ ବିଗତ କିଛି ବର୍ଷ ହେବ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଝଡ଼ ତୁଳନାରେ ଆମ ଆଞ୍ଚଳିକ ନ୍ୟୁଜ୍ ଚ୍ୟାନେଲଗୁଡ଼ିକର ଷ୍ଟୁଡିଓ ଭିତରେ ସୃଷ୍ଟି ହେଉଥିବା ‘ଶବ୍ଦର ଝଡ଼’ ଅଧିକ ଭୟଙ୍କର ରୂପ ଧାରଣ କରୁଛି ।
ଭାରତୀୟ ପାଣିପାଗ ବିଭାଗ (IMD) ଏବଂ ସରକାରୀ ପ୍ରଶାସନିକ ବ୍ୟବସ୍ଥା ଯେତେବେଳେ ଲୋକଙ୍କୁ ସତର୍କ କରାଇବା ସହ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ନେଉଛନ୍ତି, ସେତେବେଳେ ଅନ୍ୟପଟେ କିଛି ଗଣମାଧ୍ୟମ ସଂସ୍ଥା ନିଜର TRP ଓ ଭ୍ୟୁଅରସିପ୍ (Viewership) ବଢ଼ାଇବା ପାଇଁ ଲୋକଙ୍କ ମନରେ ଏକ ଅଦୃଶ୍ୟ ଭୟ, ସଂଶୟ ଓ ଆତଙ୍କର ବାତାବରଣ ତିଆରି କରୁଛନ୍ତି ।
ସାମ୍ପ୍ରତିକ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ନେଇ ଆଇଏମ୍ଡି ଭୁବନେଶ୍ୱର ମୁଖ୍ୟଙ୍କ ବକ୍ତବ୍ୟ ଏବଂ ଗଣମାଧ୍ୟମ ଉଦ୍ଦେଶ୍ୟରେ ଦିଆଯାଇଥିବା ଚେତାବନୀ ପ୍ରମାଣିତ କରିଛି ଗଣମାଧ୍ୟମର ଦାୟିତ୍ୱହୀନତାର କାହାଣୀ । ଆଜି ସମୟ ଆସିଛି, ଓଡ଼ିଶାର ନ୍ୟୁଜରୁମ୍ଗୁଡ଼ିକ ନିଜ ଆଡ଼କୁ ଆଇନା ଦେଖି ପ୍ରଶ୍ନ କରିବାର—”ଆମେ ଲୋକଙ୍କୁ ସଚେତନ କରୁଛୁ ନା ଆତଙ୍କିତ କରୁଛୁ ?
ଯେତେବେଳେ ବାତ୍ୟା ‘ଅର୍ଣ୍ଣବ’ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ‘ଅତି ଭୀଷଣ ସାମୁଦ୍ରିକ ଝଡ଼’ (Very Severe Cyclonic Storm) ଭାବେ ରୂପ ନେଲା, ସେତେବେଳେ ପାଣିପାଗ ବିଜ୍ଞାନୀମାନେ ଏହାର ଗତିପଥ ସ୍ପଷ୍ଟ ଭାବେ ଆକଳନ କରିସାରିଥିଲେ । ଆଇଏମ୍ଡିର ତଥ୍ୟ ଅନୁଯାୟୀ, ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ବାପଟଲା ମଧ୍ୟବର୍ତ୍ତୀ ୟାନମ୍ ଉପକୂଳ ଦେଇ ସ୍ଥଳଭାଗ ଅତିକ୍ରମ କରିବାର ପୂର୍ବାନୁମାନ କରାଯାଇଥିଲା ।
ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣରେ ଥିବା ଜିଲ୍ଲା—ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ପ୍ରବଳ ବର୍ଷା ଓ କିଛି ମାତ୍ରାରେ ପବନର ବେଗ (ଘଣ୍ଟାପ୍ରତି ୫୦ରୁ ୭୦ କିଲୋମିଟର) ରହିବାର ଆଶଙ୍କା ଥିଲା, ଯାହା ପାଇଁ ‘ରେଡ୍’ ଓ ‘ଅରେଞ୍ଜ’ ଆଲର୍ଟ ଜାରି କରାଯାଇଥିଲା । ଏହା ଥିଲା ଏକ ବିଜ୍ଞାନସମ୍ମତ, ବସ୍ତୁନିଷ୍ଠ ଏବଂ ପ୍ରଶାସନିକ ସତର୍କ ସୂଚନା । କିନ୍ତୁ ଗଣମାଧ୍ୟମର ପରଦାରେ ଏହି ସୂଚନା ଯେତେବେଳେ ପରିବେଷଣ କରାଗଲା, ସେତେବେଳେ ବିଜ୍ଞାନର ସ୍ଥାନ ନେଲା ‘ସେନସେସନାଲିଜିମ୍’ (Sensationalism) ।
ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ୨୪×୭ ପ୍ରସାରଣରେ ଏପରି କିଛି ଶବ୍ଦାବଳୀ ପ୍ରୟୋଗ କରାଗଲା, ଯାହା ସାଧାରଣ ନାଗରିକଙ୍କ ମନରେ ସଚେତନତା ସୃଷ୍ଟି କରିବା ପରିବର୍ତ୍ତେ ଭୟର ସଞ୍ଚାର କଲା । ଷ୍ଟୁଡିଓ ଭିତରେ ବସି ସାମ୍ବାଦିକ ଓ ଆଙ୍କରମାନେ ଯେଉଁ ସବୁ ଶବ୍ଦ ବ୍ୟବହାର କଲେ, ତାହା କୌଣସି ଜରୁରୀକାଳୀନ ସୂଚନା ନଥିଲା, ବରଂ ଥିଲା ଏକ ଭୟାନକ ନାଟକର ଆବହ ପ୍ରତିଧ୍ୱନି ।
ସମୁଦ୍ରରେ ତାଣ୍ଡବ…ଲ୍ୟାଣ୍ଡଫଲ୍ ପୂର୍ବରୁ ଭୟଙ୍କର ସ୍ଥିତି…ଗାଁ ଭିତରେ ପଶିଲା ଆଉ ବୁଲିପଡ଼ିଲା ବାତ୍ୟା…ଛାତିଥରା ଦୃଶ୍ୟ… ମାଡ଼ି ଆସିଲାଣି ବିପଦ…ଛେଚିବ, ବୁଡ଼ାଇବ, ଭସାଇନେବ ଇତ୍ୟାଦି ଶବ୍ଦରେ କମ୍ପମାନ କରୁଥିଲେ ଓଡ଼ିଆ ନ୍ୟୁଜ ଚ୍ୟାନେଲ ଗୁଡ଼ିକ l ସାଧାରଣ ଲୋକେ ଯେତେବେଳେ ଟିଭି ପରଦାରେ ଏହିପରି ଆତଙ୍କିତ ଶିରୋନାମା ଓ ଶବ୍ଦ ସମୂହ ଶୁଣନ୍ତି, ସେତେବେଳେ ସେମାନଙ୍କ ନିକଟରେ ବିଜ୍ଞାନସମ୍ମତ ତଥ୍ୟ ପହଞ୍ଚିପାରେ ନାହିଁ । ସେମାନେ ଭାବନ୍ତି ଯେ ସମ୍ପୂର୍ଣ୍ଣ ଓଡ଼ିଶା ବୋଧହୁଏ ମାନଚିତ୍ରରୁ ଲିଭିଯିବାକୁ ବସିଛି । ଏହା ସାମ୍ବାଦିକତାର ମୂଳ ଆଧାର ‘ସତ୍ୟ ଓ ନିରପେକ୍ଷତା’କୁ ସମ୍ପୂର୍ଣ୍ଣ ହତ୍ୟା କରୁଛି ନା ନାହିଁ ?
ମିଡିଆ ହାଇପ୍ (Media Hype) କେବଳ ଟିଭି ପରଦା ଭିତରେ ସୀମିତ ରହେ ନାହିଁ; ଏହାର ପ୍ରତ୍ୟକ୍ଷ ଓ ମାରାତ୍ମକ ପ୍ରଭାବ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନ ଉପରେ ମଧ୍ୟ ପଡ଼ିଛି ।
କୃତ୍ରିମ କଳାବଜାରୀ ଓ ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିଲା l ଟିଭିରେ ଭୟଙ୍କର ବାତ୍ୟାର ଚିତ୍ର ଦେଖି ଲୋକମାନେ ଆତଙ୍କିତ ହୋଇ ବଜାରକୁ ଦୌଡ଼ିଲେ । ଆବଶ୍ୟକତାଠାରୁ ଅଧିକ ଆଳୁ, ପିଆଜ, ଶୁଖିଲା ଖାଦ୍ୟ ଓ ମହମବତୀ କିଣି ଗଚ୍ଛିତ କଲେ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ସହ ରାତାରାତି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ବି କଲେ । ମାନସିକ ଚାପ ଓ ଆତଙ୍କର ବାତାବରଣ ପ୍ରଭାବ ଦେଖିବାକୁ ମିଳିଲା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ।
ପ୍ରତିଥର ମିଡିଆ ଏକ ସାଧାରଣ କିମ୍ବା ଦୂରବର୍ତ୍ତୀ ବାତ୍ୟାକୁ ‘ମହାବାତ୍ୟା’ ଭାବେ ଚିତ୍ରିତ କରିବା ଦ୍ୱାରା , ଭବିଷ୍ୟତରେ ପ୍ରକୃତରେ ସଙ୍କଟଜନକ ସ୍ଥିତି ଆସିଲେ ଲୋକେ ସରକାରୀ ଚେତାବନୀକୁ ମଧ୍ୟ ହାଲୁକା ଭାବେ ନେବେ ନା ନାହିଁ ?
ଗଣମାଧ୍ୟମର ଏହି ଅବାଞ୍ଛିତ ଓ ଦାୟିତ୍ୱହୀନ ଆଚରଣରେ ଅତିଷ୍ଠ ହୋଇ ଶେଷରେ ଆଇଏମ୍ଡି ଭୁବନେଶ୍ୱରର ମୁଖ୍ୟଙ୍କୁ ସାମ୍ନାକୁ ଆସି ମିଡ଼ିଆକୁ ଏଥିରୁ ସଂଯମତା ଆଚରଣ କରିବାକୁ କହିବାକୁ ପଡ଼ିଲା । ସେ ସ୍ପଷ୍ଟ ଭାବେ ପ୍ରକାଶ କଲେ ଯେ ଆଇଏମ୍ଡି ପାଖକୁ ନିରନ୍ତର ସାଧାରଣ ଲୋକଙ୍କ ଆତଙ୍କିତ ଫୋନ୍ କଲ୍ ଏବଂ ଲିଖିତ ଅଭିଯୋଗ ଆସୁଛି ।
ପାଣିପାଗ ବିଭାଗ ପାଖକୁ ଅନେକ ଫୋନ୍ କଲ୍ ଓ ଲିଖିତ ଅଭିଯୋଗ ଆସୁଛି ଯେ ଗଣମାଧ୍ୟମରେ ପାଣିପାଗ ପୂର୍ବାନୁମାନକୁ ବଢ଼ାଇ-ଚଢ଼ାଇ କୁହାଯାଉଛି । ଏଣୁ ଗଣମାଧ୍ୟମକୁ ଅନୁରୋଧ କରିବା ସହ, ଆଇଏମ୍ଡି ପକ୍ଷରୁ ଯେଉଁ ସଠିକ୍ ପୂର୍ବାନୁମାନ ଦିଆଯାଉଛି, ସେତିକି ହିଁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବାରମ୍ବାର କୁହାଗଲା । ଲୋକଙ୍କୁ ଅନାବଶ୍ୟକ ଭାବେ ଭୟଭୀତ କରନ୍ତୁ ନାହିଁ ବୋଲି ଅନୁରୋଧ ବି କରାଗଲା ।
ଜଣେ ପାଣିପାଗ ବିଜ୍ଞାନୀ ଦାୟିତ୍ୱବାନ୍ ଅଧିକାରୀ ଭାବେ କ୍ୟାମେରା ସାମ୍ନାକୁ ଆସି ମିଡିଆକୁ ଏପରି ଶିକ୍ଷା ଦେବାକୁ ପଡ଼ିବା ଆମ ଗଣମାଧ୍ୟମର ଗ୍ରହଣଯୋଗ୍ୟତା (Credibility) ଉପରେ ଏକ ବଡ଼ ପ୍ରଶ୍ନବାଚୀ ଛିଡ଼ା କଲା କି ନାହିଁ ?
ଏହା ପୁଣି ଥରେ ପ୍ରମାଣିତ କଲା ଯେ, ଆଜିର ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ସମ୍ପାଦକୀୟ ନିୟନ୍ତ୍ରଣ ଶିଥିଳ ହୋଇଯାଇଛି । ସମ୍ପାଦକଙ୍କ ସ୍ଥାନରେ ଆଜି ମାର୍କେଟିଂ ଟିମ୍ ଏବଂ TRP ଆନାଲିଟିକ୍ସ ନିଷ୍ପତ୍ତି ନେଉଛନ୍ତି, କେଉଁ ଖବର କିପରି ଦେଖାଯିବ । ସତ୍ୟକୁ ଯଥାଯଥ ଭାବେ ପରିବେଷଣ କଲେ ଚ୍ୟାନେଲ୍ କେହି ଦେଖିବେ ନାହିଁ—ଏହିପରି ଏକ ଭ୍ରାନ୍ତ ଧାରଣା ନ୍ୟୁଜରୁମ୍ଗୁଡ଼ିକରେ ବ୍ୟାପିଯାଇଛି ।
ଓଡ଼ିଶା ହେଉଛି ଏକ ବାତ୍ୟାପ୍ରବଣ ରାଜ୍ୟ । ୧୯୯୯ର ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ୍, ହୁଡ୍ହୁଡ୍, ଫନି , ଅମ୍ଫାନ୍ ଏବଂ ୟାସ୍ ଭଳି ପ୍ରକୃତିର କରାଳ ରୂପକୁ ଓଡ଼ିଶାବାସୀ ଛାତି ପାତି ସହିଛନ୍ତି । ଆମର ପ୍ରଶାସନ ଓ ଜନସାଧାରଣ ଆଜି ବିପର୍ଯ୍ୟୟ ପରିଚାଳନାରେ ସାରା ବିଶ୍ୱରେ ଏକ ନମୁନା ସାଜିଛନ୍ତି ।ଏପରି ଏକ ପରିପକ୍ୱ ସମାଜରେ ଗଣମାଧ୍ୟମର ଭୂମିକା ମଧ୍ୟ ପରିପକ୍ୱ ହେବା ଆବଶ୍ୟକ । ଲୋକଙ୍କୁ ସଚେତନ କରିବା, ସରକାରଙ୍କ ପ୍ରସ୍ତୁତିକୁ ତଦାରଖ କରିବା ଏବଂ ସଠିକ୍ ସୂଚନା ଦେବା ଗଣମାଧ୍ୟମର ଦାୟିତ୍ୱ । କିନ୍ତୁ ସୁରାକ ନଥାଇ ଆତଙ୍କ ରଚନା କରିବା କେବଳ ଦାୟିତ୍ୱହୀନତା ନୁହେଁ, ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଏକ ବିଶ୍ୱାସଘାତକତା ନୁହେଁ କି ?
ଆଇଏମ୍ଡିର ଏହି ଚେତାବନୀ ପରେ ଓଡ଼ିଶା ଗଣମାଧ୍ୟମର ନ୍ୟୁଜରୁମ୍ଗୁଡ଼ିକ ନିଜ ଗତିପଥ ବଦଳାଇବେ ତ ? ଓଡ଼ିଶାର ନ୍ୟୁଜ ଚ୍ୟାନେଲ ଗୁଡ଼ିକ ଆତ୍ମସମୀକ୍ଷା କରିବେ ତ ? ଆଉ ଏକ ଲଘୁଚାପ ସୃଷ୍ଟି ହେଲେ ପୁଣିଥରେ ସେହି ପୁରୁଣା ‘ଆତଙ୍କର ବ୍ୟବସାୟ’ ଆରମ୍ଭ ହେବ ନାହିଁ ତ ? ସମୟ ଆସିଛି, ଆଜିର ନାଗରିକ ଭାବେ ଆମେ ମଧ୍ୟ ଅତିରଞ୍ଜିତ ଖବରକୁ ବର୍ଜନ କରି ସଠିକ୍ ତଥ୍ୟକୁ ଆପଣାଇବା ।






