• About
  • Contact
Sunday, June 22, 2025
Sunday, June 22, 2025
The Nirvik
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Media

ଗଣମାଧ୍ୟମ ଓ ସରକାର ସମ୍ପାଦକ !

ଗଣମାଧ୍ୟମ ଓ ସରକାର ସମ୍ପାଦକ !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୨

ଗତ ସପ୍ତାହରେ ଓଡ଼ିଶାର ଏକ ପ୍ରତିଷ୍ଠିତ ଖବର କାଗଜର ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ ପ୍ରତିଷ୍ଠିତ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ । ବର୍ତ୍ତମାନର ଗଣମାଧ୍ୟମ ଉପରେ ନିଜର ବକ୍ତବ୍ୟ ରଖିବା ବେଳେ “ସରକାର ସମ୍ପାଦକ” ବୋଲି ଏକ ଶବ୍ଦ ସେ ବ୍ୟବହାର କରିଥିଲେ । ଏହି ଶବ୍ଦଟି ଓଡ଼ିଶାର ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସମ୍ପାଦକ ଓ ଗଣମାଧ୍ୟମ ମାଲିକ ମାନଙ୍କୁ ଟିକିଏ ଅସହଜ ବୋଧ ହୋଇଥିଲା । କାହିଁକି ଦେଶର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ଏହା କହିଲେ ? ଗଣମାଧ୍ୟମ ର ସମ୍ପାଦକ ଓ ମାଲିକଙ୍କ ଭୂମିକାକୁ ନେଇ କାହିଁକି ସନ୍ଦେହ କରାଯାଉଛି ?

ଯଦି ଆମେ ଗତ ସପ୍ତାହର ପ୍ରମୁଖ ୩ଟି ଖବରକୁ ନେଇ ଓଡ଼ିଆ ଖବର କାଗଜ ଓ ନ୍ୟୂଜ୍ ଚ୍ୟାନେଲ୍ ର ଉପସ୍ଥାପନାକୁ ତର୍ଜମା କରିବା ତେବେ ଆପଣ ମାନେ ବୁଝି ପାରିବେ କାହିଁକି ପୁଣ୍ୟ ପ୍ରସୂନ ବାଜପେୟୀଙ୍କ ଭଳି ଅଭିଜ୍ଞ ସାମ୍ବାଦିକ ଏ କଥାଟି କହିଲେ । ଓଡ଼ିଶା ସରକାରଙ୍କ ଦ୍ୱାରା ନିଆଯାଇଥିବା ଏକ ନିଷ୍ପତ୍ତି ଥିଲା ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ। “ଠିକା ନିଯୁକ୍ତିର ଯୁଗ ଶେଷ” ଶୀର୍ଷକ ରେ ଏହି ଖବରଟି ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ର ପ୍ରମୁଖ ଖବର ହେବା ସହ ଓଡ଼ିଆ ଖବର କାଗଜର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା । ରାଜ୍ୟର ସମସ୍ତ ଆଗ ଧାଡିର ନ୍ୟୁଜ୍ ଚ୍ୟାନେଲ୍ ଏହି ଖବରଟିକୁ ପ୍ରମୁଖ ଖବର ହିସାବରେ ଦର୍ଶକ ମାନଙ୍କ ପାଖରେ ପହଂଚାଇବା ସହ ଏହାକୁ ଐତିହାସିକ ନିଷ୍ପତ୍ତି ଭାବେ ବର୍ଣ୍ଣନା କରିଥିଲେ । ରାଜ୍ୟ କ୍ୟାବିନେଟ୍ ର ଏହି ନିଷ୍ପତ୍ତିକୁ ନେଇ ଗଣମାଧ୍ୟମ ଗୁଡ଼ିକୁ ଦିଆଯାଇଥିଲା ଏକ ପ୍ରେସ୍ ନୋଟ୍ । ପ୍ରାୟ ସମସ୍ତ ନ୍ୟୁଜ୍ ଚ୍ୟାନେଲ୍ ଏହି ପ୍ରେସ୍ ନୋଟ୍ ରେ ଦିଆ ଯାଇଥିବା ବିବରଣୀ କୁ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ କରିଥିଲେ । କେବଳ ସେତିକି ନୁହେଁ ଖବର କାଗଜ ଗୁଡ଼ିକ ମଧ୍ୟ ସିଧାସଳଖ ଏହି ପ୍ରେସ୍ ନୋଟ୍ କୁ ଛାପି ଦେଇଥିଲେ । ଏହି ଖବରର କେଉଁ ଦିଗଟି ଥିଲା ଗୁରୁତ୍ୱପୂର୍ଣ୍ଣ ? ଦର୍ଶକ ନା ପାଠକ ମାନେ ଏଥିରୁ କ’ଣ ଜାଣିବା ଆବଶ୍ୟକତା ଥିଲା ? ରାଜ୍ୟର ସମସ୍ତ ଠିକା କର୍ମଚାରୀ ଏହାଦ୍ୱାରା ଉପକୃତ ହେଲେ କି ? ଏହି ପ୍ରଶ୍ନର ଉତ୍ତର ଯଦି କେହି ନ୍ୟୂଜ୍ ଚ୍ୟାନେଲ୍ ଓ ଖବର କାଗଜରୁ ଜାଣିବାକୁ ଚାହିଁଥିବେ ତାହା ହୁଏତ ସେମାନଙ୍କୁ ମିଳି ନ ଥାଇପାରେ । କାରଣ ସରକାରଙ୍କ ଦ୍ୱାରା ଜାରି ହେଇଥିବା ବିବୃତିକୁ ଛାପିବା ଓ ଦେଖାଇବା ଏବେ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକ ଓ ସମ୍ପାଦକ ମାନଙ୍କର ଏକମାତ୍ର କର୍ତ୍ତବ୍ୟ ପାଲଟିଛି । କୌଣସି ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜର ପ୍ରତିନିଧି ଏନେଇ କୌଣସି ମନ୍ତ୍ରୀ, ସଚିବ ଅବା ବିଶେଷଜ୍ଞଙ୍କ ପ୍ରତିକ୍ରିୟା ନେବାକୁ ଉଚିତ୍ ମନେକରିନାହାନ୍ତି । ରାଜ୍ୟରେ କେତେ ପ୍ରତିଶତ କର୍ମଚାରୀ ଠିକା ଭାବରେ କାମ କରନ୍ତି ? ଏହି ବ୍ୟବସ୍ଥା କାହିଁକି ଓ କେବେ ଆରମ୍ଭ କରିଥିଲେ ରାଜ୍ୟ ସରକାର ? ସେତେବେଳେ ରାଜ୍ୟର ବଜେଟ୍ ର ପରିମାଣ ଓ ଆର୍ଥିକ ସ୍ଥିତି କ’ଣ ଥିଲା ? ଏହି ନିଷ୍ପତ୍ତି ପରେ “ଆଉଟ ସୋର୍ସିଙ୍ଗ” ବ୍ୟବସ୍ଥାରେ କାମ କରୁଥିବା କର୍ମଚାରୀଙ୍କର ଭବିଷ୍ୟତ କ’ଣ ହେବ ? ଏଭଳି ପ୍ରଶ୍ନ ଉଠାଇବାକୁ କେହି ସାହସ କଲେ ନାହିଁ ।

ସେହିପରି ଧାମନଗର ଉପନିର୍ବାଚନର ଖବର ମଧ୍ୟ ଏକ ପ୍ରମୁଖ ରାଜନୈତିକ ଖବର ହିସାବରେ ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜରେ ସ୍ଥାନ ପାଉଛି । ବିଜେପି, ବିଜେଡି ଓ କଂଗ୍ରେସ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏଠାରେ ଲଢ଼େଇ ହେଉଥିବା ବେଳେ ଓଡ଼ିଶାର ୫ଟି ନ୍ୟୁଜ୍ ଚ୍ୟାନେଲ୍ ରେ କେବଳ ଶାସକ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ଅଧିକ ଖବର ଓ ବିଶ୍ଳେଷଣ ସ୍ଥାନ ପାଉଛି । ଯଦିଓ ବିରୋଧୀ ବିଜେପି ଓ କଂଗ୍ରେସର ପ୍ରାର୍ଥୀ ଏବଂ ଅନ୍ୟ ଜଣେ ପ୍ରଭାବୀ ସ୍ୱାଧୀନ ପ୍ରାର୍ଥୀ ମଇଦାନରେ ରହିଛନ୍ତି, ତେବେ ସେମାନଙ୍କ ପ୍ରଚାର ଓ ଲୋକଙ୍କର ମତାମତକୁ ଗୌଣ କରିଦେଇଛନ୍ତି ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ । ଧାମନଗର ଭୋଟରଙ୍କ ସଂଖ୍ୟା, ଭୋଟରଙ୍କ ମୁଡ୍ କ’ଣ ଓ କାହା ସପକ୍ଷରେ ଭୋଟର ଙ୍କ ମତ ଯିବା ସମ୍ଭାବନା ଅଧିକ ? ସ୍ୱାଧୀନ ପ୍ରାର୍ଥୀଙ୍କ ଭୂମିକା କ’ଣ ହେବ ? ନିର୍ବାଚନରେ ନିର୍ଣ୍ଣାୟକ କିଏ ହୋଇ ପାରନ୍ତି ? ଏପରି ଅନୁଶୀଳନଧର୍ମୀ ଆଲୋଚନା ବା ବିସ୍ତୃତ ରିପୋର୍ଟ ଦେଖାଇବାରେ କାହିଁକି କୁଣ୍ଠିତ ହେଉଛନ୍ତି ନ୍ୟୁଜ୍ ଚ୍ୟାନେଲ୍ ମାନେ ?

ଅନ୍ୟ ଏକ ପ୍ରସଙ୍ଗ ଥିଲା ପୁଣି ଚାଷୀମାନେ ରାଜଧାନୀ ମୁହାଁ ହୋଇଥିବା ଖବର । ମାତ୍ର ଏହି ଖବରକୁ ଗୋଟିଏ ଦୁଇଟି ନ୍ୟୁଜ୍ ଚ୍ୟାନେଲ୍ କୁ ଛାଡ଼ିଦେଲେ ଅନ୍ୟ ମାନେ ଏକ ଖବର ହିସାବରେ ମଧ୍ୟ ଗ୍ରହଣ କରିନଥିଲେ । କିଛି ଖବର କାଗଜ ଏହାକୁ ଭିତର ପୃଷ୍ଠାରେ ସ୍ଥାନ ଦେଇଥିବା ବେଳେ ନ୍ୟୁଜ୍ ଚ୍ୟାନେଲ୍ ର ପ୍ରମୁଖ ଖବର ହେବାରୁ ବଞ୍ଚିତ ହୋଇଥିଲେ ଆନ୍ଦୋଳନରତ ଚାଷୀମାନେ ।

ଏହି ପ୍ରମୁଖ ଖବରଗୁଡ଼ିକର ପରିବେଷଣ ଶୈଳୀ ଏବେ ଦର୍ଶକ ଓ ପାଠକଙ୍କ ମନରେ କିଛି ପ୍ରଶ୍ନ ସୃଷ୍ଟି କରୁଛି । ନ୍ୟୁଜ୍ ଚ୍ୟାନେଲ୍ ରେ ଓ ଖବର କାଗଜର ପ୍ରଥମ ପୃଷ୍ଠାର ଖବର ହେବାପାଇଁ ଖବର ଗୁଡ଼ିକର ଯୋଗ୍ୟତା କ’ଣ ହେବା ଦରକାର ? ସରକାରଙ୍କ ପ୍ରେସ ନୋଟ୍ ବିନା ଅନ୍ୟ ଖବରର ଗୁରୁତ୍ୱ ନାହିଁ କି ? ସରକାର ଓ ପ୍ରଶାସନ ପକ୍ଷରୁ ମିଳୁଥିବା ଖବରର ବିଶ୍ଳେଷଣ ଗଣମାଧ୍ୟମ କରିପାରିବ ନାହିଁ କି ? ଏପରିକି ଶାସନ କଳକୁ ଗଣମାଧ୍ୟମ ପ୍ରତିନିଧି ମାନେ ପ୍ରଶ୍ନ ପଚାରିବା ମନା କି ? କେବଳ ଶାସକ ଦଳ, ସରକାର ଓ ସରକାରୀ ସୂତ୍ରରୁ ଆସୁଥିବା ଖବରକୁ ଲୋକଙ୍କ ପାଖରେ ପହଞ୍ଚାଇବା ନ୍ୟୁଜ୍ ଚ୍ୟାନେଲ୍ ଓ ଖବର କାଗଜର ନୂଆ ସମ୍ପାଦକୀୟ ନୀତି କି ? ଯଦି ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ‘ହଁ’ ହୁଏ ତେବେ ଆଜିର ଦିନରେ ଗଣମାଧ୍ୟମ ଗୁଡ଼ିକର ସମ୍ପାଦକ କିଏ ? ଖବର ସମ୍ପାଦନା କାର୍ଯ୍ୟ କିଏ ତୁଲାଉଛନ୍ତି ? ଗଣମାଧ୍ୟମର ମାଲିକ, ସମ୍ପାଦକ ନା ସରକାର ? ଓଡ଼ିଶାର ନ୍ୟୁଜ୍ ଚ୍ୟାନେଲ୍ ଦର୍ଶକ ଓ ଖବରକାଗଜ ପାଠକଙ୍କ ଦ୍ୱନ୍ଦ ଦୂର କରିବାକୁ ଯାଇ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସୂନ ବାଜପେୟୀ ତାଙ୍କ ବକ୍ତବ୍ୟରେ “ସରକାର ସମ୍ପାଦକ” ଶବ୍ଦଟି ବ୍ୟବହାର କରି ନାହାଁନ୍ତି ତ ?

Nirvik Bureau

Nirvik Bureau

Related Posts

Media:   ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India
Media

Media:
ANI vs. YouTubers: Copyright “Extortion” Claims Spark Debate on Fair Use and News Agency Practices in India

by Sanctimonia Binocs
May 28, 2025

Sanctimonia Binocs, Bhubaneswar, 28 May 2025 YouTuber vs. ANI: Copyright Fight Sparks Fair Use Debate A recent public dispute between...

Read more
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 16, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 9, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

June 2, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ୍

ଏ ସପ୍ତାହର ମିଡ଼ିଆ ହାଲଚାଲ୍

May 26, 2023
ଏ ସପ୍ତାହର ମିଡ଼ିଆ ହାଲଚାଲ…

ଏ ସପ୍ତାହର ମିଡ଼ିଆ ହାଲଚାଲ…

May 19, 2023
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.