ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୩
ନୂଆ ବର୍ଷରେ ଓଡ଼ିଶାର ମିଡ଼ିଆ ନାଚୁଛି, ଝୁମୁଛି ଓ ଦୁଲୁକୁଛି। ବର୍ଷ ୨୦୨୩ ଆଣିଦେଇଛି ଓଡିଶାର ଗଣମାଧ୍ୟମ ପାଇଁ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା । ଗଣମାଧ୍ୟମ ଗୁଡ଼ିକରେ କାର୍ଯ୍ୟରତ ସାମ୍ବାଦିକ, ସଂପାଦକଙ୍କ ଠାରୁ ମାଲିକଙ୍କ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି । ଆପଣ ଭାବିବେ କିପରି ଓ କାହିଁକି? ଆମ ରାଜ୍ୟ ୨ ଥର ବିଶ୍ୱକପ୍ ହକି ଆୟୋଜନର ସୁଯୋଗ ପାଇଲା , ଏହା ଏକ ଗର୍ଵ ଓ ଗୌରବର କଥା ନୁହେଁକି ? ସାରା ରାଜ୍ୟ ଉତ୍ସବ ମୁଖର ହୋଇଥିବା ବେଳେ ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ୍ ଯିବ କିପରି ? ମାଗଣା ଚାଉଳ, ମାଗଣା ଘର , ନେତା-ଅଫିସର ମୁହାଁ ମୁହିଁ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ଥିଲେ ମଧ୍ୟ ବିଶ୍ୱକପ୍ ହକିର ଆଢୁଆଳରେ ଏହି ଖବର ଗୁଡ଼ିକ ହଜି ଯାଇଛି। ଖବର କାଗଜ ଠାରୁ ଆରମ୍ଭ କରି ଓଡିଶାର ଟେଲିଭିଜନ ଚ୍ୟାନେଲ୍ ମାନେ ହକିକୁ ନେଇ ମତୁଆଲା ହୋଇ ପଡ଼ିଛନ୍ତି ।
ସରକାରୀ ବିଜ୍ଞାପନର ବନ୍ୟା: ବନ୍ୟା ଯୋଗୁଁ ନଦୀରେ ପାଣି ଆସିବାଭଳି ଓଡିଶା ଗଣମାଧ୍ୟମରେ ସରକାରୀ ବିଜ୍ଞାପନ ବନ୍ୟା ପାଣି ଭଳି ଧସେଇ ପଶିଛି। ଓଡ଼ିଆ ଖବର କାଗଜ ଗୁଡ଼ିକ ପୃଷ୍ଠା ପୃଷ୍ଠା ହକି ବିଶ୍ୱକପ୍ ବିଜ୍ଞାପନ ପାଇ ଧନ୍ୟ ହୋଇଯାଇଛନ୍ତି । ସେହିପରି ନ୍ୟୁଜ୍ ଚ୍ୟାନେଲ୍ ଗୁଡିକ ମଧ୍ୟ ବେଶ୍ କିଛି ରୋଜଗାର କରିଛନ୍ତି ଏହି ହକି ମହାକୁମ୍ଭରୁ । ଆସୁଥିବା ମାର୍ଚ୍ଚ ମାସ ପୂର୍ବରୁ ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ର ବିଜ୍ଞାପନ ସଂଗ୍ରହ କରୁଥିବା କର୍ମଚାରୀ ମାନେ ମଧ୍ୟ ନିଜ ନିଜର ମାଲିକଙ୍କ ଟାର୍ଗେଟ ପୂରଣ କରି ପାରିଛନ୍ତି। ବିନା ପରିଶ୍ରମରେ ସରକାରୀ ବିଜ୍ଞାପନ ମିଳିବ, ତାହା ପୁଣି ମନ ମୁତାବକ ମୂଲ୍ୟରେ ଏହା ଠାରୁ କ’ଣ ଆଉ କିଏ ଅଧିକ କିଛି ଆଶା କରିପାରେ । କେବଳ ସେତିକି ନୁହେଁ, ଓଡ଼ିଶାର ଗଣମାଧ୍ୟମ ବ୍ୟତୀତ ଆମ ଦେଶର ପ୍ରମୁଖ ଇଂରାଜୀ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ ମଧ୍ୟ ଭଲ ବିଜ୍ଞାପନ ପାଇଛନ୍ତି ହକି ବିଶ୍ୱକପ୍ ଅବସରରେ ବୋଲି ଚର୍ଚ୍ଚା ହେଉଛି। ମିଳିଥିବା ଖବର ଅନୁଯାୟୀ ଓଡିଶା ସରକାରଙ୍କ ବିଜ୍ଞାପନ ପାଇ ଖୁସି ହୋଇଥିବା ବିଭିନ୍ନ ମିଡ଼ିଆ ହାଉସ୍ର ବିଜ୍ଞାପନ ବିଭାଗର ଉଚ୍ଚ ପଦସ୍ଥ କର୍ମଚାରୀ ମାନେ ବିଦେଶ ଭ୍ରମଣରେ ଯିବା ପାଇଁ ପ୍ରସ୍ତୁତକଲେଣି ନିଜକୁ। ଇଏତ ହେଉଛି ମିଡିଆ ହାଉସ୍ ମାନଙ୍କର ବିଜ୍ଞାପନ ଗୋଟାଉଥିବା ମାର୍କେଟିଂ ବିଭାଗର କର୍ମଚାରୀଙ୍କ କଥା । ଏବେ ନଜର ପକାଇବା ସାମ୍ବାଦିକ ଓ ସଂପାଦକ ମାନଙ୍କ ଉପରେ । ରାଜଧାନୀ ଭୁବନେଶ୍ୱର ଠାରୁ ଶିଳ୍ପ ନଗରୀ ରାଉରକେଲା ପର୍ଯ୍ୟନ୍ତ ସମସ୍ତ ଖବରକାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ମାନେ ଏବେ ସମସ୍ତେ ବ୍ୟସ୍ତ । କାହାରିକୁ ଟିକିଏ ଫୁରସତ୍ ମିଳୁନାହିଁ ହକିକୁ ଛାଡ଼ି ଅନ୍ୟଖବର ଉପରେ ନଜର ପକାଇବାକୁ । ସଂପାଦକ ଓ ମାଲିକ ମାନେ ସମସ୍ତେ ଏହି ମହାପର୍ବର ଅଂଶ ବିଶେଷ ହୋଇ ଯାଇଛନ୍ତି ।
ଚାର୍ଟର ପ୍ଲେନରୁ ରାଉରକେଲା ଦର୍ଶନ : ମନେପଡ଼େ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କବିତା “ରେଳ ଉପରେ ଚିଲିକା ଦର୍ଶନ” ର ଏକ ପଂକ୍ତି। ” ରହ ରହ କ୍ଷଣେ ବାଷ୍ପୀୟ ଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ“। ଚିଲିକାର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଗୋପବନ୍ଧୁ ଦାସ ନିଜ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଠିକ୍ ସେହିପରି ହକି ବିଶ୍ୱକପ ପାଇଁ ସଜେଇ ହୋଇଥିବା ଶିଳ୍ପ ନଗରୀ ରାଉରକେଲାର ରାସ୍ତାଘାଟରେ ଲାଗିଥିବା ରଙ୍ଗ ବେରଙ୍ଗର ଆଲୋକମାଳା ଓ ସୁସଜ୍ଜିତ ଷ୍ଟାଡ଼ିୟମର ସୌନ୍ଦର୍ଯ୍ୟ ଦେଖିଥିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ବଛା ବଛା କିଛି ସାମ୍ବାଦିକ ଓ ସମ୍ପାଦକ ତାହା ପୁଣି ଚାର୍ଟର ପ୍ଲେନରୁ ଥାଇ। ଚାର୍ଟରପ୍ଲେନରେ ବସିବାର ସୌଭାଗ୍ୟ ଅର୍ଜନ କରିବା ସହ ରାଉରକେଲା ସହରର ସୌନ୍ଦର୍ଯ୍ୟ ରେ ବିମୋହିତ ହୋଇପଡିଥିଲେ ସାମ୍ବାଦିକ ଓ ସମ୍ପାଦକ ମାନେ । ଏପରିକି ନିଜ ନିଜର କ୍ୟାମେରାରେ ତୋଳି ଧରିଥିବା ଫଟୋ ଗୁଡ଼ିକ ମଧ୍ୟ ଅପଲୋଡ଼ କରିଦେଇଥିଲେ ନିଜ ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ଓ ଜାଗି ଉଠିଥିବା କବିପ୍ରାଣରୁ ବର୍ଣ୍ଣନା କରିଥିଲେ ଏହି ସୌନ୍ଦର୍ଯ୍ୟକୁ। ସମ୍ପାଦକ ଓ ସାମ୍ବାଦିକମାନେ ଅନ୍ତର୍ଜାତୀୟ ହକି ମ୍ୟାଚର ମଜା ନେବା,ସରକାରୀ ଆତିଥେୟତା, ତା ସାଙ୍ଗକୁ ଚାର୍ଟର ପ୍ଲେନରେ ବସିବାର ସୁଯୋଗ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ବୋଲି ସେମାନଙ୍କ ହାବଭାବ ଓ ସୋସିଆଲ ମିଡ଼ିଆରେ ପୋଷ୍ଟିଙ୍ଗ ହୋଇଥିବା ଫଟୋ ଗୁଡ଼ିକ କହିଦେଉଛି ।

କୃଷ୍ଣ-ସୁଦାମା ଭେଟର ଭ୍ରମ: ଖାଲି ସେତିକି ନୁହେଁ, ଓଡ଼ିଶା ଇତିହାସରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଥିବା ମୁଖ୍ୟମନ୍ତ୍ରୀ ଓ ତାଙ୍କର ପାରିଷଦ ବର୍ଗଙ୍କର ସାନିଧ୍ୟ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲେ ଆମ ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ମାନେ। ଲୋକସେବା ଭବନ ପ୍ରବେଶରୁ ବଞ୍ଚିତ ହୋଇଥିବା ଗଣମାଧ୍ୟମ ପ୍ରତିନିଧିମାନେ ବହୁ ଦିନ ପରେ ପାଖରେ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଯେଉଁ ଖୁସି ଅନୁଭବ କରିଥିଲେ ତାହା ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ସଖା ସୁଦାମାର ଭେଟ ଭଳି ଜଣା ପଡ଼ୁଥିଲା କିଛି ଖବରକାଗଜ ରେ ପ୍ରକାଶିତ ଫଟୋ ଚିତ୍ରରୁ। ରାଜ୍ୟସରକାରଙ୍କର ସବୁଠାରୁ ସଫଳ ଯୋଜନା ଭାବେ ପ୍ରତିପାଦିତ ହୋଇଥିବା “ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ” ବାବଦରେ ପୁରୀ ଜିଲ୍ଲାପାଳଙ୍କୁ କେତେ ଅର୍ଥ “ବରବାଦ୍ ହୋଇଛି” ବୋଲି ପ୍ରଶ୍ନ ପଚାରି ଚର୍ଚ୍ଚାରେ ଥିବା ଜଣେ ସମ୍ପାଦକ ନିଜର ବିଶେଷ କଳାକୃତି ମାଧ୍ୟମରେ ସମସ୍ତଙ୍କୁ ପଛରେ ପକାଇ ହକି ମ୍ୟାଚରେ ମଧ୍ୟ ସରକାରଙ୍କ ନିମନ୍ତ୍ରିତ ଅତିଥି ହୋଇପାରିଛନ୍ତି ।
ଏଣୁ ହକି ବିଶ୍ୱକପ ଓଡ଼ିଶାରେ ନ ହୋଇଥିଲେ ଓଡ଼ିଶାର ସାମ୍ବାଦିକ ଓ ସମ୍ପାଦକଙ୍କୁ କ’ଣ ଚାର୍ଟରଫ୍ଲାଇଟ୍ ରେ ବସିବା, ସରକାରୀ ଆତିଥେୟତା ମିଳିବା ଓ ମୁଖ୍ୟମନ୍ତ୍ରୀଙ୍କ ସହ ଫଟୋ ଉଠାଇବାର ସୌଭାଗ୍ୟ ମିଳିଥାନ୍ତା କି? ବିଶ୍ୱକପ ହକି ନହୋଇଥିଲେ ପ୍ରତିଦିନ ଏତେ ସଂଖ୍ୟକ ସରକାରୀ ବିଜ୍ଞାପନ କ’ଣ ଖବର କାଗଜ ଓ ନ୍ୟୁଜ ଚ୍ୟାନେଲ ଗୁଡ଼ିକ ପାଇଥାନ୍ତେ କି ? କେବଳ ସାମ୍ବାଦିକ ଓ ସମ୍ପାଦକ ନୁହନ୍ତି ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ମାଲିକ ମାନେ ଗୋଟିଏ ମାସରେ ଯେଉଁ ବିଜ୍ଞାପନ ବାବଦରୁ ବିପୁଳ ଟଙ୍କା ଆୟକଲେ ତାହା ହକିବିଶ୍ୱକପ୍ ନହୋଇଥିଲେ କ’ଣ ସମ୍ଭବ ହୋଇପାରିଥାନ୍ତା ? ଏବେ ଆପଣମାନେ ଭାବନ୍ତୁ ତ ବିଶ୍ୱକପ୍ ହକି କେବଳ ସରକାର ଓ ରାଜ୍ୟବାସୀଙ୍କ ପାଇଁ ଗୌରବ ଆଣିଦେଇଛି ତା ନୁହେଁ ବରଂ ଓଡ଼ିଶାର ଗଣମାଧ୍ୟମ କୁ ମଧ୍ୟ ଆର୍ଥିକ କ୍ଷେତ୍ରରେ ମାଲାମାଲ୍ କରିଛି କି ନାହିଁ ?






