ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୭ ଅକ୍ଟୋବର ୨୦୨୨
୨୦୨୨ରେ Press Freedom Index ତଥ୍ୟ ଅନୁଯାୟୀ ଭାରତ ୧୫୦ତମ ସ୍ଥାନରେ ରହିଛି । Reporters Without Borders ଦ୍ୱାରା ପ୍ରକାଶିତ ଏହି ସୂଚୀରେ ଭାରତ ଲଗାତାର ଭାବେ ତଳକୁ ତଳକୁ ଖସି ଚାଲିଛି । ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ଗତ ସଂଖ୍ୟାରେ ୧୪୨ ଥିବା ବେଳେ ଏବେ ଏହା ଅହୁରି ଆଠଟି ସ୍ଥାନ ତଳକୁ ଖସି ଆସିଛି । ଏହି ରାଙ୍କିଙ୍ଗ ବିଭିନ୍ନ ଦେଶର ୫ଟି ମାନଦଣ୍ଡକୁ ନେଇ ପ୍ରସ୍ତୁତ ହୋଇଥାଏ । ରାଜନୈତିକ, ଅର୍ଥନୈତିକ ଓ ଆଇନଗତ ଦିଗ, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ ଏବଂ ସାମ୍ବାଦିକଙ୍କ ସୁରକ୍ଷା ଆଦି ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ ।
ଏହି ରିପୋର୍ଟକୁ ତର୍ଜମା କଲେ ଭାରତୀୟ ଗଣମାଧ୍ୟମକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କାହିଁକି ଭାରତୀୟ ଗଣମାଧ୍ୟମରେ ସ୍ୱାଧୀନତା ହ୍ରାସ ପାଉଛି ? ରାଜନୈତିକ ଓ ଅର୍ଥନୈତିକ ଚାପ ଆଗରେ ଆଜିର ଗଣମାଧ୍ୟମ ନଇଁ ପଡ଼ିଲାଣି କି ?…ଭାରତୀୟ ଟେଲିଭିଜନ ମିଡ଼ିଆକୁ ଲୋକେ କାହିଁକି “ଗୋଦି ମିଡ଼ିଆ” ବୋଲି ସମ୍ବୋଧନ କରୁଛନ୍ତି ?
କେବଳ ଜାତୀୟ ସ୍ତରରେ ଗଣମାଧ୍ୟମକୁ ନେଇ ଏହି ସବୁ ପ୍ରଶ୍ନ ଉଠୁଛି ତା ନୁହେଁ, ବରଂ ଆମ ରାଜ୍ୟର ଖବର କାଗଜ ଓ ନ୍ୟୁଜ୍ ଚ୍ୟାନେଲ୍ ର ଖବର ପରିବେଷଣକୁ ନେଇ ମଧ୍ୟ ଏବେ ସମାଲୋଚନା ଆରମ୍ଭ ହୋଇଛି । ଆମେ ଯଦି ଟିକିଏ ପଛକୁ ଫେରି ଚାହିଁବା, ତେବେ ସମୟ ଥିଲା ଖବର କାଗଜ ପାଠକ ମାନେ ଦୈନିକ ପ୍ରଜାତନ୍ତ୍ରର “ଗାଁ ମଜଲିସ“, ସମାଜର “ଝିଟିପିଟି କହେ” ପଢ଼ିବାକୁ ଅପେକ୍ଷା କରି ରହୁଥିଲେ । ପରବର୍ତ୍ତୀ ସମୟରେ ଓଡ଼ିଶାର ବହୁଳ ପ୍ରସାରିତ ଖବର କାଗଜ ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ “ଆମ ଘରର ହାଲଚାଲ” ଓ ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ପ୍ରଥମ ପୃଷ୍ଠାରେ ପ୍ରକାଶିତ “ସମ୍ପାଦକୀୟ” ପଢ଼ିବାକୁ ମଧ୍ୟ ପାଠକ ମହଲରେ ବେଶ ଉତ୍ସୁକତା ପ୍ରକାଶ ପାଉଥିଲା । କେବଳ ଲୋକେ ଏହା ପଢୁଥିଲେ ତାହା ନୁହେଁ ବରଂ ଏହା ରାଜ୍ୟ ରାଜନୀତି ଓ କ୍ଷମତାସୀନ ସରକାରକୁ ଆଇନା ଦେଖାଉଥିଲା । ଯଦିଓ ଆଜି ବି ଏହି ଖବର କାଗଜ ଗୁଡ଼ିକର ସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତଥାଗତ ସତପଥୀ ଓ ଭର୍ତ୍ତୃହରି ମହତାବ ଆଦି ଅଛନ୍ତି ମାତ୍ର ସେମାନଙ୍କ ସମ୍ପାଦକୀୟ ସ୍ୱର କ୍ଷୀଣ ହେଲା ପରି ଲୋକମାନେ ଅନୁଭବ କରୁଥିବା କଥା ଶୁଣିବାକୁ ମିଳୁଛି । ପୂର୍ବରୁ ସମ୍ପାଦକୀୟ ଗୁଡ଼ିକରେ ଥିବା ଶାଣିତ ସ୍ୱର ଏବେ ପ୍ରତିଫଳିତ ହେଉନାହିଁ ବୋଲି ପାଠକ ମହଲରେ ଆଲୋଚନା ହେଉଛି । ଓଡ଼ିଶା ରାଜନୀତିର କ୍ଷମତା ଅଳିନ୍ଦରେ ଆଲୋଡ଼ନ ସୃଷ୍ଟି କରୁଥିବା ସୌମ୍ୟ ବାବୁଙ୍କ “ଆମ ଘରର ହାଲଚାଲ“, ତଥାଗତଙ୍କ ସାହସିକ “ସମ୍ପାଦକୀୟ” ଓ ଭର୍ତ୍ତୃହରିଙ୍କ “ଧ୍ୱନି ପ୍ରତିଧ୍ୱନି” ପ୍ରଭାବ ଏବେ ଶାସକ ଗୋଷ୍ଠୀ ଙ୍କୁ କାହିଁକି ପ୍ରଭାବିତ କରିପାରୁନାହିଁ ଏହା ଏବେ ଲୋକଙ୍କର ପ୍ରଶ୍ନ ।
କେବଳ ଓଡ଼ିଆ ଖବର କାଗଜର ସମ୍ପାଦକୀୟ ଦୃଷ୍ଟିକୋଣ ବଦଳିଛି ତା ନୁହେଁ ବରଂ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ଦର୍ଶକଙ୍କ ଆସ୍ଥା ମଧ୍ୟ ହରାଉଛନ୍ତି । ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକର ନିର୍ଦ୍ଦିଷ୍ଟ ସମ୍ପାଦକୀୟ ନୀତି ନଥିଲା ଭଳି ମନେ ହେଉଛି । ରାଜନୈତିକ ଆନୁଗତ୍ୟକୁ ନେଇ ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି । TRP ଅନୁଯାୟୀ ରାଜ୍ୟର ପ୍ରଥମ ଓ ସପ୍ତମ ସ୍ଥାନରେ ଥିବା ନ୍ୟୁଜ୍ ଚ୍ୟାନେଲ୍ର ସମ୍ପାଦକୀୟ ନୀତି ନିଜ ମାଲିକ ମାନଙ୍କ ରାଜନୈତିକ ଗତି ଓ ସ୍ଥିତିକୁ ନେଇ ପର୍ଯ୍ୟବେସିତ ହେଉଥିବାର ମନେହୁଏ । ଏମାନେ କହନ୍ତି ଏହା ସାଧାରଣ ଲୋକଙ୍କ ସ୍ବର; ମାତ୍ର ଦେଖିବାକୁ ଓ ଶୁଣିବାକୁ ମିଳେ ଏହା ମାଲିକ ମାନଙ୍କ ସ୍ବର। ସେହିପରି ତୃତୀୟ ଓ ପଞ୍ଚମ ସ୍ଥାନରେ ଥିବା ନ୍ୟୁଜ୍ ଚ୍ୟାନେଲ୍ର ସମ୍ପାଦକୀୟ ନୀତି କେବଳ ଶାସକ ଦଳର ନିର୍ଦେଶକୁ ଅପେକ୍ଷା କରି ରହିଥାଏ । ଦ୍ୱିତୀୟ, ଚତୁର୍ଥ ଓ ଷଷ୍ଠ ସ୍ଥାନରେ ଥିବା ନ୍ୟୁଜ୍ ଚ୍ୟାନେଲ୍ର ଖବର ପରିବେଷଣର ଧାରା ଓ ସମ୍ପାଦକୀୟ ନୀତି କେତେବେଳେ ବାମ ତ କେତେବେଳେ ଦକ୍ଷିଣ ମୋଡ଼ ନିଏ, ତାହା ଦର୍ଶକଙ୍କ ବୁଝିବା ମୁସ୍କିଲ ହୋଇପଡ଼େ । ୧ମ ଓ ୬ଷ୍ଠ ସ୍ଥାନରେ ରହୁଥିବା ନ୍ୟୁଜ୍ ଚ୍ୟାନେଲ୍ରେ ବହୁ ସମୟ ଧରି “ସମ୍ପାଦକ” ନାହାଁନ୍ତି । ବିନା ସମ୍ପାଦକରେ ମଧ୍ୟ ଏହି ନ୍ୟୁଜ ଚ୍ୟାନେଲ କିପରି ପରିଚାଳିତ ହେଉଛି ତାହା ସମସ୍ତଙ୍କୁ ଜଣା। ୨ୟ , ୩ୟ ଓ ୫ମ ସ୍ଥାନରେ ଥିବା ନ୍ୟୁଜ୍ ଚ୍ୟାନେଲ୍ର ଦୁର୍ବଳ ସମ୍ପାଦନା ଯୋଗୁଁ ଏହି ଚ୍ୟାନେଲ ନିଜ ସ୍ଥାନରେ ଏକ ପ୍ରକାର ସ୍ଥିର ହୋଇଯାଇଥିବା କଥା ଦର୍ଶକ ମହଲରେ ଆଲୋଚିତ ହୁଏ । ଏଠାରେ କାର୍ଯ୍ୟ କରୁଥିବା ସମ୍ପାଦକ ମାନେ ମଧ୍ୟ ନିଜକୁ ଏକ ନିରାପଦ ଦୂରତାରେ ରଖି କାର୍ଯ୍ୟ କରୁଥିବା କଥା ନ୍ୟୁଜ୍ ଚ୍ୟାନେଲ୍ର କର୍ମଚାରୀ ମାନଙ୍କ ମଧ୍ୟରେ ଆଲୋଚନା ହୁଏ ।
ଓଡ଼ିଆ ଖବର କାଗଜର ପାଠକ ଓ ନ୍ୟୁଜ୍ ଚ୍ୟାନେଲ୍ର ଦର୍ଶକ ମାନେ ଚିନ୍ତା କରନ୍ତୁ ଭାରତୀୟ ଗଣମାଧ୍ୟମର କ୍ରମାଗତ ସ୍ୱାଧୀନତା ହ୍ରାସର ପ୍ରଭାବ ଓଡ଼ିଶାର ମିଡ଼ିଆ ଉପରେ ପଡ଼ିଛି ନା ନାହିଁ ? ଏକଦା ସମ୍ପାଦକୀୟ ଲେଖି ଚହଳ ସୃଷ୍ଟି କରୁଥିବା ସମ୍ପାଦକ ମାନଙ୍କ ସ୍ୱର ଦବିଯାଇଛି କାହିଁକି ? ନ୍ୟୁଜ୍ ଚ୍ୟାନେଲ୍ ଗୁଡ଼ିକ ବିନା ସମ୍ପାଦକରେ ଓ ଅସ୍ପଷ୍ଟ ସମ୍ପାଦକୀୟ ନୀତି କୁ ନେଇ କାର୍ଯ୍ୟ କରୁଛନ୍ତି କିପରି ? ଏହା କ’ଣ ପରିବର୍ତ୍ତିତ ପରିସ୍ଥିତିରେ ସମ୍ପାଦକ ଓ ସମ୍ପାଦକୀୟର ନୂଆ ପରିଭାଷା ଅବା ସମ୍ପାଦକ ଥାଇ ମଧ୍ୟ ନିରୁଦ୍ଦିଷ୍ଟ ହେବା ପ୍ରକ୍ରିୟାର ଆରମ୍ଭ ?