ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ନଭେମ୍ବର ୨୦୨୩
ସେଦିନ ସକାଳୁ ସକାଳୁ ଚମ୍ପା ଆସି ହାଜର । ଚିନାମାଳୀ ନିଦ ଭାଙ୍ଗିଯାଇଥିଲା । ବିଛଣାରେ ଶୋଇ ଶୋଇ ଅଳସ ଭାଙ୍ଗୁଥିଲା । ଚମ୍ପା ତା ପାଖରେ ବସି ପଡ଼ି ପଚାରିଲା କଣ ମହାରାଣୀ କାଲି ରାତିରେ ଶୋଇ ନ ଥିଲେ କି ? ବେଳ ଆସି କେତେ ହେଲାଣି ଯାଣିଛୁ ନା ନାହିଁ । ଧଡପଡ ହୋଇ ବିଛଣାରୁ ଉଠିପଡି କହିଲା ନାଇଁ ମ ଏମିତି ବିଛଣାରେ ଗଡୁଥିଲି ନା । ଚାଲ ପୋଖରୀ ତୁଠ ଆଡେ । ଦୁଇଜଣ ଉଠିଗଲେ ପୋଖରୀ ତୁଠ ଆଡେ । ରାସ୍ତାରେ ଚମ୍ପା ପଚାରିଲା ଆଜି ଗାଁରେ ସବୁ ମା ମାନଙ୍କୁ ଏକାଠି କରି ସନ୍ଧ୍ୟା ରେ ମିଟିଂ ଅଛି ବୋଲି ତୋର ମନେ ଅଛି ତ । ଶିଘ୍ର କାମ ସାରି ଆଉ କେତେଜଣଙ୍କୁ କୁହା ହୋଇନାହିଁ ତାଙ୍କୁ କହିବା । କହିସାରି ଆଜି କାମିନୀ ଆଈ ତା ଘରେ ଖାଇବାକୁ ଡାକିଛି । ସେଠି ଖାଇସାରି ଆଈ ସହିତ ରମେଶ ଦାଦା ଘରକୁ ଯିବା । ତାଙ୍କ ଘରକୁ ପାଳଲହଡା ର ଜଣେ ବବା ଆସିଛନ୍ତି । ତାଙ୍କୁ ମିଟିଂ କୁ ଡାକିବା ।
କାମ ସାରି କାମିନୀ ଆଈ ଘରେ ପହଞ୍ଚିବା ବେଳକୁ ଆଈ ରୋଷେଇ ସାରି ଏ ଦୁଇଜଣଙ୍କ ଅପେକ୍ଷାରେ ଦାଣ୍ଡ ପିଣ୍ଡାରେ ବସିଥିଲା । କିଛି ସମୟ ବସି କଥା ହେବା ପରେ ଆଈ କହିଲା ନାତୁଣୀମାନେ ଆସ ଖାଇଦେବା । ତା ପରେ ତୁମେ ଦୁଇଜଣ ଯାଇ ରମେଶ ଘରକୁ ପାଳଲହଡା ରୁ ଜଣେ କୁଣିଆ ଆସିଛନ୍ତି । ତାଙ୍କ ଘର ବନ୍ଧାଭୁଇଁ ଗାଁ ରେ । ଆମ ଜାତି ର ମହାପିଢ ର ସେ ଜଣେ ସକ୍ରିୟ ସଦସ୍ୟ । ସେ ଆମ ଗାଁ ସ୍ତ୍ରୀ ଲୋକମାନଙ୍କୁ ବହୁତ ସୁନ୍ଦର ସୁନ୍ଦର କଥା କହିବେ । ତାଙ୍କୁ ସଙ୍ଗରେ ଧରି ତୁମେ ଦୁଇଜଣ ଦରବାର ଘରେ ପହଞ୍ଚିବ। ଆମେ ସମସ୍ତେ ତୁମକୁ ଅପେକ୍ଷା କରିଥିବୁ ।
ରମେଶ ଦାଦା ଙ୍କ ଘରେ ପହଞ୍ଚି ଚିନାମାଳୀ ଓ ଚମ୍ପା ଦାଦା ଙ୍କୁ ତାଙ୍କ ଘରକୁ ଆସିଥିବା କୁଣିଆଁ କୁ ଗାଁ ମିଟିଂ କୁ ଡାକିବା ପାଇଁ ଆସିଛନ୍ତି ବୋଲି କହିବା ପରେ ଦାଦା ତାଙ୍କୁ ଡାକି ଏ ଦୁଇଜଣ ଙ୍କ ସହିତ ଚିହ୍ନା ପରିଚୟ କରାଇ ଦେଇ କହିଲେ ମାମୁଁ ଏ ଦୁଇଜଣ ତୁମର ନାତୁଣୀ ହେବେ । ଆମ ଗାଁ ରେ ମହିଳାମାନେ ଆଜି ଏକ ବୈଠକରେ ବସୁଛନ୍ତି । ଆପଣଙ୍କୁ ଡାକିବାକୁ ଆସିଛନ୍ତି । ତାପରେ ଅନନ୍ତ ବବାଙ୍କୁ ସାଥିରେ ଧରି ଚିନାମାଳୀ ଓ ଚମ୍ପା ଦରବାର ଘରେ ପହଞ୍ଚିବା ପରେ ମିଟିଂ ଆରମ୍ଭ ହେଲା ।
ଗାଁ ର ମହିଳାମାନେ ଅନନ୍ତ ବବାଙ୍କୁ ପାରମ୍ପାରିକ ରିତୀନିତି ଅନୁଯାୟୀ ବୈଠକକୁ ସ୍ଵାଗତ କରିବା ପରେ ଗାଁ ର ମହିଳାମାନେ ଓ ଝିଅମାନେ କିଛି ପୁରୁଷ ଅତ୍ୟଧିକ ହାଣ୍ଡିଆ ପିଇ କିଭଳି ପରିବାରରେ ଗଣ୍ଡଗୋଳ କରିବା ସହିତ ବିଭିନ୍ନ ରୋଗରେ ଅକାଳରେ ମୃତ୍ୟୁବରଣ କରୁଛନ୍ତି ତାହା ବର୍ଣ୍ଣନା କରିବା ପରେ ଏହା ବିରୁଦ୍ଧରେ ମହିଳା ମାନେ ଏକତ୍ରିତ ହୋଇ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପରିସ୍ଥିତି ଭୟାବହ ହୋଇଯିବ ବୋଲି ମତ ରଖିବା ପରେ ଏହି ବିଷୟ ପୀଢ ଓ ମହାପିଢରେ ମଧ୍ୟ ଆଲୋଚନା କରି କଣ ଗୋଟାଏ କରିବା ପାଇଁଁ ଅନନ୍ତ ବବା ଙ୍କୁ ଅନୁରୋଧ କରିଥିଲେ । ଏହାର ଉତ୍ତରରେ ଅନନ୍ତ ବବା କହିଲେ ଏ ବିଷୟ ପୁର୍ବ ମହାପିଢ ବୈଠକରେ ଆଲୋଚନା କରାଯାଇଥିଲା । ଆରମାସରେ ହେବାକୁ ଥିବା ବୈଠକରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ । ଆଉ ଗୋଟିଏ କଥା ଯାହାକି ଆମ ଗାଁ ର କଥା ତାହା ତୁମମାନଙ୍କୁ କହିବି । କଥାଟି ହେଉଛି ଏହିପରି । ଆମ ଗାଁ ରେ ମଧ୍ୟ ଦୁଇବର୍ଷ ତଳେ ତୁମ ଗାଁ ଭଳି ଅବସ୍ଥା ଥିଲା । ବହୁ ପରିବାର ଏହି ଭଳି ହାଣ୍ଡିଆ ପିଇ ବରବାଦ୍ ହୋଇଥିଲେ । କିଛି ଲୋକ ଅକାଳ ରେ ମୃତ୍ୟୁବରଣ ମଧ୍ୟ କଲେ । ଏହା ପରେ ଗାଁ ର ମହିଳାମାନେ ମିଶି ଗାଁ ର ଯେଉଁ କେତୋଟି ପରିବାର ହାଣ୍ଡିଆ ବସଉ ଥିଲେ ବିଶେଷ କରି ହାଣ୍ଡିଆରେ ଇଉରିଆ ସାର ପକାଉଥିଲେ ସେମାନଙ୍କୁ ସେମାନେ ସେଭଳି ହାଣ୍ଡିଆ ତିଆରି ନ କରିବା ପାଇଁ କହିଲେ । ମୂଳିକା ପକାଇ ହାଣ୍ଡିଆ ତିଆରି କରିବା ପାଇଁ କହିଲେ । ସପ୍ତାହର କେବଳ ହାଟପାଳି ଓ ଆଉ ସୋମବାର ଓ ଗୁରୁବାର ହାଣ୍ଡିଆ ନ ପିଇବା ପାଇଁ କୁହାଗଲା । କିଛି ଲୋକ ମାନିଲେ ନାହିଁ । ତେଣୁ ମହିଳାମାନେ ଏକାଠି ହୋଇ ସେମାନଙ୍କର ଘର ଘେରାଉ କରି ହାଣ୍ଡିଆ ହାଣ୍ଡି ସବୁ ଭାଙ୍ଗି ଦେଲେ । ଥାନାକୁ କଥା ଗଲା । ବହୁ ଗଣ୍ଡଗୋଳ ପରେ ମହିଳା ମାନଙ୍କ ଜିତାପଟ ହେଲା । ସେମାନେ ମୂଳିକା ପକାଇ ହାଣ୍ଡିଆ ବସାଇଲେ। ଧିରେ ଧିରେ ସବୁ ଘରେ କେବଳ ପର୍ବ ପର୍ବାଣୀ ରେ ହାଣ୍ଡିଆ ପିଇଲେ ଓ ବାକି ଦିନ ମାନଙ୍କରେ ପିଇଲେ ନାହିଁ । ତୁମେ ତୁମ ଗାଁ ରେ ସେହିପରି କର ଦେଖିବ ନିଶ୍ଚୟ ହାଣ୍ଡିଆ ବ୍ୟବହାର ମଧ୍ୟ ଧିରେ ଧିରେ କମିଯିବ । ଏହାପରେ ଗାଁ ର ମହିଳାମାନେ ଗାଁ ର ଯେଉଁ ମାନେ ହାଣ୍ଡିଆ ବସାଉଛନ୍ତି ସେମାନଙ୍କୁ ୟୁରିଆ ସାର ନ ପକାଇବା ପାଇଁ କହିଲେ । କେବଳ ମୂଳିକା ପକାଇ ହାଣ୍ଡିଆ ତିଆରି କରିବା ପାଇଁ କହିଲେ । କିଛି ମହିଳା ମନେ ମନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ବହୁମତ ଆଗରେ ଚୁପ୍ ରହିବା ପାଇଁ ବାଧ୍ୟ ହେଲେ । ଏହି ସମୟରେ କାମିନୀ ଆଈ କହିଲା ଆରେ ବାପା ତୁ କାଲି ଅଛୁ ନା ପଳାଇବୁ । ଅନନ୍ତ ଆଜ୍ଞା ରହିବି ବୋଲି କହିବା ପରେ ଆଈ କହିଲା କାଲି ସନ୍ଧ୍ୟାରେ ଆମ ଘରକୁ ଆସିବୁ ତୁମ ଅଞ୍ଚଳର କଥା ଓ ଆମ ଜାତିର ମହାପିଢ କଥା କହିବୁ । ଏହା ପରେ ସଭା ସରିଲା ଓ ସମସ୍ତେ ଘରକୁ ଗଲେ ।