• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୦)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୫ ଜାନୁଆରୀ ୨୦୨୫

ମକର ସଂକ୍ରାନ୍ତି ଦୁଇଦିନ ପୁର୍ବରୁ ମନ୍ମଥ ଆମ ଘରେ ଆସି ପହଞ୍ଚିଲା। ମୁଁ ବୋଉ ସହିତ ମିଶି ମକର ସଜବାଜ ରେ ବ୍ୟସ୍ତ ଥାଏ। ବୋଉ ଓ ବାପା ତାକୁ ଦେଖି ବହୁତ ଖୁସି ହୋଇଗଲେ। ବାପା ମନ୍ମଥ କୁ ସାଥିରେ ନେଇ ଖୁଣ୍ଟୁଗାଁ ବଜାର ବାହାରି ଗଲେ ନୁଆ ଲୁଗାପଟା କିଣାକିଣି କରିବାକୁ। ସନ୍ଧ୍ୟା ହୋଇଗଲା ସେମାନେ ଫେରୁ ଫେରୁ। ସେମାନେ ଧୁଆଧୋଇ ହୋଇ ଖାଇବା ପାଇଁ ବସି ପଡ଼ିଲେ। ବୋଉ ସେମାନଙ୍କୁ ଖାଇବା ବାଢ଼ି ଦେଇ ପଛରେ ଆଉ କ’ଣ ଦରକାର ହେଲେ ଦେବାପାଇଁ ପାଖରେ ବସିଥାଏ।

ମନ୍ମଥ ବାପାଙ୍କୁ ମୋର ତାଙ୍କ ଘରକୁ ଯିବା କଥା କହିଲା। ବାପା କହିଲେ, “ପୁଅ କାଲି ଛାଡ଼ି ପହରଦିନ ମକର। ଆଗରୁ ଆସିଥିଲେ ଝିଅ ଯିବା ରେ ମୁଁ ମନା କରି ନଥାନ୍ତି। ମକର ରେ ଝିଅମାନେ ଶାଶୁଘରୁ ବାପଘରକୁ ଆସୁଛନ୍ତି। ମୋ ଝିଅ ଯିବ। ମନ ଭଲ ଲାଗିବ ନାହିଁ। ତୁମେ ରୁହ ମକର ବାସି ତିଆସି ଝିଅ ତୁମ ସଙ୍ଗେ ତୁମ ଘରକୁ ଯିବ। ମୋ କଥା ରଖିବ ବୋଲି ଭାବୁଛି।” ଏ କଥା ଶୁଣି ମନ୍ମଥ କହିଲା, “ହଉ ବାପା ମକର ସାତଦିନ ପରେ ଆମର ମହାପୀଢ ବୈଠକ ଅଛି। ବୈଠକ ସରିବା ପରଦିନ ଚିନାମାଳୀ ମୋ ସହିତ ଆମ ଘରକୁ ଯିବ।”

ଖାଇସାରିବା ପରେ ମନ୍ମଥ ବାପାଙ୍କ ସହିତ ମହାପୀଢ ବୈଠକ ବାବଦରେ ଆଲୋଚନା କରିବା ମଧ୍ୟରେ ପଚାରିଲା, “ମକର ସଂକ୍ରାନ୍ତି ରେ ଆମ ଭୂୟାଁ ମାନଙ୍କ କ’ଣ ସବୁ ରୀତିନୀତି ରହିଛି?” ବାପା ତା କଥାର ଉତ୍ତର ରେ କହିଲେ, “ମକର ପର୍ବ ଏକ କୃଷିଭିତ୍ତିକ ଗଣପର୍ବ। ସବୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳନ କରନ୍ତି। ମକର ସଂକ୍ରାନ୍ତି ପାଇଁ ଲୋକମାନଙ୍କ ସଜବାଜ ସବୁଠୁ ଉଲ୍ଲେଖନୀୟ। ମକର ପୁର୍ବରୁ ପଡୁଥିବା ହାଟ ରୁ ଲୋକମାନେ ନୂଆ ଜାମା, ଲୁଗାପଟା, ରାଶି ଓ ଗୁଡ଼ କିଣି ଆଣନ୍ତି। ପରିବାରର ସମସ୍ତଙ୍କ ପାଇଁ ନୁଆ ଲୁଗାପଟା ହୁଏ। ମକର ହାଟ ବହୁତ ଭିଡ଼ ରହେ। ପୁର୍ବରୁ ମହିଳାମାନେ ଅରୁଆ ଚାଉଳ କୁଟି ଚୁନା ପ୍ରସ୍ତୁତ କରିଥାନ୍ତି। ସେହି ଚୁନା ରୁ ଆରିସା ଓ କାକରା ପିଠା ପ୍ରସ୍ତୁତ କରନ୍ତି। ଏହା ଛଡ଼ା ମକର ଦିନ ମଣ୍ଡା ପିଠା ମଧ୍ୟ ତିଆରି କରାଯାଏ। ଘରକୁ ବନ୍ଧୁ ବାନ୍ଧବ ମାନେ ବୁଲିବା ପାଇଁ ଆସନ୍ତି। ଏହି ଦିନ ସକାଳୁ ସକାଳୁ ଦେହୁରୀ ଗ୍ରାମଶିରୀଙ୍କ ନିକଟରେ ପୂଜା ଅର୍ଚ୍ଚନା କରନ୍ତି। ଏହାପରେ ବଡାମ ଦେବତାଙ୍କ ନିକଟରେ ଦେହୁରୀ ଅରୁଆ ଚାଉଳ, ଗୁଡ଼ ଦେଇ ପୂଜା କରନ୍ତି। ପୂଜା ସ୍ଥାନରେ ଗାଁ ର ସବୁ ଲୋକ ନୁଆ ଲୁଗାପଟା ପିନ୍ଧି ଉପସ୍ଥିତ ରୁହନ୍ତି। ଭୋଗ ହୋଇଥିବା ଏହି ମକର ଚାଉଳକୁ ସମସ୍ତ ଙ୍କୁ ବଣ୍ଟା ଯାଏ। ଏହାପରେ ସାମୁହିକ ଭୋଜନ ର ଆୟୋଜନ କରାଯାଏ। ଚାଉଳ ରୁ ପ୍ରସ୍ତୁତ ହାଣ୍ଡିଆ ସମସ୍ତେ ପାନ କରନ୍ତି। ଏହାପରେ ସମସ୍ତେ ଚାଙ୍ଗୁ ବଜାଇ ନାଚଗୀତ ରେ ମଜ୍ଜି ଯାଆନ୍ତି। କେତେକ ଗାଁ ରେ ପାଇକ ନାଚ ମଧ୍ୟ ଅନୁଷ୍ଟିତ ହୁଏ। ଏହି ଦିନ କୋଠିଆ କାମ କରିବାପାଇଁ ଚୁକ୍ତି ସରିଯାଏ। କୋଠିଆ ବା ବାରମାସିଆ ମାନେ ନୁଆ ଜାଗାକୁ କାମ କରିବାପାଇଁ ଚାଲି ଯାଆନ୍ତି।”

ଏହାଶୁଣି ମନ୍ମଥ ପଚାରିଲା, “ଆଛା ବାପା, କେତେକ ସ୍ଥାନରେ ମହାନ୍ତ ସମ୍ପ୍ରଦାୟର ଲୋକମାନଙ୍କ ଟୁସୁ ପର୍ବ ମଧ୍ୟ ବୋଧହୁଏ ଏହି ଦିନ ଶେଷ ହୁଏ?” ବାପା ଏହାଶୁଣି କହିଲେ, “ହଁ ଏହା ସେମାନଙ୍କର ଏକ ପର୍ବ। ଆମ ଗାଁ ରେ ଥିବା ମହାନ୍ତ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳନ କରନ୍ତି। ପୌଷମାସ ରେ ଆରମ୍ଭ ହୋଇଥିବା ଏହି ପର୍ବ ମକର ସଂକ୍ରାନ୍ତି ରେ ଶେଷ ହୁଏ।ସେମାନେ ବିଶ୍ରୀ ଓଷା ଓ ଅନ୍ୟାନ୍ୟ ପର୍ବପର୍ବାଣୀ ରେ ଆସୁଥିବାରୁ ଆମେ ମଧ୍ୟ ସେହି ପୂଜା କୁ ଯାଇ କଥାଣି ଶୁଣୁ। କଥାଣିଟି ଏହିପରି –
ଟୁସୁ ପର୍ବ କେବଳ କେନ୍ଦୁଝର, ମୟୁରଭଂଜ ଓ ସୁନ୍ଦରଗଡ ଜିଲ୍ଲାର କୁଡୁମୀ ବା ମହାନ୍ତ ସଂପ୍ରଦାୟର କିଶୋରୀ ଝିଅମାନେ କରନ୍ତି ନାହିଁ, ପରନ୍ତୁ ପଡୋଶୀ ବିହାର, ପଶ୍ଚିମ ବଙ୍ଗରେ ମଧ୍ୟ ଏହାକୁ ପାଳନ କରନ୍ତି। ଏହାଥିଲା ଜଣେ ପରାକ୍ରମୀ ମୋଗଲ ବାଦଶାହାଙ୍କ ରାଜୁତି ସମୟର କଥା।ସିତାନାଥ ମହାନ୍ତ ନାମକ, କୁଡୁମୀ ସଂପ୍ରଦାୟର ଜଣେ ହିନ୍ଦୁ ରାଜା ବାଦଶାହାଙ୍କ କରଦ ରାଜା ଥିଲେ।ବାଦଶାହା ଓ ରାଜାଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା। ଏକଦା ବେଗମ୍ ସାହେବାଙ୍କ ଦେହ ଅସୁସ୍ଥ ହେଲା। ବହୁ ବୈଦ୍ୟଙ୍କ ଠାରୁ ଔଷଧ ଖାଇଲେ ମଧ୍ୟ ସେ ସୁସ୍ଥ ହେଲେ ନାହିଁ ବରଂ ରୋଗ ବଢ଼ି ବଢ଼ି ଚାଲିଲା। ବାଦଶାହା ଦୁଃଖରେ ମ୍ରିୟମାଣ ହୋଇପଡ଼ିଲେ। ବେଗମଙ୍କ ଅସୁସ୍ଥତା ଖବର ସେ ତାଙ୍କର ଘନିଷ୍ଠ ବନ୍ଧୁ ତଥା କରଦ ରାଜା ସିତାନାଥଙ୍କୁ ଜଣାଇଲେ। ରାଜା ମଧ୍ୟ ଏ ଭଳି ଖବର ପାଇ ଚିନ୍ତିତ ହୋଇପଡ଼ିଲେ।ବାଦଶାହାଙ୍କୁ କିପରି ସାହାର୍ଯ୍ୟ କରିବେ ସେହି କଥା ଭାବୁଥାନ୍ତି। ଦିନେ ରାଜାଙ୍କର ଏକମାତ୍ର କନ୍ୟା ଟୁସୁମନୀ ରାଜାଙ୍କୁ କହିଲା ଯେ ସେ ବେଗମଙ୍କୁ ଭଲ କରିଦେଇ ପାରିବ ବୋଲି। ରାଜା ତା କଥାକୁ ସହଜରେ ବିଶ୍ବାସ କରିପାରୁନଥିଲେ ମଧ୍ୟ ତାକୁ ଔଷଧ ପ୍ରସ୍ତୁତିରେ ସମସ୍ତ ସାହାଯ୍ଯ ସହଯୋଗ କଲେ। ରାଜାଙ୍କ ବଗିଚାରେ ଛୋଟିଆ ପିଜୁଳି ଗଛଟିଏ ଥିଲା। ପିଜୁଳି ଗଛରେ ଫୁଲ ଧରିବା ସମୟରେ ରାଜଜେମା ଗଛର ଗୋଟିଏ ଡାଳକୁ ନୁଆଁଇ ଆଣି ଗୋଟିଏ ମାଠିଆ ମୁହଁରେ ରସିରେ ବାନ୍ଧି ଦେଇଥିଲା। ପିଜୁଳି ଫୁଲରୁ ଫଳ ଧରି ମାଠିଆ ଭିତରେ ବଡ଼ ହୋଇ ପାଚିଗଲା। ରାଜକନ୍ୟା ସେହି ପାଚିଲା ପିଜୁଳିଟି ଆଣି ତାକୁ ଚାରିଖଣ୍ଡ କରି ମଦାଙ୍ଗ ଫୁଲରେ ଚାରିପାନ ଔଷଧ ପ୍ରସ୍ତୁତ କରି ରାଜାଙ୍କ ହାତରେ ବେଗମଙ୍କ ନିକଟକୁ ପଠାଇଲେ। ସେହି ଚାରିପାନ ଔଷଧ ସେବନ କରି ବେଗମ ସଂମ୍ପୁର୍ଣ ସୁସ୍ଥ ହୋଇଗଲେ।

ଏଥିରେ ବେଗମ ସାହେବା ଖୁସି ହୋଇ ବାଦଶାହାଙ୍କ ହାତରେ ତାଙ୍କ ଗଳାର ରତ୍ନହାରଟିକୁ ଉପହାର ସ୍ବରୁପ ପଠାଇଲେ। ବାଦଶାହା ଟୁସୁମନୀକୁ ସେହି ଉପହାର ଦେବାପାଇଁ ସୀତାନାଥଙ୍କ ରାଜଉଆସକୁ ଆସିଥିବା ବେଳେ ତାର ରୂପ ଲାବଣ୍ୟରେ ବିମୋହିତ ହୋଇ ତାକୁ ପାଇବା ପାଇଁ ବ୍ୟାକୁଳ ହୋଇପଡ଼ିଲେ ଏବଂ ନିଜର ମନର କଥା ରାଜାଙ୍କ ନିକଟରେ ବ୍ୟକ୍ତ କଲେ। କ୍ରୋଧ ଜର୍ଜରିତ ରାଜା ଅନ୍ୟ କୌଣସି ବାଟ ନପାଇ ବାଦଶାହାଙ୍କ ଲୋଲୁପ ଦୃଷ୍ଟିରୁ ନିଜର ଝିଅକୁ ବଞ୍ଚାଇବା ପାଇଁ ଗୋପନରେ ଅନ୍ୟ ରାଜ୍ୟକୁ ପଠାଇଦେଲେ। ବାଦଶାହା ଟୁସୁମନୀର ପଛେ ପଛେ ଯାଇ ସେହି ରାଜ୍ୟରେ ପ୍ରବେଶ କଲେ। ବାଦଶାହାଙ୍କ ଭୟରେ କୌଣସି ରାଜା ଟୁସୁମନୀକୁ ଆଶ୍ରୟ ଦେଲେନାହିଁ। ଜୀବନ ବିକଳରେ ଟୁସୁମନୀ ପାହାଡ଼ ପରେ ପାହାଡ଼ ଅତିକ୍ରମ କରି ଚାଲିଥାଏ। ତାକୁ ଅନୁସରଣ କରୁଥାଏ ନାରୀମାଂସ ଲୋଭୀ ପିଶାଚ ପ୍ରବୃତ୍ତିର ବାଦଶାହା।ଶେଷରେ ଟୁସୁମନୀ ଏକ ଆଦିବାସୀ ବସ୍ତିରେ ପହଞ୍ଚିଲା ଯେଉଁଠାରେ ସେଠାକାର ଆଦିବାସୀ ମାନେ ସେମାନଙ୍କ ଦେବତାଙ୍କୁ ଘୁଷୁରି ବଳି ଦେଇ ପୂଜା କରିବା ପରେ ଏକତ୍ରିତ ହୋଇ ନାଚରେ ମାତିଥାନ୍ତି। ଟୁସୁମନୀ ସେହି ନାଚରେ ସାମୀଲ ହୋଇଗଲା।ବାଦଶାହା ଘୁଷୁରି ବଳି ଦେଖି ଫେରିଆସିଲେ। ଟୁସୁମନୀଠାରୁ ସମସ୍ତ ବିଷୟ ଶୁଣି ଆଦିବାସୀ ସର୍ଦ୍ଦାର ତାକୁ ଆଶ୍ରୟ ଦେଲେ ଓ କିଛି ଦିନ ପରେ ତାର ବାପାଙ୍କ ପାଖରେ ଛାଡ଼ିଦେଇ ଆସିଲେ। ଟୁସୁମନୀ ଫେରିବାର ଖବର ଗୁପ୍ତଚରଠାରୁ ଶୁଣି ବାଦଶାହା ପୁଣି ସୀତାନାଥଙ୍କ ରାଜ୍ୟକୁ ଆକ୍ରମଣ କଲେ। ସୀତାନାଥ ଏ ବିପଦରୁ ନିଜ ଝିଅକୁ ତଥା ରାଜ୍ୟକୁ କିପରି ରକ୍ଷା କରିବେ ଏହି ଚିନ୍ତା କରୁଥିବା ସମୟରେ ଟୁସୁମନୀ ରାଜାଙ୍କୁ ବୁଝାଇ କହିଲା ଯେ ଜଣକ ଜୀବନ ପାଇଁ କାହିଁକି ରାଜ୍ୟର ଲକ୍ଷ ଲକ୍ଷ ଧନଜୀବନ ନଷ୍ଟ ହେବ ବରଂ ସେ ରାଜ୍ୟ ଛାଡ଼ି ଅନ୍ୟତ୍ର ଚାଲିଯିବ।

ବାପାଙ୍କୁ ପ୍ରଣାମ କରି ଟୁସୁମନୀ ରାଜ୍ୟ ସୀମା ପାରି ହେଇଗଲା। ବାଦଶାହା ଏ ଖବର ପାଇ ତାର ଅନୁଧାବନ କଲେ।କ୍ଲାନ୍ତ, ଅବସନ୍ନ ଟୁସୁମନୀକୁ ଅନୁସରଣ କରୁଥାନ୍ତି ଏକ ବିଶାଳ ସେନା ଓ ବାଦଶାହା ନିଜେ। ଟୁସୁମନୀ ଜଙ୍ଗଲମଧ୍ୟରେ ଭୀତକ୍ରସ୍ତ ହରିଣୀଟିଏ ଭଳି ଦୌଡ଼ି ଚାଲିିଥାଏ। ଶେଷରେ ସେ ଉପନୀତ ହେଲା ଏକ ଭରା ନଦୀ ସମ୍ମୁଖରେ। ପଛରେ ଦେଖିଲା ବନାଗ୍ନୀ ଭଳି ସୈନ୍ୟମାନଙ୍କ ସହ ନରରାକ୍ଷସ ବାଦଶାହା। ଲମ୍ଫ ପ୍ରଦାନ କଲା ସେହି ନଦୀକୁ। ବ୍ୟର୍ଥମନୋରଥ ବାଦଶାହା ନଦୀର ବକ୍ଷକୁ ଦୃଷ୍ଟି ନିକ୍ଷେପ କରି ସୈନ୍ୟମାନଙ୍କୁ ଫେରିଯିବାପାଇଁ ଆଦେଶ ଦେଲେ।” ଏ କାହାଣୀ ଶୁଣି ମନ୍ମଥ ଆଖି ଲୁହ ଛଳଛଳ ହୋଇଗଲା। କଥା କୁ ସେଇଠି ରଖି ଉଭୟ ବିଶ୍ରାମ ନେବାକୁ ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.