• About
  • Contact
Saturday, June 27, 2026
Saturday, June 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମ ସଂସ୍କୃତିରେ ମାତୃଶକ୍ତିର ଉପାସନା

ଆମ ସଂସ୍କୃତିରେ ମାତୃଶକ୍ତିର ଉପାସନା
Share on FacebookShare on Xshare on Whatsappshare on Linkedin
ଶ୍ରୀ ଦାଶରଥୀ ଶତପଥୀ, ଭୁବନେଶ୍ଵର, ୨୧ ଅକ୍ଟୋବର ୨୦୨୩

ଭାରତୀୟ ସଂସ୍କୃତିରେ ମାତୃଶକ୍ତି ଉପାସନା ଆବାହମାନ କାଳରୁ ତାହା କଳନା କରିବା କଷ୍ଟକର । ଜଗତଜନନୀ ମା ଦୁର୍ଗା ହେଉଛନ୍ତି ମହାଶକ୍ତି, ସେ ସୃଷ୍ଟିର ଆଦ୍ୟାଶକ୍ତି, ସେ ମହାଲକ୍ଷ୍ମୀ, ମହାକାଳୀ, ମହା ସରସ୍ୱତୀ, ସୃଷ୍ଟିର ସୁରକ୍ଷାକର୍ତ୍ତୀ । ସେ ଯୋଗମାୟା, ଗୌରୀ, ଆଦିଶକ୍ତି, ସର୍ବତ୍ର ବିଦ୍ୟମାନ ମା, ଯାହାର ରୂପ ନାହିଁ ଅରୂପା, ଯାହାଙ୍କ ଇଙ୍ଗିତରେ ସୃଷ୍ଟିର ସବୁ କିଛି ପରିଚାଳିତ ହୁଏ ।

ଯେତେବେଳେ ପୃଥିବୀ ପୃଷ୍ଠରେ ଅନ୍ୟାୟ, ଅତ୍ୟାଚାର, ଅସତ୍ୟର ମାତ୍ରା ବଢିଯାଏ, ସେତେବେଳେ ଆଦ୍ୟାଶକ୍ତି ମାଙ୍କୁ ଆବାହନ କରାଯାଇଥାଏ ଓ ଆସୁରୀ ଶକ୍ତିର ବିନାଶ ପାଇଁ ଦୁର୍ଗାଦେବୀଙ୍କର ଉତ୍ପତି ହୋଇଥାଏ, ସେତିକିବେଳେ ଅସତ୍ୟ ଉପରେ ସତ୍ୟର ବିଜୟ, ଅନ୍ୟାୟ ଉପରେ ନ୍ୟାୟର ବିଜୟ, ଅଜ୍ଞାନତା ଉପରେ ଜ୍ଞାନର ବିଜୟ ହୋଇଥାଏ । ଦୁଷ୍ଟ ଶକ୍ତିର ବିନାଶ ହୋଇ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ।

ଶାସ୍ତ୍ର କହେ:-

ମନ୍ତ୍ରାଣାଂ ମାତୃକା ଦେବୀ ଶଦ୍ଦାନାଂ ଜ୍ଞାନରୂପିଣୀ
ଜ୍ଞାନାନାଂ ଚିନ୍ମୟାତୀତା ଶୂନ୍ୟନାଂ ଶୂନ୍ୟ ସାକ୍ଷିଣୀ
ଯସ୍ୟା ପରତରଂ ନାସ୍ତି ସୈଷା ଦୁର୍ଗା ପ୍ରକିର୍ତ୍ତୀତା ।

ସମସ୍ତ ମନ୍ତ୍ରମାନଙ୍କର ମାତୃକାରୂପ ବା ବୀଜାକ୍ଷର ସ୍ୱରୂପା, ପ୍ରତ୍ୟେକ ଶଦ୍ଦମାନଙ୍କରେ ଭାବନାରେ ବିଷୟ ସ୍ୱରୂପା, ଜ୍ଞାନ, ବୁଦ୍ଧି ଆଦିରେ ଚିନ୍ମୟାନନ୍ଦ ସ୍ୱରୂପା, ଶୂନ୍ୟରେ ଅଶୂନ୍ୟ ସାକ୍ଷୀ ସ୍ୱରୂପିଣୀ, ସର୍ବବ୍ୟାପ୍ତରେ ଶ୍ରେଷ୍ଠା ହୋଇଥିବାରୁ ସେ ଶକ୍ତି ସ୍ୱରୂପିଣୀଦେବୀ, ମଙ୍ଗଳକାରିଣୀ ଦୁର୍ଗା ରୂପେ ପରିକିର୍ତ୍ତୀତା ହେଲେ । ତେଣୁ ଦେବୀ ଉପାସନା ଲୋକପ୍ରିୟତାର ଅନେକ କାରଣ ଭିତରୁ ଦୃଷ୍ଟି ବିନାଶନ ଓ ମାତୃ ସ୍ୱରୂପିଣୀତ୍ୱକୁ ଜନସମାଜରେ ଅଧିକ ପ୍ରାଧାନ୍ୟ ଦିଆଯାଇଅଛି । ଧର୍ମଶାସ୍ତ୍ର ମତରେ:-

ଶରତକାଳେ ମହାପୂଜା କ୍ରୀୟତେ ଯା ଚ ବାର୍ଷିକୀ
ତସ୍ୟା ମମୈତନ୍ ମହାତ୍ମ୍ୟଂ ଶୃତ୍ୱା ଭକ୍ତି ସମନ୍ୱିତଃ ।

ଆମ ସଂସ୍କୃତିରେ ଦେବୀ ଦୁର୍ଗାଙ୍କର ପୂଜା ସାଧାରଣତଃ ଶରତକାଳ ଓ ବସନ୍ତକାଳରେ ଅନୁଷ୍ଠିତ ହେବାର ବିଧାନସବୁ ରହିଛି । କେତେକ ଗଣକ ଓ ଦାର୍ଶନିକଙ୍କ ସିନ୍ଧାନ୍ତ ଅନୁସାରେ ଏହି ଦୁଇଟି ଋତୁରେ ଦିବାରାତ୍ରୀର ସମୟ ପ୍ରାୟ ସମାନ ରହିଥିବାରୁ ସକଳ ଶକ୍ତିର ଆଧାର ପ୍ରଭୁ ଦିବାକରଙ୍କ ଅବସ୍ଥିତିକୁ ଆଧାର କରି ବର୍ଷଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଏହି ପୂଜାକୁ ଆୟୋଜନ କରାଯାଇଥାଏ । ମା ଶକ୍ତିସ୍ୱରୂପା ଧରାବତରଣ କରି ଶକ୍ତି ସହ ଦୟା, କ୍ଷମା, ଶାନ୍ତିକାନ୍ତିରେ ମଣିଷକୁ ବିମଣ୍ଡିତ କରିଥାନ୍ତି । ଏଣୁ ଶରତ ଋତୁରେ ଶକ୍ତି ଉପାସନା କଲେ ଆଗାମୀ ଋତୁଗୁଡିକ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେବ ବୋଲି ଶରତ କାଳରେ ଶକ୍ତିସ୍ୱରୂପିଣୀ ଦୁର୍ଗାପୂଜା କରାଯାଇଆସୁଅଛି ।

ମାର୍କଣ୍ଡେୟ ପୁରାଣରେ ଦୁର୍ଗାମାହାତ୍ମ୍ୟ ବର୍ଣ୍ଣନାରୁ ଦୁର୍ଗାପୂଜାର ପ୍ରାସଙ୍ଗିକତା ସହଜରେ ବୁଝାଯାଇପାରେ । ଏହି ପୂରାଣ ଅନ୍ତର୍ଗତ ସପ୍ତଶତୀ ଚଣ୍ଡିରେ ସ୍ପଷ୍ଟ କୁହାଯାଇଛି, “ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା” । ଦେବୀଙ୍କର ଶକ୍ତି ଏକ ଚିରନ୍ତନ ଶକ୍ତି, ଯାହାର ପ୍ରଭାବରେ ଜୀବଜଗତ ସଚେତନ ଏବଂ ଏହାର ବ୍ୟତିରକେ ସବୁ ଜଡ ବା ମୂକ ।

ଶାସ୍ତ୍ର ଅନୁସାରେ ଋକ୍ ବେଦ ଓ ଶାମବେଦର ବର୍ଣ୍ଣିତ ଦେବୀସୂକ୍ତ ଓ ରାତ୍ରୀସୂକ୍ତ ଶକ୍ତିଉପାସନାର ଯଥେଷ୍ଟ ସଂକେତ ପ୍ରଦାନ କରିଥାଏ । ଏଣୁ ଜଣାପଡେ ଯେ ପୂରାଣ ଯୁଗରେ ଶକ୍ତି ଉପାସନା ଓ ବହୁ ଦେବୀକଳ୍ପନା ଘଟିଥିଲା । ଏଣୁ ଭାରତ ବର୍ଷରେ ୧୦୮ ଶକ୍ତିପୀଠ ସ୍ଥାପନ କରାଯାଇଥିବାର ପ୍ରମାଣ ରହିଛି । ଅମୃତସରର ଦୁର୍ଗାୟାନା ମନ୍ଦିର, ଶିମିଳାର ତାରାଦେବୀ ମନ୍ଦିର, ହରିଦ୍ୱାରରେ ମନସାଦେବୀ ମନ୍ଦିର, ଚଣ୍ଡିକା, ମାୟାଦେବୀ, ଶକ୍ତିଦେବୀ ମନ୍ଦିର ଦେଖିବାକୁ ମିଳେ । ସେହିପରି ଜାମୁକାଶ୍ମୀରରେ କ୍ଷୀରଭବାନୀ, ବୈଷ୍ଣବଦେବୀ, ବନାରସରେ ଦୁର୍ଗାମନ୍ଦିର, କଲିକତାରେ ଦକ୍ଷିଣକାଳୀ ମନ୍ଦିର, ଆସାମରେ କାମାକ୍ଷୀ ମନ୍ଦିର, ଉତ୍ତରପ୍ରଦେଶରେ ବିନ୍ଧ୍ୟବାସିନୀ ମନ୍ଦିର, କର୍ଣ୍ଣାଟକରେ ଚାମୁଣ୍ଡେଶ୍ୱରୀ, ଦିଲ୍ଲୀରେ କାଳୀଦେବୀ ମନ୍ଦିର, ଗୁଜୁରାଟରେ ହିଙ୍ଗାଳାଜ ମନ୍ଦିର, ତାମିଲନାଡୁରେ ମିନାକ୍ଷୀ ମନ୍ଦିର, କନ୍ୟାକୁମାରୀରେ କନ୍ୟାକୁମାରୀ ମନ୍ଦିର ଓ ଓଡିଶାର ଶାକ୍ତ ପରଂପରାର ବିସ୍ତୃତ ରୂପରେଖ ଥିବା ଇତିହାସରୁ ଜଣାପଡେ ।

ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଭାରତର ଶକ୍ତିତତ୍ତ୍ୱର ଉନ୍ମେଷ ଓ ବିକାଶ ଧାରାରେ ଓଡିଶା ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଓଡିଶାର ସାଂସ୍କୃତିକ,ସାମାଜିକ ଓ ପରଂପରାରେ ବହୁ କାଳରୁ ମାତୃପୂଜାର ପ୍ରାଧାନ୍ୟ ଓଡିଶାର ଜନଜୀବନରେ ଅନୁଭୂତ ହେଉଅଛି । ଓଡିଶାରେ ଯାଜପୁରଠାରେ ବିରଜା, ଶ୍ରୀକ୍ଷେତ୍ରରେ ବିମଳା, କାକଟପୁରରେ ମଙ୍ଗଳା, ଚିଲିକାରେ କାଳିଜାଇ, ବାଣପୁରରେ ଭଗବତୀ, ସମ୍ବଲପୁରରେ ସମଲାଇ, ବାଙ୍କିରେ ଚର୍ଚ୍ଚିକାଇ, ମୟୁରଭଂଜରେ କିଚକେଶ୍ୱରୀ, ଜଗତସିଂହପୁରରେ ଶାରଳା, କେଉଁଝରରେ ତାରିଣୀ, ଗଂଜାମରେ ତାରାତାରିଣୀ, କଟକରେ କଟକଗଡଚଣ୍ଡି, କାଳିଠାକୁରାଣୀ, କଟକଚଣ୍ଡି ଏପରି ଅସଂଖ୍ୟ ଶକ୍ତିପିଠ ଓ ଉପାସନା ଲାଗି ମନ୍ଦିରମାନ ନିର୍ମାଣ କରାଯାଇଅଛି ।

ଆଶ୍ୱିନ ଶୁକ୍ଲପକ୍ଷରେ ପ୍ରତିପଦାଠାରୁ ପ୍ରଥମ ତିନି ଦିନ ମା ମହାକାଳୀଙ୍କୁ ତା ପରେ ତିନି ଦିନ ମା ମହାଲକ୍ଷ୍ମୀଙ୍କୁ ଓ ଶେଷ ତିନି ଦିନ ବିଦ୍ୟାଦାୟିନୀ ମା ସରସ୍ୱତୀଙ୍କୁ ପୂଜା କରାଯିବାର ପରଂପରା ରହିଛି। ଏହି ତିନି ମହାଦେବୀ ତମଗୁଣ, ଋଜଗୁଣ ଓ ସତ୍ତ୍ୱ ଗୁଣର ପ୍ରତୀକ । ଦଶମ ତିଥିରେ ଦଶହରା ପର୍ବ ପାଳନ କରାଯାଏ ଯାହାକି ଅଧର୍ମ ଉପରେ ଧର୍ମ, ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ, ଅଜ୍ଞନତା ଉପରେ ଜ୍ଞାନର ବିଜୟରୂପକ ସୂଚନା ସମାଜକୁ ଦେଇଥାଏ । ରାମାୟଣ କହେ ରାଜପଦରୁ ବିଚ୍ୟୁତ ହୋଇ ଅରଣ୍ୟରେ ଜୀବନଯାପନ କରୁଥିବା ଓ ସୀତା ହରଣରେ ଧୌର୍ଯ୍ୟଚ୍ୟୁତ ପ୍ରଭୁ ରାମଚନ୍ଦ୍ର, ନାରଦଙ୍କ ପରାମର୍ଶକ୍ରମେ ଦେବୀ ଦୁର୍ଗାଙ୍କୁ ଉପାସନା କରିଥିଲେ । ପ୍ରଭୁ ରାମଚନ୍ଦ୍ର ସର୍ବପ୍ରଥମେ ଶାରଦୀୟ ନବରାତ୍ର ପୂଜା ସମୁଦ୍ର ତଟରେ ଆରମ୍ଭ କରିଥିଲେ ।

ଅଥବିଜୟା ଦର୍ଶମ୍ୟାମାଶ୍ୱିନ ଶୁକ୍ଲପକ୍ଷେ ଦଶମୁଖ ନିଧାନାୟ ପ୍ରସ୍ତିତୋ ରାମଚନ୍ଦ୍ରଃ
ଦ୍ୱିରବ ବଧୁ ମହାବଜୈ ଯୁଥନାଥୈ ସ୍ତଥାନୈ
କପିଭିରପରିଣାମୈ ବ୍ୟାପ୍ତ ଭୂବଦିବଖଚକୈ (ହନୁମାନ୍ନାଟକ – ୭/୨)।

ଅର୍ଥାତ ଆଶ୍ୱିନ ଶୁକ୍ଲପକ୍ଷ ବିଜୟା ଦଶମୀ ଦିନ ଦଶମୂଖ ରାବଣ ବଧକରି ଶ୍ରୀରାମଚନ୍ଦ୍ର ବିଜୟ ଲାଭ କରିଥିଲେ । ଦେବୀ ପୁରାଣ ବର୍ଣ୍ଣନା ଅନୁସାରେ ପ୍ରଭୁ ରାମଚନ୍ଦ୍ର ଦେବୀ ଉପାସନା କରି ଦେବୀଙ୍କୁ ପ୍ରଶନ୍ନ କରାଇ ରାବଣ ବଧଲାଗି ବରପ୍ରାପ୍ତ ହୋଇଥିଲେ । ରାବଣର ଦଶମସ୍ତକ ଧାରଣ କରିଥିବାରୁ ଏହାକୁ ଦଶହରା ବୋଲି କୁହାଯାଏ “ଦଶ ରାବଣସ୍ୟ ମସ୍ତକାନି ହରତି ଯା ସା” । ଏଣୁ ଭାରତ ବର୍ଷରେ କେଉଁ ଅନାଦି କାଳରୁ ଏହି ଦିନ ଦଶହରା ଭାବେ ପରିପାଳିତ ହୋଇଆସୁଅଛି । ଐତିହାସିକ ମତବାଦ ଦୃଷ୍ଟିରୁ ଅତୀତରେ ହିନ୍ଦୁ ରାଜାମାନେ ଏହି ପବିତ୍ର ଦିବସରେ ଦିଗବିଜୟ ଯାତ୍ରା କରୁଥିବାର ପ୍ରମାଣ ରହିଛି । ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯଥା:-

“ଆଶ୍ୱିନେ ଦଶମୀ ଶୁକ୍ଲା ଶ୍ରୀବଣେନ ସମନ୍ୱିତା
ବିଜୟାଦଶମୀ ପ୍ରୋକ୍ତାସା ଚୈବାତ୍ୟନ୍ତ ଦୁର୍ଲ୍ଲଭା” ।

ପରିଶେଷରେ ଏତିକି ଉଲ୍ଲେଖ କରାଯାଇପାରେଯେ ମହିଷାଶୁର ବିନାଶ ପାଇଁ ମା ଦୁର୍ଗା ଶକ୍ତିଧର ଧରାରେ ଆର୍ବିଭାବ ହୋଇଥିଲେ । ଏହି ସ୍ମୃତିକୁ ସ୍ମରଣ କରାଯିବା ନିମନ୍ତେ ବିଜୟା ଦଶମୀ ନାମକରଣ କରାଯାଇଛି । ଦେବତାମାନଙ୍କର ଦୁର୍ଗତିବେଳେ ଦେବୀ ଦୁର୍ଗା ଆବିର୍ଭୂତା ହୋଇଥିବାରୁ ତାଙ୍କର ନାମ ମା ଦୁର୍ଗା । ଏହି ପର୍ବ ସମଗ୍ର ଭାରତ ବର୍ଷରେ ପରିପାଳନ କରାଯାଉଥିବାବେଳେ ବିଶେଷତଃ ବଙ୍ଗଳା, ମିଥଳା ଓ ଓଡିଶାରେ ବେଶି ଆଡମ୍ବରସହ ପାଳନ କରାଯାଇଥାଏ । ବ୍ରାହ୍ଣଣ, କ୍ଷତ୍ରୀୟ, ବୈଶ୍ୟ ଓ ଶୁଦ୍ର ଆବାଳ ବୃଦ୍ଧବନିତା ଆନନ୍ଦମୁଖରରେ ଏହି ପର୍ବ ପାଳନ କରିଥାନ୍ତି । ଘଟ, କୁମାରୀ ଓ ମୃଣ୍ମୟୀ ମୂର୍ତ୍ତିକା ମାଧ୍ୟମରେ ଦେବୀ ଦୁର୍ଗାଙ୍କୁ ଆବାହନ କରି ଦୁର୍ଗା ସପ୍ତଶତୀ ପାଠ, ନିର୍ବାଣ ମନ୍ତ୍ର ଜପ ତଥା ବୈଦିକ ମନ୍ତ୍ରରେ ଉପାସିତ କରି ପରଲୋକରେ ସୁଖଲାଗି ପ୍ରାର୍ଥନା କରିଥାଏ :-

“ନମୋ ଦେବୈ ମହାଦେବୈ ଶିବାୟୈ ଶତତଂ ନମଃ
ନମଃ ପ୍ରକୃତ୍ୟେ ଭଦ୍ରାୟୈ ନିୟତାଃ ପ୍ରଣତାଃ ସ୍ମତାମ” ।

Dasarathi Satapathy

Dasarathi Satapathy

Former Secretary, Odisha Legislative Assembly
Mob No– 9337449373

Related Posts

Vipul’s Voice:Burden of the Known
More

Vipul’s Voice:
Burden of the Known

by Vipul Agarwal
June 19, 2026

Vipul Agarwal, Delhi, 19 June 2026 While reading horoscopes, I often wonder whether a person can see the future clearly...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୬)

June 14, 2026
ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

ରାୟ ବାହାଦୁର ନନ୍ଦ କିଶୋର ଦାସଙ୍କ ୧୮୨ ତମ ଜୟନ୍ତୀ ପାଳିତ

June 5, 2026
ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

ଜଣେ ବିସ୍ମୃତ ଓଡ଼ିଆ ଅଭିଭାବକ

June 5, 2026
Story Not So Untrue

Story Not So Untrue

May 21, 2026
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.