ଡାକ୍ତର ଅଂଶୁମାନ କର, ସମ୍ପାଦକ, କଳିଙ୍ଗ ଭାରତୀ, ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୪
ଗୋଟିଏ ଜାତିର ଇତିହାସରେ ଲୁକାୟିତ ହୋଇ ରହିଥାଏ କିଛି କାହାଣୀ ଆଉ କିଛି କିମ୍ବଦନ୍ତୀ। ସେହି ହଜିଯାଇଥିବା ସ୍ମୃତିରେ ହଜି ଯାଇଥାନ୍ତି ଅନେକ ବରପୁତ୍ର ଓ ତାଙ୍କର ବରେଣ୍ୟ ଯୋଗଦାନ। ଗୋଟିଏ ଜାତିର ବିକାଶ ଏହାର ଅତୀତକୁ ଭୂଲି କରି କେବେ ହେବ ନାହିଁ। ତେଣୁ ଓଡିଶାକୁ ନିଜର ପୂର୍ବ ଗୌରବ ଓ ଗରିମା କୁ ସ୍ମରଣ କରିବାକୁ ଯାଇ ପ୍ରଚାର ହେଲା – କଳାରେ ଶ୍ରେଷ୍ଠ କୋଣାର୍କ, ସାହିତ୍ୟରେ ଶ୍ରେଷ୍ଠ ଭଞ୍ଜ ଏବଂ ଜାତିର ଶ୍ରେଷ୍ଠ ସ୍ୱୟଂ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ।
୧୯୪୦-୪୨ ମସିହା ସମୟରେ ଯେଉଁ ବ୍ୟକ୍ତି ଓଡିଆ ତଥା ଓଡିଶାର ଏହି ତିନି ଶ୍ରେଷ୍ଠ ପରିଚୟକୁ ଧରି ଏକ ସାହିତ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ସେ ହେଉଛନ୍ତି କବି ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ। ଖୋର୍ଦ୍ଧାରେ ଜନ୍ମ ଲାଭ କରି ଜନ୍ମ ରୁ ଖଞ୍ଜ ଏହି ମହାନ ଚିନ୍ତାନାୟକ ପିଲାଟି ଦିନୁ ଜାତିୟତା ବୋଧରେ ଉଦ୍ବୁଦ୍ଧ ହେଉଥିଲେ। ନିଜର ଶାରୀରିକ ଅପାରଗତା କୁ ନିଜର ଦୃଢ ଇଚ୍ଛାଶକ୍ତି ଓ ଲେଖନୀର ବଳରେ ପରାସ୍ତ କରିକି ସେ ନିଜେ ଜାତି ଲାଗି ଉଦାହରଣ ସୃଷ୍ଟି କରିଥିଲେ। ପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ, ଓଡିଆ ସାହିତ୍ୟର ପ୍ରଚଣ୍ଡ ସମର୍ଥକ ଓ ଆମ ସଂସ୍କୃତି ଏବଂ କଳା ପ୍ରଚାର ପ୍ରସାର ରେ ନିଜକୁ ସମର୍ପିତ କରିଥିବା ବିଚ୍ଛନ୍ଦ ବାବୁ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଥିଲେ।
ସାହିତ୍ୟ ସଂଗ୍ରାମର ଏହି କୁରୁକ୍ଷେତ୍ରରେ ତାଙ୍କ ଦୂରଗାମି ଚିନ୍ତାଧାରାର ମାନସ ପୁତ୍ର – ଓଡିଶାର ପ୍ରଥମ ଛାତ୍ର ସାହିତ୍ୟ ସମାଜ “ଉତ୍କଳ ଛାତ୍ର ସାହିତ୍ୟ ସମାଜ” ଓ ଦ୍ୱିତୀୟ ସର୍ବ ପୂରାତନ ସାହିତ୍ୟ ପରିଷଦ “କଳିଙ୍ଗ ଭାରତୀ” ଆଜି ମଧ୍ୟ ୮୦ ବର୍ଷ ଧରି ସଂଗ୍ରାମ କରୁଛି। ବିଚ୍ଛନ୍ଦ ବାବୁଙ୍କ ସ୍ୱପ୍ନ ଥିଲା ସଂସ୍କୃତିର ସହର କଟକର ମଧ୍ୟବର୍ତ୍ତୀ ସେତେବେଳର ‘ରବିନ୍ଦ୍ର ଯୁଗୀୟ’ ପରମ୍ପରାକୁ କୁଠାରଘାତ କରି “ଭଞ୍ଜୀୟ ନେତୃତ୍ୱଧୀନ” ସାହିତ୍ୟ ଚର୍ଚ୍ଚା ଏକ ବିକଳ୍ପ ସୃଷ୍ଟି କରୁ। ସମର୍ଥ ଗୁରୁଙ୍କ ଯୋଗ୍ୟ ଛାତ୍ର – ପଦ୍ମଶ୍ରୀ ରଜତ କୁମାର କର, ଶ୍ରୀ ହୃଦାନନ୍ଦ ରାୟ, ଡାକ୍ତର କବି ପ୍ରସାଦ ମିଶ୍ର, ଶ୍ରୀ ଚନ୍ଦ୍ରଶେଖର ନନ୍ଦ, ଡାକ୍ତର ଶୈଳେଶ୍ୱର ନନ୍ଦ, ଶ୍ରୀ ଶରତ କୁମାର କର ଇତ୍ୟାଦି ମାନଙ୍କ ଅପ୍ରାଣ ଚେଷ୍ଟାରେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ରେ ଆମେ ଯଥେଷ୍ଟ ଆଗକୁ ଆସିଛେ।
ନିଜର ସମ୍ପତ୍ତି କହିଲେ ବିଚ୍ଛନ୍ଦ ବାବୁ ସବୁ କିଛି କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜର ଗଠନରେ ନ୍ୟସ୍ତ କରି ଭଞ୍ଜଙ୍କ ଭାଷାରେ “କ୍ଷିତି କ୍ଷାତି” କୁ ସମର୍ପି ଦେଇଥିଲେ। ତାଙ୍କର ପୁତ୍ର ସ୍ୱର୍ଗତ ପୁରୁଷୋତ୍ତମ ପଟ୍ଟନାୟକ, ତାଙ୍କ କନ୍ୟା ଶ୍ରୀମତୀ ରାଜଲକ୍ଷ୍ମୀ ମହାନ୍ତି ବାପାଙ୍କ ଆଦର୍ଶକୁ ସ୍ୱୀକାର କରି ସାହିତ୍ୟ ସାଧନାରେ ବ୍ରତୀ ଥିଲେ। ନିଜର ତିନି ସନ୍ତାନ ଓ ଅନେକ ଛାତ୍ରଙ୍କ ଭିତରେ “ଗୁରୁଦେବ” କେବେ କୌଣସି ପାର୍ଥକ୍ୟ ଦେଖିନଥିଲେ। ଭାରତୀୟ ଗୁରୁକୁଳ ପରମ୍ପରାର ଅନନ୍ୟ ପରିଚୟ ହେଉଛି ଗୁରୁ-ଶିଷ୍ୟର ପରିବାର ସମ ସଂପର୍କ। କଳିଙ୍ଗ ଭାରତୀ ପରିବାରରେ ଆଜି ମଧ୍ୟ ସେଇ ପରମ୍ପରା ଦେଖିବାକୁ ମିଳେ।
୧୯୪୪ ରୁ ଆଜି ପର୍ଯ୍ୟନ୍ତ ମହାନଦୀରେ ଅନେକ ଧାର କଟକ କୂଳ ଛୁଇଁ ବହି ଯାଇଛି। ଏବଂ ଏହି କୂଳର ତୀରରେ ବରଗଛ ଭଳି ବଢି ଚାଲିଛି କଳିଙ୍ଗ ଭାରତୀ ର ପ୍ରତିଷ୍ଠାତା ବିଚ୍ଛନ୍ଦ ଚରଣ ପଟ୍ଟନାୟକଙ୍କ ସ୍ୱପ୍ନର ଉତ୍କଳ।
। । ଜୟ ମା କଳିଙ୍ଗ ଭାରତୀ । ।