ଅନିନ୍ଦ୍ୟ ଦତ୍ତ, ସିଙ୍ଗାପୁର, ୨୬ ଅକ୍ଟୋବର ୨୦୨୩
(ଅନିନ୍ଦ୍ୟ ଦତ୍ତ ଙ୍କ ମୂଳ ଇଂରାଜୀ ଲେଖା ର ଓଡ଼ିଆ ଅନୁବାଦ କରିଛନ୍ତି ଶ୍ରୀମତୀ ମଞ୍ଜୁଶ୍ରୀ ମିଶ୍ର)
ଦିନଥିଲା, ଭାରତର ଗର୍ବ ଓ ଗୌରବଥିଲେ ସନ୍ତରକ ମିହିର ସେନ । କାଳର କରାଳ ଗତିରେ ତାଙ୍କ ନାମ ଆଜି ଲୁପ୍ତପ୍ରାୟ । ୮ ବର୍ଷର ପିଲାଟିଏ । ସୁଦୂର କଲିକତାର ପୁରୁଲିଆ ଗ୍ରାମରୁ ପିତାମାତାଙ୍କ ସହ ଆସି କଟକ ସହରରେ ବସବାସ ଆରମ୍ଭ କରିଥିଲା । ଖୁବ୍ ଚଳଚଞ୍ଚଳ ଥିଲା ତାର ସ୍ୱଭାବ । କାଠଯୋଡି ନଦୀରେ ପହଁରି ପହଁରି ଦେଖଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା ପିଲାଟି । ପାଣି ଭିତରେ ହିଁ ନିଜକୁ ସହଜ ଓ ସ୍ୱଚ୍ଛନ୍ଦ ମନେ କରୁଥିଲା ସେ । ଏହା ଥିଲା ତାର ଇଶ୍ୱର ପ୍ରଦତ୍ତ ଗୁଣ । ନିଜ ପାଠ ପଢା ରେ ଧୂରିଣ ହେବା ସହ ଧିରେ ଧିରେ ସେ ସନ୍ତରଣରେ ଦକ୍ଷ ହେବାକୁ ଲାଗିଲା । ଏ ଦକ୍ଷତା ହାସଲ ପାଇଁ ସେ କୌଣସି ତାଲିମ ପ୍ରାପ୍ତ ହୋଇନଥିଲା ।
ମାତ୍ର ୨୦ବର୍ଷ ବୟସରେ, ମା’ଙ୍କର ଆଗ୍ରହ ନେଇ ରେଭେନ୍ସା କଲେଜରେ ଆଇନ ବିଭାଗରେ ଶିକ୍ଷାପ୍ରାପ୍ତ ହେଲେ ମିହିର । ଏକ ନିର୍ଦ୍ଦିଷ୍ଟ ଅଂଚଳ, ନିର୍ଦ୍ଦିଷ୍ଟ ସୀମାବଦ୍ଧତା ଭିତରେ ରହିବାକୁ ମାନୁନଥିଲା ତା’ଙ୍କ ମନ । ଭାବୁଥିଲେ, ପୃଥିବୀର ବିଭିନ୍ନ ମହାଦେଶ ମାନଙ୍କୁ ଯାଇ ସେଠାରେ ନିଜ ଭିତରେ ଥିବା ଦକ୍ଷତାକୁ ପ୍ରଦର୍ଶନ କରାଇବେ । ମାତ୍ର ଏଠି ଅର୍ଥ ସମସ୍ୟା ଥିଲା ବାଧକ।
ସେ ସମୟରେ ତାଙ୍କର ଦୃଷ୍ଟି ନିବଦ୍ଧ ହେଲା ଓଡିଶା ଜଣେ, ଧନୀ, ମାନୀ, ଗୁଣୀ, ଜ୍ଞାନୀ, ବଳିଷ୍ଠ ବ୍ୟକ୍ତିତ୍ୱ ତଥା ମର୍ଯ୍ୟାଦାବନ୍ତ ପୁରୁଷ, ପାଇଲଟ ବିଜୁ ପଟ୍ଟନାୟକଙ୍କ ଠାରେ । ବାରମ୍ବାର ବାରମ୍ବାର ୫/୬ ମାସ କାଳ ତାଙ୍କର ଶରଣାପନ୍ନ ହେବା ପରେ, ଶେଷକୁ ପଟ୍ଟନାୟକ ମହୋଦୟଙ୍କ ସାହାଯ୍ୟ ଓ ସାହଚର୍ଯ୍ୟ ବଳରେ ସେ ପହଁଞ୍ଚିଲେ ଯୁକ୍ତରାଷ୍ଟ୍ରରେ । ସେଠାରେ ଥିବା ଭାରତଭବନରେ ରହିବା ସଂଗେ ସଂଗେ ଛୋଟ ଚାକିରୀ ଟିଏ ପାଇବା ସଂଗେ ସଂଗେ YMCA ରେ ଯୋଗଦାନ କରିପାରିଥିଲେ ।
ପୁନଶ୍ଚ ସେ ନିଜର ସନ୍ତରଣ ପାଟବତା ପ୍ରମାଣ ଦେବାକୁ ଚାହିଁଲେ ଏବଂ, ଇଂଲିଶ ଚାନେଲରେ ପହଁରିବାର ଇଚ୍ଛା ଦିନୁ ଦିନ ବଳବତ୍ତର ହେଲା । ପୁଣି ସମ୍ମୁଖରେ ସେଇ ଅର୍ଥ ସମସ୍ୟା । ମାତ୍ର ଇଚ୍ଛା ଥିଲେ ଉପାୟ ଆସେ । ଏଥର ମିହିର ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଶରଣାପନ୍ନ ହେଲେ । ନେହେରୁ ସଦୟ ହୋଇ ତାଙ୍କୁ ଏକ ବୃତ୍ତି ଯୋଗାଇଦେଲେ । ଯାହା ଦ୍ୱାରା ସେ ଶିକ୍ଷାନବିଶ ଭାବେ ସନ୍ତରଣର ତାଲିମ ନେଇପାରିଲେ ଓ ସାଧନା ମାର୍ଗରେ ବ୍ରତୀ ହେଲେ ।
ନିମ୍ନକୁ ଗତି କରୁଥିବା ଜଳ ଓ ଦୃଢମନା ବ୍ୟକ୍ତିର ସଂକଳ୍ପକୁ କିଏ ବା ରୋକି ପାରିବ ? ଦୃଢ ଚେଷ୍ଟା କେବେ ବିଫଳ ହୁଏ ନାହିଁ । ଥରେ ଇଂଲଣ୍ଡର ଏକ ଦୈନିକ ସମ୍ବାଦପତ୍ରରୁ ମିହିର ପଢି ଜାଣିଲେ ଯେ, ଜଣେ ମହିଳା ଇଁଲିଶ ଚାନେଲକୁ ଅତିକ୍ରମ କରିଯାଇଛନ୍ତି । ଏହି ଦିନ ସେ ହେଲେ ପ୍ରତିଜ୍ଞାବଦ୍ଧ । ପୁରୁଷ ହୋଇ ସେ କାହିଁକି ଅବା ପଛଗୁଞ୍ଚା ଦେଇ ଥାଆନ୍ତେ ? ତେଣୁ ସେ ନିଜେ ନିଜର ସନ୍ତରଣ ବକ୍ଷତାର ପରୀକ୍ଷା ନେବାକୁ ଚାହିଁଲେ ।
ପ୍ରଶିକ୍ଷଣ ଗ୍ରହଣ କଲେ ଓ ସାଧନା ଚଳାଇଲେ । ଫ୍ରାନ୍ସରୁ ଇଂଲଣ୍ଡ, ଇଁଲିଶ ଚାନେଲ ଭିତରେ ପହଁରିବାର ଲକ୍ଷ୍ୟ ନେଇ, ମାତ୍ର ୨.୫ ମାଇଲ ପରେ ହାରିଗଲେ ମିହିର । ଏହିପରି ଥରକୁ ଥର ୪ଥର ଉଦ୍ୟମ ଜାରି ରଖିଲେ । “ଉଦ୍ୟମେନ ହିଁ କାର୍ଯ୍ୟାଣି ସିଦ୍ଧ୍ୟନ୍ତେ ।” ସଂସ୍କୃତ ସାହିତ୍ୟର ଏ ପ୍ରବାଦ ମିଥ୍ୟା ହେଲା ନାହିଁ । ୧୯୫୮ ମସିହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସେ ପୁନର୍ବାର ଇଁଲଣ୍ଡ ରୁ ଆରମ୍ଭ କରି ଫ୍ରାନ୍ସରେ ପହଁଞ୍ଚିବା ଲକ୍ଷ୍ୟ ନେଇ ପହଁରିବା ଆରମ୍ଭ କଲେ । ୭ଥର ଅଦମ୍ୟ ଉତ୍ସାହ ତାଙ୍କୁ ଉଦ୍ୟମରେ ସଫଳ କରାଇଲା । ଶେଷରେ ୧ ସେପ୍ଟେମ୍ବର ୧୯୫୮ରେ ଲଣ୍ଡନର ଡୋଉରଟିଚ୍ ରୁ ଆରମ୍ଭ କରି ୧୪ଘଣ୍ଟା ୪୫ ମିନିଟ୍ରେ, ସେ ଆସି ପହଞ୍ଚିଲେ ଫ୍ରାନ୍ସର କାଲାଇଶ ବନ୍ଦରରେ । ସର୍ପ ଶଙ୍କୁଳ, ଦୀର୍ଘରାସ୍ତା, ବିଷାକ୍ତ ତଥା ଅତ୍ୟନ୍ତ ଶୀତଳ ଜଳସ୍ରୋତରେ ଧୈର୍ଯ୍ୟର ସହ ସନ୍ତରଣ କରି ଶେଷରେ ସଫଳକାମ ହେଲେ ମିହିର ସେନ । ଜାତୀୟ ସଂଗୀତ ଗାଇ ଗାଇ, ବନ୍ଦରରେ ଜାତୀୟ ପତାକା ଉଡାଇ, ଦେଶର ସମ୍ମାନ ରକ୍ଷା କରିଥିଲେ ଏହି ଅଦମ୍ୟ ସାହସୀ ସନ୍ତରକ ।
ଭାରତର ଗର୍ବ ଓ ଗୌରବ ମିହିର ସେନ ଦେଶର ଯୁବ ସମାଜ ପାଇଁ ହେଲେ ଏକ ଅନନ୍ୟ ଉଦାହରଣ । ଯୁବଗୋଷ୍ଠୀ ପାଇଁ ସେ ଆହ୍ୱାନ ଦେଲେ ତାଙ୍କର ଜୀବନାନୁଭୂତିରୁ । “ଶୂନ୍ୟ ଆକାଶରେ ଏକ ଉଜ୍ଜ୍ୱଳ ସୁବର୍ଣ୍ଣ ରଂଗର ଅଗ୍ନିଶିଖା ଟିଏ ଟାଣିଦେବା ପରି ଦୃଢ ମନଟିଏ ପୋଷଣ କର ।” ସଂସାରେ କିଛି ଅସମ୍ଭବ ନୁହେଁ । ଏ ଥିଲା ତାଙ୍କର ଯୁବଗୋଷ୍ଠୀ ପାଇଁ ଉଦ୍ଘୋଷଣା ।
୧୯୫୯ ମସିହାରେ ତାଙ୍କର ଏଇ ଅଭୁତପୂର୍ବ ସଫଳତା ପାଇଁ ସେ ପଦ୍ମଶ୍ରୀ ଓ ପରେ ପରେ ୧୯୬୭ରେ ପଦ୍ମଭୂଷଣ ଉପାଧି ରେ ଭୂଷିତ ହୋଇଥିଲେ । ପ୍ରାପ୍ତ ହୋଇଥିବା ଅପରିମିତ ଅର୍ଥରାଶିର ଉପଯୋଗରେ ସେ ହେଲେ କଲିକତାର ଜଣେ ଉଦ୍ୟୋଗପତି । କୌଣସି କାରଣବଶତଃ ପଶ୍ଚିମବଙ୍ଗ ସରକାର ତାଙ୍କର ସେ ଅର୍ଥକୁ ନେଇଯାଇଥିଲେ ଏବଂ ସେ ଦେବାଳିଆ ଘୋଷିତ ହୋଇଥିଲେ । ଶେଷରେ ବିସ୍ମରଣ ଜନିତ ବ୍ୟାଧିରେ ପୀଡିତ ହୋଇ ବଡ ଅସହାୟ ଅବସ୍ଥାରେ ମୃତ୍ୟୁବରଣ କଲେ ମିହିର ସେନ । ତାଙ୍କର କନ୍ୟା ଆଜି ସେ ରହିଥିବା ସାମାନ୍ୟ ଘର ଖଣ୍ଡିକ ପାଇଁ ଆଇନ୍ ଆଗରେ ଆଶ୍ରୟପ୍ରାର୍ଥୀ ।
ଦେଶର ଗୌରବ ରକ୍ଷା କରିଥିବା ଏକ ଅସାମାନ୍ୟ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱର ନାମ ଆଜି ଏ ଦେଶର ଇତିହାସରୁ ବିସ୍ମୃତ ହୋଇଯାଉଛି । ତାଙ୍କର ପ୍ରଚେଷ୍ଟା ଓ ସାଧନା ଆଜି ଭାରତର ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ । ହକି ହେଉ, ବନ୍ଧୁକଚାଳନା ହେଉ, କ୍ରିକେଟ, କବାଡି ବା କିକ ବକ୍ସିଂ ହେଉ ଯେଉଁ ଖେଳରେ ହେଉ, ଭାରତୀୟ ଯୁବଗୋଷ୍ଠୀ, ଦେଶର ଗର୍ବ ଓ ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ଉଦ୍ୟମ କଲାେବେଳେ, ମିହିର ସେନଙ୍କ ଜୀବନାନୁଭୂତି ସେମାନଙ୍କ ପାଇଁ ଧ୍ୟେୟ ହେଉ । ଦେଶର ନାମ ରଖିଥିବା ସେହି ମହାନୁଭବ ବୀରଙ୍କୁ ଆଜିର ଯୁବଗୋଷ୍ଠୀ ସ୍ମରଣ କରନ୍ତୁ । ମିହିରଙ୍କ ଜୀବନର ପ୍ରତିଟି ଅଧ୍ୟାୟ ସେମାନଙ୍କ ଯାତ୍ରା ପଥକୁ ଯୁଗ ଯୁଗ ପାଇଁ ଆଲୋକିତ କରୁ – ଏହାହିଁ ଆଜିର ଅନୁଚିନ୍ତା ।