• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଦୃଢମନା ନେତ୍ରୀ : ନନ୍ଦିନୀ ଶତପଥୀ

ଦୃଢମନା ନେତ୍ରୀ : ନନ୍ଦିନୀ ଶତପଥୀ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୯ ଜୁନ୍ ୨୦୨୩

ଆଜୀବନ ବିପ୍ଲବିନୀ ନନ୍ଦିନୀ ଶତପଥୀ ସମାଜବାଦ ଚିନ୍ତାଧାରା ଦ୍ୱାରା ଛାତ୍ରାବସ୍ଥାରୁ ହିଁ ଉଦ୍‌ବୁଦ୍ଧ ହୋଇଥିଲେ । ୧୯୫୫ ମସିହା ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇ ସେ ସାହସର ସହିତ ପୋଲିସ ଲାଠି ମାଡ଼ର ସାମ୍ନା କରିଥିଲେ । ରାଜ୍ୟସଭା ଯିବାପରେ ତାଙ୍କ ରାଜନୈତିକ ଜୀବନର ଅଭ୍ୟୁତ୍‌ଥାନ ଘଟିଥିଲା । ନିଜର ପ୍ରତିଭା ବଳରେ ସେ ତଦାନିନ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅତି ନିକଟତମ ହୋଇ ପାରିଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସେ ମନ୍ତ୍ରଣାଳୟ ବିହୀନ ମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ପ୍ରଧାନ ପରାମର୍ଶଦାତା ଥିଲେ । ଫଳରେ ସେତେବେଳେ ତାଙ୍କୁ ଦେଶର ଅନ୍ୟ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ସମ୍ମାନ ଜଣାଉଥିଲେ । ନିଜର ଦୃଢ଼ ଇଚ୍ଛାଶକ୍ତି, କର୍ତ୍ତବ୍ୟ ନିଷ୍ଠା ଓ ପ୍ରତିଭା ବଳରେ ସେ ସାମାନ୍ୟ ବ୍ୟକ୍ତିରୁ ଭାରତର ଜଣେ ଶ୍ରେଷ୍ଠ ନେତ୍ରୀ ହୋଇ ପାରିଥିଲେ ।

ତେବେ ଭୂ-ସଂସ୍କାର, ବାର୍ଦ୍ଧକ୍ୟ ଭତ୍ତା, ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ସରକାରୀ ଅନୁଦାନ, ଅନୁସୂଚୀତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗଙ୍କ ଲାଗି ସଂରକ୍ଷଣ ପ୍ରଭୃତି ଐ୍ୟତିହାସିକ ପଦକ୍ଷେପ ହେଉଛି ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳର ଶ୍ରେଷ୍ଠ ଅବଦାନ । ଦୁଇ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହେବା ସହିତ ଲଗାତର ସାତ ଥର ଲାଗି ବିଧାନସଭାକୁ ପ୍ରତିନିଧିତ୍ୱ କରିବା ହେଉଛି ତାଙ୍କ ଅନନ୍ୟ ଲୋକପ୍ରିୟତାର ପ୍ରମାଣ । ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହିସାବରେ ସେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ସେହିପରି ପ୍ରବଳ ବିରୋଧ ସତ୍ତ୍ୱେ ପ୍ରଗତିଶୀଳ ଭୂ-ସଂସ୍କାର ଆଇନର ସଂଶୋଧନ ଜରିଆରେ ଭୂମିହୀନଙ୍କୁ ସିଲିଂ ବର୍ହିଭୂତ ଜମି ବଣ୍ଟନ ପଦକ୍ଷେପ ହେଉଛି ତାଙ୍କ ମୁଖ୍ୟମନ୍ତ୍ରୀ ସମୟର ଅନ୍ୟତମ ଶ୍ରେଷ୍ଠ କୃତୀ ।

ସର୍ବୋପରି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟା ରୂପେ ତାଙ୍କର ଉପାଦେୟ ଆଲୋଚନା ଅତ୍ୟନ୍ତ ଶିକ୍ଷଣୀୟ ଓ ପ୍ରଣିଧାନଯୋଗ୍ୟ ଥିଲା । ରାଜନୀତି ଭିତରେ ଥାଇ ସୁଦ୍ଧା ସାହିତ୍ୟ କ୍ଷେତ୍ରକୁ ତାଙ୍କର ଉଲ୍ଲେଖଯୋଗ୍ୟ ଅବଦାନ ରହିଥିଲା ବୋଲି ନନ୍ଦିନୀ ଶତପଥୀଙ୍କ ତିରୋଧାନରେ ବିଧାନସଭା ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।

୧୯୩୧ ଜୁନ୍ ୯ ତାରିଖରେ ଜନ୍ମିତ ନନ୍ଦିନୀ ଶତପଥୀଙ୍କର ୭୬ ବର୍ଷ ବୟସରେ ୨୦୦୬ ଅଗଷ୍ଟ ୪ ତାରିଖରେ ଦେହାନ୍ତ ଘଟିଥିଲା । ତାଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶାଇଥିଲେ ଯେ, ନନ୍ଦିନୀ ଦେବୀଙ୍କ ପରଲୋକରେ ରାଜ୍ୟ ତଥା ଦେଶ ତାର ଜଣେ ଅନ୍ୟତମ ବରପୁତ୍ରୀଙ୍କୁ ହରାଇଲା । ୧୯୬୨-୬୮ ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ସେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ । ଅନ୍ୟପକ୍ଷରେ ୧୯୭୨ ଠାରୁ ୧୯୭୬ ମଧ୍ୟରେ ସେ ଦୁଇ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରିଥିଲେ । ଏତଦ୍‌ଭିନ୍ନ ୧୯୮୯ରୁ ୧୯୯୫ ପର୍ଯ୍ୟନ୍ତ ସେ ରାଜ୍ୟ ଯୋଜନା ବୋର୍ଡ଼ର ଅଧ୍ୟକ୍ଷା ରହିଥିଲେ। ୧୯୬୮ରେ ସେ ୟୁନେସ୍କୋକୁ ଭାରତର ପ୍ରତିନିଧି ରୂପେ ଗସ୍ତ କରିଥିବା ବେଳେ ୧୯୬୮, ୧୯୭୧, ୧୯୭୭ ମସିହାରେ ଭାରତୀୟ ଚଳଚିତ୍ର ଓ ସାଂସ୍କୃତିକ ପ୍ରତିନିଧି ଦଳର ନେତୃତ୍ୱ ନେଇ ସୋଭିଏତ ଋଷ ଯାତ୍ରା କରିଥିଲେ । ବିଶିଷ୍ଟ କ୍ଷୁଦ୍ର ଗଳ୍ପ ଲେଖିକା ନନ୍ଦିନୀ ଦେବୀଙ୍କର ଓଡିଆ ସାହିତ୍ୟ ଜଗତକୁ ଅମୂଲ୍ୟ ଦାନ ରହିଛି । ତସଲିମା ନସରିନ୍‌ଙ୍କ ପ୍ରସିଦ୍ଧ “ଲଜ୍ୟା” ପୁସ୍ତିକାର ଓଡିଆ ଅନୁବାଦ କରିଥିବା ସେହି ମହୀୟସୀ ମହିଳା ମଧ୍ୟ ସାହିତ୍ୟ ପାଇଁ ଅନେକ ସଂଭ୍ରାନ୍ତ ପୁରସ୍କାର ବିଜେତା ଥିଲେ ।

ବିରୋଧୀ ଦଳର ନେତା ଜାନକୀ ବଲ୍ଲଭ ପଟ୍ଟନାୟକ ଉଲ୍ଲେଖ କରିଥିଲେ, ନନ୍ଦିନୀ ଶତପଥୀ ଅତ୍ୟନ୍ତ ଦୃଢ଼ମନା ଥିଲେ । ଥରେ ଯାହା ସଂକଳ୍ପ କରୁଥିଲେ ତହିଁରେ ଅଟଳ ରହୁଥିଲେ । ଭୂ-ସଂସ୍କାର ହେଉଛି ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କର ପ୍ରଧାନ ଅବଦାନ । ସେହି ଭୂ-ସଂସ୍କାର ଫଳରେ ରାଜ୍ୟରେ ସିଲିଂ ଆଇନ ପ୍ରବର୍ତ୍ତିତ ହୋଇଥିଲା । ଭାରତବର୍ଷରେ ତାହା ଶ୍ରେଷ୍ଠ ଭୂ-ସଂସ୍କାର ଆଇନ ରୂପେ ପରିଗଣିତ ହୋଇଥିଲା । ନାରୀ ନେତ୍ରୀ ସମ୍ବୋଧନକୁ ସେ ନାପସନ୍ଦ କରୁଥିଲେ । ମହିଳା ହିସାବରେ ଜନ୍ମ ହୋଇଥିଲେ ସୁଦ୍ଧା ସେ ଅତୁଳନୀୟ ପୁରୁଷକାରର ଅଧିକାରିଣୀ ଥିଲେ, ଯାହାକି ସବୁବେଳେ ସେ ତାଙ୍କ କାର୍ଯ୍ୟରେ ଓ ନେତୃତ୍ୱରେ ପ୍ରଦର୍ଶନ କରିଥିଲେ । ତାଙ୍କର ସଂସଦୀୟ କାର୍ଯ୍ୟ ପାଇଁ ସେ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ଓ ସମ୍ମାନିତ ହେଉଥିଲେ ।

ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ, ସମାଜସେବା ଆନ୍ଦୋଳନ ଭିତରୁ ହିଁ ନନ୍ଦିନୀ ଦେବୀ ରାଜନୀତିକୁ ଆସିଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଭୂ-ସଂସ୍କାର ଆଇନ ସଂଶୋଧିତ ହୋଇ ସିଲିଂ ଧାର୍ଯ୍ୟ କରାଯାଇଥିଲା । (ଅର୍ଥାତ୍ ୨୫ ଏକରରୁ ଅଧିକ ଜମି ଥିବା ଧନୀ ବ୍ୟକ୍ତିଙ୍କ ଜମି ଭୂମିହୀନଙ୍କୁ ବଣ୍ଟାଯିବା ବ୍ୟବସ୍ଥା ହୋଇଥିଲା) । ଫଳରେ ଜମିରୁ ଅଧିକାର ଚାଲିଯିବ, ଜମି ସଂକୁଚିତ ହୋଇଯିବ ଆଦି ବ୍ୟାପକ ଅପପ୍ରଚାରର ତାଙ୍କୁ ଶରବ୍ୟ ହେବାକୁ ପଡ଼ିଥିଲା । କଟକରେ ସେ ନିର୍ବାଚନ ଲଢ଼ିବାବେଳେ ଆମେ ସବୁ ବିରୋଧି ଦଳ ଏକାଠି ହୋଇଥିଲୁ । ଏହାସତ୍ତ୍ୱେ ସେହି ନିର୍ବାଚନରେ ତାଙ୍କର ଐ୍ୟତିହାସିକ ବିଜୟ ହୋଇଥିଲା । ବିଧାନସଭା ଆଲୋଚନାରେ ସେ ତାଙ୍କର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ଓଡିଆ ସାହିତ୍ୟରେ ମଧ୍ୟ ସେ ତାଙ୍କର ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି ।

ଅରୁଣ ଦେ ଜଣାଇଥିଲେ, ବିଜୁ ପଟ୍ଟନାୟକ, ହରେକୃଷ୍ଣ ମହତାବ ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଭଳି ତିନିଜଣ କିମ୍ବଦନ୍ତୀ ପୁରୁଷଙ୍କ ରାଜନୈତିକ ବିରୋଧକୁ ଫଳପ୍ରଦ ଭାବେ ପ୍ରତିହତ କରି ସେ ରାଜ୍ୟରେ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ । ଗରିବ ଲୋକଙ୍କ ସୁବିଧା ପାଇଁ ଶ୍ରୀମତୀ ଶତପଥୀ ବାର୍ଦ୍ଧକ୍ୟ ଭତ୍ତା ଭଳି ନୂତନ ପରିକଳ୍ପନାକୁ ରୂପାୟିତ କରିଥିବାବେଳେ ଶିକ୍ଷକ ସମାଜର ସମ୍ମାନ ଲାଗି ଡାଇରେକ୍ଟ ପେମେଣ୍ଟ ବା ଗ୍ରାଣ୍ଟ-ଇନ-ଏଡ୍ (ଅନୁଦାନ) ବ୍ୟବସ୍ଥା ପ୍ରଚଳନ କରିଥିଲେ । କାରଣ ସେତେବେଳେ ସ୍ଖୁଲ ଓ କଲେଜର ଶିକ୍ଷକମାନେ ଘରୋଇ ପରିଚାଳନା କମିଟି ଦ୍ୱାରା ନିର୍ଯ୍ୟାତିତ ହେଉଥିଲେ ।

ଏନ୍ ନାରାୟଣ ରେଡ୍ଡି ଦର୍ଶାଇଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ କୌଣସି ବ୍ୟକ୍ତି ନଥିଲେ । କିନ୍ତୁ ନନ୍ଦିନୀ ଦେବୀ ଜରୁରୀକାଳୀନ ପରିସ୍ଥିତି (ଏମରଜେନ୍‌ସି) କୁ ଦୃଢ଼ ବିରୋଧ କରିଥିଲେ । ଶଶୀ ଭୂଷଣ ବେହେରା ଉଲ୍ଲେଖ କରିଥିଲେ, ସାମ୍ୟବାଦୀ ଭିତ୍ତିଭୂମି ଉପରେ ରାଜନୀତି ଆରମ୍ଭ କରିଥିବା ନନ୍ଦିନୀ ଦେବୀ ନିଜର ପ୍ରତିଭା ବଳରେ ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ମହେଶ ସାହୁ ଅନୁସୂଚୀତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ତାଙ୍କ ଶାସନ କାଳରେ ପ୍ରବର୍ତ୍ତିତ ହୋଇଥିଲା ବୋଲି ଜଣାଇଥିବା ବେଳେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଦର୍ଶାଇଥିଲେ, ନାରୀ ସବୁ କାମ କରି ପାରିବ ଏବଂ ଲଢ଼େଇ ଦ୍ୱାରା ଜୀବନରେ ସବୁ କିଛି ହାସଲ କରାଯାଇ ପାରେ ବୋଲି ସେ ପ୍ରମାଣିତ କରି ଦେଇଛନ୍ତି । ସୀତାକାନ୍ତ ମହାପାତ୍ର କହିଲେ, ନନ୍ଦିନୀ ଦେବୀ ଜଣେ ସଂସ୍କାରବାଦୀ ନେତ୍ରୀ ଥିଲେ । କଂଗ୍ରେସ ବିଭାଜନ ପରେ ଓଡିଶାରେ ଏକ ପରିବର୍ତ୍ତନ ଆଣିବା ଲାଗି ସେ ଚେଷ୍ଟିତ ଥିଲେ । ଗରିବ ଲୋକଙ୍କ ଉତ୍‌ଥାନ ପାଇଁ ତାଙ୍କର ଐ୍ୟକାନ୍ତିକ ନିଷ୍ଠା ଥିଲା । ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ତାଙ୍କର ପ୍ରତିବଦ୍ଧତା ଥିଲା । ସେହି ପ୍ରତିବଦ୍ଧତାକୁ ଆମେ ପାଥେୟ କରିବା ଦରକାର ।

ବିକ୍ରମ କେଶରୀ ବର୍ମା ବର୍ଣ୍ଣନା କରିଥିଲେ, ନନ୍ଦିନୀ ଶତପଥୀ ପାହାଡ଼ ପରି ଅଟଳ, ସୂର୍ଯ୍ୟ ପରି ତେଜୀୟାନ ଏବଂ ସମୁଦ୍ର ପରି ଗଭୀର ଥିଲେ । ବିଜୁବାବୁଙ୍କ ଶୋକ ସଭାରେ ସଭାପତିତ୍ୱ କରି ସେ କହିଥିଲେ – “ଓଡ଼ିଶାର କେତେ ନେତା ମରିଛନ୍ତି, କିନ୍ତୁ ଦିଲ୍ଲୀ କାହା ପାଇଁ ଓଡ଼ିଶାକୁ ଉଠି ଆସିନାହିଁ ।” କୃଷକ ଓ ଶିକ୍ଷକମାନେ ହେଉଛନ୍ତି, ସମାଜର ବଳିଷ୍ଠ ସ୍ତମ୍ବ, ତେଣୁ ଭୂ-ସଂସ୍କାର ଜରିଆରେ ସେ ଚାଷୀକୂଳର ଉନ୍ନତି ପାଇଁ ପ୍ରୟାସ କରିଥିବା ବେଳେ ସରକାରୀ ଅନୁଦାନ ବ୍ୟବସ୍ଥା ପ୍ରବର୍ତ୍ତନ ଜରିଆରେ ଶିକ୍ଷକ ସମାଜର ମର୍ଯ୍ୟାଦା ରକ୍ଷା ସକାଶେ ଚେଷ୍ଟା କରିଥିଲେ ।

ବାଚସ୍ପତି ମହେଶ୍ୱର ମହାନ୍ତି ଦିବଂଗତ ନେତ୍ରୀଙ୍କୁ ଜଣେ ଅଗ୍ନିବର୍ଷୀ ବାଗ୍ମୀ, ପ୍ରଥିତଯଶା ଲେଖିକା ତଥା ବିଚକ୍ଷଣ ରାଜନେତା ଭାବେ ଅବତାରଣା କରିଥିଲେ । ଶେଷରେ ନନ୍ଦିନୀ ଦେବୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ ଲାଗି ଗୃହରେ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ  ଉଦ୍ଘାଟିତ
More

ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

by Nirvik Bureau
October 2, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨ ଅକ୍ଟୋବର, ୨୦୨୬ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ୧୫୮ ତମ ଜୟନ୍ତୀ ଶରତ କର ଓ ଅନିମା କର ଫାଉଣ୍ଡେସନ...

Read more
ଶରତ କର ଓ ଅନିମା କର ଫାଉଣ୍ଡେସନ ପକ୍ଷରୁ ଗାନ୍ଧିଜୀ ଙ୍କ ୧୫୮ ଜୟନ୍ତୀ ପାଳିତ ।

ମାହାଙ୍ଗାରେ ମହାତ୍ମା ଗାନ୍ଧୀ ପ୍ରଶିକ୍ଷଣ କକ୍ଷ ଉଦ୍ଘାଟିତ

October 2, 2026
ଅନନ୍ତ ବ୍ରତ ମହିମା

ଅନନ୍ତ ବ୍ରତ ମହିମା

September 25, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୯)

September 17, 2026
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.