ମାନସ ରଂଜନ ମହାପାତ୍ର, ପୂରୀ, ୧୫ ସେପ୍ଟେମ୍ବର ୨୦୨୩
ମୋ ପିଲାଦିନେ ମୋର ଛୋଟ ସହର ପୁରୀରେ ଥିଲା ଏକ ଭୂତ ଘର, ଲୋକମୁଖରେ ଯାହାର ନାଁ ଥିଲା ଭୂତକୋଠି । ଏହା କଲିକତାର ଜଣେ ବ୍ୟକ୍ତିଙ୍କର ଥିଲା । ଷଷ୍ଠ ଶ୍ରେଣୀ ପରଠାରୁ, ମୁଁ ମୋ ସ୍କୁଲ ବିଶ୍ଵମ୍ବର ବିଦ୍ୟାପୀଠକୁ ଯିବା ସମୟରେ PWD କାର୍ଯ୍ୟାଳୟ ସାମ୍ନାରେ ଏହାକୁ ଦେଖୁଥିଲି । ସେହି ଦିନଗୁଡ଼ିକରେ ସକାଳେ ରାସ୍ତାରେ କମ୍ ଭିଡ଼ ରହୁଥିଲା । ମୁଁ ଭୟଭୀତ ହୋଇଯାଉଥିଲି ।
ସେଠାରେ ପରେ ଏକ ଟେଲିଫୋନ୍ ଏକ୍ସଚେଞ୍ଜ କାମ କରୁଥିବା ମୁଁ ଦେଖିଲି । ଏହି ଘରଟି ଥିଲା ଏକ ଢିପଜାଗା ଉପରେ । ଆମେ ବେଳେବେଳେ ଭୟ ସହକାରେ ଏହା ନିକଟକୁ ଯାଉଥିଲୁ ।
ଶ୍ରୀ ହୋଟେଲ ଏବଂ ରେଷ୍ଟୁରାଣ୍ଟ ନାମରେ ମୋ ବାପାଙ୍କର ଗୋଟିଏ ହୋଟେଲ ଥିଲା । ପୁରୀରେ କାର୍ଯ୍ୟ କରୁଥିବା ଜଣେ ବଙ୍ଗୀୟ ଭଦ୍ରଲୋକ ଦୈନିକ ମଧ୍ୟାହ୍ନ ଭୋଜନ କରିବାକୁ ସେଠାକୁ ଆସୁଥିଲେ । ତାଙ୍କ ନାମ ଥିଲା ରମେଶ ତାଲୁକଦାର, ସେ ସେହି ଏକ୍ସଚେଞ୍ଜରେ ଟେଲିଫୋନ୍ ଅପରେଟର ଥିଲେ । ୧୯୭୧ରେ ପୁରୀରେ ପ୍ରାୟ ୨୦୦ ଟେଲିଫୋନ୍ ସଂଯୋଗ ଥିଲା ।
ତାଲୁକଦାର ମଉସା ମୋତେ ୧୯୭୨ରେ ପ୍ରଥମ ଥର ପାଇଁ ସେହି ଏକ୍ସଚେଞ୍ଜକୁ ନେଇଯାଇଥିଲେ । ଏଠାରେ ସୁପରଭାଇଜର, ପିଅନ ଏବଂ ସିକ୍ୟୁରିଟି ଗାର୍ଡଙ୍କ ସମେତ ପ୍ରାୟ ୧୦ ଜଣ କର୍ମଚାରୀ ଥିଲେ। ସନ୍ଧ୍ୟା ହୋଇଯିବାରୁ ମୁଁ ଡରିଗଲି । ତାଲୁକଦାର ମଉସା ମୋତେ ଘରେ ଛାଡିଦେଲେ ।
ସେ ସମୟରେ ମୋର ଛୋଟ ସହରରେ ଗୋଟିଏ ଦୁଇଟି ଆମ୍ବାସାଡର କାରକୁ ଛାଡ଼ିଦେଲେ ଅନେକ ମାନବଚାଳିତ ରିକ୍ସା ଏବଂ ୩ଟି ଫିଏଟ୍ କାର୍ ଥିଲା । ପ୍ରଭୁ ଜଗନ୍ନାଥଙ୍କୁ ଛାଡ଼ିଦେଲେ ସମୁଦ୍ରକୂଳ ଥିଲା ଏକମାତ୍ର ବାଣିଜ୍ୟସ୍ଥଳ ।
ତାଲୁକଦାର ମଉସା ଥିଲେ ରବୀନ୍ଦ୍ର ସଂଗୀତ ଅନୁରକ୍ତ। ପୁରୀର ସେଣ୍ଟ୍ରାଲ ସ୍କୁଲର ପ୍ରିନ୍ସିପାଲ ଭାବରେ ଜଣେ ବୃଦ୍ଧ ବଙ୍ଗୀୟ ବ୍ୟକ୍ତିଙ୍କୁ ପୋଷ୍ଟିଂ କରାଯାଇଥିଲା । ୧୯୭୬ ମସିହାରେ ଆମ ହୋଟେଲ ବନ୍ଦ ହୋଇଗଲା, କିନ୍ତୁ ତାଲୁକଦାର ମଉସା ଏବଂ ମୁଁ ଯୋଗାଯୋଗରେ ଥିଲୁ । ସେହି ବଙ୍ଗୀୟ ପ୍ରିନ୍ସିପାଲଙ୍କ ଝିଅ ଥିଲେ ଜଣେ ଗାୟିକା । ପ୍ରିନ୍ସିପାଲ ଥିଲେ ବିପତ୍ନୀକ । ତାଲୁକଦାର ମଉସା ଏବଂ ମୁଁ ସଙ୍ଗୀତ ଅଭ୍ୟାସ ପାଇଁ ସେଠାକୁ ଅନେକଥର ଯାଇଥିଲୁ । ଥରେ ହାରମୋନିୟମ ପାଇବା ପରେ ତାଲୁକଦାର ମଉସା ଏକଘଣ୍ଟା ପାଇଁ ରବୀନ୍ଦ୍ର ସଂଗୀତ, ନଜରୁଲ ସଂଗୀତ, ଶ୍ୟାମା ସଂଗୀତ ଏବଂ ଲୋକଗୀତ ଗାଉଥିଲେ । ମୁଁ ଓଡିଆ ଭକ୍ତିଗୀତ ଏବଂ ତତ୍କାଳୀନ ପ୍ରସିଦ୍ଧ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି ଏବଂ ପ୍ରଫୁଲ୍ଲ କରଙ୍କ ଗୀତଗୁଡ଼ିକ ଗାଇବାକୁ ଚେଷ୍ଟା କରୁଥିଲି । ମୁଁ ମଧ୍ୟ ସେମାନଙ୍କ ପ୍ରଭାବରେ ବାଉଲ୍ ଗୀତ ଶିଖିବାକୁ ଚେଷ୍ଟା କଲି ।
ଧୀରେ ଧୀରେ ଟେଲିଫୋନର ବ୍ୟବହାର କମିଗଲା । ଟେଲିଫୋନ୍ ଏକ୍ସଚେଞ୍ଜ ମଧ୍ୟ ପୁରୀ ରେଳଷ୍ଟେସନ ନିକଟରେ ଥିବା ନିଜ କୋଠାକୁ ସ୍ଥାନାନ୍ତର ହୋଇଗଲା । ତାଲୁକଦାର ମଉସା ତାଙ୍କ ସହର କଲିକତାକୁ ବଦଳି ହୋଇଗଲେ। ପୁରୁଣା ଭୂତମାନଙ୍କ ଘର ଚାରିପାଖରେ ନୂଆଘରଗୁଡ଼ିକ ତିଆରି ହୋଇଆସୁଥିଲା । ଶେଷଥର ପାଇଁ ମୁଁ ସେଠାରେ ମହର୍ଷି ମହେଶ ଯୋଗୀ ସଂଗଠନର ଏକ ଧ୍ୟାନ କେନ୍ଦ୍ର ଦେଖିଥିଲି ।
କିଛିକାଳ ପୂର୍ବେ ମୋର ଯୁବବନ୍ଧୁ ଅଭିନ୍ନ ହୋତା ମୋତେ ସେଇ ତଥାକଥିତ ଭୂତକୋଠି ନିକଟ ମଟନ୍ ଜଙ୍କସନରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ମୁଁ ଦେଖିଲି, ପାଖପାଖି ସମଗ୍ର ଅଞ୍ଚଳ ସମ୍ପୂର୍ଣ୍ଣ ସମତଳ ଭୂମିରେ ପରିଣତ ହୋଇଛି ।
‘ସେ ଭୂତକୋଠିଟି କୁଆଡ଼େ ଗଲା?’ ମୁଁ ସେଠାରେ ଜଣକୁ ପଚାରିଲି । ସେଠାରେ ଗୋଟିଏ କୋଠା ଥିଲା, ଲାଗୁଥିଲା ବର୍ଷ ବର୍ଷ ଧରି ଜନମାନବଶୂନ୍ୟ ହୋଇ ପଡ଼ିଛି । ‘ଏଇଟା କ’ଣ ସେଇ ଭୂତକୋଠି?’ ମୁଁ ତାଙ୍କୁ ପଚାରିଲି । ସେଠାରେ ଥିଲା ଗୋଟିଏ ବଡ଼ ବରଗଛ। ନିକଟରେ ଛୋଟିଆ ଚା’ ଦୋକାନଟିଏ ଗ୍ରାହକଙ୍କ ବିନା ଏକାକୀ ଠିଆ ହୋଇଥିଲା ।
– ‘ସାର୍, ଏ ସହରରେ ଆଗରୁ ବହୁତ କମ୍ ଦିମହଲା ଘର ଥିଲା । ଏବେ ସହରସାରା ବହୁମହଲା ଆପାର୍ଟମେଣ୍ଟରେ ଭର୍ତ୍ତି, ବୋଧହୁଏ ୨୦ରୁ ଅଧିକ । ଏ ଘରର ମାଲିକ ଥିଲେ କଲିକତାର ଜଣେ ବଙ୍ଗାଳୀ ଲୋକ । ସେ ଏ ଘରକୁ କଲିକତାର ଜଣେ ଲୋକକୁ ବିକ୍ରି କରିଥିଲେ । ସେ ମରିଗଲେଣି, ତାଙ୍କ ପୁଅମାନେ ବିଦେଶରେ ଅଛନ୍ତି। ଏବେ ଏ ବିଲ୍ଡିଂର କେହି ଯତ୍ନ ନେଉନାହାନ୍ତି ।’ ସେ ବିରକ୍ତିର ସହ ଉତ୍ତର ଦେଲେ ।
ସେ ପୁଣି କହିଲେ, ‘ଆଗରୁ କିଛି ବଦମାସ୍ ଏଠାକୁ ବେଶ୍ୟାମାନଙ୍କୁ ଆଣୁଥିଲେ । କେତେକ ନିଶାଖିଆ ଟୋକା ଗଞ୍ଜେଇ ଟାଣିବାକୁ ବି ଆସୁଥିଲେ । ଏବେ ମଦ ଗଞ୍ଜେଇ ଡ୍ରଗ୍ସ ତ ଚାରିଆଡ଼େ ବ୍ୟାପିଗଲାଣି ।’
– ‘ଆଉ ଭୂତ?’ ମୁଁ ପ୍ରଶ୍ନ କଲି । ଆମେ ଆମ ପିଲାଦିନେ ଶୁଣିଥିଲୁ ଯେ ରାତିରେ ମଣିଷମାନେ ସେ ଜାଗା ଛାଡ଼ି ଯିବାପରେ ଭୂତମାନେ ସେଠି ନାଚନ୍ତି ଆଉ ଗୀତ ଗାଆନ୍ତି ।
-‘ଭୂତ? ସେମାନେ ଦିଲ୍ଲୀ, ବମ୍ବେ ନହେଲେ କଲିକତା ଭଳି ବଡ଼ ସହରକୁ ପଳେଇଥିବେ ବୋଧେ!’ ସେ ଅନାୟାସରେ ଉତ୍ତର ଦେଲେ ।