ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୫ ଡିସେମ୍ବର ୨୦୨୩
‘ଖଦର’ ଶବ୍ଦରୁ ‘ଖଦୀ’ ର ଉତ୍ପତ୍ତି । ତୁଳାରୁ ତିଆରି ହାତ ବୁଣା ବସ୍ତ୍ରକୁ ଖଦୀ କୁହାଯାଇଥାଏ । ୧୯୧୮ ମସିହାରେ ସ୍ୱାଧୀନତା ସଂଗ୍ରାମ କାଳରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ‘ଖଦୀ‛ ଶବ୍ଦ ଆବିଷ୍କୃତ ହୋଇଥିଲା । ସାବରମତି ଆଶ୍ରମରେ ପ୍ରଥମ ହାତ ବୁଣା ଖଦୀ ବସ୍ତ୍ର ୧୯୧୭-୧୮ ମସିହାରେ ତିଆରି କରାଯାଇଥିଲା । ଖଦୀ ବସ୍ତ୍ରର ବିଶେଷତ୍ୱ ହେଉଛି ଖରାଦିନେ ଏହା ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ ଏବଂ ଶୀତ ଦିନରେ ଉତ୍ତାପ । ପ୍ରାଥମିକ ଅବସ୍ଥାରେ ଖଦୀ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହୋଇଥିଲା । କିନ୍ତୁ ୧୯୩୪ ମସିହା ପର ଠାରୁ ଗ୍ରାମାଞ୍ଚଳର ଲୋକମାନେ ଏହାକୁ ସେମାନଙ୍କ ପରିଧାନ ଭାବରେ ଉପଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀ ୧୯୨୦ ମସିହାରେ ଖଦୀକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ଜାତୀୟ ସଂଗ୍ରାମ ବା ସ୍ୱଦେଶୀ ଆନ୍ଦୋଳନରେ ବ୍ୟବହାର କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଗ୍ରାମୀଣ ଆତ୍ମନୀର୍ଭରଶୀଳତା ପାଇଁ ଗାନ୍ଧିଜୀ ଖଦୀକୁ ପ୍ରୋତ୍ସାହିତ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେ ବିଦେଶୀ ବସ୍ତ୍ର ବର୍ଜନ ଲାଗି ତାର ଉପଯୋଗ କରି ଖଦୀକୁ ସ୍ୱଦେଶୀ ଆନ୍ଦୋଳନର ଅବିଚ୍ଛିନ୍ନ ଅଙ୍ଗରେ ପରିଣତ କରିଥିଲେ । ୧୯୨୧ ମସିହାରେ ସୂତା ବୁଣା ଯାଉଥିବା ଚରଖାର ଚକ୍ରି ଭାରତୀୟ ପତାକାରେ ସ୍ଥାନ ପାଇଥିଲା । ଭାରତ ସମେତ ପାକିସ୍ଥାନ ଓ ବାଂଲାଦେଶରେ ଏହି ‘ଖଦୀ’ ଶବ୍ଦ ବିଶେଷ ଭାବରେ ବ୍ୟବହାର କରାଯାଇଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ସ୍ୱଦେଶୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ଏହି ଖଦୀ କାର୍ଯ୍ୟକ୍ରମ ଆଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରାସଙ୍ଗିକ ମନେ ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଲୋକପ୍ରିୟ ‘ମନ୍ କି ବାତ୍‛ କାର୍ଯ୍ୟକ୍ରମରେ ଏକାଧିକ ଥର ଖଦୀ ବିଷୟରେ ଅବତାରଣା କରିଛନ୍ତି । ସେଥିରେ ସେ ଖଦୀର ଗୁରୁତ୍ୱ ବର୍ଣ୍ଣନା କରିବା ସହିତ ତାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଖଦୀ ଏକ ବସ୍ତ୍ର ନୁହେଁ ବରଂ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ଆନ୍ଦୋଳନ । ଏହାକୁ ଆଗେଇ ନେବା ଲାଗି ତାକୁ ଏକ ଅଭିଯାନ ଭାବେ ଗଢ଼ି ତୋଳାଯିବା ଦରକାର ।
‘ମନ୍ କି ବାତ୍‛ କାର୍ଯ୍ୟକ୍ରମରେ ଥରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ତାଙ୍କ ଲଣ୍ଡନ ଗସ୍ତ କାଳରେ ଏକଦା ରାଣୀ ଏଲିଜାବେଥ୍ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିୟନ୍ତ୍ରଣ କରିଥିଲେ । ସେତେବେଳେ ମହାମାନ୍ୟା ରାଣୀ ତାଙ୍କୁ ଗୋଟିଏ ହାତ ବୁଣା ଖଦୀ ରୁମାଲ ଦେଖାଇଥିଲେ । ପ୍ରଥମ ସାକ୍ଷାତ ସମୟରେ ମହାତ୍ମାଗାନ୍ଧୀ ତାଙ୍କୁ ସେହି ରୁମାଲଟି ଉପହାର ଦେଇଥିଲେ, ଯାହାକୁ ସେ ଅଦ୍ୟାବଧି ସାଇତି ରଖିଛନ୍ତି ବୋଲି ଜଣାଇଥିଲେ । ଏହି କଥାଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଗଭୀର ଭାବରେ ଆନ୍ଦୋଳିତ କରିଥିଲା । ତେଣୁ ସେ ତାଙ୍କର ୩୩ତମ ସଂସ୍କରଣ ‘ମନ୍ କି ବାତ୍‛ କାର୍ଯ୍ୟକ୍ରମରେ ଲୋକମାନେ ପୁଷ୍ପଗୁଚ୍ଛ ପରିବର୍ତ୍ତେ ଖଦି ରୁମାଲ କିମ୍ବା ପୁସ୍ତକ ଉପହାର ରୂପେ ଦେବାପାଇଁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ, ପୁଷ୍ପ ଗୁଚ୍ଛ ଦିନେ କିମ୍ବା ଦୁଇ ଦିନ ପରେ ମଉଳି ଯିବ । କିନ୍ତୁ ଖଦୀ ରୁମାଲ କିମ୍ବା ପୁସ୍ତକକୁ ଦୀର୍ଘ କାଳ ଧରି ଉପଯୋଗ କରାଯାଇ ପାରିବ । ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶବାସୀ ଖଦୀ ବସ୍ତ୍ର କିଣିବା ପାଇଁ ଆହ୍ୱାନ ଜଣାଇଥିଲେ । ତଦ୍ୱାରା ଦେଶର ଅଗଣିତ ବୁଣାକାର ଉପକୃତ ହୋଇ ପାରିବେ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ ।
ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅବିଭକ୍ତ ଉତ୍ତର ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତଃ ବିଶ୍ୱନାଥ ଦାଶ ମଧ୍ୟ ରାଜ୍ୟ ବିଧାନସଭାରେ ଏକଦା ଖଦୀର ମହାତ୍ମ୍ୟ ସଂପର୍କରେ ଅତି ଚମତ୍କାର ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ, ଯଦି ପ୍ରଶାସନ ପ୍ରତ୍ୟେକ ସରକାରୀ ଦପ୍ତରର କବାଟ, ଝର୍କା ପରଦା ସମେତ ସୋଫା ଓ ଚେୟାର କଭର, କର୍ମଚାରୀଙ୍କ ପରିଧାନ ଲାଗି ପୋଷାକ ପ୍ରଭୃତି ନିମନ୍ତେ ଖଦୀ ବସ୍ତ୍ରର ଉପଯୋଗକୁ ବାଧ୍ୟତାମୂଳକ କରିବେ, ତେବେ ଦୁଇଟି ଲାଭ ହେବ । ଗୋଟିଏ ପକ୍ଷରେ ଖଦୀ ଗ୍ରାମୋଦ୍ୟୋଗ ସଂସ୍ଥାର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଅନ୍ୟପକ୍ଷରେ ରାଜ୍ୟର ଅଗଣିତ ବୁଣାକାର ପରିବାରଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇ ପାରିବ । ଆଜି ମଧ୍ୟ ସ୍ୱର୍ଗତଃ ଦାଶଙ୍କର ଏହି ପରାମର୍ଶ ଅତ୍ୟନ୍ତ ଉପାଦେୟ ଓ ପ୍ରାସଂଗିକ ମନେ ହୁଏ । କାରଣ ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥା ଏବେବି ଶୋଚନୀୟ ଆର୍ଥିକ ସ୍ଥିତି ଭିତରେ ଗତି କରୁଛି ।
ସ୍ୱାଧୀନତା ପରେ ୧୯୫୩ ମସିହାରେ ଭାରତ ସରକାର ପ୍ରଥମେ ନିଖିଳ ଭାରତ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଗଠନ କରିଥିଲେ । ଏହି ବୋର୍ଡକୁ ଗୋଟିଏ ବୈଧାନିକ ସଂସ୍ଥା ରୂପେ ଗଢି ତୋଳିବା ପାଇଁ ୧୯୫୫ ମସିହାରେ ନିଷ୍ପତ୍ତି ଗୃହୀତ ହୋଇଥିଲା । ତା’ପରବର୍ଷ ୧୯୫୬ ମସିହାରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କମିଶନ) ଆଇନ ପ୍ରଣୟନ କରାଯାଇଥିଲା । ଫଳରେ ୧୯୫୭ ମସିହା ଠାରୁ ଏହି ଆୟୋଗ ଦେଶର ଅନ୍ୟତମ ବୈଧାନିକ ସଂସ୍ଥା ଭାବେ କାର୍ଯ୍ୟ ସଂପାଦନ କରୁଛି ।
ଏବେ ଖଦୀ ସହିତ ପଲିଷ୍ଟର ତନ୍ତୁର ମିଶ୍ରଣ ଜରିଆରେ ଗୁଜୁରାଟ ଓ ରାଜସ୍ଥାନ ଉକୃଷ୍ଟ ମାନର ‘ଖଦୀପଲ୍ଲୀ’ ବସ୍ତ୍ର ତିଆରି କରୁଛନ୍ତି । ଓଡିଶା, ପଶ୍ଚିମବଙ୍ଗ, ଉତ୍ତର-ପୂର୍ବ ରାଜ୍ୟ ସମୂହ ‘ଖଦୀ-ସିଲକ’ ବସ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟ ଉତ୍ତମ ଗୁଣବତ୍ତାର ‘ନିରୋଳା ଖଦୀ’ ବସ୍ତ୍ର ତିଆରିରେ ବ୍ୟାପୃତ ଅଛନ୍ତି । ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ହିଁ ଆମେ କେବଳ ଖଦୀ ସଂପର୍କରେ ବିଶେଷ ଚର୍ଚ୍ଚା କରିଥାଆନ୍ତି । ପରବର୍ତ୍ତୀ କାଳରେ ସ୍ୱାଭବିକ ଭାବରେ ତାହା ଆମ ମାନସପଟରୁ ହଜି ଯାଇଥାଏ ।
ତେବେ ଜୈବିକ ଖତରେ ଉତ୍ପନ୍ନ କୃଷିଜାତ ଦ୍ରବ୍ୟ ଭଳି ଖଦୀ ସାମଗ୍ରୀ ସଂପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସମେତ ସମଗ୍ର ବିଶ୍ୱରେ ବିପୁଳ ଲୋକପ୍ରିୟତା ଅର୍ଜନ କରିଛି । ତେଣୁ ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡିକ ଉନ୍ନତ ମାନର ମୂଲ୍ୟଯୁକ୍ତ ଖଦୀ ବସ୍ତ୍ର ପ୍ରସ୍ତୁତ କରି ବିଶ୍ୱ ବଜାରରେ ସେମାନଙ୍କ କବଜା ଜାରି ରଖିବାକୁ ପ୍ରତିଯୋଗିତା ଚଳାଇଛନ୍ତି । ଏଥିଯୋଗୁଁ ଗାନ୍ଧୀଙ୍କ ଦ୍ୱାରା ଆବିଷ୍କୃତ ‘ଖଦୀ’ ଆଜି ମଧ୍ୟ ସମଗ୍ର ପୃଥିବୀରେ ଏକାନ୍ତ ପ୍ରାସଂଗିକ ବୋଲି ବିଶ୍ୱବାସୀ ଉପଲବ୍ଧ କରୁଛନ୍ତି ।