• About
  • Contact
Tuesday, August 11, 2026
Tuesday, August 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସାମାଜିକ ସମାନତା ଓ ଗାନ୍ଧୀ

ସାମାଜିକ ସମାନତା ଓ ଗାନ୍ଧୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ୧୫ ସେପ୍ଟେମ୍ବର ୨୦୨୨

ଏକବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ପରେ ସାମାଜିକ ଅସମାନତା ଅଦ୍ୟାବଧି ବଳବତ୍ତର ରହିଛି । ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ଦେଶର କୋଣ ଓ ଅନୁକୋଣରେ ପାଳିତ ହେବା ସତ୍ତ୍ୱେ ତାଙ୍କ ‘ସ୍ୱପ୍ନର ଭାରତ’ ସ୍ୱପ୍ନରେ ହିଁ ରହିଯାଇଛି । ଆଜିକାଲିର ନେତାମାନଙ୍କର ଉଚ୍ଚାରଣ ଓ ଆଚ଼ରଣ ଅନୁଧ୍ୟାନ କଲେ ଲାଗୁଛି ଗାନ୍ଧିଜୀଙ୍କ ସ୍ୱପ୍ନକୁ ସାକାର କରିବାପାଇଁ କାହାର ଆଗ୍ରହ ଓ ଆନ୍ତରିକତା ନାହିଁ । ସାମାଜିକ ସମାନତା ପ୍ରତିଷ୍ଠା ପାଇଁ କେବଳ ସରକାରଙ୍କ ସ୍ଥାନ ସଂରକ୍ଷଣ ଏକମାତ୍ର ଉପାୟ ନୁହେଁ ବରଂ ଲୋକ ଚରିତ୍ର ବଦଳିଲେ ଏହାର ସଫଳ ରୂପାୟନ ହୋଇପାରିବ ବୋଲି ମନରେ ଆଶା ସଂଚାର ହୁଏ । ଯଦିଓ ଶିକ୍ଷାଗତ ହାର ବୃଦ୍ଧି ପାଇବା ସହ ଆମକୁ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି କିନ୍ତୁ ସାମାଜିକ ବ୍ୟାଧିର ତାଡ଼ନା ଏବେବି ଚାରିଆଡ଼େ ଦେଖବାକୁ ମିଳୁଛି ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପରେ ମଧ୍ୟ । ତେଣୁ ସାମାଜିକ କ୍ଷେତ୍ରରେ ସମାନତା ହାସଲ ପାଇଁ ପ୍ରଚ଼ଳିତ ସାମାଜିକ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ତର୍କ ବିତର୍କ ହେବା ସହ ଜନ ସାଧାରଣଙ୍କ କ୍ରିୟାଶୀଳ ଭୂମିକା ନିର୍ଣ୍ଣାୟକ ହୋଇ ପଡିଛି । କହିବା ବାହୁଲ୍ୟ, ସତ୍ୟ ଓ ଅହିଂସା ମାଧ୍ୟମରେ ଗାନ୍ଧିଜୀ ସମଗ୍ର ବିଶ୍ୱକୁ ନୂଆ ଦିଗ ଦେଖାଇଥିଲେ ଯାହାଦ୍ୱାରା ଏ ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ସୁଖ ଓ ଶାନ୍ତିରେ ବାସ କରିବେ, ଭେଦଭାବ, ଗୋଷ୍ଠୀକନ୍ଦଳ ଓ ଯୁଦ୍ଧର ପ୍ରୟୋଜନ ରହିବ ନାହିଁ, ଅନ୍ୟାୟ, ହିଂସା, ଶୋଷଣ ଓ କଷଣ ଆପେ ଆପେ ଉଭେଇଯିବ ଏବଂ ପ୍ରତ୍ୟେକ ମଣିଷ ସମ୍ମାନର ସହ ମୁଣ୍ଡ ଟେକି ଚାଲି ପାରିବ । ଆଜିର ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ ଭିନ୍ନ ଓ ବିପରୀତ ।

ଗାନ୍ଧିଜୀଙ୍କ ଜୀବନ ହିଁ ଥିଲା ତାଙ୍କ ବାର୍ତ୍ତା । ତାଙ୍କ ଚିନ୍ତା, ଚେତନା କଥା ଓ କାର୍ଯ୍ୟରେ କୌଣସି ପାର୍ଥକ୍ୟ ବା ଅସଙ୍ଗତି ନଥିଲା । ସ୍ୱଚ୍ଛତା ଥିଲା ତାଙ୍କର ଦିବ୍ୟଗୁଣ । ହିନ୍ଦୁ ଧର୍ମରେ ଛୁଆଁ, ଅଛୁଆଁ ଭେଦଭାବ ତାଙ୍କୁ ବ୍ୟଥିତ କରୁଥିଲା । ୧୯୨୧ ମସିହା ଏପ୍ରିଲ ୬ ତାରିଖରେ ନେଲୋରରେ ଅବସ୍ଥାନ କଲାବେଳେ ଗାନ୍ଧିଜୀ ଏକ ପ୍ରାର୍ଥନା ସଭାରେ କହିଥିଲେ ଯେ ଯଦି ତାଙ୍କୁ ପୁର୍ନଜନ୍ମ ଲଭିବାକୁ ହୁଏ ତେବେ ସେ ଅସ୍ପୃଶ୍ୟ ହୋଉ ଜନ୍ମ ନେବାକୁ ଚାହାନ୍ତି, ଯାହା ଦ୍ୱାରା ସେମାନଙ୍କ ପ୍ରତି ହୋଇଥିବା ଅବିଚାର ଓ ଲାଞ୍ଛନାର ସେ ଅଂଶୀଦାର ହେବେ ଓ ସେଥିରୁ ନିଜକୁ ମୁକ୍ତ କରିବା ସହିତ ସେମାନଙ୍କୁ ଦୁଃଖ ଦୁର୍ଦ୍ଦଶାରୁ ମୁକ୍ତ କରିବାକୁ ସମର୍ଥ ହେବେ । ଗାନ୍ଧିଜୀଙ୍କ ମତରେ ଅସ୍ପୃଶ୍ୟତା ହିନ୍ଦୁ ଧର୍ମର ସବୁଠାରୁ ବଡ଼ କଳଙ୍କ । ଅସ୍ପୃଶ୍ୟତା ଦୂର କରିବା ହେଉଛି ପ୍ରାୟଶ୍ଚିତ । ହିନ୍ଦୁ ଶାସ୍ତ୍ରରେ ଅସ୍ପୃଶ୍ୟତାର କୌଣସି ପ୍ରମାଣ ନାହିଁ । ଏହା ଧର୍ମର ଉପଦେଶ ବାଣୀ ନୁହେଁ ବରଂ ସଇତାନର ଏକ କୌଶଳ । ଗାନ୍ଧିଜୀ ଯଦିଓ ହିନ୍ଦୁ ବୈଷ୍ଣବ ଥିଲେ ମାତ୍ର ମୁସଲମାନ, ଖ୍ରୀଷ୍ଟିୟାନ ଆଦି ବିଭନ୍ନ ଧର୍ମାବଲମ୍ବୀଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ କରୁଥିଲେ । ତାଙ୍କ ଦୃଷ୍ଟିରେ ସମସ୍ତେ ଇଶ୍ୱରଙ୍କ ସନ୍ତାନ-ସନ୍ତତି ଓ ସତ୍ୟ ହିଁ ଭଗବାନ । ପ୍ରେମ ହିଁ ଇଶ୍ୱର, ଘୃଣା ଇଶ୍ୱର ନୁହେଁ, ସତ୍ୟ ହିଁ ଇଶ୍ୱର, ଅସତ୍ୟ ନୁହେଁ । ତାଙ୍କ ବିଚାରରେ ଗଙ୍ଗାନଦୀ ଉତ୍ପତ୍ତି ସ୍ଥଳରେ ଯେପରି ପବିତ୍ର ଓ ଆବର୍ଜନା ମୁକ୍ତ କିନ୍ତୁ ପ୍ରଭାବିତ ହେଲାବେଳେ ଯେପରି ଆବର୍ଜନା ଗୁଡିକୁ ପ୍ରଖର ସ୍ରୋତରେ ଘେନି ଆସେ ହିନ୍ଦୁ ଧର୍ମ ଠିକ୍ ସେହିପରି । କୌଣସି ପ୍ରଥା ଧର୍ମ ନୁହେଁ, ପ୍ରଥା ପରିବର୍ତ୍ତନଶୀଳ କିନ୍ତୁ ଧର୍ମ ଅପରିବର୍ତ୍ତିତ । ସବୁ ଧର୍ମର ମୌଳିକ ସତ୍ୟ ଏକ । ଧର୍ମ ମଣିଷ ମଣିଷ ମଧ୍ୟରେ ପାଚ଼େରୀ ସଦୃଶ ଠିଆ ହେବ ପାଇଁ ଉଦିଷ୍ଟ ନୁହେଁ, ସମସ୍ତଙ୍କୁ ଏକ ଡ଼ୋରିରେ ବାନ୍ଧି ରଖିବାର ପ୍ରୟାସ ହେଉଛି ସବୁ ଧର୍ମର ମୂଳତତ୍ତ୍ୱ।

୧୯୨୫ ଅଗଷ୍ଟ ୨୭ ତାରିଖ ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ ଯେ ଧର୍ମଗ୍ରନ୍ଥ ଗୁଡିକର ଵ୍ୟାଖ୍ୟାନ ପାଇଁ ସେଥିରେ ଉଲ୍ଲେଖ ଥିବା ସତ୍ୟ ଓ ଅହିଂସାକୁ ସେ କଷଟି ପଥର ଭାବେ ବ୍ୟବହାର କରନ୍ତି ଓ ଅସ୍ପୃଶ୍ୟତାକୁ କେବେ ବି ସମର୍ଥନ କରନ୍ତି ନାହିଁ । ସବୁ ଧର୍ମର ସଦ୍ ଗୁଣ ଗୁଡ଼ିକ ସାମାଜିକ ସ୍ତରରେ ଉପସ୍ଥାପିତ କରିବା ପାଇଁ ସଦା ସର୍ବଦା ସେ ଚେଷ୍ଟିତ ଥିଲେ । ବାଇବେଲର Sermon on the Mount ଦ୍ୱାରା ସେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ଧର୍ମ ସହିତ ଜାତିର କୌଣସି ସମ୍ପର୍କ ନାହିଁ, ଜାତି ଏକ ପ୍ରଥା । କୌଣସି କାର୍ଯ୍ୟ ନୀଚ଼ ନୁହେଁ ବା କୌଣସି କାର୍ଯ୍ୟ ଉଚ୍ଚ ନୁହେଁ । ଉଚ୍ଚ ନୀଚ଼ ଭେଦଭାବ ଆମର ମାନସିକତା । ଆମ ଦେଶରେ ଯେହେତୁ ସାମାଜିକ ଶ୍ରେଣୀ କୌଳିକ ବୃତ୍ତିକୁ ନେଇ ସୃଷ୍ଟି ହୋଇଛି ତେଣୁ ଅସ୍ପୃଶ୍ୟତା ମନୋଭାବ କେଉଁଠି ନା କେଉଁଠି ଆମ ମନ ଭିତରେ ରହିଛି । ସମସ୍ତ ପ୍ରକାର ଶ୍ରମକୁ ସମାନ ମର୍ଯ୍ୟାଦା ଦେଲେ କୌଳିକ ପ୍ରଥାର ଗୁରୁତ୍ୱ ହ୍ରାସ ପାଇବ ବୋଲି ଗାନ୍ଧିଜୀ କହୁଥିଲେ । ସେଥିପାଇଁ ସୁସ୍ଥ ମାନସିକତା ଓ ଜନସଚେତନତା ଲୋଡ଼ା । ଆଇନ ବଳରେ ନୁହେଁ ପ୍ରେମ ବଳରେ ଅସ୍ପୃଶ୍ୟତା କଳଙ୍କ ସମାଜରୁ ଦୂର ହୋଇପାରିବ । ‘ୟଙ୍ଗ ଇଣ୍ଡିଆ’ ୧୯୨୫ ଜାନୁଆରୀ ୨୨ ତାରିଖ ସଂଖ୍ୟାରେ ଗାନ୍ଧିଜୀ ଲେଖିଥିଲେ ଯେ ଆମେ ପିଲାବେଳେ ଆମର ମଳମୂତ୍ର ପରିଷ୍କାର କରିଥିବା ଯୋଗୁଁ ଆମେ ଜନ୍ମଦାତ୍ରୀଙ୍କୁ ଯେପରି ଆଦର ଓ ସମ୍ମାନ ପ୍ରଦର୍ଶନ କରୁ ସେହିପରି ମେହେନ୍ତର ସମାଜ ର ଆବର୍ଜନା ସଫା କରୁବା ଯୋଗୁଁ ଆମର ସମ୍ମାନର ହକ୍ ଦାର ଅଟନ୍ତି । ଶ୍ରୀକୃଷ୍ଣ ଛିଣ୍ଡା ଲୁଗା ପିନ୍ଧିଥିବା ସୁଦାମାଙ୍କୁ ଯେଉଁ ସମ୍ମାନ ଦେଇଥିଲେ ତାହା ଆଉ କାହାରିକୁ ଦେଇନଥିଲେ । ତେଣୁ ପ୍ରେମ ହିଁ ହେଉଛି ଧର୍ମର ମୂଳଧାର । ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଅସ୍ପୃଶ୍ୟତା ଈଶ୍ୱର ଓ ମନୁଷ୍ୟ ବିରୁଦ୍ଧରେ ଏକ ଅପରାଧ । ଯେଉଁ ମୁହୂର୍ତ୍ତରେ ଆମେ ମଣିଷ ମଣିଷ ଭିତରେ ଓ ସମସ୍ତ ଜୀବଜଗତ ମଧ୍ୟରେ ସମାନତା ପ୍ରତିଷ୍ଠା କରିବା ପାଇଁ ସମର୍ଥ ହେବା ସେତେବେଳେ ପୃଥିବୀରେ ଶାନ୍ତି ଓ ସଦଭାବ ବିରାଜମାନ ହେବ ।

ଅସ୍ପୃଶ୍ୟତା ବିରୋଧୀ ଅଭିଯାନ ବେଳେ ଗାନ୍ଧିଜୀଙ୍କୁ ହତ୍ୟା କରିବାପାଇଁ ଅଭିଯାନ ହୋଇଥିଲା । ଏପରିକି ଅନେକ ସମୟରେ ତାଙ୍କୁ ସାମାଜିକ ଓ ଅର୍ଥନୈତିକ ବାସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ସେ ତାଙ୍କ ଆଦର୍ଶରେ ଥିଲେ ଅଟଳ ମହାମେରୁ ସଦୃଶ । ଜଣେ ଜଣଙ୍କୁ ଛୁଇଁଦେଲେ ସେ ଅପବିତ୍ର ହୋଇଯିବ ଏ ଘୁଣ୍ୟ ପ୍ରଥାକୁ ସେ ସହଜେ ଗ୍ରହଣ କରିପାରୁ ନ ଥିଲେ । ତାଙ୍କ ସ୍ୱପ୍ନର ରାମରାଜ୍ୟରେ ଏହାର ସ୍ଥାନ ନଥିଲା । ରକ୍ଷଣଶୀଳ ହିନ୍ଦୁମାନେ ଗାନ୍ଧିଜୀଙ୍କ ଏତାଦୃଶ ମନୋଭାବକୁ ଏହାର ତୀବ୍ର ବିରୋଧ କରୁଥିଲେ ଏବଂ ଏହି ନୀତି ଯୋଗୁଁ ଉଚ୍ଚ ବର୍ଗ ଗୋଷ୍ଠୀ ସାହାଯ୍ୟର ହାତ ବନ୍ଦ କରିଦେଇଥିଲେ । ଗାନ୍ଧିଜୀ ଅସ୍ପୃଶ୍ୟତା ନିବାରଣକୁ ରଚନାତ୍ମକ କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ବିଶେଷ ବୋଲି ବର୍ଣ୍ଣନା କରୁଥିଲେ ଏବଂ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରିବାପାଇଁ ଅନେକ ଦିନ ଧରି ସହ କର୍ମୀଙ୍କ ସହ ପଦଯାତ୍ରା କରିଥିଲେ । ଆତ୍ମଶକ୍ତି ଦ୍ୱାରା ସବୁକିଛି ସମ୍ଭବ ବୋଲି ସେ ଗଭୀର ବିଶ୍ୱାସ ରଖିଥିଲେ ।

ସମବେତ ପ୍ରାର୍ଥନା, ଗୋଷ୍ଠୀ ଜୀବନ, ସହଭୋଜନ, ସ୍ୱଚ୍ଛତା ଓ ମାନବୀୟ ମର୍ଯ୍ୟାଦା ପ୍ରତିଷ୍ଠା ହେଉଛି ଗାନ୍ଧିଜୀଙ୍କ ଜୀବନ ଦର୍ଶନ । ରାଜନୈତିକ ସ୍ୱାଧୀନତା ପ୍ରକୃତ ସ୍ୱାଧୀନତା ନୁହେଁ, ସାମାଜିକ ସ୍ୱାଧୀନତା ବିନା ପ୍ରକୃତ ସ୍ୱାଧୀନତା ଉପଲବ୍ଧି କରିବା ସମ୍ଭବ ନୁହେଁ ବୋଲି ଗାନ୍ଧିଜୀ ପ୍ରକାଶ କରିଥିଲେ । ଜାତିଗତ ଓ ଧର୍ମଗତ ପାର୍ଥକ୍ୟକୁ ସେ ଆଦୋୖ ସ୍ୱୀକାର କରୁନଥିଲେ । ସତ୍ୟ ଓ ନୈତିକତାର ଭଗବାନଙ୍କ ବ୍ୟତୀତ ଅନ୍ୟ କୌଣସି ଭଗବାନଙ୍କୁ ସେ ବିଶ୍ୱାସ କରୁନଥିଲେ । ତାଙ୍କ ଭାଷାରେ ସ୍ୱାଧୀନତା ବିତ୍ତଶାଳୀ ଲୋକଙ୍କର ଯେତିକି ଗରିବ ଖଟିଖିଆ ଓ ବିକଳାଙ୍ଗଙ୍କର ବି ସେତିକି । ଗାନ୍ଧିଜୀ ଏମିତି ଏକ ସମାଜ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ଅନ୍ୟର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନ କରି ନିଜର ଭୌତିକ ଓ ଆଧ୍ୟାତ୍ମିକ ବିକାଶ କରିବାର ସୁଯୋଗ ପାଇବା ସହିତ ଏକ ସୁନ୍ଦର ଭେଦଭାବ ହୀନ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବ । ନାରୀ ପୁରୁଷ ପରି ସମାନ ଅଧିକାର ପାଇବ ଓ ରାତି ଅଧରେ ନାରୀଟିଏ ନିର୍ଭୟରେ ବିଚରଣ କରିପାରିବ । ସର୍ବଜନ ହିତାୟ ଗାନ୍ଧିଜୀଙ୍କ ଜୀବନର ମୂଳମନ୍ତ୍ର । ବ୍ୟକ୍ତି ସମାଜ ଓ ଦେଶର ଉନ୍ନତି ପାଇଁ ନିମ୍ନ ବର୍ଣ୍ଣିତ ଏକାଦଶ ବ୍ରତ ପାଳନ ଉପରେ ଗୁରୁତ୍ୱ ଦେବାପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଉଥିଲେ ।

“ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ, ଅସଂଗ୍ରହ,
ଶରୀର ଶ୍ରମ, ଅସ୍ଵାଦ, ସର୍ବତ୍ର ଭୟ ବର୍ଜନ,
ସର୍ବଧର୍ମ ସମାନତ୍ଵ, ସ୍ୱଦେଶୀ, ସ୍ପର୍ଶ ଭାବନା
ବିନମ୍ର ବ୍ରତ ନିଷ୍ଠା ସେ ୟେ ଏକାଦଶ ସେବ୍ୟ ହୈ ।”

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Dhanada’s Discourse: The Cloud Has a Thirst – India’s data-centre dilemma
More

Dhanada’s Discourse: 
The Cloud Has a Thirst – India’s data-centre dilemma

by Dhanada K. Mishra
August 10, 2026

Dhanada K Mishra, Hong Kong, 10 August 2026 At first glance, a data centre appears almost unreal. There are no...

Read more
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.