ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୩ ଜାନୁୟାରୀ ୨୦୨୬
କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ସ୍ଥିତ କଳିଙ୍ଗ ଆବାସିକ ବିଦ୍ୟାଳୟ ପରିସରରେ ୧୧ଶ ରାଜ୍ୟ ସ୍ତରୀୟ ସ୍ଵର୍ଣ୍ଣ ଓଡିଶା ସାରସ୍ଵତ ସମାରୋହ ତଥା ସମ୍ବର୍ଦ୍ଧନା ଉତ୍ସବ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଥମ ଅଧିବେଶନରେ ସସ୍ମିତା ପଣ୍ଡା ଓ ସରସ୍ଵତୀ ପଣ୍ଡାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏକ ମନୋଜ୍ଞ କବିତା ପାଠ ଉତ୍ସବରେ ରାଜ୍ୟର ଶତାଧିକ କବି ଅଂଶ ଗ୍ରହଣ କରିଥିଲେ। ଏଥିରେ ଅଧ୍ୟାପକ ବିରୁପାକ୍ଷ ରାୟ ଓ ପ୍ରବଚକ ଶରତ ଚନ୍ଦ୍ର ରଥ ଯଥକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଆମ ସମାଜ ଓ ସାହିତ୍ୟ ଶୀର୍ଷକ ଆଲୋଚନାରେ ସ୍ଵକୀୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଉଦ୍ଘାଟକ ଭାବେ ଯୋଗଦେଇ ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ସଚିବ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବ ଉଦ୍ ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ପଣ୍ଡିତ ହୃଷୀକେଶ ରଥ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ପ୍ରମୋଦ ପ୍ରତାପ, କଳିଙ୍ଗ ଆବାସିକ ବିଦ୍ୟାଳୟର କ୍ୟାମ୍ପସ ଅଧ୍ୟକ୍ଷ ଦ୍ବୟ ନିଶିକାନ୍ତ ମହାନ୍ତି ଓ ଅନିଲ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସ୍ଵର୍ଣ୍ଣ ଓଡ଼ିଶା ଉନ୍ମୋଚିତ ହେବା ସହିତ ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭଲେଖକ ତଥା “ନିର୍ଭୀକ” ସମ୍ପାଦକ ଅବନୀ ଚନ୍ଦ୍ର ଦାସ ଙ୍କୁ “କଳିଙ୍ଗ ପ୍ରଜ୍ଞା ସମ୍ମାନ” ରେ ଏବଂ ଶିକ୍ଷା, ସାହିତ୍ୟ, ସଂସ୍କୃତି, ସେବା କ୍ଷେତ୍ରରେ ଅନ୍ୟ କେତେକ ପ୍ରତିଭାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ସହିତ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।






