ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, ଗୋପାଳପୁର, ବାଙ୍କୀ, କଟକ, ୨ ସେପ୍ଟେମ୍ବର ୨୦୨୫
ରାଗ – ଚୋଖି
ହେ ପୂଜ୍ୟ ପୁଣ୍ୟ ପ୍ରତିଭା
ଉତ୍କଳ ସାହିତ୍ୟ ଶୋଭା
ଜଗନ୍ନାଥ ଗବେଷକ ହିରଣ୍ୟଗର୍ଭା
ନାଟକ ଦୃଶ୍ୟ ଚନ୍ଦ୍ରମା
ଦର୍ଶକ ମନ ମଣିମା
ଭଞ୍ଜକାବ୍ୟ ବିମଣ୍ଡିତ ଯଶ୍ୱସୀ ପ୍ରଭା
ଇନ୍ଦୁମତୀ ପ୍ରିୟ ନନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
କବିକୂଳର ସ୍ପନ୍ଦନ
ରଖିଗଲ କବିମାନ
କାବ୍ୟକବିତା ପ୍ରସାରେ ଥିଲ ନିମଗ୍ନ
ରଖିବାକୁ ଭାଷା ଟେକ
ଯୋଦ୍ଧା ଥିଲ ହେ ନିର୍ଭୀକ!
ପଛକୁ ଚାହିଁ ନଥିଲ ହେ ପ୍ରଜ୍ଞାବାନ!
କୁଳମଣି ହୃଦ ଚନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ହେ ନାଟକ ଜ୍ଞାନଦୀପ
ରଚିଲ ବହୁ ନାଟକ
ଦେଖୁଥିଲେ ଦେଖୁଛନ୍ତି ପ୍ରିୟ ଦର୍ଶକ
ଆକାଶବାଣୀ ସମ୍ଭାର
ବନ୍ଦୁଛନ୍ତି ନାଟ୍ୟକାର
ଦୂରଦର୍ଶନରେ ତବ ଗାଥା ପ୍ରସାର
ହେ ପଦ୍ମଶ୍ରୀ ତୁମେ ମହାନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ଅଧ୍ୟାପନା ଶେଷ କରି
ଶିକ୍ଷା କ୍ଷେତ୍ରକୁ ଆଦରି
ପ୍ରଶାସନେ ଯୋଗ ତବ ପଦାଧିକାରୀ
ଅନ୍ତିମରେ ନିର୍ଦ୍ଦେଶକ
ଓଡ଼ିଶା ଶିକ୍ଷା ମୟୂଖ
ଆଲୋକିତ କରୁଥିଲ ବିଦ୍ୟାନଗରୀ
ଶିକ୍ଷାକାଶ ତପ୍ତ ତପନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ଗୁରୁବର ବିଚ୍ଛନ୍ଦଙ୍କ
ଅନୁସରିଣ ପଦାଙ୍କ
କଳିଙ୍ଗ ଭାରତୀ ସଭାପତି ପଦରେ
ଷାଠିଏ ବର୍ଷୁ ଅଧିକ
ବାହିନେଲ ହେ ନାବିକ!
ଝୁରୁଛି ଉତ୍କଳ ମାତା ଲୋତକଧାରେ
ଚନ୍ଦନେ ଶ୍ରୀକ୍ଷେତ୍ରେ ଗମନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ତବ ଲେଖା କୀର୍ତ୍ତିମାଳା
କଳିଙ୍ଗ ଭାରତୀ ଗଳା
ହାର ରୂପେ ସ୍ରବିଅଛି ହୃଦପଦ୍ମରେ
ତବ ଧାରା ବିବରଣୀ
କଥା କର୍ଣ୍ଣରେ ନ ଶୁଣି
ଝୁରୁଛନ୍ତି ନରନାରୀ ମନ ମଧ୍ୟରେ
ଆହେ ବାଗ୍ମୀ ବାଣୀ ନନ୍ଦନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ଅନ୍ତଃରାଷ୍ଟ୍ରୀୟ ଜାତୀୟ
ସମ୍ମାନରେ ବିଭାମୟ
ଶ୍ରେଷ୍ଠ ନାଟ୍ୟକାର ଭଞ୍ଜଶ୍ରୀ ଉପାଧି
ଜଗନ୍ନାଥ ପୁରସ୍କାର
ରୁଚି ସମ୍ମାନ ବେଭାର
ପଦ୍ମଶ୍ରୀ ସମ୍ମାନ ଡି. ଲିଟ. ଉପାଧି
ସକଳ ସମ୍ମାନ ଶୋଭନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।
ଜଗନ୍ନାଥଙ୍କ କୃପାରେ
ଚାରୁ ଚନ୍ଦନ ଯାତ୍ରାରେ
ଶେଷଯାତ୍ରା ତବ ନୀଳାଚଳ ଧାମରେ
ହେ ନିଃଶବ୍ଦ ପଦାତିକ
ସୁବକ୍ତା ସୁଗବେଷକ
ପାଲା ସମୀକ୍ଷକ ପ୍ରାର୍ଥନା ଟିଭିରେ
ବନ୍ଦୁ ତବ ପାଦ ନଳୀନ
ଶୁଭଲଗ୍ନ ଜୟନ୍ତୀରେ ପ୍ରଣାମ ଘେନ।