ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨ ଡିସେମ୍ବର ୨୦୨୫
କିଛି କଥା ଭୁଲିହୁଏ ଅଳପ ଦିନରେ
ଆଉ କିଛି ଲିଭିଯାଏ ସମୟ ସୁଅରେ,
କିଛି କିଛି କଥା ରହେ ଝାପସା ସ୍ମୃତିରେ
ଅଭୁଲା କଥା ଭିଜାଏ ଅକୁହା କୋହରେ ।।୧।।
କିଛି କଥା କହିହୁଏ ଗହଳି ଭିତରେ
ମନଖୋଲା କଥାବାର୍ତ୍ତା ସାଙ୍ଗଙ୍କ ମେଳରେ,
ପ୍ରୀତିଭରା ବାର୍ତ୍ତାଳାପ ବହଳ ଅନ୍ଧାରେ
ଅଭିସାର କଥା ରହେ ବିଜନ ବେଳରେ ।।୨।।
କିଛି କଥା ରହିଥାଏ ଚେନାଏ ଶବ୍ଦରେ
ତା’ ଠାରୁ ଅଧିକ ଥାଏ ଛୋଟିଆ ଗପରେ,
ସବୁଠୁଁ ବେଶୀ ପୁଣି ଉପନ୍ୟାସ ବୁକୁରେ
ବେଳେବେଳେ ଅଳ୍ପ ଶବ୍ଦ ମନକୁ ଛୁଏଁରେ ।।୩।।






