• About
  • Contact
Wednesday, October 14, 2026
Wednesday, October 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Share on FacebookShare on Xshare on Whatsappshare on Linkedin
ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫

ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି ? ଏହାକୁ ପ୍ରଥମେ କିଏ କାହାକୁ କେଉଁ ପରିପ୍ରେକ୍ଷୀରେ କହିଥିଲେ, ତାହା ମଧ୍ୟ କେହି ଜ୍ଞାତଥିବା ପରି ମନେ ହେଉନାହିଁ। କିନ୍ତୁ, ଏହି ପ୍ରଚଳିତ ଲୋକୋକ୍ତି/ ପ୍ରବାଦଟି ବହୁ ଚର୍ଚ୍ଚିତ ହୋଇ ଏକ ସାର୍ବଜନୀନ ସତ୍ୟରେ ପରିଣତ ହୋଇଛି।

ପିମ୍ପୁଡ଼ିଟିଏ ଦୀପ ରୁଖା ଉପରକୁ ଚଢ଼ିଗଲେ ମନରେ ଭାବେ ତା’ ନିଜ ଠାରୁ ସ୍ବର୍ଗର ବ୍ୟବଧାନ ଆଉ ମାତ୍ର ଦୁଇ ଆଙ୍ଗୁଳି ବାକି ଅଛି। ଆମ ସମାଜରେ ମଣିଷ ମଧ୍ୟ ତଦୋପରି ଆଚରଣ ପ୍ରଦର୍ଶନ କରେ। ଯେତେବେଳେ କେହି ବ୍ୟକ୍ତି କେବେ ଉଚ୍ଚ ସ୍ଥାନକୁ ଚାଲିଯାଏ, ନତୁବା କୌଣସି ପଦବୀ / ସମ୍ମାନର ଅଧିକାରୀ ହୋଇ ଯାଏ, ତେବେ ସେ ନିଜକୁ ଅଧିକ ସଶକ୍ତ ଓ ସମର୍ଥ ବ୍ୟକ୍ତି ବୋଲି ପ୍ରତିପାଦିତ କରିବାକୁ ଚେଷ୍ଟା କରେ। ନିଜର ବାସ୍ତବ ସ୍ଥିତିର ପରିସୀମା କେତେ, ତାହାର ଆକଳନ ନକରି ସେ ଏକ ଶୀର୍ଷ ସ୍ତରୀୟ ସଫଳତା ପାଇଥିବା ଅନୁଭବ କରିଥାଏ। ଏହାଯେ ତାର ମନର ଭ୍ରମ, ଏକଥା ସେ କେବେ କେବେ ସ୍ବୀକାର କରିପାରେ ନାହିଁ।

ଏହି ପରିପ୍ରେକ୍ଷୀରେ ଆମ ସମାଜରେ ଅନେକ ସମୟରେ ସଂଗଠିତ ହେଉଥିବା ଅନେକ ଘଟଣାବଳୀ ଯଥା: ଭଲ ପାଠ ପଢୁ ନଥିବା ଅମନଯୋଗୀ ଶିକ୍ଷାର୍ଥୀ ମଧ୍ୟରୁ ଯଦି କେବେ କିଏ ଅଗତ୍ୟା ଅସାଧୁ ଉପାୟରେ କୌଣସି ଏକ ପରୀକ୍ଷାରେ ସଫଳତା ପାଇଗଲା, ଅଥବା କିଛି କାମ ଧନ୍ଦା କରୁନଥିବା କୌଣସି ଯୁବକ ଯଦି ଭଲ କନ୍ୟା ଟିଏ ଦେଖି ବିବାହ କରି ପକାଇଲା କିମ୍ବା ସଂସାର ଚଳାଇବାକୁ ସକ୍ଷମ ନଥିବା ବ୍ୟକ୍ତିକୁ ଯଦି ଶ୍ଵଶୁର ଘରୁ ଭଲ ଯାନି ଯୌତୁକ ମିଳିଗଲା, ନଚେତ୍ କେହି ବାଲିଘାଟରୁ ଚୋରା ବାଲି ବୁହାଇ ବେପାର କରି ଭଲ ଦି’ ପଇସା ରୋଜଗାର କରି ପକାଇଲା, ନତୁବା କେହି ଯଦି ଅଯୋଗ୍ୟ ପ୍ରମାଣିତ ହୋଇ ମଧ୍ୟ ଲାଞ୍ଚ ଦେଇ, ତୋଷାମଦ କରି କୌଣସି ସ୍ଥାୟୀ ସରକାରୀ ଚାକିରୀ ଟିଏ ପାଇଗଲା, ଏମିତିକି ଟାଉଟରୀ, ଦଲାଲି କରି କେହି ଯଦି ଆଶାତୀତ ଧନ ସମ୍ପତ୍ତି ଠୁଳ କରିବା ପାଇଁ ସକ୍ଷମ ହୋଇଗଲା, ସେମାନଙ୍କୁ ଦୀପ ରୁଖାର ପିମ୍ପୁଡ଼ି ଭଳି ଅନୁଭବ ଆସେ । ସତେ କି ସ୍ବର୍ଗ ଆଉ ଅପହଞ୍ଚ ନୁହେଁ, ବରଂ ତାଙ୍କ ନିଜଠାରୁ ମହାଶୂନ୍ୟ (ସ୍ବର୍ଗ)ର ବ୍ୟବଧାନ ମାତ୍ର ଦି’ ଆଙ୍ଗୁଳି ବୋଲି ପ୍ରତ୍ୟୟ ସୃଷ୍ଟି ହୁଏ। ଏମିତି ଅନେକ ଘଟନାବଳୀ
ମଧ୍ୟରୁ ଆମେ ଗୋଟିଏ / ଦୁଇଟି ଉଦାହରଣ ମାଧ୍ୟମରେ ଆଲୋଚନା କଲେ ଯଥେଷ୍ଟ ହେବ ।

ସଂପ୍ରତି ରାଜନୀତି କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ମଧ୍ୟରେ କିଛି ଅନଭିଜ୍ଞ, ଅପାରଗ, ଅପାଠୁଆ କିମ୍ବା ଅଧା ପାଠୁଆ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଯେଉଁମାନେ ପିମ୍ପୁଡ଼ି ପରି ଦୀପରୁ ନିଗିଡ଼ି ପଡ଼ୁଥିବା ତେଲ ପ୍ରତି ଆକର୍ଷିତ ହୋଇ ରୁଖା ଉପରକୁ ଉଠିବା ଭଳି ସାଂପ୍ରତିକ ତଥାକଥିତ ରାଜନୈତିକ ଫାଇଦା ପ୍ରତି ମନ ବଳାଇ ନିଜ ପାରିବା ପଣିଆ ଠାରୁ ଟିକେ ଅଧିକ ଉଚ୍ଚ ଆସନର ଲାଳସା ରଖି ଥାଆନ୍ତି। ଯଦି କୌଣସି ମତେ ଯେନତେନ ପ୍ରକାରେ ରାଜନୈତିକ ପଦବୀଟିଏ ପାଇ ଯାଆନ୍ତି, ତେବେ ତାଙ୍କୁ ଆଉ ନିମ୍ନ ଭାଗ ଭୂମି ଦେଖାଯାଏ ନାହିଁ। ଦୀପରୁଖା ଉପରୁ ପିମ୍ପୁଡିକୁ ସ୍ବର୍ଗ ଆଉ ଦୁଇ ଆଙ୍ଗୁଳି ଦିଶିବା ଭଳି ସେମାନଙ୍କୁ ବି ସେଭଳି ପ୍ରତୀତ ହୁଏ। ସେମାନଙ୍କ ଆଚାର, ବିଚାର, କଥାବାର୍ତ୍ତା, ଚାଲିଚଳନ ସବୁ ବଦଳି ଯାଏ। କାହିଁକି ନା, ସେମାନେ ନିଜର ନିକଟ ଅତୀତକୁ ବି ମନେ ପକାଇ ପାରନ୍ତି ନାହିଁ। ଅପହଞ୍ଚ ସ୍ବର୍ଗ ଆଉ ମାତ୍ର ଦୁଇ ଆଙ୍ଗୁଳି ବ୍ୟବଧାନରେ ଅଛି ଏବଂ ଅଚିରେ ସେଠାରେ ସେମାନେ ଉପନୀତ ହୋଇ ଅନାୟସରେ ସ୍ବର୍ଗସୁଖ ପ୍ରାପ୍ତ କରିବେ ବୋଲି ଭାବି ନେଇଥାନ୍ତି। ଏହି ଭୁଲ୍ ବିଚାର ହୁଏ ତ, ସେମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ କରାଏ। କିନ୍ତୁ, ପିମ୍ପୁଡ଼ିର ମାତ୍ରାଧିକ ଆତ୍ମ ବିଶ୍ବାସ ପରି ସେମାନେ ନିଜ ସୀମାକୁ ନଜର ଅନ୍ଦାଜ କରିପାରନ୍ତି ନାହିଁ। ତୈଳ ଦୀପରୁ ନିର୍ଗତ ଧାରରେ ପିମ୍ପୁଡ଼ି ଲାଖି ଗଲାପରେ, ଯେମିତି ସେଥିରୁ ମୁକୁଳିବା କଷ୍ଟକର ହୁଏ ଅଥବା ପ୍ରଜ୍ବଳିତ ଦୀପ ଶିଖା ଆଡ଼କୁ ଅଧିକ ଆକର୍ଷିତ ହୋଇ ନିଜେ ଜଳି ଯାଏ; ଅନୁରୂପ ଭାବରେ ମଣିଷ ମଧ୍ୟ ନିଜର ଶକ୍ତି, ସାମର୍ଥ୍ୟ / ଦକ୍ଷତାର ସୀମାକୁ ଆକଳନ ନକରି ନିଜେ ସାମାନ୍ୟ ସଫଳତାକୁ ଶୀର୍ଷ କ୍ଷମତା ବୋଲି ବିବେଚନା କରି ବସେ। ନିଜ କ୍ଷମତାକୁ ଅତିକ୍ରମ କରି ଅତ୍ୟନ୍ତ ଲୋଭ, ମୋହ ଏବଂ ଅହଙ୍କାର ବଶତଃ ଶେଷରେ ଦୀପ ରୁଖାର ପିମ୍ପୁଡ଼ି ଭଳି ଦୁର୍ଦ୍ଦଶା ଭୋଗିବାକୁ ବାଧ୍ୟ ହୁଏ।

ଏମିତି ଆଉ ଏକ ଦୃଷ୍ଟାନ୍ତକୁ ଆଲୋଚନା ପରିସରଭୁକ୍ତ କଲେ ଏହାର ପ୍ରାମାଣିକ ସତ୍ୟାସତ୍ୟ ସହଜରେ ଉପଲବ୍ଧି କରିହେବ। ଶିକ୍ଷା କ୍ଷେତ୍ରରେ ଏବେ ଛତୁ ଫୁଟିଲା ଭଳି ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନ ମାନ ପ୍ରତିଷ୍ଠିତ ହେବାରେ ଲାଗିଛି। ଶିକ୍ଷାଦାନର ମାନ ଯେପରି ହେଉନା କାହିଁକି, ସେଥିପ୍ରତି ନଜର ନଦେଇ, ଅତ୍ୟନ୍ତ ଅନଭିଜ୍ଞ, ଅଣତାଲିମ୍ ପ୍ରାପ୍ତ, ଅଯୋଗ୍ୟ, ସ୍ୱଳ୍ପ ଶିକ୍ଷିତ ବ୍ୟକ୍ତିବିଶେଷ ଏପରିକି ପ୍ରାଥମିକ ଶିକ୍ଷାର୍ଥୀ ମାନଙ୍କୁ ଘରୋଇ ଟିଉସନ୍ କରି ନିଜର ଗୁଜୁରାଣ ମେଣ୍ଟାଉଥିବା କେତେକ ବ୍ୟକ୍ତି ବିଶେଷ ନିଜ ସାମର୍ଥ୍ୟ ବାହାରେ ଘରୋଇ ସ୍କୁଲ୍ ଖୋଲି ଗୁଡ଼ାଏ ମିଥ୍ୟାଶ୍ରୟୀ ପ୍ରଲୋଭନ, ଅତିରଞ୍ଜିତ ପ୍ରବଞ୍ଚନା ମାଧ୍ୟମରେ ସଂପ୍ରତି ଶିଶୁ କିଶୋର ଛାତ୍ର ଛାତ୍ରୀଙ୍କ ପିତାମାତା ଅବା ଅଭିଭାବକ ମାନଙ୍କୁ ଆକୃଷ୍ଟ କରାଇ ମୋଟା ଅଙ୍କର ଅର୍ଥ ରାଶି ଲୁଟିବାରେ ବ୍ୟସ୍ତ। ପିଲାଙ୍କର ପଠନ ପ୍ରକ୍ରିୟା ଜାତୀୟ, ଆନ୍ତର୍ଜାତୀୟ ଅଥବା ବିଶ୍ଵ ସ୍ତରୀୟ ବ୍ୟବସ୍ଥା ଉପଲବ୍ଧ ଥିବାର ମିଥ୍ୟା ପ୍ରତିଶୃତିରେ ପ୍ରଲୁବ୍ଧ ଅଭିଭାବକ ମାନଙ୍କ ଅବସ୍ଥା ଠିକ୍ ଦୀପ ରୁଖା ଉପରକୁ ଚଢୁଥିବା ପିମ୍ପୁଡ଼ି ପରି। ଆଉମଧ୍ୟ ଅଳ୍ପ ଶିକ୍ଷିତ / ଅର୍ଦ୍ଧ ଶିକ୍ଷିତ ବ୍ୟକ୍ତି ନିଜ ସାମର୍ଥ୍ୟ ଠାରୁ ଢେର ବେଶୀ ଅର୍ଥରାଶି ପ୍ରାପ୍ତ ହେବା ଏବଂ ନିଜେ ଇଂରାଜୀ, ହିନ୍ଦୀ, ଅନ୍ୟଭାଷା ଜାଣି ନଥିବା କିମ୍ବା ଲେଖି ପଢ଼ି ପାରୁନଥିବା ବେଳେ ନିଜକୁ ଆନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ର ସର୍ବମୟ କର୍ତ୍ତା ବୋଲି ପରିଚୟ ଦେବା ମଧ୍ୟ ଅନୁରୂପ ପିମ୍ପୁଡ଼ିର ଦୀପ ରୁଖା ଉପରେ ଚଢ଼ି ସ୍ବର୍ଗ ଆଉ ମାତ୍ର ଦି’ ଆଙ୍ଗୁଳି ଭାବିବା ସହିତ ସମାନ।

ଏଭଳି ବ୍ୟକ୍ତି ବିଶେଷଙ୍କୁ ଅନୁଧ୍ୟାନ କଲେ ସେମାନଙ୍କ ମନ ଭିତରେ ଅହଙ୍କାର ବସା ବାନ୍ଧି ଥିବାର ଲକ୍ଷ୍ୟ କରାଯାଇ ପାରେ। ଯେତେ ନିଜସ୍ଵ ଶିକ୍ଷାଗତ ଜ୍ଞାନ ଗରିମାର ମିଥ୍ୟା ପ୍ରଦର୍ଶନ କଲେ ମଧ୍ୟ ଆଚରଣ ସ୍ୱଭାବରେ କେବେ କେବେ ସେମାନଙ୍କର ବାସ୍ତବ ଅଳ୍ପ ବିଦ୍ୟାର ପ୍ରମାଣ ମିଳିଯାଏ। ନିଜର ଏପରି ଅସ୍ବାଭାବିକ ପ୍ରଦର୍ଶନ ପାଇଁ ବେଳେ ବେଳେ ଏମାନଙ୍କୁ ଲଜ୍ଜିତ ହେବା ସହ ଘୋର ଅପମାନର ଶିକାର ହେବାକୁ ପଡ଼େ। ଠିକ୍ ଯେମିତି ରୁଖା ଉପରେ ଥାଇ ନିଜ ଠାରୁ ଆକାଶର ଦୂରତ୍ଵ ମାପିବାରେ ପିମ୍ପୁଡ଼ିର ଅଦୂରଦର୍ଶୀତା ପ୍ରକାଶ ପାଏ।

ଅତଏବ, ଏଭଳି ଅନେକ ଘଟଣା କ୍ରମରେ ଆମେ “ପିମ୍ପୁଡ଼ି ଦୀପରୁଖା ଉପରକୁ ଚଢ଼ି ସ୍ବର୍ଗ ଆଉ ଦି’ ଆଙ୍ଗୁଳି” ଅଛି ବୋଲି ଭାବିବାର ଅସଂଖ୍ୟ ଉଦାହରଣ ପାଇ ପାରିବା । ହେଲେ, ଆମର ପୂର୍ବଜ ମାନଙ୍କ ଦ୍ଵାରା ଉଦ୍ଭୂତ ଏହି ଲୋକମୁଖରେ ପ୍ରଚଳିତ ପ୍ରବାଦଟି ଏକ ନୈତିକ ମାର୍ଗଦର୍ଶିକା ଭାବେ ସର୍ବଜନ ସ୍ଵୀକୃତ। ମାତ୍ରାଧିକ ଆତ୍ମବିଶ୍ବାସ, ନିଜସ୍ଵ ସ୍ୱଳ୍ପ ସାମର୍ଥ୍ୟ / ଦକ୍ଷତାର ଅବମୂଲ୍ୟାୟନ, ବେପରୁଆ ନିଷ୍ପତ୍ତି, ଅଯଥା ଗର୍ବ – ଅହମିକା, ସମ୍ଭାବ୍ୟ ବିପତ୍ତି ପ୍ରତି ହେୟଜ୍ଞାନ କରୁଥିବା ମଣିଷ ପ୍ରତି ଏହା ଏକ ଚେତାବନୀ ସଦୃଶ।

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

ଚିହ୍ନ
Literature

ଚିହ୍ନ

by ପ୍ରଭୁକଲ୍ୟାଣ ମହାପାତ୍ର
October 13, 2026

ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୩ ଅକ୍ଟୋବର ୨୦୨୬ କିଛି ଚିହ୍ନ ଲିଭିଯାଏ ସମୟ ସୁଅରେ ଆଉ କିଛି ନିଶ୍ଚିହ୍ନ ହୁଏ ଅଳ୍ପ ଦିନରେ ବାକି କିଛି ଲିଭିବାକୁ...

Read more
ନିଆରା ମଣିଷ : ଶରତ ବାବୁ

ନିଆରା ମଣିଷ : ଶରତ ବାବୁ

October 12, 2026
ଅଦ୍ବିତୀୟ ଶରତ

ଅଦ୍ବିତୀୟ ଶରତ

October 12, 2026
ଉତ୍କଳ ମଣି ଗୋପବନ୍ଧୁ ଦାସ

ଉତ୍କଳ ମଣି ଗୋପବନ୍ଧୁ ଦାସ

October 9, 2026
ଚାକିରି

ଚାକିରି

October 6, 2026
ମନେ ପଡେ ଆଜି ଦିନ

ମନେ ପଡେ ଆଜି ଦିନ

October 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.