ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୪ ଡିସେମ୍ବର ୨୦୨୫
ସରି ସରି ଆସୁଛି ପୁରୁଣା ବର୍ଷ, ଆସିବାକୁ ଯାଉଛି ନୂଆବର୍ଷ। ଏବେ ଚାରିଆଡ଼େ ଭୋଜିଭାତର ଆସର। ଏଭଳି ଏକ ସମୟରେ ଗତ ନିର୍ଵାଚନରେ ହାରିଯାଇଥିବା ବିଜେଡିର ନେତାମାନେ ଆୟୋଜନ କରିଥିଲେ ଏକ ବଣଭୋଜି। ବିଜେଡି ନେତାଙ୍କ ବଣଭୋଜି ଖବର ପାଇ ପ୍ରମୁଖ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଆରମ୍ଭ କରିଦେଇଥିଲେ ଚର୍ଚ୍ଚା ଆଲୋଚନା ଓ ଏହାକୁ ରୂପ ଦେଇଥିଲେ ଏକ ମେଳିର। ତେବେ ଗତ ନିର୍ବାଚନରେ ହାରିଯାଇଥିବା ନେତା ମାନଙ୍କର ଏହି ମେଳି ପଛର ଉଦ୍ଦେଶ୍ୟ କ’ଣ ହୋଇଥାଇପାରେ ? କାହିଁକି ରାଜଧାନୀ ଉପକଣ୍ଠରେ ଏହି ଭୋଜିଭାତ ଆୟୋଜନ କରା ଯାଇଥିଲା ? ଏହି ଭୋଜିଭାତ ଆୟୋଜନ ପଛରେ କିଏ ? ଏପରି ଅନେକ ପ୍ରଶ୍ନ ଏବେ ବିଜେଡି ଭିତରେ ଆଲୋଚନା ହେଉଛି।
ବିଜେଡିର ଏହି ବନ୍ଧୁ ମିଳନରେ ପାଖାପାଖି ୫୦ ରୁ ଅଧିକ ନେତା ଏକାଠି ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଅନେକ ବରିଷ୍ଠ ନେତା ମାନଙ୍କର ଉତ୍ତରାଧିକାରୀ ଭାବେ ବିଜେଡି ରାଜନୀତିକୁ ଆସିଥିବା ପରିବାରର ସଦସ୍ୟ ମାନେ, ଯେଉଁମାନେ ଗତ ସାଧାରଣ ନିର୍ବାଚନରେ ହାରି ଯାଇଛନ୍ତି ଓ ଏବେ ବି ଦଳରେ ସେମାନଙ୍କୁ ଗୁରୁତ୍ୱ ମିଳିନାହିଁ। ଏଣୁ ଦଳରେ ଗୁରୁତ୍ୱ ବଢ଼ାଇବା ସହ ଚାପି ସୃଷ୍ଟି କରିବାକୁ ଯୋଜନା କରି ଏଭଳି ମେଳିର ଆୟୋଜନ କରାଯାଇଥିଲା ବୋଲି ଶୁଣିବାକୁ ମିଳୁଛି। ଏହି ମେଳିକୁ ଭଣ୍ଡୁର କରିବାକୁ କିଛି ପାଣ୍ଡିଆନ ପନ୍ଥୀ ନେତା ମଧ୍ୟ ବିନା ନିମନ୍ତ୍ରଣରେ ଏହି ଭୋଜିଭାତରେ ଯୋଗ ଦେବାପାଇଁ ଚାଲି ଆସିଥିଲେ। ତେବେ ଯାହା ବି ହେଉ ୫୦ରୁ ଅଧିକ ନେତା ଏହି ବନ୍ଧୁ ମିଳନରେ ସାମିଲ ହୋଇଥିବା ଖବର ମିଳିଛି।
ଏହାର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ଯଦି ବୁଝିବାକୁ ଚେଷ୍ଟା କରାଯାଏ, ତେବେ ବିଶ୍ୱସ୍ତ ସୂତ୍ରରୁ ଶୁଣିବାକୁ ମିଳୁଥିବା ଖବର ଅନୁସାରେ ନିର୍ବାଚନରେ ହାରିବା ପରେ ଦଳରେ କୋଣଠେସା ହୋଇ ରହିଥିବା ଯୁବ ନେତାମାନେ ଦଳ ସୁପ୍ରିମୋଙ୍କ ଉପରେ ଚାପ ପକାଇବା ପାଇଁ ଏପରି ମେଳିର ଆୟୋଜନ କରିଛନ୍ତି। ଏପରିକି ଏହି ଆୟୋଜନ ପଛରେ କାଳେ ପାଣ୍ଡିଆନ ବିରୋଧୀ ଶକ୍ତିମାନେ ସହଯୋଗ କରିଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ଦଳର ପ୍ରତିଷ୍ଠା ଦିବସରେ ପାଣ୍ଡିଆନ ବା ତାଙ୍କ ପତ୍ନୀଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଦଳ ସଭାପତି ନବୀନ ପଟ୍ଟନାୟକ କରିଦେଇପାରନ୍ତି ବୋଲି ସେହି ଆଶଙ୍କାରେ ଦଳର ସଭାପତିଙ୍କ ନିଷ୍ପତ୍ତିରେ ଅଙ୍କୁଶ ଲଗାଇବା ପାଇଁ ଯୁବ ନେତାମାନଙ୍କୁ ଏକାଠି କରି ଦଳର କିଛି ପ୍ରଭାବଶାଳୀ ଓ ବରିଷ୍ଠ ନେତା ଏପରି ଭୋଜିଭାତ ଆୟୋଜନ କରିଥିବା ଶୁଣିବାକୁ ମିଳୁଛି।
ଆଉ ଯଦି ଏହା ସତ ହୋଇଥାଏ ତେବେ ନବୀନ ପଟ୍ଟନାୟକଙ୍କ ଉପରେ ଚାପ ପ୍ରୟୋଗ କରି ପାଣ୍ଡିଆନ ଦମ୍ପତିଙ୍କୁ କ୍ଷମତାଶାଳୀ ନକରିବା ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ନୁହେଁ ତ ? ଏହି ରଣନୀତି ପଛରେ ପାଣ୍ଡିଆନଙ୍କୁ ବିରୋଧ କରୁଥିବା ଏବଂ ପାଣ୍ଡିଆନଙ୍କ ବଦଳରେ ନିଜେ ପ୍ରଭାବଶାଳୀ ହେବାକୁ ଚେଷ୍ଟା କରୁଥିବା କିଛି ବରିଷ୍ଠ ନେତା ଏପରି ମେଳି ଆୟୋଜନ କରିନାହାନ୍ତି ତ ? ତେବେ ପ୍ରକୃତ କାରଣ ଯାହା ହୋଇଥାଉ ନା କାହିଁକି, ରାଜଧାନୀ ଉପକଣ୍ଠରେ ଏକାଠି ହେବା, ୫୦ରୁ ଅଧିକ ନେତା ଏଥିରେ ଯୋଗ ଦେବା ଓ ଗଣମାଧ୍ୟମକୁ ଡାକି ଏ ଖବରକୁ ପ୍ରଚାର ପ୍ରସାର କରାଇବା ଆଦି ଘଟଣା ଭଲ ଭାବେ ସ୍ପଷ୍ଟ କରୁଛି ଯେ, କିଛି ନେତା ଦଳର ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ପରେ ନେବା ପାଇଁ ଏହି ଯୁବ ନେତାଙ୍କ ମାଧ୍ୟମରେ ଉଦ୍ୟମ ଆରମ୍ଭ କରିଛନ୍ତି ଓ ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ମଧ୍ୟ ଏକାଠି ହେବାର ଏକ ବଡ଼ ସଂକେତ ଦେଇଛନ୍ତି।






