ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୬ ସେପ୍ଟେମ୍ବର ୨୦୨୬
ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ଆଇଏଏସ୍ ଅଧିକାରୀ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଯାତ୍ରା ସମ୍ପର୍କିତ ଅଭିଯୋଗ ନେଇ ଦାଖଲ ହୋଇଥିବା କ୍ରିମିନାଲ ରିଭିଜନ୍ ପିଟିସନ୍ ଖାରଜ ହୋଇଛି। ଏହା ପରେ ସ୍ୱାଭାବିକ ଭାବେ ଏହି ରାୟକୁ ନେଇ ରାଜନୈତିକ ତର୍କ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି—କୋର୍ଟଙ୍କ ରାୟରେ ଯାହା କୁହାଯାଇଛି, ସେତିକି ହିଁ ବୁଝିବା ପାଇଁ ଯଥେଷ୍ଟ, ତା’ଠାରୁ ଅଧିକ ଅର୍ଥ ବାହାର ନକରିବା ଭଲ।
କୋର୍ଟ ମୂଳ ଅଭିଯୋଗକୁ ନେଇ ଏକ ଫୁଲ୍-ଫ୍ଲେଜ୍ଡ ଟ୍ରାଏଲ୍ କରିନାହାନ୍ତି। ପ୍ରଶ୍ନ ଥିଲା—ଅଭିଯୋଗକାରୀ ଯେଉଁ ଭାବରେ ମାମଲା ଆଣିଛନ୍ତି, ସେଥିରେ ଏକ prima facie ଅପରାଧ ସଂଗଠିତ ହେଉଛି କି, ଆବଶ୍ୟକ ପ୍ରମାଣ ଅଛି କି ଏବଂ ଆଇନରେ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପାଳନ ହୋଇଛି କି? କୋର୍ଟର ଉତ୍ତର ଥିଲା—”ନା’ । ଏହିଠାରୁ ହିଁ ଏକ ବଡ଼ ଦ୍ଵନ୍ଦ ସୃଷ୍ଟି ହୋଇଛି। ମାମଲା ଚାଲିବା ଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ଏବଂ ଅଭିଯୋଗ ମିଥ୍ୟା ବୋଲି କୋର୍ଟ କହିବା,ସମାନ କଥା ନୁହେଁ। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ କୋର୍ଟଙ୍କ ରାୟ ବାବଦରେ ଯାହା ଉଲ୍ଲେଖ କରାଯାଇଛି ତାହା ମଧ୍ୟ ଠିକ ନୁହେଁ, କାରଣ କେତେକ ଗଣମାଧ୍ୟମରେ ନବୀନ ଓ ପାଣ୍ଡିଆନଙ୍କୁ ନିର୍ଦ୍ଦୋଷ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଛି। ଯେଉଁମାନେ “କ୍ଲିନ୍ ଚିଟ୍’ ଶବ୍ଦଟି ବ୍ୟବହାର କରିଛନ୍ତି ତାହା କାହିଁକି ଭୁଲ୍ ଅର୍ଥ ସୃଷ୍ଟି କରୁଛି ? ପ୍ରଥମେ କୋର୍ଟଙ୍କ ରାୟର ସୀମା ବୁଝିବା ଦରକାର। ଅଭିଯୋଗକାରୀ ସୁଧୀର ଚରଣ ମହାନ୍ତି ଦାବି କରିଥିଲେ ଯେ ପୂର୍ବତନ ସରକାର ସମୟରେ ପ୍ରାୟ ୩୦୦ଥର ହେଲିକପ୍ଟର ଯାତ୍ରା ପାଇଁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ସେଥିରେ ସରକାରୀ ଅର୍ଥ ଓ ଅନ୍ୟାନ୍ୟ ଅଘୋଷିତ ଉତ୍ସର ଟଙ୍କା ବ୍ୟବହାର ହୋଇଥିବା ଅଭିଯୋଗ ଥିଲା। କିନ୍ତୁ କୋର୍ଟ ଏହି ୫୦୦ କୋଟି ଟଙ୍କାର ଅଙ୍କକୁ ନେଇ କୌଣସି ବିସ୍ତୃତ ଆର୍ଥିକ ଅଡିଟ୍ କରି ନାହାଁନ୍ତି। କେତେ ଥର ହେଲିକପ୍ଟର ଉଡ଼ିଥିଲା ? ପ୍ରତ୍ୟେକ ଯାତ୍ରାରେ ଖର୍ଚ୍ଚ କେତେ ହୋଇଥିଲା ? କିଏ ଏହାର ବିଲ୍ ଦେଇଥିଲା ? କେଉଁ ବିଭାଗ ଟଙ୍କା ଦେଇଥିଲା ? କାହା ଅନୁମୋଦନରେ ପାଣ୍ଡିଆନ ଯାତ୍ରା କରିଥିଲେ ? ଏସବୁ ପ୍ରଶ୍ନର ଏକ ବିସ୍ତୃତ ବିବରଣୀ ଦିଆ ଯାଇନାହିଁ। ତେଣୁ “ପାଣ୍ଡିଆନ୍ ହେଲିକପ୍ଟର ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ” ବୋଲି କହିବା ରାୟର ପରିସରଠାରୁ ଅଧିକ ଦୂରକୁ ଯିବା ପରି ହୋଇଛି।
କୋର୍ଟଙ୍କ ରାୟର ପ୍ରକୃତ ଅର୍ଥଟି ହେଉଛି—“ଏହି ଅଭିଯୋଗ ଉପରେ ଦାଖଲ ହୋଇଥିବା ନିର୍ଦ୍ଦିଷ୍ଟ ପିଟିସନ୍ ଆଇନଗତ ଓ ପ୍ରମାଣଗତ ଆବଶ୍ୟକତା ପୂରଣ କରିପାରିନଥିବାରୁ ଖାରଜ ହୋଇଛି।” ଏହି ମାମଲାରେ ଅଭିଯୋଗକାରୀଙ୍କ ପକ୍ଷରୁ କିଛି ମୌଳିକ ତ୍ରୁଟି ହୋଇଥିବା କୋର୍ଟ ଦର୍ଶାଇଛନ୍ତି। ଏହି ମାମଲାରେ ସବୁଠାରୁ ବଡ଼ ଦୁର୍ବଳତା ଥିଲା ଅଭିଯୋଗ ଆଧାରିତ ତଥ୍ୟ ପ୍ରମାଣର ଅଭାବ। କୋର୍ଟ କହିଛନ୍ତି ଯେ ଅଭିଯୋଗକାରୀ ଏପରି ଗୋଟିଏ ମଧ୍ୟ ଦସ୍ତାବିଜ କିମ୍ବା ତଥ୍ୟ ଦାଖଲ କରିନଥିଲେ, ଯାହା ଆଧାରରେ ପ୍ରାଥମିକ ଦୃଷ୍ଟିରେ କୌଣସି ଭାବେ ବଡ଼ ଅପରାଧ ଘଟିଥିବା କଥା ବୁଝାଯାଇପାରିବ।
ଅଭିଯୋଗକାରୀ ଜଣକ RTI ମାଧ୍ୟମରେ ମିଳିଥିବା ତଥ୍ୟ ଓ ସାକ୍ଷୀଙ୍କ ତଥ୍ୟ ଉପରେ ନିର୍ଭର କରିଥିବା କହିଥିଲେ। କିନ୍ତୁ ସେହି RTI ଦସ୍ତାବିଜ କିମ୍ବା ମାମଲା ସମ୍ପର୍କିତ କୌଣସି ପ୍ରାମାଣିକ ତଥ୍ୟ କୋର୍ଟରେ ଦାଖଲ ହୋଇନଥିବା କଥା କୋର୍ଟଙ୍କ ନିର୍ଦ୍ଦେଶରୁ ବୁଝାପଡୁଛି। ଏହା ଏକ ମୌଳିକ ଆଇନଗତ ଶିକ୍ଷା ଯେ, ଅଭିଯୋଗ ଯେତେ ବଡ଼, ପ୍ରମାଣର ଆବଶ୍ୟକତା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସେହିପରି ୩୦୦ ଥର ଯାତ୍ରା ଓ ୫୦୦ କୋଟି ଖର୍ଚ୍ଚର ଆଧାର କ’ଣ ? ୩୦୦ ଥର ଯାତ୍ରା ହୋଇଛି ବୋଲି କାହାର ହିସାବ କହୁଛି ? ୫୦୦ କୋଟି ଟଙ୍କା ଖର୍ଚ୍ଚର କିପରି ହିସାବ କିଏ ଦେଲା ? କାହାଠାରୁ ହେଲିକପ୍ଟର ଅଣା ଯାଇଥିଲା ? ହେଲିକପ୍ଟର ବିଲ୍ କୁଆଡ଼େ ଗଲା ? ଏହି ବିଲ୍ କିଏ ପୈଠ କରିଛି ? ବିଲ୍ ଅର୍ଥ ପୈଠ କରିବାକୁ କିଏ ଅନୁମତି ଦେଇଥିଲେ ? ସରକାରଙ୍କ କେଉଁ ବିଭାଗ ଏହି ଅନୁମତି ଦେଇଛନ୍ତି ? ଏସବୁର ତଥ୍ୟ ଓ ପ୍ରମାଣ ଥିଲେ ଅଭିଯୋଗ କାରୀଙ୍କ ଅଭିଯୋଗ ଅଧିକ ମଜବୁତ ହୋଇପାରିଥାନ୍ତା। କିନ୍ତୁ କୋର୍ଟଙ୍କ ରାୟ ଅନୁସାରେ ଏଭଳି କିଛି ତଥ୍ୟ ଓ ପ୍ରମାଣ ଦିଆ ଯାଇନାହିଁ। ଫଳରେ ଅଭିଯୋଗ “omnibus”, ଅର୍ଥାତ୍ ବ୍ୟାପକ ଓ ଏକ ସାଧାରଣ ଅଭିଯୋଗ ଭାବେ ଦେଖାଗଲା। ଏହି ମାମଲାର ଆଉ ଏକ ବଡ଼ ଦୁର୍ବଳତା ଥିଲା BNSS Section 173(4) ସମ୍ପର୍କିତ ପ୍ରକ୍ରିୟା। ପୋଲିସ ଥାନାରେ FIR ରୁଜୁ ନହେଲେ, ଆଇନରେ ନିର୍ଦ୍ଦିଷ୍ଟ ତଥା ପରବର୍ତ୍ତୀ ପଦକ୍ଷେପ ରହିଛି। କୋର୍ଟଙ୍କ ମତ ଅନୁସାରେ ଅଭିଯୋଗକାରୀ ଅଭିଯୋଗ ଦେବାର ଦିଗ ପ୍ରତି ସଚେତନ ନଥିଲେ। ଡିସିପିଙ୍କୁ ଦିଆଯାଇଥିବା ସୂଚନାରେ ମଧ୍ୟ ଦ୍ଵନ୍ଦ ଥିଲା ଏବଂ ମୂଳ ଅଭିଯୋଗର ଆଧାର ଠିକ୍ ଭାବେ ରହିନଥିଲା। ଏହାକୁ ଡାକ ମାଧ୍ୟମରେ ପଠାଇବା ସମ୍ପର୍କିତ ଆବଶ୍ୟକତା ମଧ୍ୟ ପୂରଣ ହୋଇନଥିବା କୋର୍ଟ ଦର୍ଶାଇଛନ୍ତି। ଅର୍ଥାତ୍ ଅଭିଯୋଗକୁ ପ୍ରମାଣ କରିବା ପାଇଁ ଯିବା ପୂର୍ବରୁ ହିଁ ପ୍ରକ୍ରିୟାରେ ତ୍ରୁଟି ରହିଗଲା। କୋର୍ଟ ଆଉ ଏକ ମୁଖ୍ୟ ପ୍ରଶ୍ନ ଉଠାଇଛନ୍ତି, ତାହା ହେଉଛି,ଅଭିଯୋଗକାରୀ ଏହି ନିର୍ଦ୍ଦିଷ୍ଟ ଆଇନଗତ ପ୍ରାବଧାନ ଅନୁସାରେ ଏଭଳି ଅଭିଯୋଗ କରିବାର locus standi ରଖୁଥିଲେ କି ? କୋର୍ଟଙ୍କ ମତ ଥିଲା ଯେ ଅଭିଯୋଗରେ ଲଗାଯାଇଥିବା ଦଣ୍ଡନୀୟ ଧାରା ଗୁଡ଼ିକ Section 33 BNSS ର ସେହି ଶ୍ରେଣୀ ସହ ଖାପ ଖାଉ ନଥିଲା। ଏହା ମଧ୍ୟ ଏହି ମାମଲାର ଏକ ବୈଷୟିକ ତ୍ରୁଟି।ତେବେ ଅଭିଯୋଗକାରୀ ସରକାରକୁ କାହିଁକି ପକ୍ଷଭୁକ୍ତ କଲେ ନାହିଁ, ଏଭଳି ପ୍ରଶ୍ନ ମଧ୍ୟ ଉଠିବା ସ୍ୱାଭାବିକ ।
କୋର୍ଟଙ୍କ ରାୟରେ ଯେଉଁ କାରଣଗୁଡ଼ିକ ଦର୍ଶା ଯାଇଛି, ସେଗୁଡ଼ିକ ହେଉଛି—ପ୍ରମାଣର ଅଭାବ, Section 173(4) ର ଅନୁପାଳନ ନହେବା ଓ locus standi ସମସ୍ୟା ଆଦି ପ୍ରମୁଖ ଭାଗରେ ରହିଛି। ଯଦି ଅଭିଯୋଗର କେନ୍ଦ୍ରବିନ୍ଦୁ ସରକାରୀ ଅର୍ଥ ଓ ସରକାରୀ ବ୍ୟବସ୍ଥାର ବ୍ୟବହାର, ତେବେ ସେହି ଅର୍ଥର ମୂଳ ରେକର୍ଡ କେଉଁଠି? ସରକାରୀ ରେକର୍ଡରୁ ଜଣାପଡ଼ିପାରେ—କେତେ ଟଙ୍କା ଖର୍ଚ୍ଚହୋଇଥିଲା;କେଉଁ ସଂସ୍ଥାକୁ ହେଲିକପ୍ଟର ଯାତ୍ରାର ଖର୍ଚ୍ଚ ଦିଆଯାଇଛି; କେଉଁ ଅଧିକାରୀ ଅନୁମୋଦନ ଦେଇଥିଲେ; ଏହି ଯାତ୍ରା ସରକାରୀ ଥିଲାକି; ସର୍ବୋପରି ଯାତ୍ରାର ଖର୍ଚ୍ଚ କିଏ ବହନ କରିଥିଲା ? ଏହି ଦସ୍ତାବିଜ ସାମ୍ନାକୁ ଆସିଲେ ରାଜନୈତିକ ଅଭିଯୋଗ ଓ ବାସ୍ତବ ତଥ୍ୟ ମଧ୍ୟରେ ତଫାତ୍ ସ୍ପଷ୍ଟ ହୋଇପାରିବ। ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନର ସରକାର ଏ ବାବଦରେ ନିରବ କାହିଁକି ? କ୍ଷମତାକୁ ଆସିବା ପୂର୍ବରୁ ବିଜେପିର ପ୍ରତିଶ୍ରୁତି ଥିଲା ଯେ, ଯଦି ବିଜେପି ସରକାର ଗଠନ କରେ ତେବେ ପାଣ୍ଡିଆନଙ୍କ ସମସ୍ତ ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିବ, ମାତ୍ର ଏପର୍ଯ୍ୟନ୍ତ ବର୍ତ୍ତମାନର ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଉନାହାଁନ୍ତି ଅବା ଏନେଇ ସ୍ପଷ୍ଟ ଉତ୍ତର ରଖୁନାହାଁନ୍ତି। ରାଜନୈତିକ ଦାବିର ଉତ୍ତର ଆଉ ଏକ ରାଜନୈତିକ ଦାବି ନୁହେଁ; ଦସ୍ତାବିଜ ହିଁ ସବୁଠାରୁ ଶକ୍ତିଶାଳୀ ଉତ୍ତର। ରାଜ୍ୟର ଜନସାଧାରଣ ଏ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଆଗ୍ରହୀ ଅଛନ୍ତି।
ଅପର ପକ୍ଷରେ ପାଣ୍ଡିଆନଙ୍କ ପାଇଁ ଏହି ରାୟର ପ୍ରକୃତ ଅର୍ଥ କ’ଣ ? ନିଶ୍ଚିତ ଭାବେ ଏହି ରାୟ ତାଙ୍କ ପାଇଁ ଆଇନଗତ ଭାବରେ ଏକ ସାମୟିକ ଆଶ୍ୱସ୍ତି। ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଏବେ ଜିଲ୍ଲା ଅଦାଲତ ସ୍ତରରେ ଖାରଜ ହୋଇଛି। ତାଙ୍କ ବିରୋଧରେ ଏହି ଅଭିଯୋଗ ଆଧାରରେ କୌଣସି ପ୍ରମାଣ ଯୋଗ୍ୟ ତଥ୍ୟ ଆବେଦନକାରୀ ଦାଖଲ କରି ନପାରିବାରୁ ମାମଲା ଶୁଣାଣି ପାଇଁ ଯୋଗ୍ୟ ହୋଇ ପାରିଲା ନାହିଁ, ମାତ୍ର ପରବର୍ତ୍ତୀ ସମୟରେ ଏହି ଘଟଣାରେ ପୁଣି ମାମଲା ଉପର ଅଦାଲତରେ ନହେବ ତାହା କିଏ କହିବ ? ତେଣୁ ସଠିକ୍ ଭାବରେ ବୁଝିବାକୁ ହେଲେ, “ଏହି ମାମଲାରେ ପାଣ୍ଡିଆନଙ୍କ ବିରୋଧରେ ଅପରାଧ ପ୍ରମାଣିତ ହୋଇନାହିଁ; କିନ୍ତୁ ଏହି ରାୟକୁ ସମଗ୍ର ହେଲିକପ୍ଟର ଖର୍ଚ୍ଚ ବିବାଦର ଶେଷ ବା ପାଣ୍ଡିଆନ ନିର୍ଦ୍ଦୋଷ ବୋଲି କହିବା ଉଚିତ ହେବ ନାହିଁ। ଏହି କାରଣରୁ ଏବେ ଦାୟିତ୍ୱ କେବଳ ଅଭିଯୋଗକାରୀଙ୍କର ନୁହେଁ; ସାର୍ବଜନୀନ ହିତରେ ସରକାରୀ ରେକର୍ଡକୁ ସାମ୍ନାକୁ ଆଣିବାର ଦାୟିତ୍ୱ ମଧ୍ୟ ବର୍ତ୍ତମାନର ସରକାରଙ୍କର ରହିଛି।
କେତେଥର ହେଲିକପ୍ଟର ଯାତ୍ରା ହୋଇଥିଲା ? ପ୍ରକୃତ ଖର୍ଚ୍ଚ କେତେ ହୋଇଥିଲା ? ଟଙ୍କା କିଏ ଦେଇଥିଲା ? କାହା ଅନୁମତିରେ ଖର୍ଚ୍ଚ ହୋଇଥିଲା? ଏହି ଚାରିଟି ପ୍ରଶ୍ନର ଦସ୍ତାବିଜଭିତ୍ତିକ ଉତ୍ତର ଯଦି ସାମ୍ନାକୁ ଆସେ, ତେବେ ‘ହେଲିକପ୍ଟର କେଳେଙ୍କାରୀ’ ଓ ‘ରାଜନୈତିକ ଅଭିଯୋଗ’—କେଉଁଟି ସତ୍ୟ, ତାହା ଆଉ ରାଜନୈତିକ ବିତର୍କର ବିଷୟ ହୋଇ ରହିବ ନାହିଁ। କୋର୍ଟ ଏକ ଦୁର୍ବଳ ପିଟିସନ୍କୁ ଖାରଜ କରିଛନ୍ତି। ଯଦି ସତରେ ସବୁକିଛି ସ୍ୱଚ୍ଛ ଥିଲା, ତେବେ ସରକାରୀ ରେକର୍ଡ ହିଁ ପାଣ୍ଡିଆନଙ୍କ ପାଇଁ ସବୁଠାରୁ ବଡ଼ ‘କ୍ଲିନ୍ ଚିଟ୍’ ହୋଇପାରିବ। ମାତ୍ର ଯେଉଁଭଳି ଭାବେ କୋର୍ଟଙ୍କ ରାୟକୁ କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିଜେଡିର ଆଇଟି ସେଲ ପକ୍ଷରୁ ପ୍ରଚାର କରିବାକୁ ଚେଷ୍ଟା କରାଗଲା ଯେ ଏହି ମାମଲାରେ “ପାଣ୍ଡିଆନ ନିର୍ଦ୍ଦୋଷ” , ତାହା ଅଧିକ ଭାବେ ପ୍ରମାଣିତ କଲା ଯେ ପାଣ୍ଡିଆନଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ବିଜେଡିର ଏହା ଏକ ସୁଚିନ୍ତିତ ତଥା ପ୍ରାୟୋଜିତ ଯୋଜନା ନୁହେଁ ତ ?






