• About
  • Contact
Thursday, September 3, 2026
Thursday, September 3, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୩ ସେପ୍ଟେମ୍ବର ୨୦୨୬

ଓଡ଼ିଶା ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରି ଭାରତୀୟ ଜନତା ପାର୍ଟି (ବିଜେପି) ଯେତେବେଳେ ରାଜ୍ୟରେ ନିଜର ଏକାକୀ ସରକାର ପ୍ରତିଷ୍ଠା କଲା, ସେତେବେଳେ ଜନସାଧାରଣ ଆଶା କରିଥିଲେ ଯେ ଦୀର୍ଘ ଦିନର କ୍ଷମତା ଶୂନ୍ୟତା ଏବଂ ଆଞ୍ଚଳିକ ଅବହେଳାର ଅନ୍ତ ଘଟିବ। କିନ୍ତୁ ସରକାର ଗଠନର କିଛି ମାସ ଭିତରେ ଦଳ ଭିତରୁ ଯେଉଁ କ୍ଷମତା ଲୋଭ, ଅହଂକାର ଏବଂ ପଦପଦବୀ ପାଇଁ ଅନ୍ତର୍ଦ୍ବନ୍ଦ୍ବର ଚିତ୍ର ସାମ୍ନାକୁ ଆସିଛି, ତାହା ଏବେ କେବଳ ରାଜନୈତିକ କରିଡ଼ରରେ ନୁହେଁ, ବରଂ ସାଧାରଣ ଲୋକଙ୍କ ଭିତରେ ଆଲୋଚନା ହେଉଛି। ଏହି ବିବାଦ ଏବେ କେବଳ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ରେ ସୀମିତ ନ ରହି ଦକ୍ଷିଣ ଓଡ଼ିଶାର ଗଞ୍ଜାମ ପର୍ଯ୍ୟନ୍ତ ବ୍ୟାପି ଗଲାଣି। ପଶ୍ଚିମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ହେଭିୱେଟ୍ ନେତା ଦିଲୀପ ରାୟଙ୍କ ମଧ୍ୟରେ ଚାଲିଥିବା ଖୋଲା ଲଢ଼େଇ ଏବଂ ଦକ୍ଷିଣରେ ମନ୍ତ୍ରୀ ବିଭୂତି ଜେନା ଓ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଶିବିର ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଓଡ଼ିଶା ବିଜେପିର ସଂଗଠନକୁ ଭିତରୁ ଦୁର୍ବଳ କରିବାର ଆଶଙ୍କା ସୃଷ୍ଟି କଲାଣି।

ଓଡ଼ିଶା ବିଜେପିର ଏହି ଆଭ୍ୟନ୍ତରୀଣ ଅଶାନ୍ତିର ମୂଳଦୁଆ ପଡ଼ିଛି ପଶ୍ଚିମ ଓଡ଼ିଶାର ବିଜେପି ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ ଓ ରାଉରକେଲା ଅଞ୍ଚଳରୁ। ଏଠାରେ ଦଳର ସର୍ବଭାରତୀୟ ସ୍ତରର ପ୍ରମୁଖ ଆଦିବାସୀ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଅନ୍ୟତମ ପ୍ରଭାବଶାଳୀ ହେଭିୱେଟ୍ ନେତା ଦିଲୀପ ରାୟଙ୍କ ମଧ୍ୟରେ କ୍ଷମତା ଓ ଆଧିପତ୍ୟ ଜାହିର କରିବାର ଅଦୃଶ୍ୟ ଲଢ଼େଇ ଦୀର୍ଘଦିନ ହେବ ଚାଲିଆସିଥିଲା।

ସମ୍ପ୍ରତି ରାଉରକେଲା ଅଞ୍ଚଳରେ ଜୁଏଲ ଓରାମଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କୁ ଏକ ସଙ୍ଗୀନ ମାମଲାରେ ଗିରଫ କରାଯିବା ଏବଂ ଏହାକୁ କେନ୍ଦ୍ର କରି ସ୍ଥାନୀୟ ରାଜନୀତିରେ ଯେଉଁ ଝଡ଼ ସୃଷ୍ଟି ହେଲା, ତାହା ଏହି ଅନ୍ତଃକନ୍ଦଳକୁ ପଦାରେ ପକାଇଦେଲା। ଜୁଏଲ ଓରାମ ସର୍ବସାଧାରଣରେ ଅଭିଯୋଗ ଆଣିଲେ ଯେ, ଦଳ ଭିତରେ ଥାଇ କିଛି ନେତା ତାଙ୍କର ରାଜନୈତିକ ପ୍ରତିଷ୍ଠାକୁ ଧୂଳିସାତ୍ କରିବା ପାଇଁ ପାଣିପରି ପଇସା ଖର୍ଚ୍ଚ କରୁଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ହଟାଇ ସେହି ସ୍ଥାନ ଦଖଲ କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଉଛି ବୋଲି ସେ ସିଧାସଳଖ ଇଙ୍ଗିତ କରିଥିଲେ, ଯାହାକି ସ୍ପଷ୍ଟ ଭାବେ ଦିଲୀପ ରାୟ ଏବଂ ତାଙ୍କ ସମର୍ଥକ ଗୋଷ୍ଠୀକୁ ଲକ୍ଷ୍ୟ କରିଥିଲା।

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଜୁଏଲ ଓରାମଙ୍କ କ୍ରୋଧାନ୍ୱିତ ବୟାନ ଏବଂ ତାଙ୍କର ଚେତାବନୀ—”ମୁଁ ଜଣେ ଆଦିବାସୀ ନେତା, ମତେ କେହି ତଳକୁ ଖସାଇ ପାରିବେ ନାହିଁ ଏବଂ ମୁଁ ପୁଣି ନିର୍ବାଚନରେ ଲଢ଼ିବି…”,” ଯିଏ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛି, ତା ହାତ କାଟିଦେବି,ଜାଳି ପୋଡ଼ି ଧ୍ୱଂସ କରିଦେବି…” ଏପରି ବୟାନ ଏବେ ରାଜ୍ୟ ବିଜେପି ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛି। କେବଳ ଗଣମାଧ୍ୟମରେ ଅଭିଯୋଗ ଆଣି ଜୁଏଲ୍ ଚୁପ୍ ରହି ନଥିଲେ, ବରଂ ସେ ରାଜ୍ୟ ବିଜେପି ସାଙ୍ଗଠନିକ ସମ୍ପାଦକଙ୍କୁ ଭେଟି ଦଳୀୟ ଫୋରମ୍‌ରେ ଏହାର ଲିଖିତ ଅଭିଯୋଗ ଦାଖଲ କରିଥିଲେ ଏବଂ ଆବଶ୍ୟକ ପଡ଼ିଲେ ଏହାକୁ ଦିଲ୍ଲୀର ହାଇକମାଣ୍ଡଙ୍କ ଦରବାରରେ ପହଞ୍ଚାଇବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ପଶ୍ଚିମ ଓଡ଼ିଶାର ଏହି ଆଭ୍ୟନ୍ତରୀଣ କନ୍ଦଳର ନିଆଁ ନ ଲିଭୁଣୁ , ଠିକ୍ ସେହି ସମୟରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବଂ ବିଶେଷକରି ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ହୋଇଥିବା ଏକ ରାଜନୈତିକ ସଭାରୁ ଆଉ ଏକ ଦଳୀୟ ଅଶାନ୍ତିର ଖବର ସାମ୍ନାକୁ ଆସିଛି। ରାଜ୍ୟର ଜଣେ ପ୍ରମୁଖ ମନ୍ତ୍ରୀ ବିଭୂତି ଜେନା ଏବଂ ଦକ୍ଷିଣ ଓଡ଼ିଶାର ପ୍ରଭାବଶାଳୀ ବିଜେପି ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟରେ କ୍ଷମତା ଓ କର୍ତ୍ତୃତ୍ୱ ଜାହିର କରିବାର ପ୍ରତିଯୋଗିତା ଏବେ ଖୋଲାଖୋଲି ରୂପ ନେଇଛି।

ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ସାଂଗଠନିକ ବୈଠକ ଏବଂ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସକୁ ନେଇ ଉଭୟ ନେତାଙ୍କ ସମର୍ଥକମାନେ ପରସ୍ପରଠାରୁ ଅଲଗା ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି। ନିକଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିବାକୁ ଦାବି କରିବା ସହ ପ୍ରଶାସନିକ ସ୍ତରରେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଅଣଦେଖା କରାଯାଉଥିବା ନେଇ ପରୋକ୍ଷରେ ପ୍ରଶ୍ନ ଉଠାଇଛନ୍ତି। ଯେତେବେଳେ ଶାସକ ଦଳର ଜଣେ ସାଂସଦ ନିଜ ସରକାରର କାର୍ଯ୍ୟପଦ୍ଧତି ଏବଂ ପ୍ରଶାସନିକ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାନ୍ତି, ସେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ ସଂଗଠନ ଭିତରେ ସବୁକିଛି ଠିକ୍ ଚାଲିନାହିଁ। ମନ୍ତ୍ରୀ ବିଭୂତି ଜେନା ଏବଂ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଏହି ଗୋଷ୍ଠୀଗତ ଦୂରତା ଦକ୍ଷିଣ ଓଡ଼ିଶାରେ ବିଜେପିର ଭବିଷ୍ୟତ ସଂଗଠନ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଯେତେବେଳେ ପ୍ରଶାସନିକ ସ୍ୱଚ୍ଛତା ଏବଂ ଦ୍ରୁତ ବିକାଶର ଦାବି କରୁଛି, ଠିକ୍ ସେହି ସମୟରେ ଦଳୀୟ ନେତାମାନଙ୍କ ଏଭଳି କ୍ଷମତା ଲଢ଼େଇ ସରକାରଙ୍କ ପ୍ରତିଛବିକୁ କ୍ଷୁର୍ଣ୍ଣ କରୁଛି। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅନ୍ୟାନ୍ୟ ଶୀର୍ଷ ନେତୃତ୍ୱ ଏହି ଆଭ୍ୟନ୍ତରୀଣ ବିବାଦକୁ ପ୍ରମୁଖତାର ସହ ନେଇ ସମାଧାନ କରିବାର ପ୍ରୟାସ ମଧ୍ୟ କରୁ ନାହାଁନ୍ତି। ରାଜ୍ୟ ବିଜେପିରେ ବ୍ୟକ୍ତିଗତ ମହତ୍ତ୍ୱାକାଂକ୍ଷା ଏବଂ ନିଜର ରାଜନୈତିକ ଅସ୍ତିତ୍ବ ବଜାୟ ରଖିବା ପାଇଁ ଯେଉଁ ପ୍ରତିଯୋଗିତା ଆରମ୍ଭ ହୋଇଛି, ତାହାକୁ କେବଳ କଥା କହି ବା ଦଳୀୟ ନୋଟିସ୍ ଦେଇ ନିୟନ୍ତ୍ରଣ କରିବା ସହଜ ହେବ ନାହିଁ।

ପଶ୍ଚିମ ଓଡ଼ିଶାରେ ଆଦିବାସୀ ଭୋଟ୍ ବ୍ୟାଙ୍କ ଏବଂ ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ଗଞ୍ଜାମର ରାଜନୈତିକ ସ୍ଥିରତା ଉପରେ ବିଜେପିର ସଫଳତା ବହୁ ପରିମାଣରେ ନିର୍ଭର କରେ। ଯଦି ଏହି ଦୁଇ ପ୍ରମୁଖ ଅଞ୍ଚଳରେ ଦଳର ଶୀର୍ଷ ନେତାମାନେ ପରସ୍ପର ବିରୋଧରେ ଲଢ଼େଇ ଜାରି ରଖନ୍ତି, ତେବେ ଏହାର ସିଧାସଳଖ ଲାଭ ବିରୋଧୀ ବିଜେଡି ଓ କଂଗ୍ରେସ ହିଁ ପାଇବେ। ଦଳର ଏହି ଆଭ୍ୟନ୍ତରୀଣ କନ୍ଦଳ କର୍ମୀମାନଙ୍କୁ ଆଜି ଦ୍ୱନ୍ଦ୍ୱରେ ପକାଇ ଦେଇଛି , ସେମାନେ କେଉଁ ନେତାଙ୍କ ପଛରେ ଠିଆ ହେବେ ତାହା ବୁଝିପାରୁନାହାଁନ୍ତି।

ରାଜନୀତିରେ ମହତ୍ତ୍ୱାକାଂକ୍ଷା ରହିବା ସ୍ୱାଭାବିକ, କିନ୍ତୁ ସେହି ମହତ୍ତ୍ୱାକାଂକ୍ଷା ଯେତେବେଳେ ଦଳୀୟ ଶୃଙ୍ଖଳା ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ଜଳାଞ୍ଜଳି ଦେବାକୁ ବସେ, ସେତେବେଳେ ତାହା ପତନର କାରଣ ପାଲଟିଥାଏ। ଓଡ଼ିଶା ବିଜେପି ପାଇଁ ଏବେ ଏହା ସବୁଠାରୁ ବଡ଼ ପରୀକ୍ଷାର ସମୟ। ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ଯଦି ଏହି ଆଭ୍ୟନ୍ତରୀଣ କନ୍ଦଳ ଓ ନେତା ମାନଙ୍କର ପରସ୍ପର ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇର କେନ୍ଦ୍ରବିନ୍ଦୁ ଗୁଡ଼ିକୁ ଚିହ୍ନଟ କରି କଠୋର ତଥା ସନ୍ତୁଳିତ ପଦକ୍ଷେପ ନ ନିଅନ୍ତି, ତେବେ ପଶ୍ଚିମରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ଅନ୍ତଃକନ୍ଦଳ ସରକାର ଏବଂ ସଂଗଠନକୁ ଭିତରୁ ଦୁର୍ବଳ କରିଦେବ। ଏପରିକି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ମଧ୍ୟ ରାଜ୍ୟ ବିଜେପିକୁ ଏହା ମହଙ୍ଗା ନପଡ଼ିବ ବୋଲି ଜୋର ଦେଇ କେହି କହି ପାରିବେ ନାହିଁ।

Nirvik Bureau

Nirvik Bureau

Related Posts

ବାବୁଙ୍କ ପାଇଁ ବଦନାମ୍…
Politics

ବାବୁଙ୍କ ପାଇଁ ବଦନାମ୍…

by Nirvik Bureau
August 17, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୭ ଅଗଷ୍ଟ ୨୦୨୬ ଗଲା କିଛିଦିନ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବେଶ ଚର୍ଚ୍ଚାରେ ରହିଛି। କେତେବେଳେ "ଫାଇଲ ଚୋରି" ପୁଣି କେତେବେଳେ...

Read more
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
ପୁଣି ୨୯ରେ ବୁଡ଼ାଇବ :  ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

ପୁଣି ୨୯ରେ ବୁଡ଼ାଇବ : ନବୀନଙ୍କ ଅଣ ଓଡ଼ିଆ ପ୍ରୀତି…

July 31, 2026
ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

July 22, 2026
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.