ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬
ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍ଶୋ କରୁଛନ୍ତି, ଶିଳ୍ପପତିଙ୍କୁ ଆମନ୍ତ୍ରଣ କରୁଛନ୍ତି, ନିବେଶ ପାଇଁ ଅନେକ ବଡ଼ ବଡ଼ ଘୋଷଣା ହେଉଛି। କିନ୍ତୁ ଏହି ସମସ୍ତ ଘୋଷଣାକୁ ଯଦି ଗୋଟିଏ ପାଖରେ ରଖି, ଭାରତ ସରକାରଙ୍କ DPIITର ବାସ୍ତବ ବିଦେଶୀ ପୁଞ୍ଜି ନିବେଶ ତଥ୍ୟକୁ ଅନ୍ୟ ପାଖରେ ରଖାଯାଏ, ତେବେ ଓଡ଼ିଶାର ସ୍ଥିତି ବାବଦରେ ଅନେକଙ୍କୁ ଭାବିବାକୁ ବାଧ୍ୟ କରିବ।
ଅକ୍ଟୋବର ୨୦୧୯ରୁ ଡିସେମ୍ବର ୨୦୨୫ ମଧ୍ୟରେ ଓଡ଼ିଶାକୁ ମିଳିଥିବା FDI Equity Inflow ହେଉଛି ୧,୭୨୧.୮୭ କୋଟି। ଏହା ଭାରତର ସମସ୍ତ ରାଜ୍ୟକୁ ଆସିଥିବା FDIର ମାତ୍ର ପ୍ରାୟ ୦.୦୭ ପ୍ରତିଶତ। ଏହି ସମୟରେ ମହାରାଷ୍ଟ୍ରକୁ ଆସିଛି ପ୍ରାୟ ୮.୩୧ ଲକ୍ଷ କୋଟି, କର୍ଣ୍ଣାଟକକୁ ୫.୪୨ ଲକ୍ଷ କୋଟି ଏବଂ ଗୁଜରାଟକୁ ପ୍ରାୟ ୩.୯୨ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି। ଏହି ରାଜ୍ୟ ଗୁଡ଼ିକ ତୁଳନାରେ ଓଡ଼ିଶାର ନିବେଶ ଯାତ୍ରା ବହୁ ପଛରେ ପଡ଼ିଛି। ଓଡ଼ିଶାରେ ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରୀ ଘୋଷଣାର ପରିମାଣ ବଡ଼, କିନ୍ତୁ ପ୍ରକୃତ ବିଦେଶୀ ପୁଞ୍ଜି ନିବେଶର ପରିମାଣ କାହିଁକି ଏତେ ଛୋଟ ?
ଏଠାରେ ଗୋଟିଏ କଥା ସ୍ପଷ୍ଟ କରିବା ଜରୁରୀ କି ବିଦେଶୀ ପୁଞ୍ଜି ନିବେଶ ଓ ନିବେଶ ପାଇଁ ପ୍ରସ୍ତାବ ସମାନ କଥା ନୁହେଁ। ଗୋଟିଏ କମ୍ପାନୀ ନିବେଶ କରିବାକୁ ଇଚ୍ଛା ପ୍ରକାଶ କଲେ ତାହା ନିବେଶ ପ୍ରସ୍ତାବ, ତାହା ପ୍ରକୃତ ନିବେଶ ନୁହେଁ। ପ୍ରକଳ୍ପ ଅନୁମୋଦନ, ଜମି, ଆର୍ଥିକ ବ୍ୟବସ୍ଥା, ନିର୍ମାଣ ଏବଂ ଶେଷରେ କାରଖାନା ଚାଲୁ ହେବା ପରେ ହିଁ ହୁଏ ନିବେଶର ପ୍ରକୃତ ସଂଜ୍ଞା। ମାତ୍ର ଏହାକୁ ନବୁଝି ପାରିଲେ ନିବେଶର ଭ୍ରମ ସୃଷ୍ଟି ହେବ।
ନବୀନଙ୍କ ବିଦେଶ ଯାତ୍ରା ବନାମ ମୋହନଙ୍କ ନିବେଶ ଅଭିଯାନ : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନର ଶେଷ ପର୍ଯ୍ୟାୟରେ ଓଡ଼ିଶା ବିଦେଶୀ ନିବେଶକଙ୍କ ନିକଟରେ ପହଞ୍ଚିବାକୁ ବିଶେଷ ଗୁରୁତ୍ୱ ଦେଇଥିଲା। ୨୦୨୨ର ଦୁବାଇ Investors’ Meetରେ ୨୧,୦୦୦ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଥିବା ସେତେବେଳର ସରକାର କହିଥିଲେ। ୨୦୨୩ର ଜାପାନ ଯାତ୍ରା ସମୟରେ ପ୍ରାୟ ୨୬,୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ରିପୋର୍ଟ ହୋଇଥିଲା। ଅର୍ଥାତ୍ ଏହି ଦୁଇଟି ବଡ଼ ବିଦେଶୀ ପୁଞ୍ଜି ଆଣିବା ଅଭିଯାନର ଘୋଷିତ ପରିମାଣ ଥିଲା ପ୍ରାୟ ୪୭,୦୦୦ କୋଟି ଟଙ୍କା। ଏବେ ମୋହନ ଚରଣ ମାଝୀଙ୍କ ସରକାରର ତଥ୍ୟକୁ ଦେଖିବା। ୨୦୨୬ର UAE investment Outreach ପରେ ସରକାର ପ୍ରାୟ ୨.୪୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଏବଂ ୬.୧୮ ଲକ୍ଷ ସମ୍ଭାବ୍ୟ ଚାକିରି ଆସିଥିବା କଥା କହିଛନ୍ତି। ଦେଖିବାକୁ ଏହା ନବୀନଙ୍କ ବିଦେଶୀ ନିବେଶ ଅଭିଯାନ ତୁଳନାରେ ବହୁଗୁଣାରେ ବଡ଼। କିନ୍ତୁ ଏହାକୁ ୨.୪୩ ଲକ୍ଷ କୋଟି ଟଙ୍କାର ପ୍ରକୃତ FDI ବା ବିଦେଶୀ ପୁଞ୍ଜି ନିବେଶ ବୋଲି କହିବା ଠିକ୍ ହେବ ନାହିଁ। କାରଣ ଏହା ହେଉଛି investment intent ବା ପୁଞ୍ଜି ନିବେଶ ପ୍ରସ୍ତାବ ମାତ୍ର।
ତେଣୁ ପ୍ରକୃତ ପ୍ରଶ୍ନ ହେଉଛି—ଏହି Intent ବା ପ୍ରସ୍ତାବର କେତେ ଅଂଶ ଅନୁମୋଦିତ ହେବ, କେତୋଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ଏବଂ କେତୋଟି କାରଖାନା ଶେଷରେ ଉତ୍ପାଦନ ଆରମ୍ଭ କରିବ ? ତେବେ ଏବାବଦରେ ଓଡ଼ିଶାର ଶିଳ୍ପ ସଂପର୍କିତ ତଥ୍ୟ କ’ଣ କହୁଛି ? ଏଠାରେ Odisha Economic Surveyର ତଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ୨୦୧୮-୧୯ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶାର କାର୍ଯ୍ୟ ଆରମ୍ଭ କରିଥିବା ଫ୍ୟାକ୍ଟ୍ରି ସଂଖ୍ୟା ୨,୭୦୦ରୁ ୨,୯୪୮କୁ ବଢ଼ିଛି। ଅର୍ଥାତ୍ ୨୪୮ଟି ବୃଦ୍ଧି ହୋଇଛି।
ଏହି ସମୟ ମଧ୍ୟରେ ସିଧା ସଳଖ ନିଯୁକ୍ତି ସଂଖ୍ୟା ୨,୮୧,୫୨୦ରୁ ୩,୭୭,୦୫୩କୁ ବଢ଼ିଛି—ପ୍ରାୟ ୯୫,୫୩୩ର ବୃଦ୍ଧି ହୋଇଛି।
Invested Capital ମଧ୍ୟ ୩.୪୯ ଲକ୍ଷ କୋଟି ଟଙ୍କାରୁ ୪.୩୯ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି। Industrial Output ୩.୦୨ ଲକ୍ଷ କୋଟି ଟଙ୍କାରୁ ୫.୨୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
ଏହି ତଥ୍ୟ ଗୋଟିଏ କଥା କହୁଛି—ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଶେଷ ପର୍ଯ୍ୟାୟରେ ଓଡ଼ିଶାର Organized Industrial base ବୃଦ୍ଧି ପାଇଥିଲା। କିନ୍ତୁ ଏହି ବୃଦ୍ଧିକୁ ସମ୍ପୂର୍ଣ୍ଣ ଭାବେ କେବଳ ସରକାରୀ ନୀତିର ଫଳ ବୋଲି କହିବା ମଧ୍ୟ ଠିକ୍ ହେବ ନାହିଁ। ଲୋକଙ୍କ ସରକାରର ପରୀକ୍ଷା ଏବେ ଆରମ୍ଭ ହୋଇଗଲା। ମୋହନ ମାଝୀ ସରକାରଙ୍କ ପାଇଁ ଏବେ ସବୁଠାରୁ ବଡ଼ ପରୀକ୍ଷା ହେଉଛି ପ୍ରସ୍ତାବକୁ ଉତ୍ପାଦନରେ ପରିଣତ କରିବାର ତଥ୍ଯ। ସରକାରୀ ତଥ୍ୟ ଅନୁସାରେ ୨୦୨୬ ଆରମ୍ଭ ସୁଦ୍ଧା ୩୯୨ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା, ଯାହାର ପ୍ରସ୍ତାବିତ ନିବେଶ ପ୍ରାୟ ୮.୧୫ ଲକ୍ଷ କୋଟି ଟଙ୍କା ଏବଂ ସମ୍ଭାବ୍ୟ ନିଯୁକ୍ତି ୫.୦୫ ଲକ୍ଷରୁ ଅଧିକ ବୋଲି ସରକାର କହିଛନ୍ତି ଏହା ସହିତ ୨୦୨୬ ଏପ୍ରିଲ ସୁଦ୍ଧା ପ୍ରାୟ ୨.୮୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିବା ଏବଂ ଏଥିରୁ ୨ ଲକ୍ଷରୁ ଅଧିକ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବାର ଆଶା ଥିବା ସରକାର କହିଛନ୍ତି। ଏଠାରେ ମଧ୍ୟ ଶବ୍ଦର ଫରକ୍ ଗୁରୁତ୍ୱପୂର୍ଣ୍ଣ—ନିଯୁକ୍ତିର ସୁଯୋଗ ଓ ପ୍ରକୃତ ନିଯୁକ୍ତି ସଂଖ୍ୟା ସମାନ କଥା ନୁହେଁ।
ଏବେ ଓଡ଼ିଶା ପାଇଁ ମୂଳ ପ୍ରଶ୍ନ ହେଊଛି
ଓଡ଼ିଶାରେ ସମସ୍ୟା କ’ଣ ? ନିବେଶକୁ ଆକର୍ଷିତ କରିବାରେ ରାଜ୍ୟ କାହିଁକି ପଛରେ ? ତେଣୁ ନୂଆ ସରକାର ପାଇଁ କେବଳ କେତେ କୋଟି ଟଙ୍କାର MoU ସ୍ୱାକ୍ଷର ହେବା ସଫଳତାର ମାନଦଣ୍ଡ ହେବା ଉଚିତ ନୁହେଁ। ପ୍ରକୃତ ମାନଦଣ୍ଡ ହେଉଛି
କେତେ project approved ହେଲା ?
କେତେ ground ହେଲା ?
କେତେ commissioned ହେଲା?
କେତେ FDI ପ୍ରକୃତରେ ଆସିଲା?
କେତେ ସ୍ଥାୟୀ ନିଯୁକ୍ତି ମିଳିଲା?
ଏବଂ ସେଥିରୁ କେତେ ଓଡ଼ିଆ ଯୁବକ-ଯୁବତୀ ଚାକିରି ପାଇଲେ?
ଏହି ସମସ୍ତ ପ୍ରଶ୍ନର ଉତ୍ତର ମିଳିଲେ ହିଁ ଓଡ଼ିଶାର ନିବେଶ ମଡେଲର ସଫଳତାକୁ ଠିକ୍ ଭାବେ ମାପିହେବ।ବଡ଼ ନିବେଶ ପ୍ରସ୍ତାବ ଓଡ଼ିଶାର ଆଶାକୁ ବଢ଼ାଏ। କିନ୍ତୁ MoUରୁ Factory, Factoryରୁ Production ଏବଂ Productionରୁ local Employment—ଏହି ତିନିଟି ପର୍ଯ୍ୟାୟକୁ ଅତିକ୍ରମ କଲାପରେ ହିଁ ନିବେଶର ପ୍ରକୃତ ସଫଳତା ପ୍ରମାଣିତ ହେବ।
ଓଡ଼ିଶା ଏବେ ସେହି ପରୀକ୍ଷାକୁ ସାମ୍ନା କରୁଛି। ନବୀନ ପଟ୍ଟନାୟକଙ୍କ ଦୀର୍ଘ ଶାସନରେ ଶିଳ୍ପ ସଂପର୍କିତ ତଥ୍ୟ ଏବଂ ମୋହନ ମାଝୀଙ୍କ ସରକାରର ବଡ଼ Investment Pipeline—ଉଭୟକୁ ଏକାଠି ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଯେ, ଘୋଷଣାର ଆକାର ନୁହେଁ, ଭୂଇଁ ଉପରେ ଦେଖାଯାଉଥିବା ନିବେଶ ଓ ଚାକିରି ହିଁ ଶେଷ ମାପଦଣ୍ଡ ହେବ।






