ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ଜାନୁୟାରୀ ୨୦୨୬
ମୁଁ କାହିଁକି କହ କହିବି ଠାକୁର
ମୁହିଁ କଳଙ୍କିତ ନାୟକ
ତୁମ ନିର୍ଦ୍ଦେଶନା ନ ମାନିଲେ ସିନା
ପିନ୍ଧିବି କଳଙ୍କ ତିଳକ।
ମୋ ଅନ୍ତରେ ମୁହିଁ ମାନିଯାଇଅଛି
ତୁମର ସମସ୍ତ ନିର୍ଦ୍ଦେଶନା
କଳଙ୍କିତ ବୋଲି କାହିଁକି ଉଡ଼ିବ
ମୋ ନାମେ କଳଙ୍କର ଵାନା।
ମୁଁ ଜାଣିଛି ତୁମ ଚକାଆଖି ପ୍ରଭୁ
ରହିଛି ଜାଗ୍ରତ ସବୁବେଳେ
ମୋର କର୍ମ ଧର୍ମ ହେଉଅଛି ବନ୍ଦୀ
ସେ ଆଖିର ଜବ କାଚ ତଳେ।
ମୁଁ ଯାହା ଗଣିତ ଜୀବନେ କଷୁଛି
ଗଣିତର ଚାରି ସୂତ୍ର ଧରି
ସେ ଗଣିତ ସୂତ୍ର ଜୀବନେ ଶିଖିଛି
ତୁମ ନିର୍ଦ୍ଦେଶନା ଅନୁସରି।
ସେଥିପାଇଁ ଦୃଢ଼େ ରହିଅଛି ମୁହିଁ
କେବେ ହେବିନାହିଁ କଳଙ୍କିତ
ଚକାଆଖି ଚାହିଁ ଦୁଇ ହାତ ଟେକି
ମୁହିଁ ତୁମ ପାଶେ ସମର୍ପିତ।






