ଜୟ କୁମାର ମିଶ୍ର, ଗଜପତି, ୭ ଫେବୃଆରୀ ୨୦୨୬
ଦିନ ଆସେ, ଦିନ ଯାଏ
କାଳ ବକ୍ଷେ ହଜି ଯାଏ
ନୀରବତା, ସାଥୀ ହୁଏ
ହୃଦୟ ପାଷାଣ କରି,
ଶାଗୁଣାଏଁ ପଲ ପଲ
କରୁଥାନ୍ତି କଲବଲ
ଖୁଣ୍ଟି ଖାଇ, ମନ ବଳ
ହିତଶତ୍ରୁ ସମ ସରି (୧)
ଭଲ କଥା, ଅଣ ଦେଖା
ଖରାପକୁ ହୃଦେ ରଖା
ବାର ବାର ମନ ପକା
ପର ଶିରୀ, କାତରରେ,
କେତେ କଥା, କେତେ ନଥା
ସତ ସହ, ମିଛ ଗୁନ୍ଥା,
ମନ ଗଢ଼ା, ମନ ଚିନ୍ତା,
ବାଣ୍ଟି ବୁଲେ ଘରେ, ଘରେ (୨)
ଆଖି କୋଣେ, ଲୁହ ଭରି
ସମୟରେ ଗୋଡ଼ ଧରି,
ନେହୁରାଟି, ଅସୁମାରୀ
ତୁମେ ଏକା, ମୋର ହରି,
ବିପଦରୁ ହେଲେ ପାରି
ଅତୀତକୁ ଭୁଲି କରି
ବହୁ ନିନ୍ଦା, ଓଠେ ଧରି
ରୁହେ ଦୂରେ କଳି କରି (୩)
ଭଗାରିର, ମନ୍ଦ ବୁଦ୍ଧି
ଗଲେ ଗଙ୍ଗା, ନୁହଁ ଶୁଦ୍ଧି
ପର ଛିଦ୍ର ମୁଣ୍ଡେ ଖୁନ୍ଦି
ବୁଲୁ ଥାଏ, ଦାଣ୍ଡ ବାଡ଼ି
ଲାଭ, ଲୋଭ, ମନ ଧରି
ପୁକୁଡା କୁକୁର ସରି
ଘୁରୁ ଥାଏ, ଘିରି ଘିରି
ଖୋଲି ଦେଇ, ଗପ ପେଢ଼ି (୪)
ଲାଳ ଖାଇ, କାଳ କଟା,
ମାଗି, ଖିଆ, ଜୀବନଟା,
ଦାଣ୍ଡେ କରେ, ହଟହଟା,
ନିରିଲଜେ କହି କଥା,
ଚୋର ମୁହଁ, ବଡ଼ ଟାଣ
ହେଉ ଥାଏ, ଫଣ ଫଣ
କହି କେତେ, ବଡ଼ ପଣ
ଆଗ ପଛ, ନାହିଁ ଚିନ୍ତା (୫)
ନୀଳ ବର୍ଣ୍ଣ ଶୃଗାଳଟା
କାଢୁ ଥାଏ ବହୁ ଛଟା
ବୁଲି, ବିଲ, ମାଳ, ତୋଟା
ମୁଁ ପରା ନିଆରାଟା
ରଙ୍ଗ ଯେବେ, ଗଲେ ଉଡ଼ି
ସବୁ, ଭାଉ ଦୂରେ ଛାଡ଼ି
ଘରେ ରୁହେ, ମୋଡ଼ିମାଡ଼ି
ସହି ବହୁ, ଛି ଛି କୁଟା (୬)
ଜୀବନର ଚଲା ପଥ
ଅଦୃଶ୍ୟରେ କଣ୍ଟକିତ
ପାଦେ ପାଦେ, ହୁଏ କ୍ଷତ
ଦିଏ ବହୁ ଅନୁଭୂତି,
ମରୁ ପଥେ, ମୃଗ ତୃଷ୍ଣା,
ଅନୀତିର ଉଡ଼େ ବନା
ନ୍ୟାୟକୁ, ନମିଳେ ଦାନା
ନିଃସଙ୍ଗତା ତାର ସାଥୀ (୭)
ଭୁଲି ଗଲା, ସ୍ୱାର୍ଥ ମତି
ଅତୀତର, ସ୍ଥିତି ଗତି
ଫୁଲାଇ ନିଜର ଛାତି
ଗେଣ୍ଡା, ଯେବେ ଶଙ୍ଖ ହେଲା,
ଦେଖ ତାର, ଚାକ ଚକ୍ୟ
ସଭା ମଧ୍ୟେ, ବକ ବକ
ପ୍ରବଚନ ଦିଏ ମୂର୍ଖ,
ପରିସ୍ଥିତି ବାଧ୍ୟ କଲା (୮)






