• About
  • Contact
Tuesday, July 28, 2026
Tuesday, July 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ମାର୍ଚ୍ଚ ୨୦୨୬

ନିର୍ବାଚନ ରାଜନୀତିରେ “ଘୋଡ଼ା ବେପାର” ଶବ୍ଦଟି ନୂଆ ନୁହେଁ। ମାତ୍ର ଚଳିତ ଥର ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ଏବେ ଏହି ଶବ୍ଦଟିକୁ ସବୁ ସ୍ତରରେ ସ୍ୱୀକୃତି ମିଳିଥିବା ଭଳି ମନେହୁଏ। ଏଥର ଓଡ଼ିଶାରେ ଖାଲି ପଡ଼ୁଥିବା ୪ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ୫ଜଣ ପ୍ରାର୍ଥୀ। ବିଜେପିରୁ ୨ଜଣ ପ୍ରାର୍ଥୀ ହେଲେ ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ସେହିପରି ବିଜେଡିରୁ ସଂତୃପ୍ତ ମିଶ୍ର ଏବଂ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା। ନିର୍ବାଚନ ଅଙ୍କ ସ୍ପଷ୍ଟ କରିଛି ବିଜେପିରୁ ୨ଜଣ ଓ ବିଜେଡିରୁ ଜଣେ ପ୍ରାର୍ଥୀ ଜିତିବା ନିଶ୍ଚିତ। ତେବେ ୪ର୍ଥ ପ୍ରାର୍ଥୀଙ୍କୁ ନେଇ ଆବଶ୍ୟକୀୟ ସଂଖ୍ୟା ବିଜେପି ଅବା ବିଜେଡି ପାଖରେ ନାହିଁ। ଯଦି ବିଜେଡିର ବଳକା ୧୮ ଖଣ୍ଡ ଭୋଟ ଏବଂ କଂଗ୍ରେସର ୧୪ଖଣ୍ଡ ଭୋଟ ସମେତ ସିପିଆଇଏମ୍ ର ଜଣେ ବିଧାୟକଙ୍କ ଭୋଟ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସପକ୍ଷରେ ଯାଏ, ତେବେ ତାଙ୍କର ବିଜୟ ସୁନିଶ୍ଚିତ। ଏବେ କଥା ଉଠିବ ଯେ, ଏସବୁ ଜାଣିବା ପରେ ବିଜେପି ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ସମର୍ଥନ କରିବା ପଛର କାରଣ କ’ଣ ? ବିଜେପିର ବଳକା ୨୨ଖଣ୍ଡ ଭୋଟ ପାଇ ଦିଲ୍ଲୀପ ରାୟ ଜିତିବେ କିପରି ? ଏସବୁ ପ୍ରଶ୍ନର ଉତ୍ତର ହେଉଛି ୨୦୦୨ ମସିହାରେ ଏହି ଭଳି ଆବଶ୍ୟକୀୟ ସଂଖ୍ୟା ନଥାଇ ଦିଲ୍ଲୀପ ରାୟ ଘୋଡା ବେପାର ମାଧ୍ୟମରେ ନିର୍ବାଚନ ଜିତିଥିବା କଥା ଚର୍ଚ୍ଚା ହୁଏ, ତେଣୁ ଏଥର ବି ଘୋଡ଼ା ବେପାରର ସୁଯୋଗ ଟିଏ ସୃଷ୍ଟି କରିବାକୁ ଶାସନ କ୍ଷମତାରେ ଥିବା ବିଜେପି ଚାହୁଁଛି। ଦିଲ୍ଲୀପ ରାୟ ପ୍ରାର୍ଥୀ ହେବା ପରେ ନିଜେ ଗଣମାଧ୍ୟମ ଆଗରେ କହିଲେ ଯେ, ସେ ଯେପରି ୨୦୦୨ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏଥର ମଧ୍ୟ ସେହିପରି ଜିତିବେ। ଏଥିରୁ ପ୍ରମାଣିତ ହେଉଛି ଯେ, ବିଜେପି ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ଘୋଡ଼ା ବେପାର ପାଇଁ ବାଟ ଫିଟାଇଛି। ତେବେ ଘୋଡ଼ା ବେପାର ଚର୍ଚ୍ଚାକୁ ଲୋକଙ୍କ ସାମ୍ନାକୁ ଆଣିଲେ ବିଜେଡିର ଜଣେ ପୂର୍ବତନ ସାଂସଦ ତଥା ଏକ ପ୍ରତିଷ୍ଠିତ ଓଡ଼ିଆ ଖବର କାଗଜର ସଂପାଦକ ତଥାଗତ ସତପଥୀ। ନିଜର ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସେ ଘୋଡ଼ା ବେପାର ହେବ ବୋଲି ପରୋକ୍ଷରେ ସୂଚନା ଦେବାସହ ଘୋଡ଼ା ଗୁଡ଼ିକର ମୂଲ୍ୟ ୭ରୁ୧୦ କୋଟି ଟଙ୍କା ହୋଇପାରେ ବୋଲି ଜଣାଇଥିଲେ। ତା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା ବିଭିନ୍ନ ପ୍ରମୁଖ ଗଣମାଧ୍ୟମରେ ଓ ସୋସିଆଲ ମିଡ଼ିଆରେ । ଅଙ୍କକଷା ଆରମ୍ଭ ହୋଇଯାଇଛି କାହା ଘୋଡ଼ା ଶାଳରେ କେତେ ଘୋଡ଼ା ଅଛନ୍ତି, କେଉଁ ଘୋଡ଼ା ମାନେ ବିକା ହୋଇପାରିବେ ? ବିକା ହେବା ପାଇଁ ଯୋଗ୍ୟ ଘୋଡ଼ା ମାନଙ୍କୁ କିଣିବା ପାଇଁ ବଜାରର ବ୍ୟବସାୟୀ କେଉଁମାନେ ?

ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଲେ ଦୁଇ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ। ପ୍ରଥମେ ବିଜେଡି ନିଜର ବିଧାୟକ ମାନଙ୍କ ଉପରେ ତିନି ଧାଡ଼ିଆ ହ୍ୱିପ ଜାରି କଲା, ମାର୍ଚ୍ଚ ୧୩ ତାରିଖରୁ ୧୬ ତାରିଖ ଯାଏ କେହି ଭୁବନେଶ୍ୱର ଛାଡ଼ି ଯାଇପାରିବେ ନାହିଁ। କେବଳ ସେତିକିରେ ଅଟକିଲା ନାହିଁ ବିଜେଡି। ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଗଣମାଧ୍ୟମରେ ଅଭିଯୋଗ ଆଣିଲେ ଯେ, ବିଜେପି ଘୋଡ଼ା ବେପାର ଆରମ୍ଭ କରିଦେଲାଣି। ତାପରେ ପୁଣି ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ ଚିଠି ଲେଖିଲେ ବିଜେଡିର ସମସ୍ତ ବିଧାୟକ ମାନଙ୍କୁ। ମାର୍ଚ୍ଚ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସବୁଦିନ ସଂନ୍ଧ୍ୟା ୫ଟା ୩୦ ରୁ ୭ଟା ୩୦ ପର୍ଯ୍ୟନ୍ତ ବିଜେଡି ବିଧାୟକ ମାନେ ହାଜିରା ପକାଇବା ପାଇଁ ନବୀନ ନିବାସରେ ଆଉ ଏହି ଚିଠିକୁ ସମସ୍ତେ ମାନିବାକୁ ବାଧ୍ୟ ବୋଲି ସୂଚାଇ ଦେଲେ ନବୀନ ପଟ୍ଟନାୟକ।

ଏବେ ଆରମ୍ଭ ହେଲା କଂଗ୍ରେସର ପାଳି। ବିଜେଡି ଭଳି ନିଜ ବିଧାୟକ ମାନେ ଭୁବନେଶ୍ୱର ନଛାଡ଼ିବା ପାଇଁ କଂଗ୍ରେସ ପକ୍ଷରୁ ଜାରି କରାଗଲା ହ୍ୱିପ । ତାପରେ ପିସିସି ସଭାପତି କଂଗ୍ରେସର କିଛି ବିଧାୟକଙ୍କୁ ସାଙ୍ଗରେ ଧରି ବେଙ୍ଗାଲୁର ପଳାଇଲେ। ସେଠାରେ କର୍ଣ୍ଣାଟକ ସରକାରଙ୍କ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ହେପାଜତରେ ଆରମ୍ଭ ହେଲା କଂଗ୍ରେସର “ରିସର୍ଟ ପଲିଟିକ୍ସ”। ଭାରତର ଅନ୍ୟ ରାଜ୍ୟ ମାନଙ୍କରେ ଘୋଡ଼ା ବେପାରର ଅଂଶବିଶେଷ ପାଲଟିଥିବା “ରିସର୍ଟ ପଲିଟିକ୍ସ” ଓଡିଶା ରାଜନୀତିରେ ଆସିଗଲା।

ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ଦେଖିବା ପରେ ଶାସକ ବିଜେପି ମଧ୍ୟ ନିଜ ଘୋଡ଼ା ମାନଙ୍କୁ ଜଗିବା ସହ ଘୋଡ଼ାଶାଳ ଉପରେ ନଜର ରଖିଛି। ଯେମିତି କୌଣସି ପରିସ୍ଥିତିରେ ବିଜେପି ର ଘୋଡ଼ାଶାଳରୁ କୌଣସି ଘୋଡ଼ା ଖସି ନଯିବେ ସେ ନେଇ ସମସ୍ତ ବନ୍ଦୋବସ୍ତ କରାଯାଇଛି ଶାସକ ଦଳ ପକ୍ଷରୁ। ୩ଟି ରାଜନୈତିକ ଦଳ ଘୋଡ଼ା ବେପାର ନେଇ ସ୍ପଷ୍ଟ ସଙ୍କେତ ଦେବା ପରେ ଓଡ଼ିଶାର ତଥାକଥିତ ସାମ୍ବାଦିକ ଓ ବୁଦ୍ଧିବାଦୀ ମାନେ ମଧ୍ୟ ଅଙ୍କ କଷି ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି ଶାସକ ଦଳ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟ କିଭଳି ଘୋଡ଼ା ବେପାର କରି ଜିତିବେ ବୋଲି। ଏହି ସାମ୍ବାଦିକ ଓ ବୁଦ୍ଧିବାଦୀ ମାନେ ପ୍ରମୁଖ ଗଣମାଧ୍ୟମରେ “ଘୋଡ଼ା ବେପାର”କୁ ସାର୍ବଜନୀନ କରିବା ସହ ଏହାକୁ ସ୍ୱୀକୃତି ମଧ୍ୟ ଦେଇସାରିଲେଣି।

ଅତଏବ ଚଳିତବର୍ଷର ରାଜ୍ୟସଭା ନିର୍ବାଚନରେ “ଘୋଡ଼ା ବେପାର” ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ ବୋଲି ସାଧାରଣ ଲୋକଙ୍କ ମନରେ ଧାରଣା ଦୃଢ଼ ହେବାରେ ଲାଗିଛି। ଯଦିଓ ୨୦୦୨, ୨୦୧୦ ରାଜ୍ୟସଭା ନିର୍ବାଚନରେ ଓଡ଼ିଶାରେ ଘୋଡ଼ା ବେପାର ହେବାର ଅଭିଯୋଗ ହୋଇଥିଲା ମାତ୍ର ୨୦୨୬ ରାଜ୍ୟସଭା ନିର୍ବାଚନର ଭୋଟ ଗ୍ରହଣ ପୂର୍ବରୁ “ଘୋଡ଼ା ବେପାର” ଶବ୍ଦଟିକୁ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱଙ୍କ ଆଭିମୁଖ୍ୟ,ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଗଣମାଧ୍ୟମରେ ମନ୍ତବ୍ୟ ଓ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ତଥାକଥିତ କିଛି ସାମ୍ବାଦିକ ଓ ବୁଦ୍ଧିବାଦୀ ମାନଙ୍କ ଯୁକ୍ତି ଉପସ୍ଥାପନ କରିବାର ଉଦ୍ୟମ ନିର୍ବାଚନ ପୂର୍ବରୁ “ଘୋଡ଼ା ବେପାର”କୁ ସାର୍ବଜନୀନ ଭାବେ ସ୍ୱୀକୃତି ଦେଇ ସାରିଥିବା ଭଳି ଲାଗୁଛି। ଏବେ ଓଡ଼ିଶାର ଜନସାଧାରଣ ଅପେକ୍ଷା କରିଛନ୍ତି ଘୋଡ଼ା ବେପାର ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ଘୋଡ଼ା,ସେମାନଙ୍କର ବିକ୍ରୀ ମୂଲ୍ୟ ଏବଂ ଘୋଡ଼ା କିଣିବା ପାଇଁ ଅନେଇ ରହିଥିବା ଘୋଡ଼ା ବେପାରୀଙ୍କ ପରିଚୟ ଜାଣିବା ପାଇଁ।

Nirvik Bureau

Nirvik Bureau

Related Posts

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…
Politics

ରଥଯାତ୍ରା ୨୦୨୬ : ତ୍ରୁଟିଶୂନ୍ୟରୁ ତ୍ରୁଟିପୂର୍ଣ୍ଣ…

by Nirvik Bureau
July 22, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୨ ଜୁଲାଇ ୨୦୨୬ ପ୍ରତିବର୍ଷ ପରି ଏଥର ମଧ୍ୟ ସମସ୍ତେ ଚାହିଁ ବସିଥିଲେ କୋଟି ବ୍ରହ୍ମାଣ୍ଡର ଠାକୁରଙ୍କୁ ଟିକେ ଦେଖିବା ପାଇଁ ରଥଯାତ୍ରାରେ...

Read more
ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

ଭୈରବଙ୍କ ଭେନେଜୁଏଲା ଭ୍ରମଣ ବୃତ୍ତାନ୍ତ….

July 15, 2026
Ineffective Opposition in Odisha

Ineffective Opposition in Odisha

July 5, 2026
ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

ଦୁଇ ବର୍ଷର ଗାଥା : କମ୍ ସଫଳତା ଅଧିକ ବିଫଳତା…

July 2, 2026
ସୁଜାତା ଆସିବା ପରେ …

ସୁଜାତା ଆସିବା ପରେ …

June 30, 2026
ଅସୁରକ୍ଷିତ ଲୋକସେବା ଭବନ ?

ଅସୁରକ୍ଷିତ ଲୋକସେବା ଭବନ ?

June 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.