ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୪ ମାର୍ଚ୍ଚ ୨୦୨୬
ନାଟକର ଶେଷ ସଂଳାପ ଭାଷାକୁ ଭଲ ଲାଗେ ନାହିଁ। ହେଲେ, ଶେଷ ସଂଳାପ ଭଲ ହେଉ ବା ନହେଉ, ଶେଷ ଦୃଶ୍ୟ ହେଉ ବା ଦୁଃଖମୟ ହେଉ, ଦର୍ଶକମାନେ ତାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି।
ମୋର ଅଦ୍ଭୁତ ଜୀବନ। ସବୁବେଳେ ପ୍ରତିଷ୍ଠା ବା ପ୍ରସିଦ୍ଧିର ଶୀର୍ଷରେ ପହଂଚିବା ଆଗରୁ ମତେ ଫେରିଯିବାକୁ ହୁଏ। “ଆଲୋକ”ର ସଂପାଦନା ଭଲ ଭାବେ କରୁ କରୁ ମତେ କଟକ ଛାଡ଼ି ପୁରୀ ଆସିବାକୁ ହେଲା। ଉମରକୋଟରେ ସୃଷ୍ଟ ଓ
ସ୍ରଷ୍ଟାକୁ ସକ୍ରିୟ କରିବା ଓ ଏମ୍.ଇ. ସ୍କୁଲର ହେଡମାଷ୍ଟର ଖ୍ଯାତି ଅର୍ଜନ କରୁ କରୁ ଏନ୍.ସି.ଇ.ଆର୍.ଟି. ନେଇ ଲକ୍ଷ୍ମୌରେ ପହଞ୍ଚାଇଲା। ଶନିବାର ସାହିତ୍ୟ ସଂଧ୍ୟା ବା ପୁରୀ ଜିଲ୍ଲା ଲେଖକ ସହଯୋଗ ସମିତିକୁ ସକ୍ରିୟ କରୁ କରୁ ମୁଁ ତାହାର ନେତୃତ୍ଵରୁ ଅପସରିଗଲି।
ଉତ୍ତର-ପୂର୍ବାଞ୍ଚଳ ପରିଷଦର ସୂଚନା, ଜନସଂପର୍କ ଓ ସଂସ୍କୃତି ନିର୍ଦ୍ଦେଶକ ଭାବେ ବହୁବିଧ ନୂଆ କାମ ଆରମ୍ଭ କରି ପ୍ରସିଦ୍ଧି ପାଇଲା ବେଳକୁ ବଳଦେବ ଭାଇ ଶର୍ମା ମୁଖ୍ୟ ସଂପାଦକ ପଦ ପାଇଁ ପ୍ରଶ୍ନ ଉଠେଇଥିବାରୁ ମତେ ମିଛ କହି ସେଠୁ ଡେପୁଟେସନରୁ ଫେରାଇ ଆଣିଲେ ଓ ନିଜ ଶଯ୍ୟା ସଙ୍ଗିନୀ ମୋଠୁ ଜୁନିଅର ଥିଲେ ବି ତାକୁ ମୁଖ୍ୟ ସଂପାଦକ ପ୍ରମୋସନ
ଦେଇଦେଲେ ଓ ମୁଁ କିଛି କରିପାରିଲି ନାହିଁ।
ଏଇମିତି ଏକ ଅବାଞ୍ଛିତ ଜୀବନ ମୁଁ ବିତେଇଦେଲି। ଏବେ ମହମ୍ମଦ ରଫିକ୍କୁ ଖୋଜୁଛି।
ଏ ଆତ୍ମଲିପିର ଆରମ୍ଭରେ ଲେଖିଥିଲି, ଏଥିରେ କୌଣସି କ୍ରମିକତା ନାହିଁ। ଯେତେବେଳେ ଯାହା ମନେ ପଡ଼ିଗଲା ବା ଘଟିଗଲା, ତାହା ଏଥିରେ ଲେଖିଛି। କୌଣସି ପୁରସ୍କାର ବା ବାହାବା ଯେ ମିଳିବ, ଏ ଆଶା ବି ମୋର ନାହିଁ।
ଜୀବନରେ ଅନେକଙ୍କୁ ଛାପିଛି ବା ଛପେଇଛି, ପୁସ୍ତକମେଳା ମାଧ୍ଯମରେ ବହୁ ନୂଆ ପ୍ରକାଶକଙ୍କୁ ଆଗକୁ ଆଣିଛି, ଏବେ ଟଙ୍କା ଖର୍ଚ୍ଚ କରି ବହି ଛପେଇବାକୁ ପଡୁଛି। ମୁଁ ସେ ଅପମାନଜନକ କାମ କରିପାରିବି ନାହିଁ।
ମୋତେ କାହିଁକି ଲାଗୁଛି, ଦିନେ ମୋ ମଲାପରେ କେହି ମୁଗ୍ଧ ପ୍ରକାଶକ ମୋର ଏ ଆତ୍ମଲିପି ହୁଏତ ଛାପିବେ।
ଜୀବନ ସରିନାହିଁ। ଆଉ କିଛି ଲେଖିବାକୁ ସମୟ ଅଛି ଯଦି ଏ ଭିତରେ ଆଉ କିଛି ମନେପଡ଼େ ବା ଏଭଳି କିଛି ଘଟେ ତାକୁ ମୁଁ ଅନ୍ୟତ୍ର ଲେଖିବି। କାଳ ନିରବଧି।






