• About
  • Contact
Sunday, April 19, 2026
Sunday, April 19, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଏପ୍ରିଲ, ୨୦୨୬

ଗତ ୧୭ ତାରିଖରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ତେବେ ଏହି ଅବସରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁପସ୍ଥିତି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସେତିକି ନୁହେଁ, ଆହୁରି ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜଙ୍କ ଲୁଚକାଳି ଖେଳ ଓ ଦଳର ଉପନେତା ସୁଲତା ଦେଓ ସଭାକୁ ନଯିବା ଘଟଣା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ​ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦିଲ୍ଲୀରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ସ୍ମୃତି ସଭାର ଆୟୋଜନ କରାଯାଇଥିଲା। ଏନେଇ ଦଳ ପକ୍ଷରୁ ବଣ୍ଟା ଯାଇଥିବା ନିମନ୍ତ୍ରଣ ପତ୍ରରେ ମଧ୍ୟ ଲେଖାଯାଇଥିଲା ଯେ, ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ ବୋଲି, ମାତ୍ର ସେ ଦିଲ୍ଲୀରେ ରହି ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ଗଲେ ନାହିଁ । ଏପରିକି ଭୁବନେଶ୍ୱରରେ ଆୟୋଜିତ ଆଉ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ତେବେ ଦିଲ୍ଲୀ କାର୍ଯ୍ୟକ୍ରମ ଠାରୁ ଦୂରେଇ ରହିବାର କାରଣ କ’ଣ ?

​ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ​ତେବେ ରାଜନୈତିକ ମହଲରେ ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି। ବିଜୁ ବାବୁଙ୍କ ଦିଲ୍ଲୀ ବାସଭବନକୁ ନେଇ ନିକଟରେ ସୃଷ୍ଟି ହୋଇଥିବା ବିବାଦ ଏବଂ ଟ୍ରଷ୍ଟ ଗଠନ ସମ୍ପର୍କିତ ସ୍ପଷ୍ଟୀକରଣ ପରେ ନବୀନ ବୋଧହୁଏ ସର୍ବସାଧାରଣ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ​ବିଜେଡି ରାଜନୀତି ଉପରେ ଏହାର ପ୍ରଭାବ ଏପରିକି​ ନବୀନଙ୍କ ଅନୁପସ୍ଥିତି ବିଜେଡି ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଅପରପକ୍ଷରେ ​’ବିଜୁ ଲିଗାସି’ ଉପରେ ନିଜର ଦାବି ଉପସ୍ଥାପିତ କରିବାକୁ ଯାଇ ଓଡ଼ିଶାରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଭଳି ପୁରୁଖା ନେତାମାନେ ”ଓଡ଼ିଶା ନାଗରିକ ମଞ୍ଚ” ମାଧ୍ୟମରେ ଏକାଠି ହୋଇଛନ୍ତି। ସେମାନେ ନିଜକୁ ବିଜୁ ବାବୁଙ୍କ ପ୍ରକୃତ ଆଦର୍ଶର ଉତ୍ତରାଧିକାରୀ ବୋଲି ଦର୍ଶାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏଭଳି ସମୟରେ ନିଜ ବାପାଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ​ନବୀନ ପଟ୍ଟନାୟକ ଯୋଗ ନଦେବା ଦ୍ୱାରା ବିଜେଡିର ଦ୍ୱିତୀୟ ଧାଡ଼ିର ନେତାମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ପରିଲକ୍ଷିତ ହେଉଛି। ଏହା ବିରୋଧୀ ଦଳଗୁଡ଼ିକୁ (ବିଜେପି ଓ କଂଗ୍ରେସ) ଆକ୍ରମଣ କରିବା ପାଇଁ ଏକ ସୁଯୋଗ ଦେଇଛି। କିଛି ବର୍ଷ ଧରି ନବୀନ ବାରମ୍ବାର ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟକ୍ରମ କରିବା ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କର୍ମୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ଓ ଦଳୀୟ ମନୋବଳ ଉପରେ ପ୍ରଭାବ ପକାଇଛି। ବିଭିନ୍ନ ଦଳର ନେତୃମଣ୍ଡଳୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିବା ବେଳେ ନିଜେ ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ଅନ୍ୟ ମାନଙ୍କୁ ଏବାବଦରେ ଭାବିବାକୁ ବାଧ୍ୟ କରିଛି । ନବୀନ ପଟ୍ଟନାୟକ ଅନୁପସ୍ଥିତ ରହିବା ସହ ବିଜେଡିର ରାଜ୍ୟସଭା ସଂସଦୀୟ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜ ମଧ୍ୟ ଏକ ପ୍ରକାର ଲୁଚକାଳି ଖେଳିଥିବା ନେଇ ଶୁଣିବାକୁ ମିଳୁଛି। ଏପରିକି ଏହି ସଭାରେ ଯେତେବେଳେ ମାନସଙ୍କୁ ଧନ୍ୟବାଦ ଅର୍ପଣ ପାଇଁ ଦଳର ଅନ୍ୟ ସାଂସଦ ମାନେ ଖୋଜିଲେ, ସେତେବେଳକୁ ସିଏ କାଳେ କୁଆଡ଼େ ଗାଏବ ହୋଇ ଯାଇଥିଲେ ବୋଲି ଚର୍ଚ୍ଚା ହେଉଛି। ଦଳର ଉପନେତା ସୁଲତା ଦେଓ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଯାଇ ନଥିଲେ। ତେବେ ନିମନ୍ତ୍ରଣ ପତ୍ରରେ ନବୀନ ପଟ୍ଟନାୟକ ଆସିବେ ବୋଲି ସମ୍ମତି ଦେଇ ଆସିଲେ ନାହିଁ କାହିଁକି ? ମାନସ ମଙ୍ଗରାଜଙ୍କ ଲୁଚକାଳି ଖେଳ ପଛର କାରଣ କ’ଣ ?ସୁଲତା ଦେଓ କାହିଁକି ଅନୁପସ୍ଥିତ ରହିଲେ ? ଏନେଇ ଯାହା ଶୁଣିବାକୁ ମିଳୁଛି ତାହା ହେଉଛି ଯେ ବିଜେଡି ସଂସଦୀୟ ଦଳରେ ବୃଦ୍ଧି ପାଉଥିବା ଅସନ୍ତୋଷ ଓ ପରସ୍ପର ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇର ପରିଣାମ । ଏକଥା ବି ଶୁଣିବାକୁ ମିଳୁଛି ଯେ, ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ ବିଜେଡିର ଦୁଇ ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ । ଯେଉଁମାନେ ଏବେ ବିଜେଡିର ଅନ୍ୟତମ ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ(ବବି ଦାସ)ଙ୍କ ସମର୍ଥକ ଭାବେ ଗଣା ହେଉଛନ୍ତି। ଅନ୍ୟପକ୍ଷରେ ଏଭଳି ଆୟୋଜନ ବାବଦରେ ଜାଣିବା ପରେ କାଳେ ଦଳର ଆତ୍ମ ଘୋଷିତ “ସନ୍ୟାସୀ” ତଥା ଅଘୋଷିତ ନେତା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ହସ୍ତକ୍ଷେପ କରିଥିବା କଥା ଦଳ ଭିତରେ ଆଲୋଚନା ହେଉଥିବାର ଶୁଣିବାକୁ ମିଳୁଛି। ତାଙ୍କର ଇଙ୍ଗିତରେ ନବୀନ ବାବୁ ଏହି ସଭାକୁ ଗଲେ ନାହିଁ ଏବଂ ମାନସ ମଙ୍ଗରାଜ ଓ ସୁଲତା ଦେଓ ମଧ୍ୟ ଏଥିରୁ ଦୂରେଇ ରହିବାର କୌଶଳ ଆପଣାଇଥିବା ନେଇ ବାହାରେ ଚର୍ଚ୍ଚା ହେଉଛି। ତେଣୁ ବିଜେଡିରେ ଆରମ୍ଭ ହୋଇଥିବା “ବବି-ପାଣ୍ଡିଆନ ଲଢ଼େଇ”ର ଏହା ଅଂଶ ବିଶେଷ ବୋଲି ବୁଝାଯାଇପାରେ ।

ଘଟଣା ଯାହାବି ହୋଇଥାଉ ନା କାହିଁକି ଦିଲ୍ଲୀରେ ଏବେ ବିଜେଡିର ସଂସଦୀୟ ଦଳର ନେତା ମାନଙ୍କ ମଧ୍ୟରେ କାହାର କାହା ସହ ସମ୍ପର୍କ ଭଲ ନଥିବା କଥା ପ୍ରମାଣିତ ହୋଇଛି। କିଛିଦିନ ପୂର୍ବରୁ ରାଜ୍ୟସଭାରେ ଦଳର ନେତା ପଦରୁ ଡ଼.ସସ୍ମିତ ପାତ୍ର ଇସ୍ତଫା ଦେବା ଓ ମାନସ ମଙ୍ଗରାଜ ନୂଆ ନେତା ହେବା ପରଠାରୁ ବିଜେଡି ସଂସଦୀୟ ଦଳର ବିବାଦ ସାମ୍ନାକୁ ଆସି ସାରିଛି। ତେବେ ଆଗକୁ ଆହୁରି ପରିସ୍ଥିତି ଖରାପ ହୋଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛି। ବିଜୁ ବାବୁଙ୍କ ଭଳି ଜଣେ ମହାନ ନେତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯଦି ପୁରୁଖା ବିଜୁପ୍ରେମୀ ନେତାମାନେ ଏକାଠି ହୋଇ ବିଜେଡିର ବିକଳ୍ପ ଦଳ ତିଆରି ପାଇଁ ଆହ୍ୱାନ ଦେଉଥିବା ବେଳେ,ବିଜେଡି ଭିତରେ “ବବି-ପାଣ୍ଡିଆନ” ଲଢ଼େଇ ଜୋରଦାର ହେବା ନବୀନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।

Nirvik Bureau

Nirvik Bureau

Related Posts

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?
Politics

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

by Nirvik Bureau
April 9, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୯ ଏପ୍ରିଲ, ୨୦୨୬ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ଡ. ସସ୍ମିତ୍ ପାତ୍ର। ଦଳ ସଭାପତି ନବୀନ...

Read more
ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

ମୋହନ-ବିଜୟ ଫର୍ମୁଲା : ଜୁଏଲଙ୍କ ବଦଳରେ ମନ୍ତ୍ରୀ ହେବେ ଦିଲ୍ଲୀପ !

April 4, 2026
ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

ଷଡ଼ଙ୍ଗୀ ବାବୁ : ଲୋକସେବା ଭବନର ନୂଆ ପାଣ୍ଡିଆନ ?

March 28, 2026
ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

ବିଜେଡିରୁ ୮, କଂଗ୍ରେସରୁ ୩ : ଓଡ଼ିଶା ଚିହ୍ନିଲା ଘୋଡ଼ା ଓ ବେପାରୀଙ୍କୁ…

March 17, 2026
ଘୋଡ଼ା ବେପାରକୁ ସ୍ୱୀକୃତି !

ଘୋଡ଼ା ବେପାରକୁ ସ୍ୱୀକୃତି !

March 14, 2026
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.