• About
  • Contact
Tuesday, June 16, 2026
Tuesday, June 16, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ,୧ ମଇ ୨୦୨୬

ମୃତ ଭଉଣୀ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଲୋକଟି ବାରମ୍ବାର ବ୍ୟାଙ୍କକୁ ଦୌଡ଼ିଥିଲେ। ମାତ୍ର ସେଠିକା ପାଠୁଆ ବାବୁ ମାନେ ଏହି ଅପାଠୁଆ ଅସହାୟ ଆଦିବାସୀ ଲୋକର ଅନୁରୋଧ ଶୁଣିଲେ ବି ନାହିଁ। ଭଉଣୀର ଡେଥ୍ ସାର୍ଟିଫିକେଟ୍ କେଉଁଠୁ କେମିତି ଆଣିବେ ତାହା କେହି କହିଲେ ନାହିଁ। ଯାହା ନାଁରେ ଖାତା ଅଛି ସେ ହିଁ ଟଙ୍କା ଉଠାଇ ପାରିବ ବୋଲି ବ୍ୟାଙ୍କର ବାବୁ ମାନେ କହିଲେ,ସେଠାରୁ ସିଧା ଆସିଲେ ଘର ପଛପଟେ ମୃତ ଭଉଣୀର କବର ଜାଗାକୁ। ଖୋଳି ବାହାର କଲେ ଭଉଣୀର କଙ୍କାଳ। ସେହି କଙ୍କାଳକୁ ବସ୍ତାରେ ବାନ୍ଧି କାନ୍ଧରେ ପକାଇଲେ। ଚାଲିଲେ ୩ କିଲୋମିଟର ଦୂର ବ୍ୟାଙ୍କକୁ। ବାରଣ୍ଡାରେ କଙ୍କାଳକୁ ଥୋଇ ବ୍ୟାଙ୍କବାଲାଙ୍କୁ ଡାକିଲେ। ତାଙ୍କ ଭଉଣୀ ବୋଲି ଚିହ୍ନାଇ ଟଙ୍କା ମାଗିଲେ…।

ଏ ହେଉଛି ଡିଜିଟାଲ୍ ଇଣ୍ଡିଆର ଗୋଟିଏ କାହାଣୀ। ଏ କାହାଣୀ ଏବେ ଆମ ରାଜ୍ୟ, ଦେଶ ଆଉ ବିଦେଶରେ ବେଶ ଚର୍ଚ୍ଚିତ। ନିଜର ଅଧିକାର ମାଗୁଥିବା ଜଣେ ଅପାଠୁଆ ଆଦିବାସୀର କଥା। ବିକଶିତ ଓଡ଼ିଶା ଏବଂ ବିକ୍ଷିପ୍ତ ଭାରତ ଆଡ଼କୁ ଅଗ୍ରସର ହେଉଥିବା ସମୟର ଏହି ନିଚ୍ଛକ କାହାଣୀଟି ଆସିଛି ଡବଲ ଇଞ୍ଜିନ ସରକାର ଦ୍ୱାରା ପରିଚାଳିତ ବ୍ୟବସ୍ଥା ଓ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡିଆନାଳୀ ଗ୍ରାମର ନିରୀହ ଆଦିବାସୀ ଜିତୁ ମୁଣ୍ଡା। ତାଙ୍କର ଜଣେ ଭଉଣୀ ଥିଲେ କଲରା ମୁଣ୍ଡା। ଯାଜପୁର ଜିଲ୍ଲାରେ ବିବାହ କରିଥିବା କଲରାଙ୍କର ସ୍ୱାମୀ ଏବଂ ଏକମାତ୍ର ସନ୍ତାନଙ୍କ ପୂର୍ବରୁ ମୃତ୍ୟୁ ହୋଇଥିଲା। ତେଣୁ ଡିଆନାଳୀରେ ଭାଇ ଜିତୁଙ୍କ ପାଖରେ ରହି ମୂଲ ଲାଗି ପେଟ ପୋଷୁଥିଲେ କଲରା। କିଛି ମାସ ତଳେ ଏକ ବଳଦ ବିକ୍ରି କରି ପାଇଥିବା ୧୯ ହଜାର ୩୦୦ ଟଙ୍କା ସେ ସ୍ଥାନୀୟ ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜମା କରିଥିଲେ। ଦୁଇ ମାସ ତଳେ ଭଉଣୀ କଲରାଙ୍କ ରୋଗରେ ମୃତ୍ୟୁ ହୋଇଥିଲା। ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିଥିଲେ ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କୁ ସହଯୋଗ କରି ନ ଥିଲେ। ଆକାଉଣ୍ଟ ଯାହାର, ସେ ଆସିଲେ ଟଙ୍କା ଦିଆଯିବ ବୋଲି ନିୟମ ବତାଇଥିଲେ।

ଗତ ସୋମବାର ଦିନ ୧୧ଟା ବେଳେ ଟାଣ ଖରାରେ ଜିତୁ ଚାଲି ଚାଲି ବ୍ୟାଙ୍କକୁ ପୁଣି ଥରେ ଯାଇଥିଲେ। ସମାନ କଥା ଶୁଣିଲା ପରେ ସିଧା ଗାଁ ଶ୍ମଶାନକୁ ଫେରି ଆସିଥିଲେ। ଭଉଣୀକୁ ପୋତିଥିବା ଜାଗାକୁ ଖୋଳି କଙ୍କାଳ ବାହାର କଲେ। ତାକୁ ଏକ ବସ୍ତାରେ ପୂରାଇଥିଲେ। ସେହି ବସ୍ତାକୁ କାନ୍ଧରେ ପକାଇ ୩ କିଲୋମିଟର ଚାଲି ଚାଲି ପୁଣି ବ୍ୟାଙ୍କରେ ପହଞ୍ଚିଥିଲେ। ନରକଙ୍କାଳ ଭର୍ତ୍ତି ବସ୍ତାକୁ ବ୍ୟାଙ୍କ ବାରଣ୍ଡାରେ ରଖିବା ଦେଖି ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକମାନେ ଭୟରେ ଥରିଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଭଉଣୀର କଙ୍କାଳକୁ ନେଇ ଜିତୁ ଗାଁ ଶ୍ମଶାନରେ ପୁଣି ଥରେ ପୋତି ଦେଇଥିଲେ।

ଏହି ହୃଦୟ ବିଦାରକ, ସମ୍ବେଦନଶୀଳ ଖବର ଦେଶ ଓ ବିଦେଶରେ ଥିବା ଗଣମାଧ୍ୟମରେ ଛାଇ ଯାଇଥିଲା। ଏପରିକି ଏହା ପୁଣି ଥରେ ମନେ ପକାଇ ଦେଇଥିଲା ୧୦ ବର୍ଷ ତଳେ ଘଟିଥିବା କଳାହାଣ୍ଡିର ଦାନ ମାଝୀ ଘଟଣାକୁ। ବ୍ୟାଙ୍କକୁ ପ୍ରମାଣ ଦେବା ପାଇଁ ଜଣେ ଭାଇ ତାଙ୍କର ମୃତ ଭଉଣୀର କଙ୍କାଳକୁ କାନ୍ଧରେ ପକାଇ ଯିବାର ବିକଳ ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ। ଯିଏ ଦେଖୁଛନ୍ତି ତାଙ୍କର ଛାତି ଥରିଯାଉଛି। ମାନବିକତା ଦୋହଲିଯାଉଛି। ମଣିଷକୁ ଚଳାଉଥିବା ବ୍ୟବସ୍ଥାର ଜଟିଳତା ଏବଂ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ମଣିଷଙ୍କ କ୍ରୁରତା ଆଗରେ ଜଣେ ଅପାଠୁଆ ନିରୀହ ଆଦିବାସୀ ମଣିଷ ଯେ କେତେ ଅସହାୟ ତାହା ତାଙ୍କ ଫଟୋ ବୟାନ କରୁଛି।

ଏଠି ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ସହର ସାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗା ହୋର୍ଡିଂ ଝୁଲୁଛି। ଖବରକାଗଜରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବାହାରୁଛି। ମାତ୍ର ସମାଜର ସବା ତଳ ପାହାଚରେ ରହୁଥିବା ମଣିଷ ପାଇଁ ଶିକ୍ଷା, ସଚେତନତାର ଅଭାବ ସମସ୍ତଙ୍କୁ ଉଦବେଳିତ କରିଛି। ସଭ୍ୟ ସମାଜର ପ୍ରତିଟି ମଣିଷକୁ ଆମ ବ୍ୟବସ୍ଥାର ଏହି ବିକଳ ଚିତ୍ର ଅଧିକ ବିଚଳିତ କରିଛି।

ଆହୁରି ଦୁର୍ଭାଗ୍ୟ ଯେ ଘଟଣାର ୨୪ ଘଣ୍ଟା ପୁରିବା ପର୍ଯ୍ୟନ୍ତ ଆତ୍ମ ଘୋଷିତ ଲୋକଙ୍କ ସରକାର ଏବଂ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳି ନଥିଲା।ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଏହି ଖବରର ଝଡ଼ ବୋହୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନିଜ ଜିଲ୍ଲାରେ ଆଡମ୍ବରପୂର୍ଣ୍ଣ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ନିଜକୁ ସାମିଲ ରଖିଥିଲେ। ନିଜ ଜିଲ୍ଲାର ନିଜ ସମ୍ପ୍ରଦାୟର ଜଣେ ନିରୀହ ବ୍ୟକ୍ତିଙ୍କ ଅସହାୟତା ତାଙ୍କୁ ସାମାନ୍ୟ ବିଚଳିତ ମଧ୍ୟ କରିପାରି ନଥିଲା। ଆଉ ଏ ଖବର ଯେତେବେଳେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଲା ଓ ସାଧାରଣ ଲୋକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ, ସେତେବେଳେ ଏହି ଘଟଣା ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କଲେ ଖୋଦ ବ୍ୟାଙ୍କର ମ୍ୟାନେଜର। ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କ ଆସିନାହାନ୍ତି କହି ଘଟଣାର ଗମ୍ଭୀରତାକୁ ବାଆଁରେଇ ଦେଇଛନ୍ତି ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମ୍ୟାଜେନର। ସେ ତାଙ୍କ ସଫେଇରେ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତି ତାଙ୍କ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେବା ପାଇଁ ଥରୁଟିଏ ଆସିଥିଲେ। ବ୍ୟାଙ୍କ ନିୟମ ଅନୁଯାୟୀ ପ୍ରମାଣପତ୍ର ଆଣିବାକୁ ତାଙ୍କୁ କୁହାଯାଇଥିଲା। ମାତ୍ର ସେ ମଦ ପିଇ ନରକଙ୍କାଳ ଧରି ଆସି ପହଞ୍ଚିଥିଲେ। ଏଥିରେ ଆମର କିଛି ଦୋଷ ନାହିଁ ବୋଲି ସେ କହିଥିଲେ।

ଜିତୁ ମୁଣ୍ଡାଙ୍କୁ ତାଙ୍କ ମୃତ ଭଉଣୀର ଟଙ୍କା କେମିତି ଫେରସ୍ତ ମିଳିବ ତାହା ବ୍ୟାଙ୍କ କର୍ମଚାରୀ ବୁଝାଇ ପାରିଲେନି କି ପ୍ରମାଣପତ୍ର ଯୋଗାଡ଼ରେ ସହଯୋଗ କରିବାକୁ ଆଗେଇ ଆସିଲେନି । ଭଉଣୀର ମୃତ୍ୟୁ ପ୍ରମାଣପତ୍ର ତା’ର କଙ୍କାଳ ବୋଲି ବୁଝିଲେ ଅପାଠୁଆ ଜିତୁ ମୁଣ୍ଡା । ସେଥିପାଇଁ ତାଙ୍କ ଭଉଣୀର ଶବ ପୋତା ଯାଇଥିବା ସ୍ଥାନକୁ ଖୋଳି କଙ୍କାଳ ବାହାର କଲେ ଏବଂ ତାକୁ କାନ୍ଧେଇ ଟାଣ ଖରାରେ, ପିଚୁ ରାସ୍ତାରେ, ଖୋଲା ପାଦରେ ୩ କିଲୋମିଟର ଦୂର ବ୍ୟାଙ୍କକୁ ଚାଲି ଚାଲି ଗଲେ । ରାସ୍ତାରେ ସମସ୍ତେ ତାଙ୍କୁ ଚାହିଁଥିଲେ ବି ମାନବିକତା ଦେଖାଇଲେନି।

ଭଉଣୀର କଙ୍କାଳକୁ କାନ୍ଧେଇ ଧରି ବ୍ୟାଙ୍କରେ ପହଞ୍ଚିଲା ପରେ ତାଙ୍କୁ ଦେଖି ସମସ୍ତେ ଦୌଡ଼ି ଆସିଲେ। କର୍ମଚାରୀଙ୍କଠାରୁ ଖବର ପାଇ ସ୍ଥାନୀୟ ପୁଲିସ ବି ପହଞ୍ଚିଗଲେ। ତହସିଲଦାର, ବିଡିଓ ପହଞ୍ଚିଥିଲେ। ଜିଲ୍ଲାପାଳଙ୍କ ପାଖରେ ବି ଖବର ପହଞ୍ଚିଥିଲା। ବ୍ୟାଙ୍କବାଲା, ପୁଲିସ, ତହସିଲଦାର, ବିଡିଓ ସମସ୍ତେ ତାଙ୍କୁ ଜଳ ଜଳ କରି ଚାହିଁଥିଲେ। କଙ୍କାଳ ନେଇ ଶୀଘ୍ର ଏଠାରୁ ଯାଆ ବୋଲି ପୁଲିସ ଧମକାଇଥିଲା। ସମସ୍ତଙ୍କ ସାମନାରେ ଜିତୁ ପୁଣି ସେହି କଙ୍କାଳକୁ ଧରି ଗାଁ ଶ୍ମଶାନକୁ ଫେରିଥିଲେ। ତାହାପୁଣି ଟାଣ ଖରା, ପିଚୁ ରାସ୍ତା, ବିନା ଚପଲରେ। ପୁଲିସ, ବିଡିଓ, ତହସିଲଦାର କେହି ତାଙ୍କୁ ଅଟକାଇଲେ ନାହିଁ। ଏହି ବାବୁମାନେ ତାଙ୍କୁ ସରକାରୀ ଗାଡ଼ିରେ ବସାଇ ଗାଁରେ ଛାଡ଼ି ଦେଇଥିଲେ କ’ଣ କିଛି ଅସୁବିଧା ହୋଇଥାନ୍ତା କି ?

ସରକାରୀ କଳଠାରୁ ସାଧାରଣ ଜନତା ସମସ୍ତେ ଭୁଲିଗଲେ ମାନବିକତା। ଉଦୁ ଉଦୁ ଖରାରେ କଙ୍କାଳକୁ ଧରି ଚାଲୁଥିବା ଜିତୁ ମୁଣ୍ଡାଙ୍କୁ ରାସ୍ତାରେ ଲୋକ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟର ହାତ ନ ବଢ଼ାଇବା କି ସମବେଦନା ନ ଜଣାଇବା ଆହୁରି ଦୁର୍ଭାଗ୍ୟର କଥା ନୁହେଁ କି ? ଶେଷରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ତୀବ୍ର ସମାଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ଚେତା ପଶିଲା, ଏବଂ ତୁରନ୍ତ ସରକାର ଦେଲେ ଆରଡିସି ତଦନ୍ତ ନିର୍ଦ୍ଦେଶ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଘଟଣାର ଖୋଳତାଡ଼। ଜିଲ୍ଲା ରେଡ୍ କ୍ରସ୍ ପାଣ୍ଠିରୁ ତାଙ୍କୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା ବେଳେ ଭଉଣୀର ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରାଯାଇଛି । ଏଥିସହ ଭଉଣୀ ଆକାଉଣ୍ଟରେ ଥିବା ୧୯ ହଜାର ୩୦୦ ଟଙ୍କା ତାଙ୍କୁ ଅବିଳମ୍ବେ ପ୍ରଦାନ କରାଯାଇଛି। ବ୍ୟାଙ୍କ ଅଧିକାରୀମାନେ ତାଙ୍କ ଘରକୁ ଆସି ତାଙ୍କର ପ୍ରାପ୍ୟ ଟଙ୍କା ଦେଇ ଯାଇଛନ୍ତି। ଏହା ପରେ ଆମ ରାଜ୍ୟର ପ୍ରମୁଖ ଗଣମାଧ୍ୟମରେ ଏହି ଖବର ଶେଷ ହୋଇଯାଇଛି।

ଥରେ ଭାବନ୍ତୁ ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ କ’ଣ ବାର୍ତ୍ତା ଗଲା ? ସମାଜର ଶେଷ ପାହାଚରେ ଥିବା ଜିତୁ ମୁଣ୍ଡା ଭଳି ଜଣେ ଅପାଠୁଆ, ନିରୀହ ଆଦିବାସୀ ପ୍ରତି ତଥା କଥିତ ବ୍ୟବସ୍ଥା, ପାଠୁଆ ବ୍ୟାଙ୍କ ବାବୁ ଓ ଲୋକଙ୍କ ସରକାରର ପ୍ରଶାସନିକ ଅଧିକାରୀ ମାନେ ଉଚିତ ବ୍ୟବହାର ଦେଖାଇଲେ କି ? ଡିଜିଟାଲ ଇଣ୍ଡିଆ କେବଳ ପ୍ରଚାର ସର୍ବସ୍ବ ବୋଲି ଏଭଳି ଘଟଣା ସାମ୍ନାକୁ ଆସିବା ପରେ ପ୍ରମାଣିତ ହେଲା ନା ନାହିଁ ? ଜିତୁ ମୁଣ୍ଡାଙ୍କ ପ୍ରତି ବ୍ୟବସ୍ଥାର ଅବିଚାର ଡବଲ ଇଞ୍ଜିନ ସରକାରର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଲା ନା ନାହିଁ ? ଏପରିକି ମନେ ମନେ ନିଜକୁ “ଲୋକଙ୍କ ସରକାର” କହୁଥିବା ଓ “ଲୋକଙ୍କ ମୁଖ୍ୟମନ୍ତ୍ରୀ” ଦାବୀ କରୁଥିବା ନେତୃତ୍ୱ ଉପରେ ସାଧାରଣ ଲୋକଙ୍କ ଭରସା ଆଉ ରହିବ କି ? ଶେଷରେ ଏଭଳି ଏକ ଘଟଣା ପ୍ରମାଣିତ କଲା ନା ନାହିଁ ଯେ ଆମ ବ୍ୟବସ୍ଥା ଓ ଆମ ସମାଜ ପାଇଁ ମାନବିକତାର ମୂଲ୍ୟ କିଛି ନାହିଁ ବୋଲି….?

Nirvik Bureau

Nirvik Bureau

Related Posts

ଗେରୁଆ ମଠର ହାଲଚାଲ…
Politics

ଗେରୁଆ ମଠର ହାଲଚାଲ…

by Nirvik Bureau
June 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ଜୁନ୍ ୨୦୨୬ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଦୁଇ ବର୍ଷ ହୋଇଗଲା। ଏହି ଦୁଇ ବର୍ଷ ଭିତରେ ଯଦି ବିଜେପିର ଆଭ୍ୟନ୍ତରୀଣ...

Read more
ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …

May 20, 2026
ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

May 13, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

ଆସିଲେନି ନବୀନ, ନେତା ଖେଳିଲେ ଲୁଚକାଳି : ଇଏ କ’ଣ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ?

April 19, 2026
ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

ସଂତୃପ୍ତ ଇନ୍… ସସ୍ମିତ୍ ଆଉଟ୍ : ଖେଳ କାହାର ?

April 9, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.