ଭକ୍ତ ଚରଣ ସାହୁ, ଯାଜପୁର, ୧୦ ମଇ ୨୦୨୫
ମାଆର ମୂଲ ଅମୂଲ ମୂଲ
ତା’ ମୂଲ କିଏ ଦେବ।
ମାଆର ଗେଲ ଅମୃତ ତୁଲ
ତା’ ସମ କିଏ ହେବ।।
ମାଆର କୋଳ କେତେଯେ’ ଭଲ
ତା’ ଠାରୁ କିଛି ନାହିଁ।
ମାଆର ଗାଳି ଦିଏ ମୁଁ ଟାଳି
ମଣିଷ ହେବା ପାଇଁ।।
ମାଆ ଖୁଆଏ ମାଆ ଶୁଆଏ
ମାଆ ବୁଝେ ମୋ ଦୁଃଖ।
ମାଆ ମୋହର ପୁଅ ମୁଁ ତା’ର
ତା ପାଇଁ ଲଭେ ସୁଖ।।
ମାଆର ବିନା ଏଇ ଦୁନିଆ
ଲାଗେ ତ ମତେ ପିତା।
ମାଆ ଆଶିଷ ଥିଲେ ମଥାରେ
ହେବି ଜଗତଜିତା।।
ମାଆ ବିନା କେ ବୁଝିବ ଆଉ
ପୁଅର ମନ କଥା।
ମାଆ ସବୁରି ଆଖିରେ ବଡ଼
ତା’ ଚରଣେ ମୋ ମଥା।।
ମାଆ ଆଶିଷ ଯେଉଁ ପୁଅର
ଶିରରେ ଥିବ ପଡି।
ସେ ପୁଅ ଦିନେ ରଖିବ ନାଆଁ
ଯଶ ପହାଚେ ଚଢି।।






