ଡଃ. ଗିରିଜା ଶଙ୍କର ମିଶ୍ର, ମାହାଙ୍ଗା, ୩ ଜୁନ୍ ୨୦୨୬
ଲକ୍ଷ୍ୟ ତା ସୁନାର ଫସଲ
ମାଟି ସହ ମାଟି ହୋଇ
ଆଣେ ମାଟି – ଉର୍ବରତା
ଶୁଦ୍ଧ ବିହନ ବୁଣି
ଅନା-ବନା ଘାସ ବାଛି
ବହୁ ଯତ୍ନେ ପାଏ ସଫଳତା ।୧।
ମୁଣ୍ଡ ଫଟା ଖରାରେ
ଲାଗି ଥାଏ ନିରନ୍ତରେ
ରିମ ଝିମ ବର୍ଷାରେ
ଭିଜି–ଭିଜି କାମ କରେ
ଚିନ୍ତା କରେ ନାହିଁ
ପରିଶ୍ରମ ର ଫଳ ମିଳିବ କି ନାହିଁ ? ।୨।
ଶୀତରେ ଥରି-ଥରି
ଦାଆ ହାତେ ଧରି
ଅବଲୋକେ ସୁନାର ଫସଲ
ଆଖି ତାର ହୁଅଇ ନିହାଲ
କାଟି ଥାଏ ତାକୁ
ଭଜି-ଭଜି ଲକ୍ଷ୍ମୀଙ୍କର ପବିତ୍ର ନାମକୁ ।୩।
ହସି ଉଠେ ଘର
ଭରେ ତା’ ଅମାର
ମନରେ ତା’ କେତେ ପ୍ରସନ୍ନତା
ବାର ମାସେ ତେର ଓଷା
କେବେ ଯାଏ ବନ୍ଧୁର ଘରକୁ
ସାଥେ ନେଇ ସୁଦାମାର ଖୁଦ ପୁଡ଼ିଆକୁ ।୪।
କେବେ ଆସେ ବାତ୍ୟା
ପୁଣି କେବେ ବନ୍ୟା
ଶୁଭେ କେବେ ମରୁଡ଼ିର ସ୍ୱନ
ହଜି ଯାଏ ତା’ ସୀମିତ ଜ୍ଞାନ
ଉଜୁଡ଼େ ତା’ ପରିଶ୍ରମ-ଧନ
ରଙ୍କ-ଦରବ କି ମୂଷା କଲା ଜଳ-ପାନ ।୫।
ଆଖିରୁ ଲୁହ ଝରେ
କି କଲ ହେ ଠାକୁରେ
ଏତେ ପରିଶ୍ରମ ଥିଲି କରି
ଏଡ଼େ ନିଷ୍ଠୁର ସବୁ ନେଲ ହରି
ସରକାର କରନ୍ତି ଘୋଷଣା
ମୁଆବଜା ଏକରକୁ ହଜାରେ ପାଉଣା ।୬।






