ଜୟ କୁମାର ମିଶ୍ର, ଗଜପତି, ୧୧ ଜୁଲାଇ ୨୦୨୬
ପାହିଗଲେ ରାତି, ଅପେକ୍ଷାର ଇତି
ନିର୍ବାଚନ ମତ ଦାନ,
କେତେ ହଟାପାଟି, ହେବେ ପିଟା ପିଟି
ମିଛ ନାଟକରେ ମନ (୧)
ଭାବି ବାହୁବଳି, ଦେଇ ବହୁ ଗାଳି
ରଣ ହୁଙ୍କାରରେ ଡାକ,
ଜେଲ ପଛେ ଯିବି, ମାରିବି, ମରିବି,
ଦୃଢ଼ ସଂକଳ୍ପର ବାକ୍ୟ (୨)
ସରି ପଙ୍ଗପାଳ, ବେକାରିଆ ଦଳ
ଲୁଙ୍ଗୁରୁ, ପୁଙ୍ଗୁରୁ ହେବେ,
ବିନିଦ୍ରିତ ରାତି, ପ୍ରହରାଟି ଅତି
ସାହି, ଦାଣ୍ଡ ବୁଲୁ ଥିବେ (୩)
ଏଜେଣ୍ଟ ପତର, ଧରି କା’ର କର
ଭାଗ୍ୟବାନ, ମଣୁ ଥାଇ,
ବଦଳାଇ ଦେବ, ପ୍ରତି ହାବ ଭାବ,
ମନେ ବାହୁ ବଳି ସେହି (୪)
ଗାଡ଼ି ପରେ ଗାଡ଼ି, ଗାଆଁ ଦାଣ୍ଡ ମାଡ଼ି
ଅହରହ ଆସୁ ଥିବ,
ପ୍ରାର୍ଥୀ ପ୍ରତିନିଧି, ଦେବେ କିଛି ନିଧି
ସଂକ୍ଷିପ୍ତରେ କହି ଭାବ (୫)
ଧରି ଟଙ୍କା କିଏ, ଅନ୍ଧାରରେ ଯାଏ
ହୋଇ ଅନ୍ଧାରୁଆ ହୋଇ,
ମଉକାଟି ଅତି, ବିଳମ୍ବିତ ରାତି,
ମଙ୍ଗ ବୁଲାଇବା ପାଇଁ (୬)
କର କବାଟରେ, ମାରି ଡାକେ ଧିରେ
ଟଙ୍କା, ହାତେ ବଳେ, ଦିଆ,
ପଢ଼ାଇବେ ପାଠ, ନକଲି ବେଲେଟ,
କାଢ଼ି ଚି଼ହ୍ନଟିକୁ, କୁହା (୭)
କେତେ ଭଡାଟିଆ, ଧରିଥିବେ ରାହା
ଜଗିବାକୁ ଭୋଟ ଗଡ଼,
କାଳେ ହେବ ଚୋରି, ଅବା ଦୋନମ୍ବରୀ
ମନରେ ସନ୍ଦେହ ଭିଡ଼ (୮)
ନିଶାଚୁରୁ ହୋଇ, ମାରୁଥିବେ ହାଇ
ନିଦ ଭରା ଦୁଇ ନେତ୍ର,
ଭାଷା ଓ ଅଭାଷା, ଚିତ୍କାର ଶବଦ
କରେ ସୁଖ ନିଦ୍ରା ହତ (୯)
ଜନ ଗତିମତି, ତନଖିବେ ସ୍ଥିତି
ସରିସମ ଗୁପ୍ତ ଚର,
କାମଟି ଅଳପ, ବହୁତ ବହପ
ଆଳାପ, ପ୍ରଳାପେ ବୀର (୧୦)
ହୋଇ ନେତା ଭାଟ, ହୁଅନ୍ତି ଉଚ୍ଚାଟ
ଗାଆଁ, ସାହି କମ୍ପାଇବେ,
ଏଇସା କରିବା, ତେଇସା କରିବା
କହି ରାଉ ରାଉ ହେବେ (୧୧)
ମାଲ ପାଣି ପେଟେ, ପିଇ ଦେଇ ବାଟେ
ଗଡି ପଡ଼ୁ ଥିବେ କେହି,
ଲୁଗା ଓଦା କରି, ଓଠେ ଫେଣ ଭରି
କେତେ କଣ ଦେବେ କହି (୧୨)
କିଛି ଜଟିବାକୁ, ଆଶା ଭରିବାକୁ
କଳ୍ପିତ ନାଟକ ଛଇ,
କିଏ ଜିତୁ ହାରୁ, କିଏ ଅବା ମରୁ
ସେଥକୁ ନିଘାଟି ନାହିଁ (୧୩)
ଗଜଭେଣ୍ଡା ମେଳି, କରନ୍ତି ବୋବାଳି
ଘୁରି ବୁଲି ସାହି, ଗଳି,
ଏ ଏକ ମଉକା, ଲଭିବାକୁ ଟଙ୍କା
ନିଶା, ଖାଦ୍ୟ ଭଳି ଭଳି (୧୪)
ସ୍ୱାଦିଷ୍ଟ ବ୍ୟଞ୍ଜନ, ଚାଖଣା ଅନେକ,
ପୁଡା ପୁଡା ହେବ, ଖୋଲା
ଖାଇବେ, ବୋହିବେ, ହିସାବଟି ଦେବେ
ଛଅକୁ ଛପନ ହେଲା (୧୫)






