ଜୟ କୁମାର ମିଶ୍ର, ଗଜପତି, ୨୩ ଜୁଲାଇ ୨୦୨୬
ଛୋଟିଆ ରାତି ସପନ ଅତି
ଆକାଶ ସେତ ଛୁଏଁ,
ରାତି ନିଅଣ୍ଟ, ଭାବନା ଆଣ୍ଟ
ଅବଶୋଷଟି କୁହେ (୧)
ଚାହେଁ କ୍ଷମତା, ହୋଇବ ନେତା
ଉଚ୍ଚ ପଦରେ ରହି,
ଚଢ଼ିବ ଗାଡ଼ି, କିଣିବ ବାଡ଼ି
ଭୋଗ, ଭାଗ୍ୟକୁ ନେଇ (୨)
ସୁନା ଓ ବାନା, ଘର କରଣା
ବିଳାସ, ଆସବାବ,
ନାମଟି ପକ୍କା, ସବୁ ଦାମିକା,
ଶୋଭାରେ ମୋହୁ ଥିବ (୩)
ବିରାଟ କୋଠା, ପଡ଼ିଆ, ତୋଟା
ବାଡ଼ି, ବଗିଚା କେତେ,
ଉଚ୍ଚ ପାଚେରୀ, ଥିବଟି ଘେରି
ନୁଆଁ ଫାଟକ ସାଥେ (୪)
ଦାଣ୍ଡେ କୁକୁର, ପ୍ରହରା ଦେବ
ଜଗୁଆଳିଟି ସହ,
ଆଦେଶ ମତେ, ଚାକର କେତେ,
ହୋଇବେ ଆଜ୍ଞା ବହ (୫)
ଶସ୍ୟ ଶାମଳ, କ୍ଷେତ ବହୁଳ
ଆଦାୟ ଅପ୍ରମିତ,
ଗୋଦାମ ଘର, ସେ’ ଭରପୁର
ଶ୍ରମିକ କାମେ ରତ (୬)
ବିବିଧ ଯାନ, ମୋହିବ ମନ
ହୋଇ ଦାଣ୍ଡରେ ଠିଆ,
ଲୋକ ପ୍ରଶଂସା, କାନରେ ବସା
କରିବ ତୁହା ତୁହା (୭)
ଦୂର ସହରେ, ନୁଆଁ ବାସରେ
ନିବାସ ପାଇଁ ମନ,
ଅଳପ ବିତ, ଆଶା ବହୁତ
ହେଉଛି ଛନ, ଛନ (୮)
ମନ ସଉକ, ବିଳାସ ସୁଖ
ସୌଭାଗ୍ୟ ଶିରୀ ପାଇଁ,
ଲଗାମ ଛଡ଼ା, ପିପାସା ଘୋଡ଼ା
ଅଣ ଆୟତ୍ତ ସେହି (୯)
ଭୋଗ ଭାଗ୍ୟଟି, କୋଳରେ ଲୋଟି
ହେଉ ସେ ଆତ ଯାତ,
ନାହିଁ ଫାଟକ, ପାଟିରେ ଦେଖ
କରେ ଆଳାପ ନିତ୍ୟ (୧୦)
ଛୋଟ ପଣନ୍ତ, ହୁଏ ନିଅଣ୍ଟ
ଲାଜଟି ଅଧା ଦିଶେ,
ପାଟ ଶାଢୀତ, ଦୂରର କଥା
ଛିଣ୍ଡା କପଡ଼ା ପାଶେ (୧୧)
ଭେକକୁ ଦେଖି, ଭିକଟି ସିନା
ଆୟରେ ବ୍ୟୟ ହେବ,
ପରର ଦେଖି, ଭାବନା ରଖି
ଭାବିଲେ କିବା ଲାଭ?? (୧୨)
ପ୍ରତିଯୋଗିତା, ଖାଇବ ମଥା
ପାଗଳ କରି ଦେବ,
ଲୋକ ହସାଟି, ପାରି ବଇଠି
ମନକୁ ଦହି ଦେବ (୧୩)
ମନ ବେଦନା, ଦେବ ଯାତନା
ଛଡ଼ାଇ ନେବ ନିଦ,
ଆସିବ ରୋଗ, ଡାକ୍ତର ସାଙ୍ଗ
ଲେଖିବ ଅଉଷଧ (୧୪)






