ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୫ ଅଗଷ୍ଟ ୨୦୨୬
ମୁହିଁ ଭାରତର ଅମୃତ ସନ୍ତାନ
ମୋ ଜନ୍ମ ପାଇଁକି ମୁହିଁ ଧନ୍ୟ
ବିବିଧତା ମଧ୍ୟେ ଏକତା ଗୀତିକା
ଗାଏ ଗରବରେ ପାଣି ପବନ।
ମଥା ଟେକି ଏଠି ହିମାଳୟ ଠିଆ
ଶାଶ୍ୱତ ଗୌରବ ଗାଥାକୁ ଗାଏ
ମହୋଦଧି ଜଳ ବିନୟ ଭାବରେ
ମୋ ଜନ୍ମ ମାଟିର ଚରଣ ଧୁଏ।
ଭାଷାରେ ଖାଦ୍ୟରେ ପୋଷାକ ଭେଦରେ
ବିଭିନ୍ନତା ଆମ ଦେଶ ସମ୍ଭାର
ଆମରି ଭାରତ ବିଶ୍ୱରେ ବନ୍ଦିତ
ଶାନ୍ତି ମୈତ୍ରୀ ପ୍ରୀତି ପୂତ ମନ୍ଦିର।
ଆମରି ତ୍ରିରଙ୍ଗା ବିଶ୍ୱଜନଙ୍କର
ମନମୋହିନିଏ ସୁନ୍ଦରତାରେ
ତା ତରଙ୍ଗାୟିତ ଉଡାଣ ଦେଖିଣ
ଅଇରୀ ହୃଦୟ ଭୟରେ ଥରେ।
ଆମରି ଦେଶର ଜାତୀୟ ସଂଗୀତ
ନିଆରା ତାହାର ସ୍ୱର ମୂର୍ଚ୍ଛନା
ନାଚିବା ଗାଇବା ବୀର ଦରପରେ
ଉଡାଇ ଦେଶର ଜୈତ୍ର ବାନା।






